ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ପରିସ୍ଥିତି ସାଂଘାତିକ। ଟଙ୍କାର ସଙ୍କଟ ଦେଖାଦେଇଛି ଦେଶରେ। ବିମୁଦ୍ରାକରଣକୁ ଦେଢ଼ ବର୍ଷ ପୂରିଥିଲେ ବି ଟଙ୍କା ଅଭାବକୁ ଦୂର କରିପାରି ନାହାନ୍ତି କେନ୍ଦ୍ର ସରକାର। ଫଳରେ ଦୁଇ ଦିନ ହେଲା ଦେଶବାସୀ ଟଙ୍କା ପାଇଁ ହଇରାଣ ହେଉଛନ୍ତି।

ଟଙ୍କା ପାଇଁ ଗ୍ରାହକ ଏଟିଏମ୍ କାଉଣ୍ଟରକୁ ଯାଉଛନ୍ତି। ହେଲେ ଟଙ୍କା ନଥିବାରୁ ଖାଲି ହାତରେ ଫେରୁଛନ୍ତି। ଏ ପରିସ୍ଥିତି କେବଳ ଓଡ଼ିଶାର ନୁହେଁ, ସମଗ୍ର ଦେଶରେ ଲାଗି ରହିଛି ଏହି ଟଙ୍କା ସଙ୍କଟ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ରିଜର୍ଭ ବ୍ୟାଙ୍କର ଆଶ୍ୱାସନା ସତ୍ତ୍ୱେ ଟଙ୍କାର ଅଭାବ ଦୂର ହୋଇପାରୁନି।

କେଉଁ ଏଟିଏମ୍‌ରେ ନୋ ସର୍ଭିସ ଲେଖା ଯାଇଥିବାରୁ ଗ୍ରାହକମାନେ ନିରାଶ ହେଉଛନ୍ତି। ଯେଉଁଠି ଟଙ୍କା ଅଛି ସେଠି ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି ଲୋକେ।

ଟଙ୍କା ଅଭାବ ସମ୍ପର୍କରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିସର୍ଚ୍ଚ ଟିମ୍‌ ପକ୍ଷରୁ କୁହାଯାଇଛି ଯେ ଦେଶରେ ନଗଦ ୭୦ ହଜାର କୋଟି ଟଙ୍କା ନିଅଣ୍ଟ ରହିଛି। ୨୪ ଘଣ୍ଟା ମଧ୍ୟରେ ଏହି ନିଅଣ୍ଟିଆ ସ୍ଥିତି ଦୂର କରିବା ପାଇଁ ଉଦ୍ୟମ ଜାରି ରହିଛି।

ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ ଲୋକମାନେ ହଠାତ୍ ଅଧିକ ଟଙ୍କା ଉଠାଣ କରୁଛନ୍ତି। ଏପ୍ରିଲ ମାସର ପ୍ରଥମ ୧୩ ଦିନରେ ୪୫ ହଜାର କୋଟି ଟଙ୍କା ଉଠାଣ ହୋଇଛି। ବିମୁଦ୍ରାକରଣ ପୂର୍ବରୁ ଦିନକୁ ୬ରୁ ୭ ହଜାର କୋଟି ଟଙ୍କା ଜମା ହେଉଥିଲା। କିନ୍ତୁ ଏବେ ଦିନକୁ ୧୦ ହଜାର କୋଟି ଟଙ୍କା ଜମା ହେଉଛି। ଡିଜିଟାଲ ପେମେଣ୍ଟ ସମ୍ପର୍କରେ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରାଯାଇପାରିନି। ଏବେ ବି ଲୋକେ ନଗଦ କାରବାର କରୁଛନ୍ତି।

ନଗଦ ଟଙ୍କା ଅଭାବକୁ ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ବଢ଼ିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟୁଇଟ୍ ଲୋକଙ୍କୁ ଭୟଭୀତ କରିଛି। ଦେଶରେ ଆର୍ଥିକ ଜରୁରୀ ପରିସ୍ଥିତି ଭଳି ସଙ୍କଟ ସୃଷ୍ଟି ହେବାକୁ ଯାଉଛି ବୋଲି ମମତା କହିଛନ୍ତି।

LEAVE A REPLY

Please enter your comment!
Please enter your name here