ରବୀନ୍ଦ୍ର ନାରାୟଣ ମିଶ୍ର

ପଥର ବାଜିଲେ ତାଙ୍କ ହୋସ୍ ରହିବ ନାହିଁ। ଅଚେତ ହେବା ଯୋଗୁଁ ସେ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋ‍ଇଯିବେ। ତେଣୁ ସେ ସୁସ୍ଥ ହେବା ସାଙ୍ଗେ ସାଙ୍ଗେ  ଅନୁରୋଧ କଲେ, ‘ମୁଝେ ଔର୍ ଏକ ପଥର ମାରୋ’।

ସେଦିନ ଆମ ରାଜଧାନୀ ଭୁବନେଶ୍ୱରରେ ‘ଗୀତ ଓ ଆମ ଜୀବନ’ ବିଷୟରେ ସାରଗର୍ଭକ ବକ୍ତୃତା ଦେଉ ଦେଉ ଚିନ୍ମୟ ମିଶନର ଅଧ୍ୟକ୍ଷ ସ୍ୱାମୀ ତେଜୋମୟାନନ୍ଦ କହିଲେ, ଗୀତା ଆମକୁ ସବୁ କ୍ଷେତ୍ରରେ ଅତିରିକ୍ତତା ଆଡକୁ ନ ଯାଇ ମିତାହାରୀ, ମିତବ୍ୟୟୀ ଓ ମିତବାକ୍ ହେବା ଉଚିତ୍ ବୋଲି ଶିକ୍ଷା ଦେଇଛି। ସୁଯୋଗ ମିଳିଛି ବୋଲି ଘଣ୍ଟା ଘଣ୍ଟା ଧରି ଶ୍ରୋତାମାନଙ୍କୁ କଷ୍ଟଦେଇ ବକ୍ତା କହିଚାଲିବା ଉଚିତ୍ ନୁହେଁ। ସ୍ୱାମୀଜୀ ଗପଟିଏ କହିଲେ।

ଗୋଟିଏ ସଭାରେ ଜଣେ ବକ୍ତା ନିରବଚ୍ଛିନ୍ନ କହିଚାଲିଥାନ୍ତି। ଶ୍ରୋତାଙ୍କ ପକ୍ଷରେ ଏହା ଏତେ ଅସହ୍ୟ ହୋଇଉଠିଲା ଯେ ଜଣେ ଶ୍ରୋତା ମଞ୍ଚସ୍ଥ ବକ୍ତାଙ୍କୁ ଲକ୍ଷ୍ୟ କରି ପଥରଟିଏ ଫୋପାଡିଲା। ଦୁର୍ଯୋଗକୁ ପଥରଟି ବକ୍ତାଙ୍କ ଉପରେ ନ ବାଜି ପାଖରେ ବସିଥିବା ତାଙ୍କ ସେକ୍ରେଟାରୀଙ୍କ ମୁଣ୍ଡରେ ବାଜିଲା। ସେ ଅଚେତ ହୋଇଗଲେ। ସଭାରେ ଚହଳ ଖେଳିଗଲା। ବକ୍ତା କିନ୍ତୁ ସେତେବେଳେ ଅବିଚଳିତ ନ ହୋଇ ତାଙ୍କ ବକ୍ତୃତା ଜାରି ରଖିଥାନ୍ତି।

କିଛି ସମୟ ପରେ ସଭାର ହଇଚଇ ବନ୍ଦ ହୋଇଗଲା। ପ୍ରାଥମିକ ଚିକିତ୍ସା ପରେ ସେକ୍ରେଟାରୀ ସୁସ୍ଥ ହୋଇଉଠିଲେ। ସୁସ୍ଥ ହେବା ପରେ ବକ୍ତାଙ୍କ ଉପରେ ତାଙ୍କ ଦୃଷ୍ଟି ପଡ଼ୁ ପଡ଼ୁ ତାଙ୍କ ପାଟି ‘ଆଁ’ ହୋଇଗଲା। କାରଣ ବକ୍ତାଙ୍କ ବକ୍ତୃତାର ସୁଅ ବନ୍ଦ ନ ହୋଇ ଛୁଟି ଚାଲିଥାଏ ପ୍ରଖର ବେଗରେ। ଆଉ କାହା କଥା ଛାଡ଼ନ୍ତୁ, ସେକ୍ରେଟାରୀଙ୍କ ମୁହଁ ଏହା ଦେଖି ପିତା ହୋଇଗଲା।

ନିଜର ଆଘାତ ଯନ୍ତ୍ରଣା ତୁଳନାରେ ବକ୍ତାଙ୍କ ବକ୍ତୃତା ତାଙ୍କୁ ଆହୁରି ଅଧିକ ଯନ୍ତ୍ରଣାଦାୟକ ମନେ ହେଉଥାଏ। ମାତ୍ର ତାଙ୍କର ଉପାୟ ନାହିଁ। ସେ ଦେଖିଲେ ବକ୍ତାଙ୍କ ବକ୍ତୃତାରେ ଅତିଷ୍ଠ ହୋଇ ସମସ୍ତେ ସଭାସ୍ଥଳ ଛାଡ଼ି ଚାଲିଗଲେ ମଧ୍ୟ ତାଙ୍କୁ ରହିବାକୁ ପଡ଼ିବ। କାରଣ ସେ ଯେ ବକ୍ତାଙ୍କ ସେକ୍ରେଟାରୀ। ତେବେ ସେ ଭାବିଲେ ପଥର ବାଜିବା ଯନ୍ତ୍ରଣାଠାରୁ ବକ୍ତାଙ୍କ ବକ୍ତୃତା ଶତଗୁଣ କଷ୍ଟଦାୟକ। କାରଣ ପଥର ବାଜିଲେ ତାଙ୍କ ହୋସ୍ ରହିବ ନାହିଁ। ଅଚେତ ହେବା ଯୋଗୁଁ ସେ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋ‍ଇଯିବେ। ତେଣୁ ସେ ସୁସ୍ଥ ହେବା ସାଙ୍ଗେ ସାଙ୍ଗେ  ଅନୁରୋଧ କଲେ, ‘ମୁଝେ ଔର୍ ଏକ ପଥର ମାରୋ’।

ତାଙ୍କ ନିବେଦନ କିନ୍ତୁ ଅନ୍ୟ ମୋଡ ନେଲା। ଶ୍ରୋତାମଣ୍ଡଳୀରୁ ପଥର ବୃଷ୍ଟି ଆରମ୍ଭ ହୋଇଗଲା ମଞ୍ଚ ଉପରେ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍‌ଭାସ୍‌ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)

Comment