ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ବହୁ ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରତ୍ନତତ୍ତ୍ୱ ବିଭାଗ କୋଣାର୍କ ମନ୍ଦିରକୁ ନିଜ ହାତକୁ ନେଇ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବର ଏହି ଫଟୋଗୁଡ଼ିକ ବ୍ରିଟିଶ ଲାଇବ୍ରେରି କିମ୍ବା ସେଭଳି କୌଣସି ଅନ୍ତର୍ଜାତୀୟ ମାଧ୍ୟମରୁ ସଂଗ୍ରହ ହୋଇଥିବା ଭଳି ମନେହେଉଛି।

କୋଣାର୍କର ଏହି ବିରଳ ଫଟୋଗୁଡ଼ିକୁ ବିଭିନ୍ନ ଲୋକ ସେମାନଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ଓ ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ କରିଛନ୍ତି। ସେହିପରି ଅନେକେ ଏଗୁଡ଼ିକୁ ହ୍ୱାଟ୍ସଆପ୍‌ ମାଧ୍ୟମରେ ସେୟାର କରୁଥିବା ଦେଖିବାକୁ ମିଳିଛି। ଏହି ବିଶ୍ୱପ୍ରସିଦ୍ଧ କଳାକୃତି ଓଡ଼ିଶାରେ ଏକ ପରିଚୟ ହୋଇଥିବାରୁ ବିଶେଷକରି ଓଡ଼ିଆ ଲୋକମାନେ ଏହାକୁ ବ୍ୟାପକ ସେୟାର କରୁଛନ୍ତି।

ଏହି ଫଟୋଗୁଡ଼ିକ ମଧ୍ୟରେ କୋଣାର୍କ ମନ୍ଦିରର ବିଭିନ୍ନ ଅଂଶ ଶୋଭା ପାଉଛି। ତା ଭିତରେ ମନ୍ଦିର ଗାତ୍ରର ସୂକ୍ଷ୍ମ କାରୂକଳା ଏବଂ ମନ୍ଦିରର ବିଭିନ୍ନ ଅଂଶରୁ ଖସିପଡ଼ିଥିବା ଭଗ୍ନ ପଥର ରହିଛି।

କଳିଙ୍ଗ ଓ ଉତ୍କଳ ମନ୍ଦିର ଭାସ୍କର୍ଯ୍ୟର ଏକ ଅନବଦ୍ୟ କୃତୀ କୋଣାର୍କ। ଏହାକୁ ତ୍ରୟୋଦଶ ଶତାବ୍ଦୀରେ ଲାଙ୍ଗୁଳା ନରସିଂହଦେବ(୧) ନିର୍ମାଣ କରିଥିଲେ। ଏଠାରେ ଏକଦା ସୂର୍ଯ୍ୟ ଦେବତା ପୂଜା ପାଉଥିଲେ।

୩ ମିଟିର ବ୍ୟାସ ବିଶିଷ୍ଟ ୧୨ ଯୋଡ଼ା ଚକ ଉପରେ ରଥ ସଦୃଶ୍ୟ ତିଆରି ହୋଇଥିଲା କୋଣାର୍କ ମନ୍ଦିର। ଏହି ସୂର୍ଯ୍ୟ ରଥରେ ୭ଟି ଘୋଡ଼ା ଯୋଡ଼ା ହୋଇଛନ୍ତି। ଏହା ଏକ ଚଳମାନ ରଥ ଭଳି ପ୍ରତୀୟମାନ ହୋଇଥାଏ। କୋଣାର୍କ ଏହାର କାରୂକଳା ଏବଂ ବିଶାଳତା ପାଇଁ ଦେଶ ବିଦେଶରେ ପ୍ରସିଦ୍ଧ। ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ ଏକ ଆକର୍ଷଣୀୟ ବିଷୟ।

ଭାଙ୍ଗିଲା କଳାପାହାଡ଼

ଇତିହାସ ଅନୁଯାୟୀ ବଙ୍ଗ ନବାବ ସୁଲେମାନଙ୍କଠାରୁ ତତ୍କାଳୀନ ଗଜପତି ମୁକୁନ୍ଦ ଦେବ ଯୁଦ୍ଧରେ ହାରି ଯାଇଥିଲେ। ମୁକୁନ୍ଦ ଦେବଙ୍କ ଏହି ପରାଜୟରେ ସୁଲେମାନଙ୍କ ସେନାପତି କଳାପାହାଡ଼କୁ ବେଶ୍ ଉତ୍ସାହିତ କରିଥିଲା। ୧୫୬୮ ବେଳକୁ କଳାପାହାଡ଼ ତାର ସୈନ୍ୟମାନଙ୍କୁ ପ୍ରୟୋଗ କରି କୋଣାର୍କ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା କରିଥିଲା। ଏଭଳି ଏକ ବିରଳ ମନ୍ଦିର ଭାଙ୍ଗି ତାର ଆକର୍ଷଣ ନଷ୍ଟ କରିବା ଥିଲା କଳାପହାଡ଼ର ଲକ୍ଷ୍ୟ। ପରବର୍ତ୍ତୀ ସମୟରେ ୧୬୨୭ ମସିହାରେ ଖୋର୍ଦ୍ଧାର ଗଜପତି କୋଣାର୍କ ମନ୍ଦିରରୁ ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତି ଉଠାଇ ନେଇ ପୁରୀ ଶ୍ରୀମନ୍ଦିରରେ ସ୍ଥାପନ କରିଥିଲେ।

ଶ୍ରୀମନ୍ଦିର ବେଢ଼ାରେ ଲକ୍ଷ୍ମୀ ମନ୍ଦିର କଡ଼ରେ ଯେଉଁ ସୂର୍ଯ୍ୟ ମନ୍ଦିର ରହିଛି ସେଠାରେ ସୂର୍ଯ୍ୟଦେବତା ପୂଜା ପାଉଛନ୍ତି।

ପରବର୍ତ୍ତୀ ସମୟରେ କୋଣାର୍କକୁ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ ହାତକୁ ନେଇ ଏହାର ରକ୍ଷଣାବେକ୍ଷଣ କରିଥିଲା। ମନ୍ଦିରର ବିଭିନ୍ନ ମୂର୍ତ୍ତି ଏବଂ ପଥରଗୁଡ଼ିକୁ ସଂଗ୍ରହ କରାଯାଇ କୋଣାର୍କ ନାଟ୍ୟମଣ୍ଡପ ସାମ୍ନାରେ ସଂଗ୍ରହାଳୟରେ ରଖାଯାଇଛି। କୋଣାର୍କ ମନ୍ଦିର ବୁଲିବା ସହ ଏହି ସଂଗ୍ରହାଳୟ ଥରେ ଦେଖି ଆସିଲେ ପର୍ଯ୍ୟଟକ ମନରେ କୋଣାର୍କର ବିଶାଳତା ଓ ପୂର୍ଣ୍ଣତା ନେଇ ଏକ ଚିତ୍ର ଆପେ ଆପେ ଆଙ୍କି ହୋଇଯାଏ। କୋଣାର୍କକୁ ବିଶ୍ୱ ଐତିହ୍ୟ ସାଇଟ୍ ଭାବେ ମାନ୍ୟତା ମିଳିଛି। ତା ସହିତ କୋଣାର୍କ ଉତ୍ସବ ଏବଂ ପରବର୍ତ୍ତୀ ସମୟରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ କୋଣାର୍କ ବାଲୁକା କଳା ମହୋତ୍ସବ ଓଡ଼ିଶାର ଏହି ବିରଳ ପର୍ଯ୍ୟଟନ ସ୍ଥାନକୁ ନୂଆ ରୂପ ଦେଇଛି।

ଅଧିକ ପଢ଼ନ୍ତୁ: କୋଣାର୍କ ଭଗ୍ନ କାରୁକଳାର ଆକର୍ଷଣ – ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ

Comment