ରବୀନ୍ଦ୍ର ନାରାୟଣ ମିଶ୍ର

ସେ ସ୍ତ୍ରୀ ଲୋକଟି ଯେଉଁ ପିଲା କଥା କହୁଥିଲେ, ସେ ହେଉଛି ମୁଁ। ମୁଁ ମୋ ନିଜ କାମ ଠିକ୍ ରୂପେ କରୁଛି କି ନାହିଁ ତାହା କେବଳ ଜାଣିବାକୁ ଚାହୁଁଥିଲି। କାଳେ କ’ଣ ମୋର ଭୁଲ୍ ରହୁଥିବ। ମୁଁ ତା’କୁ ସୁଧାରି ନେଇଥାନ୍ତି।
ଏ କଥାଟି ବିଦେଶଭୂଇଁର। ସେଠାକାର ଗୋଟିଏ ବଡ଼ ଜେନେରାଲ୍ ଷ୍ଟୋର୍ରେ ଥରେ ସାତ ଆଠବର୍ଷର ଗୁଲୁଗୁଲିଆ ପୁଅପିଲାଟିଏ ପହଞ୍ଚି ସିଧା ଚାଲିଲା ଦୋକାନର ମାଲିକଙ୍କ ପାଖକୁ। ତାଙ୍କ ପାଖରେ ପହଞ୍ଚି ସେ ଗୋଟିଏ ଛୋଟିଆ କାଗଜ ବଢ଼େଇ ଦେଲା ମାଲିକଙ୍କ ପାଖକୁ।
ମାଲିକ ପଢ଼ିଲେ କାଗଜର ଲେଖାକୁ। ଲେଖାଅଛି- ମୋ ପାଖରେ ପଇସା ନାହିଁ ଆଜି ଖାଇବାକୁ। ତେଣୁ ଫୋନ୍ ପାଇଁ ପଇସା ଦେଇପାରିବିନି। ମତେ ଟିକେ ସାହାଯ୍ୟ କରିବେ କି? ଏଇ କାଗଜର ତଳେ ଲେଖାଥିବା ନମ୍ବରକୁ ଟିକେ ଫୋନ୍ କରି ଦିଅନ୍ତୁ। ଜଣେ ସ୍ତ୍ରୀ ଲୋକ ଫୋନ୍ ଧରିବ। ଆପଣ ତାଙ୍କୁ ପ୍ରଥମେ ପଚାରିବେ –ତାଙ୍କ ଲନ୍କୁ ସଫା କରିବା ପାଇଁ ସେ ଗୋଟିଏ ଛୋଟ ପିଲା ରଖିବାକୁ ଚାହୁଁଛନ୍ତି କି? ସେ ଯଦି ‘ହଁ’ କହିବେ, ତେବେ ଆପଣ ଫୋନ୍ ରଖିଦେବେ। ସେ ଯଦି ‘ନାହିଁ’ କରି କହିବେ ଯେ ସେ ଗୋଟିଏ ଛୋଟପିଲା ରଖିଛନ୍ତି, ତେବେ ଆପଣ କହିବେ ସେ ଛୋଟପିଲା ଯେତିକି ଦରମା ନେଉଛି, ଏ ଛୋଟପିଲା ତା’ ଅଧା ଦରମା ନେଇ ସେଇ କାମ କରିବ। ସେ ଯଦି ଏଥିରେ ରାଜି ହେବେ ଆପଣ ଫୋନ୍ ରଖିଦେବେ।
ରାଜି ନ ହେଲେ ଆପଣ ପୁଣି ପଚାରିବେ – ଏ ପିଲାଟି ଅଳ୍ପ ଟଙ୍କା ଦେଇ ଲନ୍ରୁ ମଲା ଘାସ, ଟୁକୁରା କାଗଜ ଓ ଅଳିଆ ସଫା କରି ଲନ୍କୁ ଚିକ୍ଚିକ୍ କରିଦେବ। ସେ ଯଦି ରାଜିହେବେ, ଆପଣ ଫୋନ୍ ରଖିଦେବେ। ରାଜି ନ ହେଲେ ଯାହା କହିବେ ମତେ କହିବେ।
ମାଲିକ ପିଲାଟି ଆଡ଼କୁ ଚାହିଁଲେ। ତା’ ଚେହେରାଟି ଏମିତି ଥିଲା ଯେ ତାଙ୍କ ପକ୍ଷରେ ତାଙ୍କୁ ମନା କରିବା ଆଦୌ ସମ୍ଭବ ହେଲାନି। ବାଧ୍ୟହୋଇ ସେ ନିର୍ଦ୍ଦିଷ୍ଟ ନମ୍ବରକୁ ଫୋନ୍ରେ ପଚାରିଲେ ଲନ୍ ସଫା କରିବା ପାଇଁ ଛୋଟ ପିଲାଟିଏ ରଖିବେ କି ଲନ୍ ସଫା କରିବାକୁ। ଯେତେବେଳେ ଅଧା ଦରମାରେ ଅନ୍ୟ ଜଣେ ପିଲା ସେ ଯୋଗାଡ଼ କରିଦେବେ ବୋଲି ପୁଣି ପ୍ରସ୍ତାବ ଦେଲେ, ସ୍ତ୍ରୀ ଲୋକଟି କହିଲେ – ନା, ନା, ସେ ପିଲାଟି ଯାହା କରୁଛି, ଅଧା ଦରମା ଦେଇ ସେ କାମ କରିବା ଅନ୍ୟାୟ ହେବ। ଯେତେବେଳେ ଲନ୍ରୁ ଅଳିଆ ଓ ଟୁକୁରା କାଗଜ ଉଠାଇ ତା’କୁ ଚିକ୍ ଚିକ୍ କରିବା ପାଇଁ ପିଲାଟିଏ ରଖିବା କଥା ମାଲିକ ପଚାରିଲେ, ସେପଟୁ ସ୍ତ୍ରୀ ଲୋକଙ୍କ ଉତ୍ତର ମିଳିଲା – ନା, ନା, ବର୍ତ୍ତମାନର ପିଲାଟି ମୋ ଲନ୍କୁ ଚିକ୍ଚିକ୍ କରି ରଖିଛି। କୌଣସି ଦୃଷ୍ଟିରୁ ଏ ପିଲାଟିର କାମକୁ ବାରି ହେବ ନାହିଁ।
ପିଲାଟିକୁ ଫୋନ୍ର ସବୁକଥା କହି ଷ୍ଟୋର୍ ମାଲିକ ଯେତେବେଳେ ପଚାରିଲେ – ସେ ତାଙ୍କ ଦୋକାନ ଆଗରେ ଥିବା ଲନ୍ରେ କାମ କରିବ କି?
ପିଲାଟି କହିଲା – ନା, ନା, ସେ ସ୍ତ୍ରୀ ଲୋକଟି ଯେଉଁ ପିଲା କଥା କହୁଥିଲେ, ସେ ହେଉଛି ମୁଁ। ମୁଁ ମୋ ନିଜ କାମ ଠିକ୍ ରୂପେ କରୁଛି କି ନାହିଁ ତାହା କେବଳ ଜାଣିବାକୁ ଚାହୁଁଥିଲି। କାଳେ କ’ଣ ମୋର ଭୁଲ୍ ରହୁଥିବ। ମୁଁ ତା’କୁ ସୁଧାରି ନେଇଥାନ୍ତି।
ପିଲାଟି ଏତିକି କହି ଦୋକାନରୁ ଚାଲିଯିବା ବେଳେ ଦୋକାନୀ ଅବିଶ୍ୱାସୀ ଆଖିରେ ତା’ ଆଡ଼କୁ ଚାହିଁ ରହିଥିଲେ କିଛି ସମୟ ପର୍ଯ୍ୟନ୍ତ।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍ଭାସ୍ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)














