ରବୀନ୍ଦ୍ର ନାରାୟଣ ମିଶ୍ର

ସହଯାତ୍ରୀଗଣ ଦେଖିଲେ ସ୍ୱାମୀଜୀ ଜଣେ ଭାରତୀୟ ପାନବିକାଳି ପାଖରେ ଜମି ଯାଇଛନ୍ତି। ସେମାନେ ଲକ୍ଷ୍ୟ କଲେ ସେଇ ଭାରତୀୟ ପାନବିକାଳି ସାଙ୍ଗରେ ସ୍ୱାମୀଜୀ ଗପସପରେ ମାତିଯାଇଛନ୍ତି। ତା’ ଘରଦ୍ୱାର, ତା ନିଜର ପରିବାର, ଭାରତ ଭୁଇଁର କେତେକେତେ କଥା ସ୍ୱାମୀଜୀ ଗପସପରେ ପଚାରିଯାଇଛନ୍ତି। ସ୍ୱାମୀଜୀଙ୍କ ଆଖି ଓ ଭାବଭଙ୍ଗୀ ଜଣାଇ ଦେଉଥାଏ ସେ ଯେମିତି କୋଟିନିଧି ପାଇଛନ୍ତି।
୧୮୯୭ ମସିହା ଜାନୁଆରୀ ମାସରେ ସ୍ୱାମୀ ବିବେକାନନ୍ଦ ତାଙ୍କର ସଫଳ ବିଦେଶ ଯାତ୍ରା ପରେ ଭାରତ ଫେରୁଥାନ୍ତି। ଜାହାଜରେ ତାଙ୍କ ସହିତ ବେଶ୍ କିଛି ବିଦେଶୀ ଶିଷ୍ୟ ଥାନ୍ତି। ଦୀର୍ଘଦିନର ସମୁଦ୍ର ଯାତ୍ରା ପରେ ବି ସେମାନଙ୍କ ମନରେ କ୍ଳାନ୍ତି ନଥାଏ। ଏହାର ଏକମାତ୍ର କାରଣ ସ୍ୱାମୀଜୀଙ୍କ ସାହଚର୍ଯ୍ୟ। ସେ ଯାତ୍ରାକୁ ବେଶ୍ ଉପଭୋଗ ଦେଇଥାଏ। ସ୍ୱାମୀଜୀ କିନ୍ତୁ ମନେ ମନେ ଅଥୟ ହୋଇ ପଡ଼ୁଥାନ୍ତି କେମିତି ନିଜ ଜନ୍ମଭୁଇଁ ଭାରତ ମାଟିରେ ପାଦଦେଇ ତାକୁ ମୁଣ୍ଡିଆ ମାରିବେ।
ଜାହାଜଟି ଏଡେନ୍ ବନ୍ଦରରେ ଲଙ୍ଗର ପକାଇବା ମାତ୍ରେ ବନ୍ଦର ପାଖାପାଖି ଦର୍ଶନୀୟ ସ୍ଥାନଗୁଡ଼ିକ ଦେଖିବା ପାଇଁ ସ୍ୱାମୀଜୀ ଓହ୍ଲାଇପଡ଼ିଲେ। ତାଙ୍କ ଶିଷ୍ୟମାନେ ତାଙ୍କୁ ଅନୁସରଣ କରି ଚାଲିଲେ। ସ୍ୱାମୀଜୀ ଗୋଟାଏ ହୋସ୍ରେ ବନ୍ଦରରୁ ତିନି ମାଇଲ ଦୂରକୁ ଚାଲିଯାଇ ବିଭିନ୍ନ ସ୍ଥାନକୁ ଦେଖୁଥାନ୍ତି।
ହଠାତ୍ ସ୍ୱାମୀଜୀଙ୍କ ସହଯାତ୍ରୀ ବିଦେଶୀମାନେ ଦେଖିଲେ ସ୍ୱାମୀଜୀ ସେମାନଙ୍କ ଗହଣରୁ କୁଆଡେ ଉଭାନ୍ ହୋଇଯାଇଛନ୍ତି। ବିଦେଶ ଜାଗା, ତେଣୁ ସମସ୍ତେ ଭାବିଲେ ସ୍ୱାମୀଜୀ ବାଟବଣା ହୋଇଗଲେ। ସମସ୍ତଙ୍କ ମୁଣ୍ଡରେ ଚିନ୍ତା ସ୍ୱାମୀଜୀ କୁଆଡେ ଗଲେ, ଜାହଜକୁ କେତେବେଳେ ଫେରିବେ, ବାଟ ପାଇବେ କି ନାହିଁ। ସମସ୍ତଙ୍କ ଆଖି ଚାରିଆଡକୁ ଖୋଜି ପକାଇଲା।
ହଠାତ୍ ସହଯାତ୍ରୀଗଣ ଦେଖିଲେ ସ୍ୱାମୀଜୀ ଜଣେ ଭାରତୀୟ ପାନବିକାଳି ପାଖରେ ଜମି ଯାଇଛନ୍ତି। ସେମାନେ ଲକ୍ଷ୍ୟ କଲେ ସେଇ ଭାରତୀୟ ପାନବିକାଳି ସାଙ୍ଗରେ ସ୍ୱାମୀଜୀ ଗପସପରେ ମାତିଯାଇଛନ୍ତି। ତା’ ଘରଦ୍ୱାର, ତା ନିଜର ପରିବାର, ଭାରତ ଭୁଇଁର କେତେକେତେ କଥା ସ୍ୱାମୀଜୀ ଗପସପରେ ପଚାରିଯାଇଛନ୍ତି। ସ୍ୱାମୀଜୀଙ୍କ ଆଖି ଓ ଭାବଭଙ୍ଗୀ ଜଣାଇ ଦେଉଥାଏ ସେ ଯେମିତି କୋଟିନିଧି ପାଇଛନ୍ତି।
କେତେଦିନ ପରେ ଜଣେ ଭାରତୀୟ ସହିତ ଦେଖା ତାଙ୍କୁ ଉଲ୍ଲସିତ କରି ଦେଉଥାଏ। ହଠାତ୍ ଏଇ ଦେଖଣାହାରୀଙ୍କ ମୁହଁରେ ଆଶ୍ଚର୍ଯ୍ୟମିଶା ହସ ଫୁଟିଉଠିଲା ଯେତେବେଳେ ସେମାନେ ଶୁଣିଲେ ସ୍ୱାମୀଜୀ ସେଇ ପାନବିକାଳିକୁ ସମ୍ବୋଧନ କରି କହୁଛନ୍ତି- ଭାଇ, ମତେ ଟିକେ ତୁମ ହୁକାପାଇପଟା ଦେଲ। ପାନବିକାଳି ହୁକାପାଇପଟା ବଢ଼ାଇବା ମାତ୍ରେ ସ୍ୱାମୀଜୀ ନାହିଁନଥିବା ଆନନ୍ଦରେ ହୁକା ଟାଣିବାକୁ ଲାଗିଲେ। ସେତେବେଳକୁ ଜାହାଜର କ୍ୟାପଟେନ୍ ସେଭିୟର ଓ ଅନ୍ୟମାନେ ଆସି ସେଠାରେ ଉପସ୍ଥିତ ହୋଇ ଦେଖୁଥାନ୍ତି ସ୍ୱାମୀଜୀ କେମିତି ଜଣେ ଛୋଟପିଲା ହୋଇ ନିଜ ଦେଶବାସୀ ସହିତ ଲୀଳା ଲଗାଇଛନ୍ତି।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍ଭାସ୍ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)














