ପ୍ରତିଭା ରାୟ

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜରେ ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୃତିଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ ପିଢ଼ି ସହ ଗଣେଶ୍ୱରଙ୍କୁ ଯୋଡ଼ିବା ଲାଗି ଓଡ଼ିଶାଲାଇଭ୍‌ ପକ୍ଷରୁ ଏହି କ୍ଷୁଦ୍ର ପ୍ରୟାସ।

ଜୀବନ ହେଉଛି ଏକ ଯାତ୍ରା। କିନ୍ତୁ କେଉଁଠି ସରିବ ତାହାର ରୋଡମ୍ୟାପ୍ ମଣିଷ ହାତରେ ନଥାଏ। ଏପରି ଏକ ସ୍ୱାସ୍ଥ୍ୟ ସମସ୍ୟା ଅଛି ଯାହା ନିର୍ଦ୍ଦିଷ୍ଟ ତାରିଖ ନ ହେଲେ ମଧ୍ୟଯାତ୍ରା ସମାପ୍ତିର ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ମଣିଷ ହାତରେ ଧରାଇ ଦିଏ।

ତା’ ପରେ ମଣିଷ ପ୍ରତି ମୁହୂର୍ତ୍ତରେ ମରେ କି ପ୍ରତି ମୁହୂର୍ତ୍ତରେ ବଞ୍ଚେ ତାହା ସେହି ଜୀବନ ପ୍ରେମୀ ବନ୍ଧୁପ୍ରେମୀ, ମଣିଷପ୍ରେମୀ ମଣିଷଟିକୁ ଜଣା।

ମଣିଷକୁ ଜଣା ନଥାଏ ଯେ ଆଉ କେତେଦିନ ସେ କାହା ସଙ୍ଗେ ରହିବ। କିନ୍ତୁ ତା’ ସତ୍ତ୍ବେ ମଣିଷ କେବେହେଲେ କହିପାରେ ନାହିଁ ଯେ ବନ୍ଧୁ! ମୁଁ ତୁମର ସ୍ୱାଭିମାନକୁ ଶ୍ରଦ୍ଧା କରେ, ତୁମର ଜ୍ଞାନଗରିମାକୁ ସମ୍ମାନ ଜଣାଏ।

ତମକୁ ହରାଇ ଦେବାକୁ ଚାହେଁ ନାହିଁ। ଭଲ କଥା ପଦେ କହିବାକୁ ମଣିଷର କେତେ କୁଣ୍ଠା! କିନ୍ତୁ ହାତ ମୁଠାରେ ପାଣି ପରି ଯେତେବେଳେ ସମୟ କୋଉ ଖଞ୍ଜରେ ନିଗିଡ଼ି ଯାଏ, ଆଞ୍ଜୁଳାଏ ଶ୍ରଦ୍ଧାଜଳ ଅର୍ପଣ କରିବା ପାଇଁ ହାତ ଖୋଲିବା ବେଳକୁ ସବୁ ଶୂନ୍ୟ ହୋଇଯାଇଥାଏ। ତୁମର କୃତଜ୍ଞତା ଓ ସମ୍ମାନ ଗ୍ରହଣ କରିବାକୁ, ତୁମ ଆଖିର ଦୁଇବୁନ୍ଦା ଲୁହ ଦେଖିବାକୁ ସେ ମଣିଷଟି ନଥାଏ।

ସେହି ଭାବକୃପଣ ମଣିଷମାନଙ୍କ ଭିତରୁ ମୁଁ ଜଣେ। ସ୍ୱାଭିମାନୀ ପ୍ରଫେସର ଲେଖକ, ଅନୁବାଦକ, ଶିକ୍ଷାବିତ୍‌, କବି, ଗବେଷକ, ଔପନ୍ୟାସିକ, ଭ୍ରମଣ କାହାଣୀ ଲେଖକ, ଶିଶୁ ସାହିତ୍ୟିକ, ଆତ୍ମଜୀବନୀ ପୁସ୍ତକ ଆଦି ଲେଖି ଉତ୍କଳ ଭାରତୀଙ୍କ ଭଣ୍ଡାରକୁ ସମୃଦ୍ଧ କରିଥିବା ଗଣେଶ୍ୱର ମିଶ୍ର କେତେ ସ୍ୱାଭିମାନୀ ଥିଲେ ସେକଥା ଆଜି ତାଙ୍କର ଅବର୍ତ୍ତମାନରେ ଆମେ ମୁକ୍ତକଣ୍ଠରେ ସ୍ୱୀକାର କରୁଛୁ। ମୁକ୍ତ କଣ୍ଠରେ ସ୍ୱୀକାର କରୁଛୁ ତାଙ୍କର ସ୍ୱାଭିମାନୀ ବ୍ୟକ୍ତିତ୍ୱର ଗରିମାକୁ। ଏହା ସଚରାଚର ଘଟେ। ଶେଷ ଜୀବନରେ ସାମ୍ବାଦିକତାରେ ମଧ୍ୟ ତାଙ୍କର ନିରପେକ୍ଷତା ଓ ଦକ୍ଷତା ସେ ପ୍ରମାଣ କରିଯାଇଛନ୍ତି।

ଓଡ଼ିଶା ସାହିତ୍ୟ ଏକାଡେମୀ ଉତ୍କଳ ସମ୍ମାନ, ଇତ୍ୟାଦି ଅନେକ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି। ଦେଶ ବିଦେଶରେ ଅନେକ ଶିକ୍ଷା ଓ ସାହିତ୍ୟ ସମ୍ମିଳନୀରେ ସେ ପ୍ରବନ୍ଧ ଉପସ୍ଥାପନ କରି ନିଜର ପ୍ରଜ୍ଞା ଓ ପ୍ରତିଭାର ପରିଚୟ ଦେଇ ଉତ୍କଳୀୟ ମାନଙ୍କର ସମ୍ମାନ ବଢ଼ାଇଛନ୍ତି। ଜଣେ ଦକ୍ଷ ଇଂରାଜୀ ପ୍ରଫେସର ଭାବରେ ସେ ବିଦେଶରେ ଅନେକ ବର୍ଷ କଟାଇଛନ୍ତି। ଏବଂ ଓଡ଼ିଆ ମାଟିର ଗୌରବ ବଢ଼ାଇଛନ୍ତି। ୨୦୦୫ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ସେ ଅଳଙ୍କୃତ କରି ସୁନାମ ବଜାୟ ରଖି ସେଥିରୁ ଅବ୍ୟାହତ ନେଇଥିଲେ। ସେ ଅନେକ ସାମାଜିକ ସାଂସ୍କୃତିକ ସାରସ୍ୱତ ଅନୁଷ୍ଠାନର ବିଭିନ୍ନ ପଦରେ ରହି ନିଜର ଦାୟି୍ତ୍ୱ ସମ୍ପନ୍ନ କରିଥିଲେ। କିନ୍ତୁ କେବେ କୌଣସି ଦିନ ସେ ନିଜର ଜ୍ଞାନ, କୃତି ଓ ପଦପଦବୀର ଡିଣ୍ଡିମ ବଜାଇ ନଥିଲେ।

ଏଭଳି ଏକ ନମ୍ର ନୀରବ ସାଧକଙ୍କର ସ୍ୱାଭିମାନକୁ କେହି କେବେ ଆତ୍ମବଡ଼ିମା ବୋଲି ଭାବିଥିବେ ଏକଥା ସ୍ୱୀକାର କରିହେବ ନାହିଁ। ଗଣେଶ୍ୱର ବାବୁଙ୍କ ସହ ମୋର ଖୁବ୍ ଅନ୍ତରଙ୍ଗତା ନଥିଲେ ମଧ୍ୟ ବିଶେଷ ଦୂରତା ନଥିଲା।

ଯେତେବେଳେ ସେ ଗଜପତିନଗରରେ ଆସି ବସବାସ କଲେ ସେତେବେଳେ ମୁଁ ଖୁସି ହୋଇଥିଲି ଏବଂ ଭାବିଥିଲି ଯେ ଏହିଭଳି ଜଣେ ଲେଖକ ବନ୍ଧୁଙ୍କର ଅବସ୍ଥାନ ଗଜପତିନଗରର ଗୌରବ ବଢ଼ାଇବ। ତାଙ୍କ ଘରର ପଛ ପାଖରେ ମୁଁ ବହୁବର୍ଷ ହେଲା ବସବାସ କଲିଣି। ମୁଁ ଭାବେ ଆମେ ଏକା ଗାଁର ଲୋକ। ସେ ବି ସେମିତି ଭାବୁଥିବେ। କିନ୍ତୁ ପରିତାପ ଓ ବିସ୍ମୟର କଥା ଯେ, ତାଙ୍କ ପିଲାମାନଙ୍କର ବିବାହ ଉତ୍ସବରେ ମୁଁ ଯୋଗ ଦେଇଥିଲେ ମଧ୍ୟ ତାଙ୍କ ଗଜପତିନଗର ବାସଭବନକୁ ଯାଇଛି ମାତ୍ର ଦୁଇଥର।

ଥରେ ମୋର ଶିକ୍ଷକ ସ୍ୱର୍ଗତଃ ଯତିନ୍ଦ୍ର ମୋହନ ମହାନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପରେ ଗଣେ୍ଶ୍ୱର ବାବୁଙ୍କ ଘରେ ତାଙ୍କ ପାଇଁ ଅଭିନନ୍ଦନ ଉତ୍ସବ ସମୟରେ। ଆଉ ଥରେ, ତାଙ୍କ ଦ୍ୱିତୀୟ ପୁତ୍ର ସିଦ୍ଧାର୍ଥର ଅକାଳ ବିୟୋଗର କିଛିଦିନ ପରେ ତାଙ୍କ ପାଖରେ ନୀରବରେ ବସି ରହି ମୋର ସମବେଦନା ଜଣାଇବା ପାଇଁ।

ଏପରି ଦୁଃଖରେ ବାପ ମା’ଙ୍କୁ ସମବେଦନା ଜଣାଇବା ପାଇଁ ଶବ୍ଦ ନଥାଏ। କିନ୍ତୁ ଦ୍ୱାର ମୁହଁରୁ ଫେରି ଆସିଲି। ଗଣେଶ୍ୱର ବାବୁ ଘରେ ନଥିଲେ। ବଡ଼ପୁଅ ସୁବ୍ରତ ସହ ଦୁଇପଦ କଥାବାର୍ତ୍ତା ହୋଇ ସାର୍‌ଙ୍କୁ ଜଣାଇ ଦେବା ପାଇଁ କହିଥିଲି। ସାର୍‌ଙ୍କ ସହ କେବେ କେମିତି ଆବଶ୍ୟକ ପଡ଼ିଲେ ଫୋନ୍‌ରେ କଥାବାର୍ତ୍ତା ହୁଏ। ଦୁହେଁ ଦୁହିଁଙ୍କ ଘରକୁ ଆସିବା ପାଇଁ ପ୍ରତିଶ୍ରୁତି, ପ୍ରତିଶ୍ରୁତିରେ ରହିଯାଏ।

କିନ୍ତୁ ଭୁବନେଶ୍ୱର କେନ୍ଦ୍ରାଞ୍ଚଳକୁ ଯିବା ସମୟରେ ମୁଖ୍ୟ ସଡ଼କ ଉପରେ ସାରଙ୍କ ଘର ଆଗକୁ ଦୃଷ୍ଟି ଅନାୟାସରେ ଟାଣି ହୋଇଯାଏ, ଅର୍ଥାତ୍ ଗଣେଶ୍ୱର ବାବୁ ସେଠି ରହୁଛନ୍ତି।

ମଣିଷକୁ କେତେ କେତେ ଦୁଃଖ ସହିବାକୁ ଜନ୍ମ ହୋଇଥାଏ ଭାବିଲେ ଈଶ୍ୱରଙ୍କ ଛଡ଼ା ଆଉ କାହାରିକୁ ପ୍ରଶ୍ନ କରି ହୁଏନି। ଏତିକି ଉପଲବ୍ଧ ହୁଏ ଯେ ଇଶ୍ୱର ମଣିଷକୁ ଯେତେ ଶକ୍ତ ଆଘାତ ଦିଅନ୍ତି ତା’ଠାରୁ ଅଧିକ ଶକ୍ତି ଦେଇଥା’ନ୍ତି ସେହି ଦୁଃଖକୁ ସହିବା ପାଇଁ। ତେଣୁ ମଣିଷ ଅଭାବିତ ଦୁଃଖକୁ ବହନ କରି ତଥାପି ବି ବଞ୍ଚିରହେ, ଜୀବନକୁ ଭଲ ପାଇ ଜାବୋଡ଼ି ଧରିଥାଏ।

ଗଣେଶ୍ୱର ସେହିଭଳି ଗୋଟାକ ପରେ ଗୋଟାଏ ଦାରୁଣ ଦୁଃଖ ସହି ଚାଲିଥିଲେ। ସାର୍‌ଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଦୁଃସମ୍ବାଦ ପାଇଲା ପରେ ତାଙ୍କ ଘରକୁ ଯାଇ କ’ଣ କହିବି ବୋଲି ଭାବି ଯାଇପାରିଲି ନାହିଁ। ପ୍ରାୟ ବର୍ଷକ ତଳେ ଆପୋଲୋ ହସ୍ପିଟାଲରେ ସାର୍‌ଙ୍କ ସହ ଦେଖା ହେଲା। ଆଉଟଡୋରରେ ଅପେକ୍ଷା କରିଥିଲି ପାଦର ସ୍ପ୍ରେନ୍‌ ଡାକ୍ତରକୁ ଦେଖାଇବା ପାଇଁ। ସାର୍‌ଙ୍କ ସ୍ୱାସ୍ଥ୍ୟର ଅବନତି ଦ୍ରୁତ ଗତିରେ ହେଉଛି ବୋଲି ତାଙ୍କ ଚେହେରାରୁ ଜାଣିଲି। ନମସ୍କାର କଲି। ସେ ମୋର ଭଲମନ୍ଦ ପଚାରିଲେ, କହିଲେ ବସନ୍ତୁ। କେତେ ସମୟ ଠିଆ ହେବେ! ଦୁହେଁ ବସିଲୁ, ନିଜ ଆଡୁ କହିଲେ “ମୋ କଥା ଜାଣିଛନ୍ତି ତ! ଦବିଲା ସ୍ୱରରେ କହିଲି ସବୁ ଜାଣିଛି ସାର୍। ଇଚ୍ଛା ହେଲେ ମଧ୍ୟ ଆପଣଙ୍କ ଘରକୁ ଆସିପାରେ ନାହିଁ। କାଳେ ବ୍ୟସ୍ତ ଥିବେ। ବିଶ୍ରାମ ନେଉଥିବେ।” ପଚାରିଲେ ରାୟ ବାବୁଙ୍କୁ ଆଜିକାଲି ଆଉ ଦେଖୁନାର୍ହି। ସେ କ’ଣ ଆଜିକାଲି ଆଉ ମର୍ଣ୍ଣିଂୱାକ୍‌ କରୁ ନାହାନ୍ତି କି? ସ୍ୱାସ୍ଥ୍ୟ ଭଲ ଅଛି ତ?

ଶ୍ରୀଯୁକ୍ତ ରାୟ ମର୍ଣ୍ଣିଂ ୱାକ୍‌ରୁ ଫେରିବା ବେଳେ ପଡ଼ିଯାଇ ଦୁଇ ହାତ ମଲ୍ଟିପୁଲ୍ ଫ୍ରାକ୍‌ଚର ହେଲା। ଆପୋଲୋରେ ଦୁଇ ମାସ ରହିଲେ। ହାତରେ ଜଟିଳ ଅପରେସନ୍‌ ହେଲା ତା’ ପରେ ବାହାରେ ଚାଲିବାକୁ ତାଙ୍କୁ ବାରଣ କରାଯାଇଛି। ଆମରି ହତା ଭିତରେ ଯାହା ଚାଲୁଛନ୍ତି” ଏକଥା ମୁଁ କହିଲି। ସାର୍ ବ୍ୟସ୍ତ ହେଲେ। କହିଲେ “ପ୍ରତିଭା ଦେବୀ। ମୋ କଥା ଆପଣ ସବୁ ଜାଣିଛନ୍ତି କି? ପୁଅ କଥା ଜାଣିଥିବେ, ମୋର ସ୍ୱାସ୍ଥ୍ୟ କଥା ଜାଣିଥିବେ, କିନ୍ତୁ ମୋ ସ୍ତ୍ରୀ ସୁରଙ୍ଗିଣୀ ଯେ ଏବେ କିଡ୍‌ନୀ ରୋଗରେ ଗୁରୁତର ଅସୁସ୍ଥ, ସେ କଥା ବୋଧହୁଏ ଜାଣିନାହାନ୍ତି।

ଦୁଇଜଣ ଯାକ ଅପୋଲୋ ଡାକ୍ତରଖାନାର ନିୟମିତ ରୋଗୀ। ମୁଁ ଚୁପ୍‌ ରହିଲି। ପ୍ରକୃତରେ ଜାଣି ନଥିଲି ମିସେସ୍‌ ମିଶ୍ରଙ୍କର ଅସୁସ୍ଥତା ସମ୍ପର୍କରେ। ସାର୍ ଗୋଟିଏ କଥା କହିଲେ ଯାହା ଭୁଲ୍ ହେବ ନାହିଁ। କହିଲେ “ଏହି ଅସୁସ୍ଥତା ଓ ଚିକିତ୍ସା ପ୍ରକ୍ରିୟାରେ ମୁଁ ଗୋଟିଏ କଥା ଭାବୁଛି ରୋଗଟାଏ ହେଲେ ଏତେ ଟଙ୍କା ଖର୍ଚ୍ଚ ହୁଏ ଯେ, ଆମ ଭଳି ମଧ୍ୟବିତ୍ତମାନଙ୍କୁ ବି ବଳେଇ ପଡ଼େ। ମନେହୁଏ ପଇସା ସରିଗଲେ ଜୀବନ ସରିଯିବ। ଜଣେ ସାଧାରଣ ଲୋକ ବା ଖଟିଖିଆ ଗରିବ ଲୋକ ଏ ସଂସାରରେ କେମିତି ବଞ୍ଚିଛନ୍ତି! ଏପରି ଗୋଟା ଗୋଟେ ରୋଗ ହେଲେ ସେମାନେ ଖଟି ପାରିବେ ନାହିଁ କି ଚିକିତ୍ସା କରିପାରିବେ ନାହିଁ। ବିନା ଚିକିତ୍ସାରେ କେତେ ଲୋକ ମରିଯାଉଥିବେ ତାହାହିଁ ମୁଁ ଭାବୁଛି।” ନିଜେ ଜୀବନର ଦିନ ଗୁଣୁଥିବା ବେଳେ ଗରିବ ଖଟିଖିଆଙ୍କ ପାଇଁ ଏପରି ଭାବନା ତାଙ୍କ ଦରଦୀ ପ୍ରାଣର ଉଜ୍ଜ୍ବଳ ଦିଗଟିକୁ ଦର୍ଶାଇ ଦେଇ ମୋତେ ଅଭିଭୂତ କରିଦେଲା। ଏହାହିଁ ଥିଲା ସାର୍‌ଙ୍କ ସହ ଶେଷ କଥୋପକଥନ।

ତା ୧୦.୦୮.୨୦୧୫ର ପ୍ରତ୍ୟୁଷରେ ସ୍ୱାଭିମାନୀ ପ୍ରଫେସର ଗଣେଶ୍ୱର ମିଶ୍ରଙ୍କ ଜୀବନର ଅବସାନ ହେଲା। ସକାଳର ବ୍ୟସ୍ତତା ଭିତରେ ସକାଳର ବ୍ୟସ୍ତ ଭିତରେ ଟି.ଭି. ଖୋଲି ପାରେ ନାହିଁ ବୋଲି ସାରଙ୍କ ମୃତ୍ୟୁ ଖବର ବିଳମ୍ବରେ ପ୍ରଫେସର୍ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଠାରୁ ଶୁଣିଲି। ସେତେବେଳକୁ ଖରାଟାଣ ହୋଇଯାଇଥିଲା। ହାତପାଖରେ କେହି ନ ଥିଲେ ନାଲ୍‌କୋ ଛକରୁ ଫୁଲଟିକେ ଆଣିବା ପାଇଁ। ସେତେବେଳେ ଘରେ ଗାଡ଼ିନଥିଲା। ଏମିତି ଦ୍ୱନ୍ଦ୍ବରେ ପଡ଼ି ଆଉଟିକେ ବିଳମ୍ବ କରି ଦେଲି। ପ୍ରଫୁଲ୍ଲ ବାବୁ ଆଉ ଥରେ ଫୋନ୍‌ କଲେ। ଗଣେ୍ଶ୍ୱର ବାବୁଙ୍କୁ ଏବେ ଯାଏ ଘରେ ରଖିଛନ୍ତି। ଯାଇ ଦେଖି ଆସନ୍ତୁ। ମୋ ଘରେ ବସି ଡି.ଟି.ପି. କରୁଥିବା ପିଲାକୁ ମୋଟର ସାଇକେଲରେ ପଠାଇଲି ଗଣେ୍ଶ୍ୱର ବାବୁ ସେ ପର୍ଯ୍ୟନ୍ତ ଘରେ ଅଛନ୍ତି କି ନା? ଆଉ କେତେ ସମୟ ରଖିବେ? ସେ କଥା ବୁଝି ନାଲକୋ ଛକରୁ ଫୁଲ ନେଇ ଶୀଘ୍ର ମୋ ପାଖକୁ ଆସିବାକୁ। ପାଞ୍ଚମିନିଟ ଭିତରେ ସେ ଫୋନ୍‌ କରି ଜଣାଇଲା ଯେ “ଆମ୍ବୁଲାନ୍ସ ଠିଆ ହୋଇଛି, ଏବେ ତାଙ୍କୁ ନେଇଯିବେ। ନିର୍ଦ୍ଦେଶ ଦେଲି ଫୁଲ ଥାଉ ତୁରନ୍ତ ମୋ ପାଖରେ ପହଞ୍ଚ।

ଚଲାବାଟ ହେଲେ ମଧ୍ୟ ସେତିକି ସମୟ ସାର୍‌ଙ୍କୁ ରଖିବେ ନାହିଁ ଭାବି ବଗିଚାରୁ ଫୁଲ ତୋଳିଲି ଏବଂ ନରୋତ୍ତମ ପହଞ୍ଚିବା ମାତ୍ରେ ତା’ ମୋଟର ସାଇକେଲ୍ ପଛରେ ବସି ସାରଙ୍କ ଦ୍ୱାର ମୁହଁରେ ଓହ୍ଲାଇବା ବେଳକୁ ଆଖି ସାମ୍ନାରେ ସାରଙ୍କୁ ନେଇ ଆମ୍ବୁଲାନ୍ସ ଟି ଚାଲିଯାଉଥିବାର ଦେଖିଲି। “ସାହିତ୍ୟିକ ସ୍ୱର୍ଗତଃ ପ୍ରସନ୍ନ କୁମାର ମିଶ୍ରଙ୍କ ଝିଅ ଓ ଗଣେଶ୍ୱର ମିଶ୍ରଙ୍କ ବୋହୂ ପ୍ରାଚୀପ୍ରଭା କହିଲା ବାପାଙ୍କୁ ଉତ୍କଳ ଇଉନିଭରସିଟି ଇଂରାଜୀ ବିଭାଗ ପାଖରେ କିଛି ସମୟ ରଖିବେ। ନରୋତ୍ତମ ପଛରେ ମୋଟର ସାଇକେଲରେ ବସି ନିର୍ଦ୍ଦେଶ ଦେଲି ବାଣୀବିହାର ଚାଲ। ମୋଟର ସାଇକେଲରେ ବସିବା ତାହା ମୋର ପ୍ରଥମ ଅନୁଭୂତି। ଭୟ ଲାଗୁଥାଏ କିନ୍ତୁ ସାରଙ୍କୁ ଦର୍ଶନ କରିବାକୁ ଆସିବାର ବିଳମ୍ବତାନିତ ଗ୍ଲାନି ଭୟ ଭୁଲାଇ ଦେଉଥାଏ। ବାଣୀବିହାର ଇଂରାଜୀ ବିଭାଗ ସମ୍ମୁଖରେ ଓହ୍ଲାଇବା ବେଳକୁ କିଛି ଛାତ୍ର ଓ ଅଧ୍ୟାପକ ଉପସ୍ଥିତ ଥିଲେ। ମୋତେ ମୋଟର ସାଇକେଲରେ ଓହ୍ଲାଇବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ ଉଦ୍ଦେଶ୍ୟ ଜାଣି ପାରିଲେ। କହିଲେ “ଏଇ ସଂଗେ ସଂଗେ ଓଡ଼ିଆ ସାହିତ୍ୟ ଏକାଡେମୀକୁ ନେଇଗଲେ। ସେଠାରୁ ପୁରୀ ନେଇଯିବେ। ଏଠି ଦୁଇ ତିନି ମିନିଟ୍ ଖାଲି ରହିଲେ।

କିଛି ଉତ୍ତର ନଦେଇ ଫେରି ଆସିଲି କାରଣ ମୋଟର ସାଇକେଲ ପଛରେ ବସି ସାହିତ୍ୟ ଏକାଡେମୀ ପର୍ଯ୍ୟନ୍ତ ଯିବା ଯାଏ ସେଠାରୁ ମଧ୍ୟ ଗାଡ଼ି ବାହାରି ଯାଇଥିବ। ଫେରି ଆସି ସାରଙ୍କ ଘର ପାଖରେ ଓହ୍ଲାଇଲି। ଭିତରକୁ ଯାଇ ସୁରଙ୍ଗିଣୀ ଦେବୀଙ୍କୁ ଦେଖା କଲି। ବୋହୂ ହାତରେ ଫୁଲ କେତୋଟି ଦେଇ କହିଲି ସାର୍‌ଙ୍କ ଫଟୋପାଖରେ ରଖିଦିଅ। ମୁଁ ବୁଝି ପାରୁଛି ଯେ, ସ୍ୱାଭିମାନୀ ପ୍ରଫେସର ଅଭିମାନ କଲେ। ତାଙ୍କ ବାଡ଼ି ପଛର ପଡୋଶୀ ମୁଁ। କାହିଁକି ସେ ମୋତେ ଅପେକ୍ଷା କରିଥା’ନ୍ତେ? ସେ ତ ଏସବୁ ଲୌକିକତା ଓ ପ୍ରାର୍ଥିବ ସ୍ନେହ ଶ୍ରଦ୍ଧାର ବହୁ ଉର୍ଦ୍ଧ୍ବକୁ ଚାଲି ଯାଇଥିଲେ। ତାଙ୍କର କିଛି କ୍ଷତିହେଲାନି। କ୍ଷତି ମୋର ହେଲା।” ସେହି ଅମର ଆତ୍ମାକୁ ପ୍ରଣାମ ଜଣାଇ ଫେରି ଆସିଲି।

ଶୋକାକୁଳ ପରିବାରକୁ ବିଶେଷକରି ସୁରଙ୍ଗିଣୀ ଦେବୀଙ୍କୁ ପରମେଶ୍ୱର ଯେଉଁ ଦୁଃଖ ଦେଇଛନ୍ତି ତାକୁ ଅତିକ୍ରମ କରିବାର ଶକ୍ତି ସେ ଦିଅନ୍ତୁ ଓ ଆଶୀର୍ବାଦ କରନ୍ତୁ।

ସୌଜନ୍ୟ-‘ଗଣେଶ୍ୱର ଗରିମା’

Comment