ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି-ବିଜେଡି ରାଜନୀତି ଆକ୍ଷେପ-ପ୍ରତିଆକ୍ଷେପ ଓ ବାକ୍ ଯୁଦ୍ଧରେ ସୀମିତ ନରହି ସଂସ୍କୃତି ଓ ସାହିତ୍ୟ ଆଡ଼କୁ ସଂକ୍ରମିତ ହୋଇଛି।

ଓଡ଼ିଶାରେ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଚାଲିଥିବା ଦୋଷାରୋପ ରାଜନୀତି ଥମିବାର ନାଁ ନେଉନାହିଁ। ଆକ୍ଷେପ-ପ୍ରତିଆକ୍ଷେପ ଓ ବାକ୍ ଯୁଦ୍ଧ କ୍ଷମତା ରାଜନୀତିରେ ସୀମିତ ନରହି ସଂସ୍କୃତି ଓ ସାହିତ୍ୟ ଆଡ଼କୁ ମଧ୍ୟ ସଂକ୍ରମିତ ହୋଇଛି।

୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି କେହି କାହାକୁ ଜାଗା ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। ନିକଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ପୁସ୍ତକ ‘ଦ ଟଲ ମ୍ୟାନ’କୁ ଭୁବନେଶ୍ୱର ଓ ମୁମ୍ବାଇରେ ଲୋକାର୍ପଣ କରାଯାଇଥିଲା।

ଭୁବନେଶ୍ୱର ଲୋକାର୍ପଣକୁ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ଅନ୍ୟ ବହୁ ମାନ୍ୟଗଣ୍ୟ ନେତା ଆସିଥିଲେ।ଏହା ସବୁଠାରୁ ବଡ଼ ଘଟଣା ଥିଲା। ଏହାକୁ କାଉଣ୍ଟର କରିବା ପାଇଁ ଅପ୍ରେଲ ପହିଲାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏକ ପୁସ୍ତକ ଲୋକାର୍ପଣ କରିଥିଲେ।’ଧମନୀର ଶୌର୍ଯ୍ୟ’ ଶୀର୍ଷକ ଏହି ପୁସ୍ତକରେ ମୁଖ୍ୟତଃ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ପୁରୁଷଙ୍କ ସଂପର୍କରେ ଲେଖାଯାଇଛି। ଏନେଇ ବରିଷ୍ଠ ବିଜେପି ନେତା ବିଶ୍ୱ ଭୂଷଣ ହରିଚନ୍ଦନ କହିଛନ୍ତି,’ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଏହି ପୁସ୍ତକ ଏକ ଭବ୍ୟ ଶ୍ରଦ୍ଧାଞ୍ଜଳି। ‘ଧମନୀର ଶୌର୍ଯ୍ୟ’ ଓଡ଼ିଶାର ଇତିହାସ ଓ ବୀର ଓଡ଼ିଶାଙ୍କ ଇତିହାସ। ‘ଟଲ ମ୍ୟାନ’ କିନ୍ତୁ ଜଣେ ବ୍ୟକ୍ତିଙ୍କୁ ନେଇ ଲେଖାଯାଇଛି।ଏ ଦୁଇଟି ପୁସ୍ତକ ପରସ୍ପର ଠାରୁ ଭିନ୍ନ।’

ଏହି ପୁସ୍ତକ ବିବାଦକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦାମୋଦର ରାଉତ କହିଛନ୍ତି,’ରାଜନୈତିକ ମାଇଲେଜ ପାଇଁ ବିଜେପି ଏହିଭଳି ଏକ ପୁସ୍ତକ ଲୋକାର୍ପଣ କରିଛି।’ ବିଶେଷଜ୍ଞମାନଙ୍କ ମତରେ ପୁସ୍ତକକୁ ନେଇ ଏହିଭଳି ବିବାଦ ସ୍ପୃହଣୀୟ ନୁହେଁ। ରାଜନୈତିକ ଫାଇଦା ଉଠାଇବା ପାଇଁ ସାହିତ୍ୟ ଓ ସଂସ୍କୃତିକୁ ବିବାଦ ଭିତରକୁ ଟାଣିବା ଘଟଣାକୁ ନାପସନ୍ଦ କରିଛନ୍ତି ଇତିହାସବିତ ପ୍ରୀତିଶ ଆଚାର୍ଯ୍ୟ। ତାଙ୍କ ମତରେ “ରାଜନୈତିକ ଉଦେଶ୍ୟ ରଖି ଏହିଭଳି ପୁସ୍ତକ ବିବାଦ ସୃଷ୍ଟି ହୋଇଥାଇପାରେ।କିନ୍ତୁ ଏହା ପାଠକଙ୍କ ଉପରେ କୌଣସି ପ୍ରକାର ପ୍ରଭାବ ପକାଇବ ନାହିଁ।”

Comment