ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଖିଳ ଭାରତ କ୍ରୀଡ଼ା ପରିଷଦ (ଏଆଇସିଏସ) ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ହକି ଖେଳକୁ ପ୍ରୋତ୍ସାହନ ଦେବା ବ୍ୟତୀତ ଆନ୍ତର୍ଜାତିକ ସ୍ତରର ଖେଳ ଭୁବନେଶ୍ୱରରେ ଅନୁଷ୍ଠିତ କରାଇ ପାରିଥିବାରୁ ଏହାକୁ ଏକ ମଡେଲ ବୋଲି କହିଛି ପରିଷଦ।

ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପତ୍ର ଲେଖି ନିଖିଳ ଭାରତ କ୍ରୀଡ଼ା ପରିଷଦ ଦେଶର ବିଭିନ୍ନ କ୍ରୀଡ଼ାକୁ ଉତ୍ସାହିତ କରିବା ପାଇଁ ଅନୁରୋଧ କରିଛି। ପରିଷଦର ଅଧ୍ୟକ୍ଷ ଓ ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟ କୁମାର ମାଲହୋତ୍ରା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ଖେଳକୁ ପ୍ରୋତ୍ସାହନ ଦିଆଯିବା କ୍ଷେତ୍ରରେ ଓଡ଼ିଶାକୁ ଅନୁକରଣ କରାଯିବା ଦରକାର। ଓଡ଼ିଶା ଯେଭଳି କରିଛି ସେଭଳି କରାଗଲେ ଦେଶର କ୍ରୀଡ଼ା ବିକଶିତ ହୋଇପାରିବ ବୋଲି ମାଲହୋତ୍ରା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପତ୍ର ଲେଖି ମାଲହୋତ୍ରା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଭାରତରେ ହକିକୁ ଆଗେଇ ନେବାରେ ଅନେକ ସାହାଯ୍ୟ କରିବ। ନବୀନଙ୍କ ନିଷ୍ପତ୍ତିକୁ ଏକ ‘ମାଇଲଖୁଣ୍ଟ’ ବୋଲି ବିବେଚନା କରିବା ସହ ଜାତୀୟ ହକି ଟିମର ପୃଷ୍ଠପୋଷକ ହୋଇଥିବାରୁ ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି।

Comment