ରବୀନ୍ଦ୍ର ନାରାୟଣ ମିଶ୍ର

ଚିଠିର ଭାଷାରେ ଥିଲା ଆନ୍ତରିକତା – ପଢ଼ିବାକୁ ଭଲ ଲାଗେ ‘କଥାଟିଏ କହୁ’, ହେଲେ ସବୁ ବଡ଼ମାନଙ୍କ ପାଇଁ। ଆମ ପିଲାଙ୍କ ଜୀବନକୁ ଆଦର୍ଶ କରି ଗଢ଼ିବାକୁ ଗପଟିଏ ଦିଅନ୍ତୁ। ତେଣୁ ଏ ଗପଟି ପିଲାଙ୍କ ପାଇଁ।
ଏ ଗପଟିର ସୃଷ୍ଟିର କାରଣ ସେଇ ଛୋଟ ଚିଠିରୁ ଅନୁରୋଧ – ‘‘କଥାଟିଏ କହୁଁରେ ଆମ ଛୋଟ ପିଲାଙ୍କ ପାଇଁ ମଝିରେ ମଝିରେ ଗପଟିଏ ଦିଅନ୍ତେନି।’’ ଅକ୍ଷରରୁ ଜଣାପଡ଼ୁଥିଲା ପିଲାଟିର ବୟସ ଦଶ ଛୁଇଁ ନ ଥିବ। ଚିଠିର ଭାଷାରେ ଥିଲା ଆନ୍ତରିକତା – ପଢ଼ିବାକୁ ଭଲ ଲାଗେ ‘କଥାଟିଏ କହୁ’, ହେଲେ ସବୁ ବଡ଼ମାନଙ୍କ ପାଇଁ। ଆମ ପିଲାଙ୍କ ଜୀବନକୁ ଆଦର୍ଶ କରି ଗଢ଼ିବାକୁ ଗପଟିଏ ଦିଅନ୍ତୁ। ତେଣୁ ଏ ଗପଟି ପିଲାଙ୍କ ପାଇଁ।
ସାର୍ ଉଇନ୍ସଟନ ଚର୍ଚ୍ଚିଲ ଥିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଯେଉଁ ରଣକୌଶଳ ଗ୍ରହଣ କରିଥିଲେ, ତାହା ମିଳିତ ଶକ୍ତିକୁ ବିଜୟ କରାଇଥିଲା। ପିଲାଟି ଦିନରୁ, କାହାରି ଦୟାରେ ନୁହେଁ, ନିଜ ଯୋଗ୍ୟତା ବଳରେ ବିଶ୍ୱ ପ୍ରସିଦ୍ଧ ହେବା ପାଇଁ ତାଙ୍କର ଥିଲା ଦୁର୍ବାର ଇଚ୍ଛା। ସେ ଥିଲେ ଜଣେ ସୁଶାସକ, ସୁବକ୍ତା ଓ ସୁସାହିତ୍ୟିକ। ସାହିତ୍ୟରେ ସେ ନୋବେଲ୍ ପ୍ରାଇଜ୍ ପାଇଥିଲେ।
ତାଙ୍କ ପିଲାଦିନର କଥାଟି। ସ୍କୁଲ୍କୁ ଯିବା ବାଟରେ ଗୋଟିଏ ପୋଲ ପଡ଼ୁଥିଲା। ପୋଲ ତଳେ ପ୍ରବହମାନ ସ୍ରୋତ। ସେ ପିଲାବେଳର ମୁଣ୍ଡରେ କ’ଣ ଢ଼ୁକିଲା କେଜାଣି, ସେ ପୋଲ ଉପରେ ବହି ବ୍ୟାଗ୍ ରଖିଦେଇ ପୋଲ ଉପରକୁ ପାଣି ସୁଅକୁ ଡେଇଁବାରେ ଲାଗିଲେ।
ଥରେ ଡେଇଁ ସାରି ପୁଣି ପୋଲ ଉପରକୁ ଆସି ପାଣି ସୁଅକୁ ପୁଣି ଡେଇଁଲେ। ତାଙ୍କର ଏ ପ୍ରକାର ଦୁଃସାହସିକ କାର୍ଯ୍ୟକୁ ଜଣେ ଭଦ୍ରବ୍ୟକ୍ତି ଲକ୍ଷ୍ୟ କରୁଥିଲେ। ସେ ବାଳକ ଚର୍ଚ୍ଚିଲଙ୍କ ପାଖକୁ ଆଗେଇଆସି ପଚାରିଲେ, ‘‘ବାଳକ! ତୁମ ବାପାଙ୍କ ନାଁ କ’ଣ?’’ ଖୁବ୍ ଗର୍ବର ସ୍ୱରରେ ଚର୍ଚ୍ଚିଲ ପଚାରିଲେ, ‘‘କାହିଁକି ମୋ ବାପାଙ୍କ ନାଁ ପଚାରୁଛନ୍ତି?” ମୋର ଏ ଡେଇଁବା କାର୍ଯ୍ୟଟା ବୋଧେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଇଆ ତ?’’
ଭଦ୍ରବ୍ୟକ୍ତି ଉତ୍ତର ଦେଲେ, ‘‘ହଁ, ହଁ, ଠିକ୍ ସେଇଆ ହିଁ କାରଣ।’’ ଏଥର ଉଇନ୍ସଟନ ଚର୍ଚ୍ଚିଲ କହିଲେ, ‘‘ମୁଁ ତ ଡେଉଁଥିଲି, ମୋ ବାପା ଡେଉଁ ନଥିଲେ। ଆପଣ ମୋ ନାଁ ନ ପଚାରି ବାପାଙ୍କ ନାଁ କାହିଁକି ପଚାରିଲେ ଯେ! ମୋ ନାଁ ଉଇନ୍ସଟନ ଚର୍ଚ୍ଚିଲ।’’ ଭଦ୍ରବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇ ସେଇ ପିଲାଟି ଆଡ଼କୁ ଚାହିଁ ରହିଲେ।
ଆଜି ମଧ୍ୟ ତାଙ୍କ ନାଁ ସମସ୍ତେ କହିପାରିବେ ସିନା ଅଧିକାଂଶ ତାଙ୍କ ବାପା ଲର୍ଡ ରାନ୍ଡୋଲ୍ଫ ଚର୍ଚ୍ଚିଲଙ୍କୁ ବୋଧେ ଜାଣି ନ ଥିବେ।













