ରବୀନ୍ଦ୍ର ନାରାୟଣ ମିଶ୍ର

“ବହୁତ ବର୍ଷ ବଞ୍ଚିବାର ଇଚ୍ଛା ମୁଁ ବର୍ତ୍ତମାନ ପାଇଁ ପରିତ୍ୟାଗ କରିଦେଇଛି। ହିନ୍ଦୁମାନଙ୍କ ଦ୍ୱାରା ହିନ୍ଦୁତ୍ୱ ଧ୍ୱଂସ ପାଇବା କଥାଟିକୁ ମୁଁ ସହ୍ୟ କରିପାରୁନାହିଁ। ସେମାନଙ୍କର ତଥାକଥିତ ‘ମହାତ୍ମା’ ଆଜି ସେମାନଙ୍କ ପାଇଁ ‘ଅଳ୍ପାତ୍ମା’ (ଯେଉଁ ଆତ୍ମାର କିଛି ଅବଦାନ ନାହିଁ) ହୋଇଯାଇଛି।’’

୧୯୪୮ ଅକ୍ଟୋବର ଦୁଇ ତାରିଖ ଦିନ ଗାନ୍ଧୀଜୀଙ୍କର ପ୍ରଥମ ଜନ୍ମଦିନ ପାଳିତ ହୋଇଥିଲା ଭାରତ ସ୍ୱାଧୀନ ହେବା ପରେ। ସେ ଦିନ ଗାନ୍ଧୀଜୀଙ୍କ ପାଖରେ ଜନ୍ମଦିନର ଶୁଭେଚ୍ଛା ଜଣାଇ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ବହନକାରୀ ଚିଠିଗୁଡ଼ିକ ପାହାଡ଼ ଭଳି ତାଙ୍କ ଆଗରେ ଜମା ହୋଇଥାଏ, ସେଦିନଟି ଗାନ୍ଧୀଙ୍କର ଥିଲା ୭୮ବର୍ଷର ଜନ୍ମଦିନ। ସେଇଦିନୁ ସେ ୭୯ ବର୍ଷରେ ପ୍ରବେଶ କଲେ।

ଚିଠିଗୁଡ଼ିକ ଉପରେ ଆଖି ପକାଇଦେଇ ଯେଉଁଗୁଡ଼ିକ କେବଳ ଶୁଭେଚ୍ଛା ବାର୍ତ୍ତା ବହନ କରିଥିଲା, ଗାନ୍ଧୀ ସେଗୁଡ଼ିକୁ ଆଭାଙ୍କ ହାତକୁ ବଢ଼େଇ ଦେଉଥିଲେ। ହଠାତ୍‌ ତାଙ୍କ ଆଖି ପଡ଼ିଗଲା ଋଣଛୋଡ୍‌ ଦାସ ପଟୱାରିଙ୍କ ଚିଠି ଉପରେ।

ଋଣଛୋଡ଼ ଦାସଜୀ ଗାନ୍ଧୀଙ୍କ ଯୁବକ ଅବସ୍ଥାରୁ ତାଙ୍କ ପରିବାରର ବନ୍ଧୁ ଥିଲେ। ଆଇନ୍‌ ପଢ଼ିବା ପାଇଁ ଋଣଛୋଡ଼ ଦାସ ଯୁବକ ଗାନ୍ଧୀଙ୍କୁ ବିଲାତ ପଠାଇବାରେ ସାହାଯ୍ୟ କରିଥିଲେ। ସେ ଥିଲେ ଗାନ୍ଧୀଙ୍କର ଜଣେ ନିଷ୍ଠାପର ପ୍ରଶଂସକ। ଯାହାକୁ ଦିନେ ସେ ସାହାଯ୍ୟ କରିଥିଲେ, ସେ ଯେ ପରିଶେଷରେ ଜଣେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବ୍ୟକ୍ତିବିଶେଷ ହୋଇଗଲେ, ଏହା ଥିଲା ତାଙ୍କ ପାଇଁ ଗର୍ବର ବିଷୟ।

ଜନ୍ମଦିନର ଚିଠିଗଦା ଭିତରୁ ଗାନ୍ଧୀଜୀ ଯେଉଁ ଅଳ୍ପ କେତୋଟି ଚିଠିର ଉତ୍ତର ଦେଇଥିଲେ ସେଥିରେ ଥିଲା ଋଣଛୋଡ଼ ଦାସଙ୍କ ଚିଠି। ଗାନ୍ଧୀଜୀ ଋଣଛୋଡ଼ ଦାସଙ୍କ ଚିଠିର ବହୁତ ମଜା ଉତ୍ତର ଦେଇଥିଲେ।

ଋଣଛୋଡ଼ ଦାସଙ୍କୁ ସମ୍ବୋଧନ କରି ସେ ଲେଖିଥିଲେ, ‘‘ଆପଣ ବହୁତ ବର୍ଷ ବଞ୍ଚନ୍ତୁ। ଆଉ ରହିଲା ମୋ କଥା। ବହୁତ ବର୍ଷ ବଞ୍ଚିବାର ଇଚ୍ଛା ମୁଁ ବର୍ତ୍ତମାନ ପାଇଁ ପରିତ୍ୟାଗ କରିଦେଇଛି। ହିନ୍ଦୁମାନଙ୍କ ଦ୍ୱାରା ହିନ୍ଦୁତ୍ୱ ଧ୍ୱଂସ ପାଇବା କଥାଟିକୁ ମୁଁ ସହ୍ୟ କରିପାରୁନାହିଁ। ସେମାନଙ୍କର ତଥାକଥିତ ‘ମହାତ୍ମା’ ଆଜି ସେମାନଙ୍କ ପାଇଁ ‘ଅଳ୍ପାତ୍ମା’ (ଯେଉଁ ଆତ୍ମାର କିଛି ଅବଦାନ ନାହିଁ) ହୋଇଯାଇଛି।’’

ସେତେବେଳେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଯୋଗୁଁ ସାରା ଦେଶ ଜଳୁଥାଏ। ହିନ୍ଦୁମାନେ ନିଃସଙ୍କୋଚରେ ହିଂସାକାଣ୍ଡରେ ମାତିଥାଆନ୍ତି। ଏସବୁ ଦେଖି ଗାନ୍ଧୀଜୀ ପଥର ପାଲଟି ଯାଇଥାନ୍ତି। ଏଇ ଅସହାୟ ଅବସ୍ଥା ଯୋଗୁଁ ସେଦିନ ସେ ନିଜକୁ ‘ମହାତ୍ମା’ ବୋଲି ନ ବିଚାରି ‘ଅଳ୍ପାତ୍ମା’ ବୋଲି କହି ନିଜର ବିନମ୍ର ଅସହାୟ ଭାବ ବିଷୟରେ ଋଣଛୋଡ଼ ଦାସଙ୍କୁ ଜଣାଇ ଦେଇଥିଲେ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment