ବସନ୍ତ କୁମାର ପଣ୍ଡା

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ ବର୍ତ୍ତମାନ ପରବର୍ତ୍ତୀ ପିଢିସହ ଗଣେଶ୍ୱରଙ୍କୁ ଯୋଡ଼ିବାଲାଗି ଓଡ଼ିଶାଲାଇଭ୍ ପକ୍ଷରୁ ଏହି କ୍ଷୁଦ୍ର ପ୍ରୟାସ

ସାମୁଦ୍ରିକର ଲେଖକ ବିଶିଷ୍ଟ ଇଂରାଜୀ ଅଧ୍ୟାପକ ଗଣେଶ୍ୱର ମିଶ୍ରଙ୍କ ସହିତ ମୋର ପ୍ରଥମ ସାକ୍ଷାତ ହୁଏ ଶାନ୍ତିନିକେତନରେ। ମୁଁ ସେତେବେଳେ ସ୍ନାତକୋତ୍ତର ଶ୍ରେଣୀର ଛାତ୍ର। ସେ କୌଣସି ସେମିନାର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥାନ୍ତି କେତେଜଣ ବିଶିଷ୍ଟ ଲେଖକଙ୍କ ଗହଣରେ। ଆମେ ଆତିଥ୍ୟ ଦାୟିତ୍ୱରେ ଥାଉ। ସେଠୁ ସେ ଜାଣିଲେ ମୁଁ ପୁରୀ ପିଲା। ତା’ ପରେ ତାଙ୍କର ସ୍ନୋହାଧୀନ ହୋଇ ଯାଇଥିଲି।

ବିଭିନ୍ନ କାର୍ଯ୍ୟାନୁରୋଧରେ ମୁଁ ଯାଏ ବାଣୀବିହାର ବିଭାଗକୁ ଅଥବା ଘରକୁ। ବେଳେବେଳେ ସେ ଡାକନ୍ତି କିଛି ସାହିତ୍ୟିକ କାର୍ଯ୍ୟରେ ନିୟୋଜନ ପାଇଁ। ସେ ଅବସର ନେଲା ପରେ ବିଭିନ୍ନ ଦାୟିତ୍ୱରେ ରହି ବ୍ୟସ୍ତ ରହୁଥିଲେ। ମୁଁ ରିଜିଓନାଲକୁ ଆସିବା ପରେ ବ୍ୟସ୍ତ ରହିବାକୁ ହୁଏ। କିନ୍ତୁ ଆମର ସଂପର୍କ ଆତ୍ମିକ। ଶେଷଥର ଦେଖାହୋଇଥିଲା ଗତ ଜୁନ୍ ମାସରେ।

ମୋ ସାଙ୍ଗ ଦେବୀପ୍ରସନ୍ନ ନନ୍ଦ ଆସିଥିଲା ପୁରୀରୁ ସାରଙ୍କଠୁ ଲେଖାଟିଏ ନେବା ପାଇଁ। ଆମେ ଦୁହେଁ ମିଶିଯାଇଥିଲୁ। ମତେ ଦେଖି ଖୁସୀ ହେଲେ। ଦେବୀକୁ ଲେଖା ଓ ନୂଆ ବହିଟିଏ ଦେଲେ। ମତେ କହିଲେ ଆଉ ବହି ନାହିଁ। ଆସିଲେ ମୁଁ ଫୋନ୍‌ କରିବି। କିଛିଦିନ ପରେ ଫୋନ୍‌ କରିଥିଲେ। କିନ୍ତୁ ମୁଁ ହତଭାଗ୍ୟ ବିଭିନ୍ନ ବ୍ୟସ୍ତତା ଭିତରେ ଯାଇପାରିଲି ନାହିଁ। କାହିଁକି ବା ଭାବିବି ଏତେ ଶୀଘ୍ର ସେ ଏପରି ଆମକୁ ନିଃସ୍ୱ କରି ଚାଲିଯିବେ? କିଛି ମାସ ଆଗରୁ ଆଉ ଥରେ ମତେ ଫୋନ୍ କରି ଡାକିଲେ। ତାଙ୍କ ପତ୍ନୀଙ୍କ ଲିଖିତ ଆତ୍ମକଥନ ମୂଳକ ବହି “ନିଜ କଥା” ଦୁଇଖଣ୍ଡି ଦେଲେ। କହିଲେ “ତମେ ଜାଣିଥିବ ସେ (ମାଡ଼ାମ୍ ସୁରଙ୍ଗିଣୀ ମିଶ୍ର) ତମ ରିଜିଓନାଲ କଲେଜରେ କିଛି ଦିନ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରିଥିଲେ। ତେଣୁ ଗୋଟିଏ ବହି ତମ ପାଠାଗାରକୁ ଦେବ। ଆଉ ଗୋଟିଏ ତମର।”

ଏହିପରି କେତେ ବ୍ୟକ୍ତିଗତ ସମ୍ପର୍କ ଓ ଆତ୍ମୀୟତାରେ ସେ ଆମକୁ ବାନ୍ଧି ରଖିଥିଲେ। ବିଶ୍ୱଭ୍ରମଣ କରି ଫେରିଲେ ବି ସେ ଥିଲେ ଖାଣ୍ଟି ପୁରୀଆ। ନିଃସୀମ ଆକାଶକୁ ପରିକ୍ରମା କରି ଆପଣାର ନୀଡକୁ ଫେରିଆସି ଅତିକାୟ ଭରତିଆ ଯେପରି ସମାହିତ ହୋଇରହିଥାଏ। ଗଣେଶ୍ୱର ବାବୁସେହି ପରି ଥିଲେ ଶାନ୍ତ, ଗମ୍ଭୀର ଓ ପ୍ରାଣୋତ୍ସଳ।

ଅଧ୍ୟାପକ ଓ ଲେଖକ ଭାବେ ଗଣେଶ୍ୱରବାବୁଙ୍କର ଥିଲା ସ୍ୱତନ୍ତ୍ର ପରିଚୟ। ଥରେ ରିଫ୍ରେସର କୋର୍ସରେ ସେ ଆମକୁ ପଢ଼ାଉଥିଲେ “ତୃତୀୟ ବିଶ୍ୱର ସାହିତ୍ୟ”। କିଛି ଆଲୋଚନା କରନ୍ତି ଆଉ କିଛି ସୂଚନା ଦେଇ ନିଜେ ଅନୁସନ୍ଧାନ କରି ପଢ଼ିବାକୁ ଅନୁପ୍ରେରିତ କରନ୍ତି। କେହି କେହି କହନ୍ତି ଗଣେଶ୍ୱର ବାବୁ ସାଧାରଣ ଅଧ୍ୟାପକ ନୁହନ୍ତି। ସେ ଅଧ୍ୟାପକଙ୍କର ଅଧ୍ୟାପକ।

ବୋଲଟନ୍‌ଙ୍କଠାରୁ ଆରମ୍ଭ କରି ପର୍ଲପିୟରଙ୍କ ପର୍ଯ୍ୟନ୍ତ ବିଦେଶୀ ଅଧ୍ୟାପକ, ଶିଳ୍ପୀ ପ୍ରଫୁଲ ମହାନ୍ତିଙ୍କଠାରୁ ନାଇପଲ୍‌ଙ୍କ ପର୍ଯ୍ୟନ୍ତ ବିଶ୍ୱସାହିତ୍ୟର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଆତ୍ମିକ ଯୋଗାଯୋଗ ଥିଲା ସାହିତ୍ୟ ଜଗତ ପ୍ରତି ତାଙ୍କର ଅନନ୍ୟ ସହୃଦୟତା।

ଆରମ୍ଭରୁ ‘ସାମୁଦ୍ରିକ’ର ଲେଖକ ଭାବେ ସେ ଆମ ପାଖରେ ପରିଚିତ ଥିଲେ। ଦୁଇଟି ପ୍ରସିଦ୍ଧ ଆଞ୍ଚଳିକ ଉପନ୍ୟାସ ବଙ୍ଗଳାର ତରାଶଙ୍କରକର ‘ହଂସୁଲୀବାଙ୍କେର ଉପକଥା’ ଓ ହିନ୍ଦୀର ପଂଣୀଶ୍ୱରନାଥରେଣୁଙ୍କର ‘ମୈଲା ଆଞ୍ଚଲ’ ସହିତ ତୁଳନାତ୍ମକ ଭାବରେ ମୁଁ ‘ସାମୁଦ୍ରିକ’ର ବିଶ୍ଳେଷଣାତ୍ମକ ଆଲୋଚନା କରିଥିଲେ। ସେ ପଢ଼ି ଖୁସି ହୋଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲାବେଳେ ମୋ ଶ୍ୱଶୁର

ପ୍ରଫେସର ନରେନ୍ଦ୍ରନାଥ ମିଶ୍ରଙ୍କୁ ସେ ‘ଲୋକରତ୍ନ କୁଞ୍ଜବିହାରୀ’ ମନୋଗ୍ରାଫ୍ ରଚନା କରିବା ପାଇଁ ଅନୁରୋଧ କରିଥିଲେ ଓ ତା’ର ମୁଖବନ୍ଧ ବି ଲେଖିଥିଲେ। କହୁଥିଲେ କୁଞ୍ଜବିହାରୀ ଥିଲେ ତାଙ୍କ ପାଇଁ ନିଶାନାନୀଙ୍କ ବର। ଗଣେଶ୍ୱରବାବୁ ପରେ ହେଲେ କବି ପ୍ରସନ୍ନ ମିଶ୍ରଙ୍କ ସମନ୍ଧି।

ପ୍ରସନ୍ନ ବାବୁଥିଲେ ଶାନ୍ତିନିକେତନର ଛାତ୍ର। ମୋ ଶ୍ୱଶୁରଙ୍କ ପ୍ରିୟ ଛାତ୍ର ଭାବେ ତାଙ୍କୁ କବିତା ବହି ଉତ୍ସର୍ଗ କରିଥିଲେ। ଗୋଟିଏ କଥାରେ କହିଲେ ପ୍ରସନ୍ନ ବାବୁ ଥିଲେ ଆମର ବୃହତ୍ତର ପରିବାରର ସଦସ୍ୟ। ଗଣେଶ୍ୱରବାବୁ ମଧ୍ୟ ସେହି ପରିବାରରେ ଅବଲୀଳାକ୍ରମେ ଯୋଗ ଦେଇଥିଲେ। ବିଧିର ବିଧାନ ଭିନ୍ନ। କାହାକୁ କେତେବେଳେ ସେ ଘେନିଯାଏ ଆଉ କାହାକୁ ରଖିଯା ଜୀବନକୁ ଅଧିକ ଦୁଃଖମୟ ଅଥଚ ଅର୍ଥମୟ କରି ଅନୁଭବ କରିବା ପାଇଁ।

ଆଜି ଗଣେଶ୍ୱରବାବୁଙ୍କର ଅବର୍ତ୍ତମାନରେ ତାଙ୍କର ଅପୂର୍ଣ୍ଣ ଇଚ୍ଛା ଓ କାର୍ଯ୍ୟ କରିବାର ସଂକଳ୍ପ ନେଇ ତାଙ୍କ ଦିବଂଗତ ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ସୌଜନ୍ୟ- ‘ଗଣେଶ୍ୱର ଗରିମା’

Comment