ସମ୍ବିତ ମହାପାତ୍ର

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜରେ ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୃତିଚାରଣ ବର୍ତ୍ତମାନ ପରବର୍ତ୍ତୀ ପିଢ଼ି ସହ ଗଣେଶ୍ୱରଙ୍କୁ ଯୋଡ଼ିବା ଲାଗି ଓଡ଼ିଶାଲାଇଭ୍ପକ୍ଷରୁ ଏହି କ୍ଷୁଦ୍ର ପ୍ରୟାସ

ଗଣେଶ୍ୱର ବାବୁଙ୍କ ସହ ବେଶ୍ କିଛି ସମୟ ଅତି ପାଖରୁ ମିଶିବାର ସୁଯୋଗ ପାଇଥିଲି। ପେସାଦାର ଜୀବନରେ ବୟସର ଲମ୍ବା ଦୂରତ୍ୱ ଥିଲେ ବି ଆମେ ଏକାଠି ହୋଇଥିଲୁ। ଏକ ଟିମ୍‌ ଗଠନର ପ୍ରୟାସ ମଧ୍ୟରେ। ଅବଶ୍ୟ ଅନେକ ଦିନରୁ ମୁଁ ଜାଣିଥିଲି ତାଙ୍କୁ। ମୋ ବାପା ଥିଲେ ଗଣେଶ୍ୱର ବାବୁଙ୍କ ସିନିୟର, ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ। ମୋ ମା’ ଗଣେ୍ଶ୍ୱର ବାବୁଙ୍କ ପତ୍ନୀ ସୁରଙ୍ଗଣୀ ଦେବୀଙ୍କୁ ଜାଣିଥିଲା କଟକରେ କଲେଜ ପଢ଼ିବାବେଳୁ। ପଢ଼ାରେ ମା’ ଥିଲା ତାଙ୍କଠାରୁ ସାନ। ଡାକୁଥିଲା ନାନୀ ଭାବରେ। ମୁଁ କିନ୍ତୁ ସନ୍ଦୀପର ବାପା ଭାବରେ ଅଧିକ ନିକଟତର ହୋଇଥିଲି। ଅତି ପ୍ରାରମ୍ଭରୁ ପ୍ରଚଣ୍ଡ ପ୍ରତିଭାଧାରୀ ସନ୍ଦୀପ ମୋତେ ପ୍ରଭାବିତ କରିପାରିଥିଲା। ପ୍ରଥମେ ପ୍ରଥମେ ଖେଳ ବିଟ୍‌ରେ କାମ କଲାବେଳେ ପରିଚିତ ହୋଇଥିଲି ଓ ଦେଖିପାରିଥିଲି ସୁନ୍ଦର ଭବିଷ୍ୟତ। ସନ୍ଦୀପର ବାପା ଯେ, ଗଣେଶ୍ୱର ବାବୁ ଜାଣିବା ପରେ ଆମ ସମ୍ପର୍କ ଅଧିକ ନିବିଡ଼ ହୋଇଥିଲା।

ଗଣେ୍ଶ୍ୱର ବାବୁଙ୍କୁ ଆମେ କିଛି ସାମ୍ବାଦିକ ‘ସାର୍‌’ ବୋଲି ସମ୍ବୋଧନ କରୁଥିଲୁ। ସାର୍‌ଙ୍କ ସହ ଘଣ୍ଟା ଘଣ୍ଟା କଟାଇବା ଭିତରେ ତାଙ୍କର ଚାରୋଟି ଜିନିଷ ମୋର ମନରେ ସବୁଦିନ ପାଇଁ ଘର କରି ରହିଯାଇଛି। ସେ ଯୁବା ବର୍ଗ ଉପରେ ଖୁବ୍‌ ଆଶାବାଦୀ ଓ ବିଶ୍ୱାସୀ ଥିଲେ। ୟଙ୍ଗ-ଟିମ୍‌ ସବୁକିଛି ସମ୍ଭବ କରାଇ ଦେଇପାରିବ ବୋଲି ତାଙ୍କର ଦୃଢ଼ମତ ଥିଲା। ଯୁବାଗୋଷ୍ଠୀଙ୍କୁ ଅନୁଭବୀ ବଡ଼ମାନେ ଗାଇଡ କରିବା ଦରକାର (ସ୍ୱାଧୀନତା ପ୍ରଦାନ କରି) ବୋଳି କହୁଥିଲେ।

ଯେଉଁ ସମୟ ଅତି ପାଖରୁ ମିଶିବାର ସୁଯୋଗ ପାଇଥିଲି ସେତେବେଳେ ତାଙ୍କ ଖାଦ୍ୟ ରୁଚି ମୋତେ ବଡ଼ ପ୍ରଭାବିତ କରିଥିଲା। ଆମିଷ ନୁହେଁ ପାରମ୍ପରିକ ଓଡ଼ିଆ ନିରାମିଷ ତରକାରୀ, ପିଠା ପଣା ତାଙ୍କର ବଡ଼ ପସନ୍ଦ ଥିଲା। ମୋର ସହଯୋଗୀ ସାମ୍ବାଦିକ ବିଶ୍ୱଭୂଷଣ ମିଶ୍ର ଓ ଆମେ କେତେଜଣ ଅନେକ ଦିନ ସାରଙ୍କ ସହ ଟିଫିନ୍ ଏକାଠି କରିଛୁ। ସାରଙ୍କୁ ଭଲ ଲାଗିବ ବୋଲି ରାଜଧାନୀର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ସୁଆଦିଆ ପାରମ୍ପରିକ ଖାଇବା ଜିନିଷ ବିଶ୍ୱ ପ୍ରାୟ ସବୁଦିନ ଆଣିବାକୁ ପ୍ରୟାସ କରିଥାଏ। ଅନ୍ତର ଖୋଲା ହସ ବାହାରି ଆସେ ତାଙ୍କ ମୁହଁରୁ ଆମେ ସବୁ ଖାଇବାକୁ ବସିଲେ।

ହଁ ଆଉ ଏକ ବିଷୟ ଲେଖିଲା ବେଳେ ମନେ ପଡ଼ିଯାଉଛି। ଶାଗ ଖାଇବାକୁ ବଡ଼ ପସନ୍ଦ କରୁଥିଲେ। ସୁନୁସୁନିଆ, ମଦରଙ୍ଗା, କଳମ ସହ ମିଶାମିଶି ଶାଗ ଆଣିବାକୁ ମୋତେ ଅନୁରୋଧ କରିଥିଲେ। ମୁଁ ବି ପାଇଲେ ନେଇଯାଉଥିଲି ତାଙ୍କ ପାଇଁ। ଘର ପୀଢ଼ି ପାଇଁ ପୁସ୍ତକ ମାଧ୍ୟମରେ ଜ୍ଞାନର ଭଣ୍ଡାରକୁ ସାଇତି କରି ରଖିଯିବା ଉଚିତ ବୋଲି କହୁଥିଲେ। ଏତେ ଦିନ ହେଲା ସାମ୍ବାଦିକତା କରି କାହିଁକି ମୁଁ କୌଣସି ଛାପା ପୁସ୍ତକ ବାହାର କରିନାହିଁ ବୋଲି ବିରକ୍ତ ହେବା ସହ ଶୀଘ୍ର ସଂକଳନ ପ୍ରକାଶ ପାଇଁ ଆଗ୍ରହ କର ବୋଲି ତାଗିଦ୍ କରୁଥିଲେ। ଅଳ୍ପ କିଛି ଗପ ମୁଁ ଲେଖିଛି। ସେ ସବୁ ପଢ଼ି ସନ୍ଦୀପ ମାଧ୍ୟମରେ ମତାମତ ଜଣାଇ ଦେଉଥିଲେ।

ସାମ୍ବାଦିକତାର କିଛି ପୁରୁଣା ଧାରା ଭାଙ୍ଗିବାର ପ୍ରୟାସ କରିଥିଲେ। ସମାଜର ପରିଚାଳନା ସମ୍ପାଦକ ଥିବାବେଳେ ଲମ୍ବା ସମ୍ପାଦକୀୟ ଧାରା ଛାଡ଼ି ସେ ଛୋଟରେ ଗହୀର କଥା କହିବାକୁ ଆରମ୍ଭ କରାଇଥିଲେ। ନୂଆ ଖବରକାଗଜ ଆମ୍ଭ ସମୟରେ ମୋତେ ସମ୍ପାଦକୀୟ ଲେଖିବାକୁ ଯୋଗାଇଥିଲେ ସୁଯୋଗ ଓ ସାହସ। ପ୍ରଥମଟି ପଢ଼ି ଏସ୍‌ଏମ୍‌ଏସ୍‌ରେ ଆଶୀର୍ବାଦମୂଳକ ବାହାବା ପଠାଇଥିଲେ ମୋ ପାଖକୁ। ଯାହା ଆଜି ବି ମୋ ଇନ୍‌ ବସ୍କରେ ଅଛି। ମୋ କଲେଜ ପତ୍ରିକାରେ ମୋ ବାପାଙ୍କ ଲିଖିତ ଏକ କବିତା ସେ ସାଇତି ରଖିଥିଲେ ପାଞ୍ଚ ଦଶକରୁ ବେଶି ସମୟ। ମୋତେ ତାହାର ଏକ ଜେରସ୍କ ଦେଇ ସେ ବାକ୍‌ଶୂନ୍ୟ କରିଦେଇଥିଲେ। ତାଙ୍କର ସରଳତା, ସବୁ ପରିସ୍ଥିତିରେ ସାମାନ୍ୟ ରହିପାରିବାର ଶକ୍ତି ଏବଂ ଛୋଟ ଛୋଟ ଜିନିଷରେ ଆନନ୍ଦ ପାଇବାର ଗୁଣ ମୋତେ ସଦା ଅଭିଭୂତ କରିଛି। ସେଥିରୁ କିଛି ଶିଖିବାର ଅସଫଳ ପ୍ରୟାସ ମୋର ଜାରି ରହିଛି।

ସୌଜନ୍ୟ-‘ଗଣେଶ୍ୱର ଗରିମା’

Comment