ଛନ୍ଦା ମିଶ୍ର

ଭବିଷ୍ୟତ ଅନିଶ୍ଚିତ ଜାଣି ମଧ୍ୟ ଆମକୁ ସେଥିପାଇଁ ଅନେକ କିଛି ଚିନ୍ତା କରି ସେହି ହିସାବରେ ନିଜର କାର୍ଯ୍ୟପନ୍ଥା ସ୍ଥିର କରିବାକୁ ପଡିବ।

ଦିନବନ୍ଧୁ ବାବୁ, କଟକ ଜିଲ୍ଲାର ବିଭିନ୍ନ ସ୍କୁଲରେ ଶିକ୍ଷକତା ଶେଷକଲା ପରେ କଟକରେ କିଣିଥିବା ଏକ ଜାଗା ଉପରେ ଘର ତିଆରି କରି ରହିଲେ। ଚାକିରି ଥିବା ସମୟରେ ତିନିଝିଅ ଓ ପୁଅଙ୍କ ସମସ୍ତ କାର୍ଯ୍ୟ ସାରି ଦେଇଥିଲେ। ବର୍ତ୍ତମାନ ଅବସର ଜୀବନଟାକୁ ସମବୟସ୍କମାନଙ୍କ ସହିତ ଖୁସିଗପ, ଘରପାଇଁ ବଜାରହାଟ ଓ ସନ୍ଧ୍ୟାବେଳେ କେଉଁ ସଭାସମିତିରେ ଯୋଗଦେବା ନ ହେଲେ ଟିଭି ଦେଖି ସମୟ କଟି ଯାଉଥିଲା। ତେବେ ବେଳେବେଳେ ଝିଅପୁଅମାନଙ୍କୁ ଝୁରି ହେଉଥିଲେ ବୁଢ଼ୀବୁଢ଼ା ଦୁହେଁ। ହେଲେ ଝିଅପୁଅ ସଭିଏଁ ଭଲ ପାଠପଢ଼ି ଉଚ୍ଚବେତନରେ କାର୍ଯ୍ୟରତ ଥିଲେ ବହୁରାଷ୍ଟ୍ରୀୟ କମ୍ପାନିଗୁଡ଼ିକରେ। ବର୍ଷକୁ କେବେ ଥରେ, କେଉଁଥର ବିଲକୁଲ ମଧ୍ୟ ଆସିବା ସମ୍ଭବ ହେଉନଥିଲା।

ବୟସ ବଢ଼ିବା ସହିତ ଡାଇବେଟିସ ଓ ବ୍ଲଡପ୍ରେସର ବଟିକା ଖାଇବା ଆରମ୍ଭ କରି ଦେଇଥିଲେ ଦୀନବନ୍ଧୁବାବୁ। ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ଥିବା ଝିଅମାନେ ଭାଇକୁ ବାଧ୍ୟ କଲେ ବାପାଙ୍କୁ ସାଥିରେ ନେଇଯିବା ପାଇଁ। ତେବେ ସମସ୍ୟା ସୃଷ୍ଟିକଲା ସବୁ ଧନ ସାରି ତିଆରି କରିଥିବା ଘରଟି।

ଦୀନବନ୍ଧୁବାବୁ ଗୋଟିଏ କୋଠରି ତାଲା ପକାଇ ବାକି ଘର ଭଡା ଦେବାକୁ ଚାହୁଁଥିଲା ବେଳେ, ପୁଅବୋହୂ ଘରଟିକୁ ବିକିଦେବାର ପ୍ରସ୍ତାବ ଦେଲେ। ତାଙ୍କ କହିବା କଥା ହେଲା, ଘର ଥିଲେ ଭଡା ହେଉ ଅବା ଭଟାଟିଆ ବାବଦରେ ସବୁବେଳେ କିଛି ନା କିଛି ସମସ୍ୟା ଲାଗି ରହିବ। ଅଗତ୍ୟା ପୁଅବୋହୂଙ୍କ କଥା ମାନି ଘରଟିକୁ ବିକିଦେଲେ ଦୀନବନ୍ଧୁବାବୁ ପତ୍ନୀଙ୍କ ସହ ଚାଲିଗଲେ ଦିଲ୍ଲୀ। ଘରବିକା ପଇସାରେ ଆଉ କିଛି ପଇସା ମିଶାଇ ପୁଅ ଦିଲ୍ଲୀରେ ଫ୍ଲାଟଟାଏ କିଣିଲା।

ସକାଳୁସକାଳୁ ପୁଅବୋହୂ କାମରେ ବାହାରିଯାଇ ରାତିରେ ଫେରନ୍ତି। କାମବାଲା ଆସି ଘରକାମ କରିବା ସହିତ ପୂରାଦିନ ପାଇଁ ରନ୍ଧାବଢ଼ା ସାରି ଚାଲିଯାଏ। ବୁଢ଼ାବୁଢ଼ୀ ଦିନସାରା ଟିଭିଟାକୁ ଚାହିଁ ବସି ରହନ୍ତି। ପୁଅବୋହୂ ଫେରିଲା ପରେ କଣ ଦିଟା ଗିଳି ଦେଇ ଶୋଇବାକୁ ଚାଲିଯାନ୍ତି। କେବଳ ରବିବାର ଦିନ ସେମାନଙ୍କ ପାଟିରୁ କଥା ବାହାରେ। ସେହି ଗୋଟିଏ ଦିନରେ ସପ୍ତାହ ସାରାର ବାକିଥିବା କାମତକ ସାରିବାକୁ ପଡିଥାଏ। ବାପା ବୋଉଙ୍କ ପାଖରେ ବସି ଦୁଃଖସୁଖ ହେବାପାଇଁ ସମୟ ବା କାହିଁ? ତେବେ ମଝିରେମଝିରେ ଦୁହେଁ କହନ୍ତି – କିଛି ଦରକାର ହେଲେ କହିବେ ଆମେ ଆଣିଦବୁ। ହେଲେ ବୁଢ଼ାବୁଢ଼ୀ ଦି’ଜଣଙ୍କର ଦରକାର ବା କ’ଣ?

ତେବେ ଦିଲ୍ଲୀରେ ରହିବା ଦୀନବନ୍ଧୁବାବୁ ଓ ତାଙ୍କ ପତ୍ନୀଙ୍କ ପାଇଁ ଧୀରେଧୀରେ ଅସହ୍ୟ ହେବାରେ ଲାଗିଲା। ପାଖ ପଡିଶାମାନେ ପ୍ରାୟତଃ ଅଣଓଡ଼ିଆ ଓ ଉଭୟ ଦମ୍ପତ୍ତି କର୍ମଜୀବୀ। ବୁଢ଼ୀବୁଢ଼ା ଦୁହେଁ ଭାରି ଚିଡିଚିଡା ହୋଇ ଉଠୁଥିଲେ। ନା କରିବାକୁ କୌଣସି କାମ ଥିଲା ନା ଗପସପ ଟିକିଏ ପାଇଁ କେହି ଲୋକଥିଲେ। “ତଳକୁ ଲୁଙ୍ଗି ପିନ୍ଧି ଯାଅନି, ପାନ ଖାଅନି, ବେଶି ସମୟ ପଙ୍ଖା ଚଲାଅନି, ପାଣି ବେଶି ଖର୍ଚ୍ଚ କରନି, କାମବାଲି ଯେମିତି କାମ କରୁଛି କରୁ, ଯାହା ବି ରାନ୍ଧିକି ଦେଲେ ଚଳେଇ ନିଅ। ତାକୁ କିଛି କୁହନି, ସେ ଛାଡିଦେଲେ ସମସ୍ତେ ହଇରାଣ ହେବା”ଏହିପରି ଅନେକ ତାଗିଦ୍ ଦୀନବନ୍ଧୁବାବୁ ଓ ତାଙ୍କ ପତ୍ନୀଙ୍କୁ ଶୁଣିବାକୁ ପଡୁଥିଲା।

ଜୀବନସାରା ନିଜ ମର୍ଜିରେ ଚଳି ଆସିଥିବା ଦୀନବନ୍ଧୁବାବୁ ଓ ତାଙ୍କ ପତ୍ନୀ ଏସବୁ କଟକଣାରେ ବ୍ୟତିବ୍ୟସ୍ତ ହୋଇ ଉଠୁଥିଲେ। ମଝିରେମଝିରେ ବୁଢ଼ା ରାଗିଲେ ବୁଢ଼ୀକୁ ଶୁଣାଇ ଦେଉଥିଲେ ଦୁଇଚାରି ପଦ- ଦିଲ୍ଲୀ ଆସିବା ମଜା ପାଅ ଏଥର। କେତେ କହିଲି, ନିଜ ଜାଗା ଛାଡି ଯିବାନି ବୋଲି ହେଲେ ମୋ କଥା ଶୁଣୁଛି କିଏ?

ମଝିରେମଝିରେ ବୋହୂ ବାପଘରୁ ନିଶ୍ଚୟ କେହି ନା କେହି ଆସି ପହଞ୍ଚୁଥିଲେ। ସେତେବେଳେ ପୁଅ କିମ୍ବା ବୋହୂ ଯିଏ ହେଲେ ଦିନେ ଦୁଇଦିନ ଛୁଟି ନେଇ ସେମାନଙ୍କୁ ଦିଲ୍ଲୀ ବୁଲାଇ ଆଣୁଥିଲେ ଓ ସେ ଅତିଥିମାନେ ଗଲାବେଳକୁ ଅଯାଚିତ ଭାବେ କଥା ଛଳରେ ବୁଢ଼ାବୁଢ଼ୀଙ୍କୁ ପୁଅବୋହୂଙ୍କ ସହ ‘ଆଡଜଷ୍ଟ’ କରି ଚଳିବାପାଇଁ ଉପଦେଶ ଦେଇ ଯାଉଥିଲେ। ସେତେବେଳେ ରକ୍ତଚାଉଳ ଚୋବେଇ, ନିଜ ଭାବାବେଗକୁ ଚପାଇ ରଖୁଥିଲେ ଦୀନବନ୍ଧୁବାବୁ। ଗୋଟିଏ ବର୍ଷ କୌଣସି ମତେ କଟିଗଲା ପରେ, ଦିନେ ସାନଝିଅ ପାଖରୁ ଡକରା ପାଇ ବୁଢ଼ାବୁଢ଼ୀ ତା’ ପାଖକୁ ଯିବାପାଇଁ ପ୍ରସ୍ତୁତ ହେଲେ। ପୁଅବୋହୂ ଖୁସିରେ ବିଦାୟ ଦେଲେ।

ସେଠି ବି ସେହି ସମାନ ଅବସ୍ଥା। ଝିଅଜ୍ୱାଇଁ ସକାଳୁ ବାହାରିଯାଇ ରାତିକୁ ଫେରନ୍ତି। ତେବେ ଗୋଟିଏ ସାନ୍ତ୍ୱନା ଥିଲା। ଚତୁର୍ଥଶ୍ରେଣୀରେ ପଢ଼ୁଥିବା ନାତିଟୋକାଟି। ସ୍କୁଲ ସମୟ ଛଡା ଅଜାଆଈଙ୍କଠାରୁ ଗପ ଶୁଣିବା ଓ ଲୁଡୁ ଖେଳିବା ଆଦି ତାକୁ ବେଶ୍ ଭଲ ଲାଗୁଥିଲା। ହେଲେ ଝିଅଘରେ ରହିବେ ବା କେତେଦିନ।

ଅଗତ୍ୟା ଫେରିଯିବାର ଦିନ ପାଖେଇ ଆସିଲା। ଫେରିବା କଥା ଭାବି ବୁଢ଼ାବୁଢ଼ୀ ଉଦାସ ହୋଇ ଉଠୁଥାନ୍ତି। ଏହି ସମୟରେ ଦିନେ ଆସି ପହଞ୍ଚିଲେ ଝିଅର ଶ୍ୱଶୁର। ସ୍ତ୍ରୀ ମରିଗଲା ପରେ ଏକୁଟିଆ ହୋଇପଡିଥିଲେ ବି ବୁଲାବୁଲି କରିବା ସହିତ ନିଜର ଅନ୍ୟ ସୌକଗୁଡ଼ିକୁ ଛାଡିପାରି ନଥିଲେ ସେ। ବେଶ୍ ଦିଲଦାର ଥିଲେ ବୁଢ଼ା। ସେ ପହଞ୍ଚିଗଲା ପରେ ତାଙ୍କ ଚାରିପାଖର ପରିବେଶ ହୋଇଉଠୁଥିଲା ଖୁବ୍ ଉତ୍ସାହପ୍ରଦ।

ତାଙ୍କୁ ଏକୁଟିଆ ପାଇ, ଦୀନବନ୍ଧୁବାବୁ ନିଜର ସବୁ ଦୁଃଖ ବଖାଣି ଦେଇଗଲେ। ସବୁଶୁଣି ବୁଢ଼ା କହିଲେ, ସମୁଦି, ଆଗ ଆପଣଙ୍କୁ ଗପଟାଏ ଶୁଣାଏଁ। ଗୋଟିଏ ଦେଶ ଥିଲା। ସେ ଦେଶର ନିୟମ ଖୁବ୍ ଅଦ୍ଭୁତ ଥିଲା। ସେ ନିୟମ ହିସାବରେ ହାତୀ ଯାହା ମୁଣ୍ଡରେ ସୁନାକଳସ ଢାଳିବ, ସେ ହେବ ରାଜା। ତେବେ ଗୋଟିଏ ବର୍ଷ ଖୁବ୍ ଆରାମଦାୟକ ଜୀବନଯାପନ କଲାପରେ ତାକୁ ନିର୍ବାସିତ କରିଦିଆଯାଉଥିଲା ଏକ ନିର୍ଜନ ଦ୍ୱୀପରେ। ଯେଉଁଠି ଭୋକ ଉପାସ ତଥା ବନ୍ୟଜନ୍ତୁଙ୍କ ଶିକାର ହୋଇ ତା’ର ହେଉଥିଲା ମୃତ୍ୟୁ। ଏହିପରି ଅନେକ ରାଜା ଗଲାପରେ ଏକ ବୁଦ୍ଧିମାନ ବ୍ୟକ୍ତି ହାତରେ ପଡିଲା ରାଜ୍ୟ ଶାସନର ଭାର। ସେ ଏସବୁକୁ ଖୁବ୍‌ ଭଲ ରୂପେ ଅନୁଧ୍ୟାନ କରିସାରିଥିଲେ। ସେ ନିଜର କିଛି ବିଶ୍ୱସ୍ତ ଅନୁଚରଙ୍କୁ ପଠାଇ ସେ ଦ୍ୱୀପଟିକୁ ବାସଉପଯୋଗୀ କରିବାପାଇଁ ଆଦେଶ ଦେଲେ ଓ ଏକବର୍ଷର ରାଜ୍ୟ ଶାସନ ପରେ ଗାଦିଚ୍ୟୁତ ହୋଇ ସେଠାକୁ ଆସି ଆନନ୍ଦରେ କାଳାତିପାତ କଲେ।

ଏ ଗପଟିର ତାତ୍ପର୍ଯ୍ୟ ହେଉଛି, ଭବିଷ୍ୟତ ଅନିଶ୍ଚିତ ଜାଣି ମଧ୍ୟ ଆମକୁ ସେଥିପାଇଁ ଅନେକ କିଛି ଚିନ୍ତା କରି ସେହି ହିସାବରେ ନିଜର କାର୍ଯ୍ୟପନ୍ଥା ସ୍ଥିର କରିବାକୁ ପଡିବ। ଆପଣ ଘରଟିକୁ ବିକିଦେଇ ମସ୍ତବଡ଼ ଏକ ଭୁଲ କରିଦେଲେ। ମୁଣ୍ଡ ଗୁଞ୍ଜିବାପାଇଁ ଘର ଓ ହାତରେ କିଛି ଧନ ହିଁ ଆପଣଙ୍କ ପାଖରେ ସାହସ ଓ ମନୋବଳ ହୋଇ ଛିଡା ହେବ। ଆପଣଙ୍କ ସ୍ୱାଧୀନତାକୁ କେହି କ୍ଷୂର୍ଣ୍ଣ କରିପାରିବେ ନାହିଁ। ପୁଅଝିଅମାନେ ଆପଣଙ୍କୁ ହେୟଜ୍ଞାନ କରିବା ତ ଦୂରର କଥା, ବରଂ ଆପଣଙ୍କ ସହିତ କଥା ହେବା ଆଗରୁ ଦଶଥର ଭାବିବେ। ବେଳ ଥାଉଥାଉ ବନ୍ଧ ନ ବାନ୍ଧିଲେ, ସୁଅରେ କୁଆଡେ ଭାସିଯିବେ, ଆଉ ଥଳକୂଳ ପାଇବେ ନାହିଁ।

କହିବା ବାହୁଲ୍ୟ, ସେହିଦିନ ହିଁ ଦୀନବନ୍ଧୁବାବୁ କଟକରେ ରହୁଥିବା ନିଜ ସାଙ୍ଗସାଥୀ ଓ ସମ୍ପର୍କୀୟମାନଙ୍କୁ ଫୋନ କରି ଘରଭଡା ଠିକ୍ କରିଦେବାପାଇଁ କହିଲେ ଓ ଘର ଠିକ୍ ହେଲା ପରେ ଝିଅଘରୁ ସିଧା ଚାଲି ଆସିଲେ ସେଠାକୁ। ଏବେ ପେନସନ୍ ଟଙ୍କାରେ ବୁଢ଼ାବୁଢ଼ୀ ବେଶ୍ ଆନନ୍ଦରେ ଅଛନ୍ତି। ଆଗେ ଘରେ କାମ କରୁଥିବା ସ୍ତ୍ରୀଲୋକଟି ମଧ୍ୟ ଆସି ଜୁଟି ଯାଇଛି। କାମ କରିବା ସହିତ ବେଳେବେଳେ ସଉଦାପତ୍ର ଆଣିଦେବା ଓ ଗୋଡହାତ ଘଷାଘଷି କରିଦେଇ ଯାଉଛି। ଲୁଙ୍ଗିଟାଏ ପିନ୍ଧି, ପାନଖାଇ, ବାରଣ୍ଡାରେ ଚେୟାରଟିଏ ପକାଇ ଦୀନବନ୍ଧୁ ବାବୁ ଗଲା ଆସିଲା ଲୋକଙ୍କ ସହ ବେଶ୍ ଗପ ଜମାଉଛନ୍ତି।

(ସୌଜନ୍ୟ – ଭିନ୍ନ ମଣିଷ)

Comment