ରବୀନ୍ଦ୍ର ନାରାୟଣ ମିଶ୍ର

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ ପିଢି ସହ ଗଣେଶ୍ୱରଙ୍କୁ ଯୋଡ଼ିବା ଲାଗି ଓଡ଼ିଶାଲାଇଭ୍ ପକ୍ଷରୁ ଏହି କ୍ଷୁଦ୍ର ପ୍ରୟାସ।

ପ୍ରଫେସର ଗଣେଶ୍ୱର ମିଶ୍ରକୁ ମୁଁ ତା’ ଡାକ ନାଁରେ ‘ଗଣି’ ବୋଲି ଡାକୁଥିଲି- କାରଣ ସେ ଥିଲା ମୋର ସାନଭାଇ। ଆମର ପାରିବାରିକ ସମ୍ପର୍କ ଥିଲା। ‘ଗଣି’ ଡାକଟିକୁ ସେ ମଧ୍ୟ ସ୍ୱାଗତ କରୁଥିଲା, ଭଲ ପାଉଥିଲା ଏବଂ ତା’ର ‘ଭାଇନା’ ଡାକଟି ମଧ୍ୟ ମୋର ପେଟ ପୂରାଇ ଦେଉଥିଲା।

ମୋ ସ୍ମୃତି ମତେ ବାଉନ ବର୍ଷ ତଳକୁ ଅର୍ଥାତ୍ ୧୯୬୩ ମସିହାକୁ ଫେରାଇ ନେଉଛି ଯେତେବେଳେ ଗଣି ସାମନ୍ତ ଚନ୍ଦ୍ରଶେଖର କଲେଜରେ ଇଂରାଜୀରେ ସ୍ନାତକ (ସମ୍ମାନ)/ ଇଂଲିଶ୍‌ ଅନର୍ସର ଛାତ୍ର ଥିଲା। ମୁଁ ସେତେବେଳେ ପୁରୀରେ ଅବସ୍ଥାପିତ ହୋଇଥିଲି ‘ଓଡ଼ିଶା ପ୍ରାଶାସନିକ ସେବା’ରେ ଯୋଗ ଦେଇଥିବା ହେତୁ ଜିଲ୍ଲା ତାଲିମ (ଡିଷ୍ଟ୍ରିକ୍ଟ ଟ୍ରେନିଂ) ପାଇବା ପାଇଁ।

ଆମ ଦୁହିଁଙ୍କର ପରିଚୟର ମାଧ୍ୟମ ଥିଲେ ସ୍ୱନାମଧନ୍ୟ ପ୍ରାତଃ ସ୍ମରଣୀୟ ପ୍ରଫେସର ସର୍ବେଶ୍ୱର ଦାଶ। ସେ ଥିଲେ ମୋର ପ୍ରଫେସର ଏବଂ ମୁଁ ଘଟଣାକ୍ରମେ ତାଙ୍କ ପରିବାରର ଜଣେ ସଦସ୍ୟ ହୋଇଯାଇଥିଲି।

ସାର୍ (ପ୍ରଫେସର ସର୍ବେଶ୍ୱର ଦାଶ) ଥିଲେ ଗଣି ପଢ଼ୁଥିବା ସାମନ୍ତ ଚନ୍ଦ୍ରଶେଖର କଲେଜ୍‌ରେ ଇଂରାଜୀ ବିଭାଗର ମୁଖ୍ୟ। ତାଙ୍କ ଭଳି ଆଦର୍ଶ, ଛାତ୍ରବତ୍ସଳ, ସ୍ନେହଶୀଳ, ଦେଶଭକ୍ତ, ସୁପୁରୁଷ ଓ ସର୍ବଗୁଣସମ୍ପନ୍ନ ବ୍ୟକ୍ତିଟିଏ ମୁଁ ଅଦ୍ୟାବଧି ଦେଖିବାକୁ ପାଇନାହିଁ। ମୋ ସମୟର ଓ ମୋର ଜନ୍ମର ପରବର୍ତ୍ତୀ ସମୟର ଛାତ୍ର ଓ ଜନସାଧାରଣ ସମ୍ଭବତଃ ମୋ ଭଳି ତାଙ୍କର ଦ୍ୱିତୀୟ ବ୍ୟକ୍ତିଟିଏ ଦେଖିନଥିବେ।

ସେ ଯାହା ହେଉ, ସେ ସମୟରେ ଇଂରାଜୀ ଅନର୍ସ ପଢ଼ୁଥିବା ଦୁଇ ଜଣ ଛାତ୍ର ଗଣି ଓ ପ୍ରଫୁଲ୍ଲ (ସ୍ୱର୍ଗତଃ ପ୍ରଫୁଲ୍ଲ କୁମାର ମହାନ୍ତି- ଯେ ଥିଲେ ନୟାଗଡ଼ କଲେଜର ଇଂରାଜୀ ବିଭାଗର ପ୍ରାଧ୍ୟାପକ) ସାର୍‌ଙ୍କର ପ୍ରିୟ ଛାତ୍ର।

ତେଣୁ ସେମାନେ ସାର୍‌ଙ୍କର ପୁରୀ ଘରକୁ ବହୁତ ଥର ଯିବା ଆସିବା କରୁଥିଲେ ଏବଂ ମୁଁ ସେତେବେଳେ ପୁରୀରେ ଅବସ୍ଥାପିତ ହୋଇ ସାର୍‌ଙ୍କ ଘରକୁ ପ୍ରାୟ ସବୁଦିନେ ଯାଉଥିବା ଅବସରରେ ସେ ଦୁହିଁଙ୍କ ସହିତ ସମ୍ପର୍କ ସ୍ଥାପିତ ହୋଇଥିଲା। ଗଣି ଓ ପ୍ରଫୁଲ୍ଲ ମଧ୍ୟ ସାର୍‌ଙ୍କୁ ଭକ୍ତିପୂତ ହୃଦୟରେ ଦେଖୁଥିଲେ। ସେତେବେଳେ ସେ ଦୁହେଁ ଥିଲେ ଉଣେଇଶ କୋଡିଏ ବର୍ଷର ପିଲା।

ପରବର୍ତ୍ତୀ ସମୟରେ ମହାକାଳର ମହାସ୍ରୋତ ଆମ ତିନିଜଣଙ୍କୁ (ଗଣି, ପ୍ରଫୁଲ୍ଲ ଓ ଏ ଲେଖକ) ତିନି ଆଡ଼କୁ ଭସେଇ ନେଇଥିଲେ ବି ସେ ଦୁଇ ଜଣ ମତେ ‘ଭାଇନା’ ବୋଲି ସମ୍ବୋଧନ କରୁଥିଲେ ଏବଂ ସେ ଦୁହିଁଙ୍କୁ ମୋର ଭାବଗତ ଆସକ୍ତି (ଇମୋସନାଲ୍‌ ଆଟାଚ୍‌ମେଣ୍ଟ) ମତେ ସେମାନଙ୍କୁ ମୋର ନିକଟତର କରାଇଥିଲା ଏବଂ ଆମେ ତିନିଜଣ ପରସ୍ପରକୁ ପରସ୍ପରର ପରିବାରର ସଭ୍ୟ ବୋଲି ଗ୍ରହଣ କରିଥିଲୁ।

ଏହି ସମ୍ପର୍କକୁ ଅଧିକ ରୁଦ୍ଧିମନ୍ତ କରିଥିଲା ଆମ ତିନିଜଣଙ୍କର ସାହିତ୍ୟିକ ରୁଚି। ଯଦିଓ ସେ ଦୁଇଜଣ ସେତେବେଳେ ଲେଖାଲେଖି ଆରମ୍ଭ କରିନଥିଲେ, ସେମାନେ ଇଂରାଜୀ ସାହିତ୍ୟର ଛାତ୍ର ହୋଇଥିବାରୁ ଲେଖାଲେଖିକୁ ପସନ୍ଦ କରୁଥିଲେ। ମୁଁ  ସେତେବେଳେ ମୁଖ୍ୟତଃ କ୍ଷୁଦ୍ରଗଳ୍ପ ଲେଖୁଥିଲି ଓ ସେତେବେଳର ଖବରକାଗଜମାନଙ୍କରେ ମୋ ଲେଖା ପ୍ରାୟ ନିୟମିତ ପ୍ରକାଶ ପାଉଥିଲା।

ଗଣି ଓ ପ୍ରଫୁଲ୍ଲ ମୋ ଲେଖାକୁ ଆଦର କରୁଥିଲେ ଏବଂ ବିଶେଷତଃ ଗଣି ଦେଖାହେଲେ, ‘ଭାଇନା, ଆଉ କ’ଣ ନୂଆ ଲେଖିଛନ୍ତି’ ବୋଲି ପଚାରେ ଓ ମୁଁ ଲେଖିଥିବା ଓ ପ୍ରକାଶିତ ହୋଇନଥିବା ଲେଖାଟି ମୋ’ଠାରୁ ନେଇ ପଢ଼ିଦେଇ ବହୁତ ଆଦର କରୁଥିଲା ଓ ଲେଖାର ମାନବୃଦ୍ଧି ଲକ୍ଷ୍ୟରେ କେତେକ ଗଠନମୂଳକ ପରାମର୍ଶମାନ ଦେଇ ବହୁତ ସାହାଯ୍ୟ କରୁଥିଲା। ପରବର୍ତ୍ତୀ ସମୟରେ କେବଳ ଲେଖାଲେଖି ପାଇଁ ନୁହେଁ, ସବୁ ବିଷୟରେ ତା’ର ଗୁଣାତ୍ମକ ମୂଲ୍ୟବୋଧର ପରିଚୟ ଦେଇଥିଲା ଓ ତଦ୍ୱାରା ମୁଁ ବହୁତ ପ୍ରଭାବିତ ହେଉଥିଲି।

ପରବର୍ତ୍ତୀ ସମୟରେ (ପ୍ରାୟ ତା’ର ଦେହାବସାନ ପର୍ଯ୍ୟନ୍ତ କହିଲେ ଠିକ୍‌ ହେବ) ମୋ ସହିତ ତା’ର ଲେଖକୀୟ ସମ୍ପର୍କ ବଢ଼ି ବଢ଼ି ଚାଲିଲା ଏବଂ ମତେ ତାହା ବହୁତ ଉତ୍ସାହିତ କରିଥିଲା। ମୃତ୍ୟୁର ଅବ୍ୟବହିତ ଗୋଟିଏ ଦିନ ମତେ ଫୋନ୍‌ କରି କହିଲା, ‘ଶହ ଶହ ତୁମ ଗପ ପଢ଼ି ଭାଇନା ପ୍ରଶଂସା ଅଜାଡ଼ି ଦେଇଛନ୍ତି। ଅମୁକ ଖବରକାଗଜରେ ଯେଉଁଦିନ ତୁମ ଲେଖା ବନ୍ଦ ହୋଇଯିବ,ତା’ର ଗ୍ରାହକ ସଂଖ୍ୟା ହଠାତ୍ ଦଶ ପନ୍ଦର ହଜାର କମିଯିବ।’

ପ୍ରାରବ୍ଧର କଷ୍ଟ ଗଣିକୁ ତା’ ଜୀବନରେ ଭୋଗ କରିବାକୁ ପଡ଼ିଥିଲା। ସବୁଠାରୁ ବଡ଼ ଧକ୍କା ହେଲା ଯେଉଁଦିନ ତା’ର ଯୋଗ୍ୟ ପୁତ୍ର ସିଦ୍ଧାର୍ଥ ତାକୁ ଛାଡ଼ି ଏ ସଂସାରରୁ ଚାଲିଗଲା। ତା’ ନିଜକୁ ସେତେବେଳକୁ ଦୁରାରୋଗ୍ୟ ବ୍ୟାଧି କବଳାୟିତ କରି ସାରିଲାଣି। ମାତ୍ର ସେ ଏତେ ଅନ୍ତର୍ମୁଖୀ (ଇଣ୍ଟ୍ରୋଭର୍ଟ) ଥିଲା ଯେ ତା’ ଦୁଃଖ ପେଡ଼ିକୁ କାହାରି ଆଗରେ ଦିନେ ଖୋଲୁ ନଥିଲା।

କେତେଥର ତାକୁ ପଚାରିଥିଲି, ‘ଏବେ ତୁମେ ଗଣି କ’ଣ ଚିକିତ୍ସା କରୁଛ?’ ସେ ଏଡ଼େଇ ଦେଇ କହେ, ‘ହଁ, ସେ ସେମିତି ଚାଲିଛି। କିଛି ନୁହେଁ। ଭଲ ହୋଇଯିବ।’ ସେ ଏତେ ହାଲୁକା ଭାବରେ ତା’ର ସେ ପ୍ରାଣନାଶୀ ବ୍ୟାଧିକୁ ନେଇଥିଲା ଯେ ଯେତେବେଳେ କହିଲେ ସେ ତା’ ସ୍ୱଭାବସୁଲଭ ଫୁଲାଫାଙ୍କିଆ ଢ଼ଙ୍ଗରେ ଏମିତି ଜବାବ ଦେଇ ଚାଲିଥିଲା।

ସେଦିନ ଏକାଦଶୀ- ଅଗଷ୍ଟ ୧୦ ତାରିଖ ସକାଳୁ ସକାଳୁ ମୋ ସ୍ତ୍ରୀ ଟିଭି ଦେଖି ଚିତ୍କାର କରି ଉଠିଲା, ‘ଶୁଣୁଛ, ଗଣି…।’ ସେ ଆଉ କହି ପାରିଲାନି। ଆଖିକୁ ବିଶ୍ୱାସ କରି ପାରିଲାନି। ମୋ ପରିବାରର ଆଉ ଗୋଟିଏ ଭାଇ ଚାଲିଗଲା; ମୁଣ୍ଡରେ ବଜ୍ର ପଡ଼ିଗଲା। ସଂସାରର ନିୟମ ହେଉଛି, ପରିବାରର ବୟୋବୃଦ୍ଧଙ୍କର ପ୍ରଥମେ ମୃତ୍ୟୁ ହେବ, ତା’ପରେ ସାନମାନେ ସେଇ ମୃତ୍ୟୁ ଧାରାରେ ପଡ଼ି ନିଶ୍ଚିହ୍ନ ହୋଇଯିବେ ସଂସାରରୁ।

ମାତ୍ର ଗୃହକର୍ତ୍ତା ଯଦି ପାପୀ ହୋଇଥିବେ, ତେବେ ସେ ବଞ୍ଚିଥିବ ଓ ତା’ ଆଗରେ ପରିବାରରୁ ସାନମାନେ ଜଣକ ପରେ ଜଣେ ଚାଲି ଯାଉଥିବେ। ଏହା ମୋ କ୍ଷେତ୍ରରେ ହେଲା। ମୁଁ ବଞ୍ଚି ଥାଉଥାଉ ମୋର ଦୁଇ ପୁଅ, ମୋର ସୁନାମୁଣ୍ଡା ସାନଭାଇ କବି ଚାଲିଗଲା। ପଛେ ପଛେ ଗଣି ବି ଚାଲିଗଲା। ଏଇଥିରୁ ଲେଖକ କେତେ ବଡ଼ ପାପୀ, ସମସ୍ତେ ଜାଣୁଥିବେ। ଗଣି ଥିଲା ଗୁଣର ଭାଇଟିଏ। ତା’ର ପ୍ରତ୍ୟେକ ଲେଖାରେ ଜୀବନ ଥିଲା। ସାହିତ୍ୟ ପ୍ରତି ତା’ର ଅବଦାନ ଥିଲା। ଉତ୍କଳ ଭାରତୀର ସେ ଯୋଗ୍ୟ ପୁଅଟିଏ ଥିଲା।

ହଁ, ଦଉଡ଼ିଲି ତା’ ଘରକୁ। ସେଦିନ ଏତେ ବିବ୍ରତ ହୋଇପଡ଼ିଥିଲି ଯେ ଗଜପତି ନଗରର ତା’ ଘରକୁ କେତେଥର ଯାଇଥିଲେ ବି ସେଦିନ ଅଟୋ ଚାଳକଙ୍କୁ ଘରଟାକୁ ଦେଖାଇ ପାରିଲିନି। ମୋ ଆଖିର ଲୁହ ତା’ ଘରକୁ ପରିଷ୍କାର ଦେଖାଇ ଦେଉନଥିଲା। ଅଟୋ ଚାଳକ ହଠାତ୍ କହିଲା, ‘ଏଇଟା କି? ବହୁତ ଗାଡ଼ିମଟର ଏଠି ଜମା ହୋଇଛି।’ ଓହ୍ଲାଇ ପଡ଼ି ଅସନ୍ତୁଳିତ ଅବସ୍ଥାରେ ପହଞ୍ଚିଲି। ଗୋଡ଼ ଠିକ୍‌ ପଡ଼ୁନଥାଏ।

ମୋର ଦୟନୀୟ ଅବସ୍ଥା ଦେଖି ବନ୍ଧୁ ସୌରୀବନ୍ଧୁ କର ମତେ ଆସି ନେଇଗଲେ ଶବାଧାର ପାଖକୁ। ଗଣି ତା’ ଦାଣ୍ଡଘରେ ରଖା ହୋଇଥିବା କାଚ ଶବାଧାର ଭିତରେ ଶୋଇଥାଏ। କାଳପିଶାଚୀ କ୍ୟାନ୍‌ସର ତା’ ରୂପକୁ ବିରୂପ କରି ଦେଇଥାଏ। ତା’ ଶବାଧାର ଉପରେ ଫୁଲମାଳଟି ଥରିଲା ହାତରେ ଥୋଇଲା ବେଳେ ମତେ ଲାଗିଲା ସତେ ଯେମିତି ସେ ସେଇ ଚିରନିଦ୍ରା ଭଙ୍ଗୀରେ ଥାଇ କହୁଛି, ‘ଭାଇନା, ଲେଖି ଚାଲିଥିବ। ଲେଖା ବନ୍ଦ କରିବନି। ମୁଁ ଯେଉଁଠି ଥିଲେ ବି ପଢ଼ିବି ଆଉ ତୁମକୁ ମୋ ମତାମତ ଜଣାଇ ଦେବି। ଭାଇନା! ଲେଖି ଚାଲିଥିବ…।’

ଆଖିର ଲୁହକୁ ପୋଛି ଦେଉ ଦେଉ ସୌରୀବନ୍ଧୁ ପୁଣି ହାତ ଧରି ମତେ ବାହାରକୁ ନେଇ ଆସିଲେ।

ଘରେ ପହଞ୍ଚି ମୋ ଘରେ ବିଜେ କରିଥିବା ମହାପ୍ରଭୁ ଜଗନ୍ନାଥଙ୍କୁ ଜଣାଇଲି- ‘ତୋ’ ଆତ୍ମାକୁ ଶାନ୍ତି ଦିଅ। ପରିବାରକୁ ସାହସ ଦିଅ ଏ ଦୁଃଖ କଷ୍ଟକୁ ସହିଯିବା ପାଇଁ।’

ସୌଜନ୍ୟ-‘ଗଣେଶ୍ୱର ଗରିମା’

Comment