ଛନ୍ଦା ମିଶ୍ର

ପୁଷ୍ପବିହୀନ ଏକ ବିରାଟ ଉପବନରେ, ଗୋଟିଏ ମଲ୍ଲୀଗଛରେ ଫୁଟିଥିବା ମଲ୍ଲୀଫୁଲର ମୁଠେ ମହକରେ ସମଗ୍ର ବଗିଚାଟି। ସୁଗନ୍ଧିତ ହୋଇଗଲା ପରି ସକାରାତ୍ମକ ଓ ନିସ୍ୱାର୍ଥପର ଚିନ୍ତାଧାରା ବହନ କରୁଥିବା କିଛି ପୁଣ୍ୟାତ୍ମାମାନଙ୍କ ଦିବ୍ୟ ଚିନ୍ତନର ପ୍ରତିଶ୍ରୁତି ବହନ କରି ଉଦୟ ହେବ ଏକ ନୂତନ ସୂର୍ଯ୍ୟ।

ଆଲେଖ୍ୟଟିଏ ପ୍ରକାଶିତ ହେଲା ମାତ୍ରକେ ପ୍ରିୟ ପାଠକ ପାଠିକାମାନେ ମତେ ନିଜର ସ୍ନେହରୁ ବଞ୍ଚିତ କରନ୍ତି ନାହିଁ। ଫୋନଟିଏ କରି ତାଙ୍କ ମନ୍ତବ୍ୟ ଓ ମତ ଉଭୟ କରନ୍ତି ବ୍ୟକ୍ତ। ତନ୍ମଧ୍ୟରୁ କିଛି ମହତ୍ତର ଚେତନାର ବ୍ୟକ୍ତିତ୍ୱ ସମାଜର ଅଧୋଗତି ନେଇ ନିଜର ଉଦ୍‌ବିଗ୍ନତା ପ୍ରକାଶ କରନ୍ତି।

‘ଆଗେ ଏପରି ନଥିଲା…। ଏବେ ଯୁବଗୋଷ୍ଠୀ ଯାହା ହେଉଛନ୍ତି, ଓଃ…ଘୋର କଳିକାଳ’। ଆମ ବେଳ ଲୋକେ, ଅନ୍ୟାୟ ଅନୀତି କରିବାକୁ ବେଶ୍‌ ଭୟ କରୁଥିଲେ, କିନ୍ତୁ ଏବେ ଯାହାସବୁ ହେଉଛି… ଭାଗବତ ପରା କହିଛି, ‘ଲୋକେ ହୋଇବେ ଖଳବଳ, ନାଶିବେ ଭୁବନ ମଣ୍ଡଳ, ଭାଗବତ ବାଣୀ କ’ଣ ମିଥ୍ୟା ହେବ।’

ଏସବୁ ଶୁଣି, ମନ ମୋର ଆନନ୍ଦରେ ହୁଏ ଉତ୍‌ଫୁଲ୍ଲିତ। ଯା’ ହେଉ, ଏ କଳୁଷିତ ସମାଜରେ ଏବେ ବି ବଞ୍ଚିଛି ମାନବିକତା! କି ବିରାଟ ସାନ୍ତ୍ୱନା ସତେ! ଆଜି ସମଗ୍ର ସମାଜ ଯେଉଁଠି ସ୍ୱାର୍ଥ କବଳିତ, ସମସ୍ତେ କେବଳ ମୁଁ, କେବଳ ‘ମୋର’ ଓ ‘ମୋ ପରିବାର’ର ସଂକୀର୍ଣ୍ଣ ଭାବନାରେ ଉବୁଟୁବୁ, ସେଠି ହାତଗଣତି କେତୋଟି ଦିବ୍ୟ ହୃଦୟ ହିଁ ସମାଜର ଏ ଅଧୋଗତି ଦେଖି ଶୋକରେ ହୋଇଯାଆନ୍ତି ଅଧିର। ଅନ୍ୟର ଦୁଃଖରେ ଦୁଃଖି ହୋଇ ଆଖିରୁ ତାର ଝରିପଡେ ଲୋତକର ଧାର। ଅନ୍ତର ତା’ର ବିଳପି ଉଠେ, ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ।’

ଚିନ୍ତାରୁ ହୁଏ ଇଚ୍ଛାର ଅଭ୍ୟୁଦୟ ଏବଂ ଇଚ୍ଛାରୁ ଜନ୍ମ ନିଏ କର୍ମପ୍ରବଣତା। ମନ୍ଦ ଚିନ୍ତାଟିଏ କୁକାର୍ଯ୍ୟରେ ରୂପାନ୍ତରିତ ହେଲା ପରି ସ୍ୱର୍ଗୀୟ ଭାବନା ସମ୍ବଳିତ ଚିନ୍ତାଟିଏ ସାବ୍ୟସ୍ତ ହୋଇଥାଏ ସମାଜ ପାଇଁ ମଙ୍ଗଳକାରୀ।

ଯେଉଁଠି ଉତ୍ସୃଙ୍ଖଳ ଯୁବକର ବେପରୁଆ ଗାଡ଼ି ଚାଳନାରେ ଆହତ ହୋଇ କୁକୁରଟିଏ ଦରମଲା ହେଉଛି, ସେଇଠି ଦରଦୀ ଯୁବକଟିଏ ତା’ର ସେବାଶୁଶ୍ରୁଷା କରି ଦେଉଛି ତାକୁ ଏକ ନୂତନ ଜୀବନ। ଆତ୍ମୀୟସ୍ୱଜନଙ୍କୁ ହରାଇ ଅନାଥ ପାଲଟି ଯାଇଥିବା ଝିଅଟିକୁ ସାହାରା ଦେଉଛି, ଅପରିଚିତ ଯଶୋଦା ମାଆର ପଣତକାନି। ଆଜି ବି ମାନବିକତାର ନିଦର୍ଶନସ୍ୱରୂପ, କାନ୍ଦୁଥିବା ନୟନ ଯୁଗଳକୁ ପୋଛି ଦେବା ପାଇଁ ହାତଟିଏ ବଢ଼ିଆସେ।

ରକ୍ତ ଟୋପାଏ ପାଇଁ ମୃତ୍ୟୁବରଣ କରିବାକୁ ଯାଉଥିବା ପ୍ରାଣଟିକୁ, ନିଜ ଦେହରୁ ରକ୍ତ ନିଗାଡି ବଞ୍ଚିବାର ଆଲୋକ ଦେଖାଉଥିବା ଯୁବକଟି ନିଜ ପରିଚୟ ଗୋପନ ରଖେ। ତା’ର ଲୋଡା ନାହିଁ ପ୍ରଶଂସା, ତା’ର ଲୋଡା ନାହିଁ ପୁରସ୍କାର। ସେ ଆତ୍ମାରେ ପରମାତ୍ମାଙ୍କୁ ଖୋଜେ। ସେହି ପରମାତ୍ମାଙ୍କ ସେବା କରି, ସେ ଯେଉଁ ଆତ୍ମସନ୍ତୋଷ ଲଭେ ତା’ ହିଁ, ତା’ ପାଇଁ ଅଟେ ସର୍ବଶ୍ରେଷ୍ଠ ପୁରସ୍କାର। ଏହା ଦେଖି ମନେ ପଡ଼ିଯାଏ, ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ କଥା। ପ୍ରଭୁଙ୍କଠାରୁ ଏହି ଆଶିଷ ସେ ଭିକ୍ଷା କରିଥିଲେ ଯେ, ‘ଜଗନ୍ନାଥ ମନ୍ଦିର, ମୋ ବଂଶର କିର୍ତ୍ତୀ ଏହା କହି ଗର୍ବବୋଧ କରିବା ପାଇଁ ମୋ’ ବଂଶରେ କେହି ନରହୁ।’

୨୦୧୬, ମଇ ମାସର ଘଟଣା। ମଧ୍ୟପ୍ରଦେଶର ଏକ ଆଦିବାସୀବହୁଳ ଗ୍ରାମ କୋଚାମାଉକୁ ଯାଇଥିବା ଜନଗଣନା ଅଧିକାରୀମାନେ ଜିଲ୍ଲା ମୁଖ୍ୟାଳୟରେ ଖବର ଦେଲେ ଯେ କୋଚାମାଉଠାରେ ରହୁଥିବା ଜଣେ ବୃଦ୍ଧବ୍ୟକ୍ତିଙ୍କ ଗତିବିଧି ଆମକୁ ସନ୍ଦେହଜନକ ମନେ ହେଉଛି। ଜିଲ୍ଳା ପୋଲିସ୍ ଓ ପ୍ରଶାସନ ତତ୍ପର ହୋଇ ଉକ୍ତ ବ୍ୟକ୍ତିଙ୍କୁ ଧରି ଆଣି ପଚରାଉଚରା କଲାପରେ ସତ୍ୟ ହେଲା ପ୍ରକଟ।

ଅଡଷଠି ବର୍ଷୀୟ ବୃଦ୍ଧ ବ୍ୟକ୍ତିଜଣକ ହେଉଛନ୍ତି, ଦିଲ୍ଲୀ ଆଇ.ଆଇ.ଟିର ପୂର୍ବତନ ପ୍ରାଧ୍ୟାପକ ଆଲୋକ ସାଗର। ସେ ୧୯୭୧ରେ ଖଡଗପୁରରୁ ବିଟେକ୍, ୧୯୭୩ରେ ଏମ୍‌.ଟେକ୍ ସାରି ୧୯୭୭ରେ ହ୍ୟୁଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ପିଏଚଡି କଲାପରେ ଯୋଗ ଦେଇଥିଲେ ଦିଲ୍ଲୀ ଆଇଆଇଟିରେ। ମାତ୍ର ରଘୁରାମ ରାଜନଙ୍କ ପରି ବ୍ୟକ୍ତିତ୍ୱଙ୍କୁ ବିଦ୍ୟାଦାନ କରିଥିବା ଏହି ପ୍ରଫେସର ଜଣକ, ସମାଜର ଅନୁନ୍ନତ ଓ ଦଳିତ ଲୋକଙ୍କ ପାଇଁ କିଛି କରିବାର ମାନସିକତା ନେଇ ୧୯୮୨ରେ ଚାକିରି ଛାଡ଼ି କୋଚାମାଉ ଚାଲିଆସି ଆଦିବାସୀଙ୍କ ମେଳରେ ରହି ସେମାନଙ୍କ ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ।

ଆଲୋକ ସାଗରଙ୍କ ପିତା ଥିଲେ ଆଇ.ଆର.ଏସ ଅଧିକାରୀ, ମାତା, ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପିକା ଓ ଭାଇ ହେଉଛନ୍ତି ଜଣେ ଆଇ.ଆଇ.ଟି ପ୍ରଫେସର। ଅଦ୍ୟାବଧି ସେ କୋଚାମାଉରେ ପଚାଶ ହଜାରରୁ ଅଧିକ ଗଛ ଲଗାଇ ଏବଂ ଆଦିବାସୀମାନଙ୍କୁ ଗଛ କାଟିବାରୁ ବିରତ କରିବା ସହ, ସେମାନଙ୍କ ମଧ୍ୟରୁ ଅନ୍ଧବିଶ୍ୱାସ ଲୋପ କରିବା ଦିଗରେ କାର୍ଯ୍ୟରତ।

ଏହିପରି ଅନେକ ଉଦାହରଣ, ଆମ ଚତୁଃପାର୍ଶ୍ୱରେ ବିରାଜିତ। ପୁରାଣ ଓ ଇତିହାସ ପ୍ରମାଣିତ କରିଛନ୍ତି ଯେ, କାଳେକାଳେ ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ବିଜୟ ସୁନିଶ୍ଚିତ। ଧର୍ମର ଓ ସତ୍ୟର ପରାକାଷ୍ଠା ଥିବାରୁ, ସୂର୍ଯ୍ୟ ପୂର୍ବଦିଗରେ ଯଥା ସମୟରେ ହେଉଛନ୍ତି ଉଦୟ, ମେଘ, ଜଳ ବର୍ଷାଇ, ଧରାକୁ କରୁଛି ଉର୍ବର, ଧରିତ୍ରୀ ମାତା ନିଜ କୋଳରୁ ଫସଲ ଉପୁଜାଇ ଆମକୁ କରୁଛି ଧନ୍ୟ, ବୃକ୍ଷ ଦେଉଛି ଫଳ ଓ ପୁଷ୍ପ ଏବଂ ପକ୍ଷୀ ଗାଉଛି ଗୀତ।

ତେଣୁ, ଦୁଃଖ ପରେ ସୁଖ ଆସିଲା ପରି, ଘୋର ଅନ୍ଧକାର ପରେ ସକାଳ ସୂର୍ଯ୍ୟଙ୍କ ସୁନେଲୀ କିରଣରେ ବିଶ୍ୱ ହେବ ଉଦ୍‌ଭାସିତ। ମହିଷାସୁରର ଅତ୍ୟାଚାରରେ ଅତିଷ୍ଠ ପୃଥିବୀକୁ ଉଦ୍ଧାର କରିବା ପାଇଁ, ସମସ୍ତ ଦେବତାଙ୍କ ମାନସ ଶକ୍ତି ଏକତ୍ର ହୋଇ ଆବିର୍ଭୂତା ହୋଇଥିଲେ ଦୁର୍ଗତିନାଶିନୀ ମା’ ଦୁର୍ଗା। ଦୁରାଚାରୀ ରାବଣର ବିନାଶ ପାଇଁ ଋଷିମୁନିମାନଙ୍କ ବ୍ୟାକୁଳତାରେ ବାଧ୍ୟ ହୋଇ ବିଷ୍ଣୁ, ଧରାବତରଣ କରିଥିଲେ ମନୁଷ୍ୟ ଦେହଧାରୀ ପ୍ରଭୁ ଶ୍ରୀରାମଙ୍କ ରୂପରେ। ଆଜି ସେହି ଦିବ୍ୟ ଚେତନାର ଅଂଶବିଶେଷ ହୋଇ, ଆମ ପାଖରେ ନିଜର ପରାକାଷ୍ଠା ଦେଖାଇ ଯାଇଛନ୍ତି, ଶ୍ରୀ ରାମକୃଷ୍ଣ, ଶ୍ରୀ ଅରବିନ୍ଦ, ସ୍ୱାମୀ ଶିବାନନ୍ଦ ଓ ଅବଦୁଲ କଲାମଙ୍କ ପରି ଦିବ୍ୟାତ୍ମାମାନେ। ସେହି ରକ୍ତ ଏବେ ମଧ୍ୟ ଆମ ଧମନୀରେ ପ୍ରବାହିତ। ଏହାଠାରୁ ବଳି ବଡ଼ ଗୌରବ ଓ ଆଶ୍ୱାସନାର କଥା ବା କ’ଣ ହୋଇପାରେ।

ପୁଷ୍ପବିହୀନ ଏକ ବିରାଟ ଉପବନରେ, ଗୋଟିଏ ମଲ୍ଲୀଗଛରେ ଫୁଟିଥିବା ମଲ୍ଲୀଫୁଲର ମୁଠେ ମହକରେ ସମଗ୍ର ବଗିଚାଟି। ସୁଗନ୍ଧିତ ହୋଇଗଲା ପରି ସକାରାତ୍ମକ ଓ ନିସ୍ୱାର୍ଥପର ଚିନ୍ତାଧାରା ବହନ କରୁଥିବା କିଛି ପୁଣ୍ୟାତ୍ମାମାନଙ୍କ ଦିବ୍ୟ ଚିନ୍ତନର ପ୍ରତିଶ୍ରୁତି ବହନ କରି ଉଦୟ ହେବ ଏକ ନୂତନ ସୂର୍ଯ୍ୟ। ଯେଉଁ ସୂର୍ଯ୍ୟ, ମୂଳପୋଛ କରି ଦେବ, ହିଂସା ଓ ଦ୍ୱେଷରେ ଭରା ଏ କାଳିମାମୟ ଅନ୍ଧକାରକୁ। ଏହା କେବଳ ଏକ ଆଶା ନୁହେଁ, ଏକ ଦୃଢ଼ ବିଶ୍ୱାସ…।

(ସୌଜନ୍ୟ – ମୁଠେ ମହକ)

Comment