ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରୀଡ଼ା ଜଗତରେ ଓଡ଼ିଶା ଆଜି ଏକ ପ୍ରମୁଖ ଆକର୍ଷଣ ହୋଇପାରିଛି। ଏହି ସଫଳତା ପଛରେ ରହିଛି ଓଡ଼ିଶାର ପ୍ରବୀଣ ଓ ଯୁବ ତାରକା, ଦକ୍ଷ ପ୍ରଶିକ୍ଷକ ଏବଂ କ୍ରୀଡ଼ା ସଂଗଠକ ତଥା ପ୍ରଶାସକମାନଙ୍କର ଭୂମିକା। ଏହି ବ୍ୟକ୍ତିତ୍ଵମାନଙ୍କ ପେସାଦାର ଜୀବନ କାହାଣୀ, ସଂଘର୍ଷ ଓ ସଫଳତା ସହ ବିଭିନ୍ନ ଅଜଣା ଅକୁହା କଥା ରେକର୍ଡ କରି ଦର୍ଶକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍ ଆରମ୍ଭ କରିଛି ଏକ ସାପ୍ତାହିକ ଓ୍ଵେବ୍ ସିରିଜ୍ – ‘ସ୍ପୋର୍ଟସ୍ ଟକ୍ ଓ୍ଵିଥ୍ ସମ୍ଵିତ’।

ଏହି ସାକ୍ଷାତକାର ଭିତ୍ତିକ ସୋ’ ‘ସ୍ପୋର୍ଟସ୍ ଟକ୍ ଓ୍ଵିଥ୍ ସମ୍ଵିତ’ ଉପସ୍ଥାପନ କରିବେ ଓଡ଼ିଶାର ଜଣାଶୁଣା କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର। ପ୍ରାୟ ତିନି ଦଶନ୍ଧିର ସାମ୍ଵାଦିକତାର କ୍ୟାରିୟରରେ ସମ୍ଵିତ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଓ କାର୍ଯ୍ୟକ୍ରମର ରିପୋର୍ଟିଂ କରିବା ସହିତ ନିଜ ଷ୍ଟାଇଲରେ ସମୀକ୍ଷା କରି ସ୍ଵତନ୍ତ୍ର ପରିଚୟ ହାସଲ କରିଛନ୍ତି।

‘ସ୍ପୋର୍ଟସ୍ ଟକ୍ ଓ୍ଵିଥ୍ ସମ୍ଵିତ’ କାର୍ଯ୍ୟକ୍ରମର ପ୍ରଥମ ଅଧ୍ୟାୟ ଅଗଷ୍ଟ ୩ ତାରିଖରେ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଫେସବୁକ୍ ପେଜ୍‌ରେ ପ୍ରସାରିତ ହେବ। ଆଗାମୀ ସପ୍ତାହଠାରୁ ଏହା ପ୍ରତି ବୁଧବାର ଦିନ ପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଛି।

‘ସ୍ପୋର୍ଟସ୍ ଟକ୍ ଓ୍ଵିଥ୍ ସମ୍ଵିତ’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାଲାଇଭ୍‌ର ଦେଶ ବିଦେଶରେ ଥିବା ଦର୍ଶକମାନେ ପ୍ରତି ସପ୍ତାହରେ ଦେଖିବାକୁ ପାଇବେ ନୂଆ ନୂଆ ଚେହେରା, ସେମାନଙ୍କ ଜୀବନ କାହାଣୀ ଓ ଅଭୁଲା କଥା। ଡିଜିଟାଲ ମିଡିଆ ମାଧ୍ୟମରେ ଦର୍ଶକମାନଙ୍କୁ ଆକର୍ଷିତ କରିବା ପାଇଁ ଏହି ସାକ୍ଷାତକାରର ଭିଡିଓଗୁଡ଼ିକ ଫୋର୍-କେ ରିଜୋଲ୍ୟୁସନରେ ପରିବେଷଣ କରାଯିବ। ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲ ସହ ଏହାର ବିଭିନ୍ନ ସୋସିଆଲ ପ୍ଲାଟଫର୍ମରେ ଏହି ସାକ୍ଷାତକାର ପ୍ରସାରଣ କରାଯିବ।

“କ୍ରୀଡ଼ାକୁ ନେଇ ଓଡ଼ିଶାର ଗଣମାଧ୍ୟମ, ବିଶେଷକରି ଡିଜିଟାଲ ମିଡିଆରେ କୌଣସି ନିୟମିତ କାର୍ଯ୍ୟକ୍ରମ ହେଉ ନାହିଁ। ତେଣୁ ରାଜ୍ୟର ଏକ ଅଗ୍ରଣୀ ଡିଜିଟାଲ ମିଡିଆ ଫ୍ଲାଟଫର୍ମ ଭାବେ ପ୍ରତିଷ୍ଠିତ ଓଡ଼ିଶାଲାଇଭ୍ ଏହି ଅଭାବକୁ ଦୂର କରିବା ପାଇଁ ଆରମ୍ଭ କରିଛି ଏହି ନୂଆ ସିରିଜ୍। କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ଥିବା ମୋର ଦୀର୍ଘ ବର୍ଷର ଅନୁଭୂତିକୁ ନେଇ ଏହି ସାକ୍ଷାତକାରଟିକୁ ମୁଁ ଉପସ୍ଥାପନା କରିବି। ପ୍ରତି ସପ୍ତାହରେ ମୋ ସହିତ ରହିବେ କ୍ରୀଡ଼ା ଜଗତର ନୂଆ ନୂଆ ବ୍ୟକ୍ତିତ୍ଵ। ତାଙ୍କ ମୁହଁରୁ ଶୁଣିବା ସେମାନଙ୍କ କ୍ରୀଡ଼ା ଜୀବନ କାହାଣୀ। ଆଶା କରୁଛି, ଏହି କାର୍ଯ୍ୟକ୍ରମକୁ ଦର୍ଶକମାନେ ଅନେକ ଭଲପାଇବା ଦେବେ”, ଏହି ସିରିଜ୍ ଲଞ୍ଚ ହେବା ଅବସରରେ କହିଛନ୍ତି ‘ସ୍ପୋର୍ଟସ୍ ଟକ୍ ଓ୍ଵିଥ୍ ସମ୍ଵିତ’ କାର୍ଯ୍ୟକ୍ରମର ଉପସ୍ଥାପକ ତଥା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ଵିତ ମହାପାତ୍ର।

ଏହି ଅବସରରେ ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ସମ୍ପାଦକ ତଥା ସିଇଓ ନୀଳାମ୍ଵର ରଥ କହିଛନ୍ତି, “ଓଡ଼ିଶାରୁ ପ୍ରସାରିତ ଓ୍ଵେବ୍ ଏବଂ ସୋସିଆଲ ଚ୍ୟାନେଲଗୁଡ଼ିକ ମଧ୍ୟରେ ଓଡ଼ିଶାଲାଇଭ୍ ଆଜି ଦେଶ ବିଦେଶରେ ଦର୍ଶକମାନଙ୍କ ସହ ଯୋଡ଼ି ହୋଇପାରିଛି। ୨୦୧୨ ମସିହାରୁ ପ୍ରସାରିତ ଏହି ମିଡିଆ, ଖବର ପରିବେଷଣ ସହ ଓଡ଼ିଶାର କଳା, ସଂସ୍କୃତି, ବ୍ୟକ୍ତିତ୍ୱ ଏବଂ ବିଭିନ୍ନ ବିଷୟ ଉପରେ ଉଚ୍ଚମାନର ଭିଡିଓ ପ୍ରସ୍ତୁତ କରି ପାଠକ ଓ ଦର୍ଶକମାନଙ୍କ ଭଲପାଇବା ହାସଲ କରିଛି। ନିକଟରେ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲ ୧୦ ଲକ୍ଷ ସବ୍‌ସ୍କ୍ରାଇବର ସଂଖ୍ୟା ଅତିକ୍ରମ କରିଛି। ପାଠକ ଏବଂ ଦର୍ଶକମାନଙ୍କ ଆଗ୍ରହକୁ ନଜରରେ ରଖି ଓଡ଼ିଶାଲାଇଭ୍‌ ଏହାର ଯାତ୍ରାରେ ସାମିଲ କରିବାକୁ ଯାଉଛି ଏକ ନୂଆ କ୍ରୀଡ଼ା ସିରିଜ୍ ‘ସ୍ପୋର୍ଟସ୍ ଟକ୍ ଓ୍ଵିଥ୍ ସମ୍ବିତ’। ଖୁସିର କଥା ଯେ, ସମ୍ଵିତ ମହାପାତ୍ରଙ୍କ ଭଳି ଓଡ଼ିଶାର ଜଣେ ପରିଚିତ ତଥା ପ୍ରତିଭାବାନ କ୍ରୀଡ଼ା ସାମ୍ଵାଦିକ ଏହାକୁ ଉପସ୍ଥାପନ କରୁଛନ୍ତି।”

ଏହି ଅବସରରେ ଶ୍ରୀଯୁକ୍ତ ରଥ ସମ୍ଵିତ ମହାପାତ୍ରଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି। ଦର୍ଶକମାନଙ୍କ ମତାମତକୁ ଆଧାର କରି ଆଗାମୀ ଦିନରେ ଏହି ଡିଜିଟାଲ ସୋ’କୁ ଉଚିତ ରୂପରେଖ ଦିଆଯିବ ବୋଲି ସେ କହିଛନ୍ତି।

Tags: #Sports #SportsTalkwithSambit #OdishaSports #SportsTalk #SportsInterview #OdishaLIVE

LEAVE A REPLY

Please enter your comment!
Please enter your name here