ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ପୂର୍ବରୁ ଫେଡରଲ ଫ୍ରଣ୍ଟ ବା ସଂଘୀୟ ସାମ୍ମୁଖ୍ୟକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ଟିଆର୍ଏସ୍ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମେ’ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଆସିବା ସ୍ପଷ୍ଟ ହେବା ପରେ ବିଜେଡି ଉପରେ ସମସ୍ତଙ୍କ ନଜର ରହିଛି।
ଦେଶରେ ଏକ ସଂଘୀୟ ସାମ୍ମୁଖ୍ୟ ବା ଫେଡରଲ ଫ୍ରଣ୍ଟ ଗଠନ ନେଇ ଏବେ ଉଦ୍ୟମ ଜୋର ଧରିଛି। ଏହାର ଅଂଶ ସ୍ୱରୂପ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ତେଲେଙ୍ଗାନା ରାଷ୍ଟ୍ର ସମିତିର ଅଧ୍ୟକ୍ଷ କେ ଚନ୍ଦ୍ରଶେଖର ରାଓ ଓରଫ କେସିଆର ଆସନ୍ତା ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ମେ’ ପ୍ରଥମ ସପ୍ତାହରେ ରାଓ ଭୁବନନେଶ୍ୱରରେ ନବୀନଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
ଜଣ ଜଣ କରି ସବୁ ଆଞ୍ଚଳିକ ଦଳର ମୁଖ୍ୟଙ୍କୁ ରାଓ ଭେଟିବାକୁ ଚାହୁଁଛନ୍ତି। ଖବର ଆସୁଛି ଯେ କଂଗ୍ରେସ ଓ ବିଜେପି ବିରୋଧରେ ଏକ ତୃତୀୟ ସାମ୍ମୁଖ୍ୟ ଗଠନର କେତେ କଣ ସମ୍ଭାବନା ରହିଛି ସେ ବିଷୟ ଆଲୋଚନା ପାଇଁ ନବୀନ ପୂର୍ବ ଅପେକ୍ଷା ଏବେ ଅଧିକ ଇଛା ପ୍ରକାଶ କରିଛନ୍ତି। ସେଥିପାଇଁ ସେ ରାଓଙ୍କୁ ଭୁବନେଶ୍ୱର ଆସିବା ପାଇଁ ଆମନ୍ତ୍ରଣ ଜଣାଇଛନ୍ତି।
ବର୍ତ୍ତମାନ ଯେହେତୁ ବିଧାନସଭାର ବଜେଟ ଅଧିବେଶନ ଚାଲିଛି ନବୀନ ରାଓଙ୍କୁ ପ୍ରଥମ ସପ୍ତାହରେ ଡାକିଛନ୍ତି। ଆଶା କରାଯାଉଛି ଏହି ବୈଠକରେ ତୃତୀୟ ସାମ୍ମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ। କେମିତି ଏହାକୁ ଆଗେଇ ନିଆଯିବ ଓ ରଣନୀତି କଣ ହେବ ସେ ନେଇ ଉଭୟ ନେତା ଆଲୋଚନା କରିବା ପାଇଁ ଆଗ୍ରହୀ।
ଏହି ଆଲୋଚନା ସମୟରେ ଦେଶର ମହଜୁଦ ରାଜନୈତିକ ସ୍ଥିତି ଉପରେ ମଧ୍ୟ ଦୁଇ ମୁଖ୍ୟମନ୍ତ୍ରୀ ନଜର ପକାଇବେ। ନବୀନଙ୍କ ଆମନ୍ତ୍ରଣକୁ କେସିଆର ଗ୍ରହଣ କରିବା ପରେ ଏଥିପାଇଁ ତେଲେଙ୍ଗାନାର ଥାର୍ଡ ଫ୍ଲୋର ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେଲେଙ୍ଗାନା ଏବଂ ଓଡ଼ିଶାର ଦୁଇ ଆଞ୍ଚଳିକ ଏବଂ ଶକ୍ତିଶାଳୀ ନେତା ଏଭଳି ସମୟରେ ପରସ୍ପରକୁ ଭେଟୁଛନ୍ତି ଯେତେବେଳେ ବିଜେଡି ସୁପ୍ରିମୋ ତାଙ୍କ ରାଜନୈତିକ କାର୍ଡକୁ ଏ ପର୍ଯ୍ୟନ୍ତ ଖୋଲିନାହାନ୍ତି।ଆଗାମୀ ଦିନରେ ଜାତୀୟ ରାଜନୀତିରେ ନବୀନଙ୍କ ଭୂମିକା କଣ ହେବ ସେ ନେଇ ଏଠି ବି କେହି କିଛି ଟେର୍ ପାଉନାହାନ୍ତି।
ତୃତୀୟ ସାମ୍ମୁଖ୍ୟ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାନେତ୍ରୀ ମମତା ବାନାର୍ଜୀ ମଧ୍ୟ କିଛିଦିନ ତଳେ ନବୀନଙ୍କୁ ଭେଟିଥିଲେ। କିନ୍ତୁ ନବୀନ ଏ ସମ୍ପର୍କରେ କୌଣସି ସୂଚନା ଦେଇନଥିଲେ କି ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା କଣ ହେବ ସେନେଇ କିଛି କହିନଥିଲେ। ସବୁ ଆଞ୍ଚଳିକ ଦଳକୁ ଏକାଠି କରି ଏକ ବିକଳ୍ପ ରାଜନୈତିକ ସାମ୍ମୁଖ୍ୟ ଗଠନ ଦିଗରେ ମମତା ବିଗତ କିଛିଦିନ ଧରି ବେଶ୍ ଉତ୍ସାହିତ ହୋଇପଡିଛନ୍ତି ଓ ଏଇଥିପାଇଁ ସେ ନବୀନଙ୍କୁ ସାକ୍ଷାତ କରିଥିଲେ।
ଖାଲି ମମତା ନୁହନ୍ତି ଏନଡିଏ ମେଣ୍ଟରୁ ଓହରି ଆସିବା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମର ସଭାପତି ଚନ୍ଦ୍ରବାବୁ ନାଇଡୁ ମଧ୍ୟ ନବୀନଙ୍କ ସହ ନିକଟରେ ଫୋନରେ କଥାବାର୍ତ୍ତା କରିଥିଲେ। କିନ୍ତୁ ନବୀନ ତାଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ କୌଣସି ଇଙ୍ଗିତ ଦେଇନଥିଲେ।
ନବୀନ ପଟ୍ଟନାୟକ ଅବଶ୍ୟ ଏ ପର୍ଯ୍ୟନ୍ତ ଗୋଟିଏ କଥା କହି ଆସିଛନ୍ତି ଯେ ଉଭୟ ବିଜେପି ଓ କଂଗ୍ରେସଠାରୁ ତାଙ୍କ ଦଳ ସମାନ ଦୂରତା ବଜାୟ ରଖିବ। ଏହି ପରିସ୍ଥିତିରେ ଆସନ୍ତା ମାସରେ କେସିଆର ଓ ନବୀନଙ୍କ ସହିତ ଯେତେବେଳେ କଥାବାର୍ତ୍ତା ହେବ ତୃତୀୟ ସାମ୍ମୁଖ୍ୟ ନେଇ କିଛି ଆଭାସ ମିଳିପାରେ।
ନବୀନଙ୍କୁ ଭେଟିବା ପରେ କେସିଆର ଚେନ୍ନାଇ ଯାଇ ଡିଏମକେ ସୁପ୍ରିମୋ କରୁଣାନିଧିଙ୍କୁ ଭେଟିବେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଏହି କାମରେ ସାହାଯ୍ୟ କରୁଛନ୍ତି ଅଭିନେତା ପ୍ରକାଶ ରାଜ୍। ଚେନ୍ନାଇ ପରେ କେସିଆର ଉତ୍ତରପ୍ରଦେଶ ଯିବେ। ସେଠି ଆଖିଳେଶ ଯାଦବ ଓ ମାୟାବତୀଙ୍କୁ ଭେଟିବେ।
କିଛିଦିନ ତଳେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଧ୍ୟ ଦିଲ୍ଲୀରେ ଟିଆର୍ଏସ୍ ମୁଖ୍ୟଙ୍କୁ ଭେଟି ଦେଶରେ ବିକଳ୍ପ ରାଜନୈତିକ ସାମ୍ମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।








୨୦୧୯ ପୂର୍ବରୁ ଫେଡରଲ ଫ୍ରଣ୍ଟ ବା ସଂଘୀୟ ସାମ୍ମୁଖ୍ୟକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ଟିଆର୍ଏସ୍ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମେ’ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଆସିବା ସ୍ପଷ୍ଟ ହେବା ପରେ ବିଜେଡି ଉପରେ ସମସ୍ତଙ୍କ ନଜର ରହିଛି।





