ରବୀନ୍ଦ୍ର ନାରାୟଣ ମିଶ୍ର

ଜିଦ୍ ନିଷ୍ଠାକୁ ଦୃଢ଼ୀଭୂତ କରେ ଓ ଦୃଢ଼ୀଭୂତ ନିଷ୍ଠା ହିଁ ଲକ୍ଷ୍ୟସ୍ଥଳ ଆଡକୁ ଆଗେଇ ନେଇଥାଏ।

ଆମ ରାଜ୍ୟ କଟକ ନଗରୀର କଳାବିକାଶ କେନ୍ଦ୍ରର ପ୍ରତିଷ୍ଠାତା ବାବୁଲାଲ ଦୋଶୀ ଭିକାରୀ ଭଳି ସହାୟତା ମାଗି ବୁଲୁଥିଲେ ଆଜିର କଳାବିକାଶ କେନ୍ଦ୍ର ଅନୁଷ୍ଠାନକୁ କଟକ ସହରରେ ପ୍ରତିଷ୍ଠା କରିବା ପାଇଁ। ଏଥିପାଇଁ ସେ ଗୋଡରେ ଚଟି ବା ଜୋତା ପିନ୍ଧୁ ନଥିଲେ ଏବଂ କି ଖରା କି ବର୍ଷା କଟକ ରାସ୍ତାରେ ବୁଲି ବୁଲି ଭିକ୍ଷା କରି ଚାଲିଥିଲେ। ପ୍ରତ୍ୟେକ ଭଲ କାର୍ଯ୍ୟ ପାଇଁ ଜିଦ୍‌ର ଜରୁରତ୍ ଅଛି।

ଏବେ ଆଉ ଏକ ଜିଦ୍ କଥା ଶୁଣନ୍ତୁ।

କାଶୀରେ ହିନ୍ଦୁ ବିଶ୍ଵବିଦ୍ୟାଳୟ ସ୍ଥାପନ କରିବା ପାଇଁ ପଣ୍ଡିତ ମଦନମୋହନ ମାଲବ୍ୟ ଏମିତି ଏକ ଜିଦ୍ ଧରିଥିଲେ। ପ୍ରତିଦିନ ସେ କେତେ ଦାନ ଯୋଗାଡ କରିବେ, ତାହା ସ୍ଥିର କରିନେଇ ଦାନ ସଂଗ୍ରହ ଉଦ୍ଦେଶ୍ୟରେ ଘରୁ ବାହାରିପଡ଼ୁଥିଲେ। ନିର୍ଦ୍ଦିଷ୍ଟ ପରିମାଣର ଦାନ ସଂଗ୍ରହ ନ ହେବା ପର୍ଯ୍ୟନ୍ତ ସେ ଖାଦ୍ୟ ଗ୍ରହଣ କରୁନଥିଲେ।

ଦିନକର କଥା। ପଣ୍ଡିତ ମାଲବ୍ୟ ତାଙ୍କ ସାଥୀରେ କେତେଜଣ ସହକର୍ମୀଙ୍କୁ ଧରି ଅମୃତସରର ଜଣେ ବଡ଼ ବ୍ୟବସାୟୀଙ୍କ ଦ୍ଵାରସ୍ଥ ହେଲେ। ତାଙ୍କ ଦଳରେ ଥିବା ସମସ୍ତେ ଦିନଯାକ ବୁଲି ବୁଲି କ୍ଲାନ୍ତଶ୍ରାନ୍ତ ହୋଇଯାଇଥିଲେ। ସେମାନେ ବ୍ୟବସାୟୀଙ୍କ ଘରେ ପହଞ୍ଚିଲାବେଳକୁ କ୍ଲାନ୍ତ ହେବା ସଙ୍ଗେ ସଙ୍ଗେ କ୍ଷୁଧାର୍ତ୍ତ ମଧ୍ୟ ହୋଇପଡ଼ିଥିଲେ। ସେମାନଙ୍କର ଏ ଅବସ୍ଥା ଦେଖି ବ୍ୟବସାୟୀ ସେମାନଙ୍କ ପାଇଁ ଖୁବ୍ ଭଲ ଭାବରେ ଜଳଖିଆର ଆୟୋଜନ କରିଥିଲେ।

କ୍ଷୁଧାର୍ତ୍ତ ହେବା ଯୋଗୁଁ ମାଲବ୍ୟଙ୍କ ଦଳରେ ଥିବା ଲୋକମାନେ ବ୍ୟବସାୟୀଙ୍କ ଆତିଥ୍ୟ ସ୍ଵୀକାର ପୂର୍ବକ ନିଜ ନିଜର ଉଦର ଶାନ୍ତି କଲେ। ମାତ୍ର ମାଲବ୍ୟଜୀ ସେଠାରେ ଜଳସ୍ପର୍ଶ କଲେ ନାହିଁ। ବ୍ୟବସାୟୀଜଣକ ଯେତେବେଳେ ମାଲବ୍ୟଜୀଙ୍କ ନ ଖାଇବା କାରଣ ଜାଣିବାକୁ ଚାହିଁଲେ ସେତେବେଳେ ତାଙ୍କୁ ଜଣାଇ ଦିଆଗଲା ଯେ ଚାନ୍ଦା ଆଦାୟରେ ମାଲବ୍ୟଜୀ ତାଙ୍କ ଧାର୍ଯ୍ୟ ଲକ୍ଷ୍ୟରେ ନ ପହଞ୍ଚିବା ଯାଏଁ ଜଳସ୍ପର୍ଶ କରନ୍ତି ନାହିଁ।

ସାଙ୍ଗେ ସାଙ୍ଗେ ବ୍ୟବସାୟୀ ଜଣକ ଜାଣିବାକୁ ଚାହିଁଲେ ସେଦିନ କେତେ ପରିମାଣ ଅର୍ଥର ଲକ୍ଷ୍ୟକୁ ରଖାଯାଇଛି। ସେଇ ଧାର୍ଯ୍ୟ ଲକ୍ଷ୍ୟ ଜାଣିବା ପରେ ବ୍ୟବସାୟୀ ଜଣକ ଧାର୍ଯ୍ୟ ଲକ୍ଷ୍ୟକୁ ପଛରେ ପକାଇ ଗୋଟିଏ ଚେକ୍ ମାଲବ୍ୟଜୀଙ୍କ ହାତକୁ ବଢ଼ାଇଦେଲେ।

ସେଦିନ ସେ ଯେତେ ଟଙ୍କା ଦାନ କଲେ, ତାହା ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁତ ବେଶି ଥିଲା। ମାଲବ୍ୟଜୀ ତାଙ୍କଠାରୁ ଯେତେ ଚାନ୍ଦା ଆଶା କରୁଥିଲେ, ତାହା ମଧ୍ୟ ତାଙ୍କ ଆଶାକୁ ପଛରେ ପକାଇଦେଲା। ଚେକ୍‌ ପାଇବା ପରେ ମାଲବ୍ୟଜୀ ଆପ୍ୟାୟିତ ହେବା ପାଇଁ ସମ୍ମତି ପ୍ରଦାନ କଲେ। ଜିଦ୍ ନିଷ୍ଠାକୁ ଦୃଢ଼ୀଭୂତ କରେ ଓ ଦୃଢ଼ୀଭୂତ ନିଷ୍ଠା ହିଁ ଲକ୍ଷ୍ୟସ୍ଥଳ ଆଡକୁ ଆଗେଇ ନେଇଥାଏ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍‌ଭାସ୍‌ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)

Comment