ନୃସିଂହ ଚରଣ ସାହୁ

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ ବର୍ତ୍ତମାନ ପରବର୍ତ୍ତୀ ପିଢିସହ ଗଣେଶ୍ୱରଙ୍କୁ ଯୋଡ଼ିବାଲାଗି ଓଡ଼ିଶାଲାଇଭ୍ ପକ୍ଷରୁ ଏହି କ୍ଷୁଦ୍ର ପ୍ରୟାସ

 ଗଣେଶ୍ୱର ମିଶ୍ର ଥିଲେ ବିନମ୍ରତାର ଜୀବନ୍ତ ବିଗ୍ରହ। ଦେଶ ବିଦେଶରେ ଶିକ୍ଷା ଲାଭ କରି ଅସୀମ ଜ୍ଞାନର ଅଧିକାରୀ, ଶତାଧିକ ଅମୂଲ୍ୟ ପୁସ୍ତକର ପ୍ରଣେତା, ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଦୁଇଟି ପ୍ରସିଦ୍ଧ ସମ୍ବାଦପତ୍ରର ସମ୍ପାଦନା ସହ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରି ସେ ବିପୁଳ ଯଶର ଅଧିକାରୀ ଥିଲେ। ଏସବୁଠାରୁ ମୋ ସ୍ମୃତିରେ ଯାହା ଅମ୍ଳାନ ହୋଇରହିଛି, ତାହା ହେଉଛି ତାଙ୍କର ବିନମ୍ରତା। ପ୍ରକୃତରେ ‘ବିଦ୍ୟା ଦଦାତି ବିନୟମ୍’ର ସେ ଥିଲେ ଜ୍ୱଳନ୍ତ ଉଦାହରଣ।

ଷାଠିଏ ଦଶକରେ ରେଭେନ୍ସା କଲେଜରେ ଅଧ୍ୟୟନ ସମୟରେ ସେ ଥିଲେ ମୋଠାରୁ ଦୁଇବର୍ଷ ଉପରେ। କଲେଜ ଛାତ୍ର ସଂଗଠନର ନିର୍ବାଚନରେ ଜଣେ କର୍ମକର୍ତ୍ତା ନିର୍ବାଚିତ ହେବା ପାଇଁ ସେ ପ୍ରାର୍ଥୀ ହୋଇଥିଲେ। ସେତେବେଳକୁ କଲେଜର ମୁଖପତ୍ର ‘ରେଭେନ୍ସାଭିଆନ୍’ରେ ମୋର ଲେଖା ପ୍ରକାଶ, ଶ୍ରୀରାମଚନ୍ଦ୍ର ଭବନରେ ବିଭିନ୍ନ ସାଂସ୍କୃତିକ ସଭାରେ ଭାଷଣ ଏବଂ ସର୍ବୋପରି ପ୍ରଦ୍ମଶ୍ରୀ ବିନୋଦ କାନୁନ୍‌ଗୋଙ୍କ ପାଖରେ ଜ୍ଞାନମଣ୍ଡଳ ପାଇଁ ଲେଖାଲେଖି କରୁଥିବାରୁ ମୋ ପ୍ରତି ଅନେକ ଛାତ୍ରଛାତ୍ରୀଙ୍କର ଭଲ ପାଇବା ଖବର ସେ ପାଇଗଲେ। ତେଣୁ ମୋତେ ନିଜ ପକ୍ଷକୁ ଆକୃଷ୍ଟ କରିବା ପାଇଁ ତାଙ୍କର ଉଦ୍ୟମ ଆମ ଭିତରେ ସମ୍ପର୍କର ସେତୁ ସୁଦୃଢ଼ କରିଥିଲା।

କିନ୍ତୁ ଆମ ଭିତରେ ଘନିଷ୍ଠତା ସବୁଠାରୁ ଅଧିକ ମଜ୍‌ଭୁତ ହୋଇଥିଲା ଯେତେବେଳେ ଆମେ ପରସ୍ପରକୁ ଜଣେ ମହାନ୍‌ ଗୁରୁ ଗାନ୍ଧିବାଦୀ ଦରଦୀ ଅଧ୍ୟାପକ ପ୍ରଫେସର ସର୍ବେଶ୍ୱର ଦାସଙ୍କ ପ୍ରିୟ ଶିଷ୍ୟ ଭାବେ ଆବିଷ୍କାର କଲୁ।

ସାର୍ ଭଲ ପାଠ ପଢ଼ି ତାଙ୍କର ସନ୍ତୋଷ ଭାଜନ ହୋଇଥିଲେ, ମୁଁ ଦୁଃସ୍ଥ, ଅସହାୟ ଛାତ୍ର ତଥା ବିପନ୍ନ ଲୋକଙ୍କ ସେବାକାର୍ଯ୍ୟରେ ବ୍ରତୀ ହୋଇ ତାଙ୍କର ଆଶୀର୍ବାଦ ଲାଭ କରିଥିଲି। ବିଶେଷ କରି ୧୯୬୬ ମସିହାରେ କଳାହାଣ୍ଡିରେ ଭୟଙ୍କର ମରୁଡ଼ି (ଦୁର୍ଭିକ୍ଷ) ପଡ଼ିଥିବାବେଳେ ରେଭେନ୍ସା କଲେଜର ପାଖାପାଖି ୨୦ ଜଣ ଛାତ୍ରଙ୍କୁ ନେଇ ମୁଁ ସର୍ବୋଦୟ ଅନୁଷ୍ଠାନ ପକ୍ଷରୁ ରିଲିଫ ଦେବାକୁ ଯାଇଥିଲି। ଖାଦ୍ୟ ଓ  ପାନୀୟ ଜଳ ଅଭାବରୁ ମୃତ୍ୟୁ ପୂର୍ବରୁ ଯେଉଁମାନେ ମୃତପ୍ରାୟ ହୋଇଯାଇଥିଲେ, ସେହିଭଳି ଲୋକଙ୍କ ପାଇଁ ପ୍ରାୟ ୧୫/୨୦ଟି ସ୍ଥାନରେ ରନ୍ଧାଖାଦ୍ୟ ବଣ୍ଟନ କେନ୍ଦ୍ର ସ୍ଥାପନ, ସେଠାକୁ ଶୁଖିଲା ଖାଦ୍ୟ ପ୍ରେରଣ, ସେଠାରେ ଖାଇ ପ୍ରାଣ ବଞ୍ଚାଉଥିବା ଲୋକଙ୍କ ପାଇଁ ସ୍ଥାନୀୟ ଲୋକଙ୍କ ଘରେ/ ପିଣ୍ଢାରେ ଆଶ୍ରୟ ବ୍ୟବସ୍ଥା ଏବଂ ସେଠା ଲୋକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ‘ସମାଜ’କୁ ସମ୍ବାଦ ପଠାଇବା ମୋର ଦାୟିତ୍ୱ ଥିଲା। ମୋର ପ୍ରେରଣାଦାତା ପ୍ରଫେସର ସର୍ବେଶ୍ୱର ଦାସ ମଧ୍ୟ ସେଠାକୁ ଯାଇ ଆମର କାମଦାମ ଦେଖି ସନ୍ତୋଷ ପ୍ରକାଶ କରିଥିଲେ।

ଏହାପରେ ମୁଁ ଏକ ପ୍ରକାର ସର୍ବେଶ୍ୱର ସାର୍‌ଙ୍କ ଅଧିକ ଘନିଷ୍ଠ ସମ୍ପର୍କରେ ଆସିବାର ସୌଭାଗ୍ୟ ଲାଭ କରିଥିଲି। ୧୯୬୭ ମସିହାରେ ବମ୍ବେ ଭାରତୀୟ ବିଦ୍ୟାଭବନକୁ ଯେତେବେଳେ ସାମ୍ବାଦିକତା ପଢ଼ିବାକୁ ଗଲି, ମୋର ସମାଜସେବା ସମ୍ପର୍କରେ ସାର୍‌ଙ୍କର  ସାର୍ଟିଫିକେଟ୍ ଖୁବ୍‌ କାମରେ ଆସିଥିଲା। କାରଣ ସେତେବେଳେ ସାମ୍ବାଦିକତା ଓ ସମାଜସେବା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବଭଳି ଥିଲା। ଜଣେ ସମାଜ ସେବାରେ ସନ୍ତୋଷ ପାଉନଥିଲେ ସାମ୍ବାଦିକତା ଭଳି କଷ୍ଟକର ବୃତ୍ତିରେ ଅଧିକ ଦିନ ତିଷ୍ଠିବା ସମ୍ଭବପର ମନେ ହେଉନଥିଲା।

ଏକ ପ୍ରକାର ଉତ୍କଳମଣି ଗୋପବନ୍ଧୁ, ଡକ୍ଟର ହରେକୃଷ୍ଣ ମହତାବଙ୍କ ପରେ ସେବା କ୍ଷେତ୍ରରେ ପ୍ରଫେସର ସର୍ବେଶ୍ୱର ଦାସ ମୋର ଦୀକ୍ଷାଗୁରୁ ହୋଇଯାଇଥିଲେ। ଯଦିଚ ଅଧିକ ସମୟ ସାକ୍ଷାତର ସୁଯୋଗ ନଥିଲା। ଗଣେଶ୍ୱର ସାର୍‌ କିନ୍ତୁ ତାଙ୍କର ପ୍ରିୟ ଛାତ୍ର ଭାବେ ସ୍ନାତକୋତ୍ତର ଇଂରାଜୀ ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ଇଂରାଜୀ ଅଧ୍ୟାପକ ହେଲେ। ସର୍ବେଶ୍ୱର ସାର୍‌ଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ସ୍ନେହ ଭାଜନ ହୋଇରହିଲେ।

ମହତାବ ବାବୁ ଓ ବିନୋଦ ବାବୁଙ୍କ ୩୦ ବର୍ଷ ତଳର ନିର୍ଦ୍ଦେଶ କ୍ରମେ ଓଡ଼ିଶାର ୫ ହଜାର ବରପୁତ୍ରଙ୍କ ଜୀବନୀ ସଂକଳନ କରିବାକୁ ୧୯୯୬ ମସିହାରେ ମୁଁ ‘କେୟାର ସଂସ୍ଥା’ ତ୍ୟାଗ କଲି। କିନ୍ତୁ “ପ୍ରଜାତନ୍ତ୍ର’ର ସମ୍ପାଦକ ତଥା ବର୍ତ୍ତମାନର ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରିବାବୁଙ୍କ ଅନୁରୋଧ କ୍ରମେ ପୁଣି ପ୍ରଜାତନ୍ତ୍ର ସହ ସମ୍ପର୍କ ଯୋଡ଼ି ହୋଇଗଲା।

ମୋର ଦାୟିତ୍ୱ ହେଲା, ‘ପ୍ରଜାତନ୍ତ୍ର’ରେ ଲେଖକ ଜୀବନ ଆରମ୍ଭ କରି ବାବା (ମହତାବବାବୁ)ଙ୍କର  ପ୍ରିୟଭାଜନ ହୋଇଥିବା ଏବଂ ବର୍ତ୍ତମାନ (ସେତେବେଳେ) ପ୍ରଜାତନ୍ତ୍ରଠାରୁ ଦୂରେଇ ଯାଇଥିବା କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ସହ ପୁଣି ସୁସମ୍ପର୍କ ପ୍ରତିଷ୍ଠା କରିବା। ଏହି କାର୍ଯ୍ୟକ୍ରମରେ ପ୍ରଥମେ ମୋର ଲକ୍ଷ୍ୟ ହେଲେ ପ୍ରଫେସର ସର୍ବେଶ୍ୱର ଦାସ ଏବଂ ପ୍ରଫେସର ଚିତ୍ତରଞ୍ଜନ ଦାସ। ସେତେବେଳକୁ (ସର୍ବେଶ୍ୱର ସାରଙ୍କ ପତ୍ନୀ) ମାଉସୀ ରୋଗ ଶଯ୍ୟାରେ, ଶେଷ ଅବସ୍ଥାରେ। ମୁଁ ବାରମ୍ବାର ଯାଉଥାଏ। ଦିନେ ମୋତେ ସେ ଶପଥ କରାଇଲେ, “ତୁ ସାର୍‌ଙ୍କ ହାତରେ ପୁଣି କଲମ ଧରେଇ ଦେବୁ”। ମାଉସୀଙ୍କ ଅନ୍ତିମ ବିଦାୟ ପରେ କୌଣସି ପ୍ରକାର ସାର୍‌ଙ୍କୁ ବୁଝାବୁଝି କରେଇ ତାଙ୍କର ଆତ୍ମଜୀବନୀ ‘ମୋ କାହାଣୀ’ ‘ପ୍ରତିଭା’ରେ ଧାରାବାହିକ ଭାବେ ପ୍ରକାଶ କରାଇଲି। ସମ୍ପର୍କ ବଢ଼ିଗଲା,ଗଣେଶ୍ୱର ସାର୍‌ଙ୍କୁ ମଧ୍ୟ ଏହା ଅଛପା ରହିଲା ନାହିଁ।

ଅବସର ପରେ ସେ ଯେତେବେଳେ ‘ସମାଜ’କୁ ସମ୍ପାଦକ ହୋଇଗଲେ, ମୋତେ ଡକାଇଲେ। କହିଲେ “ଜହୁରୀଭାଇ, ମୋତେ ତୁମେ କିଛିଦିନ ‘ଟିଉସନ’ କର। ମାଳିକୁ ଛେଳି ଅଡ଼ୁଆ ଭଳି ବସିଶୋଇ ଭାବିଭାବି ସାହିତ୍ୟ ସୃଷ୍ଟି କରୁଥିବା ଲୋକଙ୍କୁ ତତ୍‌କ୍ଷଣାତ୍‌ କଲମ ଚଳାଇ ପୁରୁଣା ସାମ୍ବାଦିକମାନଙ୍କର ଲେଖାକୁ ସଂଶୋଧନ କରି ସଜାଡ଼ିବା କାମ ମଧ୍ୟ ଆମ ପାଇଁ କଷ୍ଟକର।” କିଛି କଥାବାର୍ତ୍ତା ହେଲୁ, ସାର୍ ବେଶ୍ ସମ୍ଭାଳି ନେଲେ।

ପ୍ରଫେସର ସର୍ବେଶ୍ୱର ଦାସଙ୍କ ଆତ୍ମଜୀବନୀ ‘ମୋ କାହାଣୀ’ର ପ୍ରଥମ ଭାଗ ୫୦୦ରୁ ଅଧିକ ପୃଷ୍ଠାର ମହାଗ୍ରନ୍ଥ ‘ଶିକ୍ଷା ସଂଧାନ’ ପକ୍ଷରୁ ପ୍ରକାଶ ପାଇଲା। ସାର୍ ମଧ୍ୟ ପ୍ରଜାପନ୍ତ ‘ବିଷୁବ ସମ୍ମାନ’ ଲାଭ କଲେ, କିନ୍ତୁ ବଡ଼ପୁଅ ଦେବୁର ଅସୁସ୍ଥତା ତାଙ୍କର ମନ ବଳ ହ୍ରାସ କଲା। ସାନ ପୁଅ ବୁଢ଼ୁ ସପରିବାର ପାଖରେ ଆସି ରହିଲା, ଧୀରେ ଧୀରେ ସାର୍ ଶେଷ ଆଡକୁ ଆଗେଇ ଚାଲିଲେ। ୨୦୦୯ ମସିହା ଅକ୍ଟୋବର ୪ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କଲେ।

ଏହା ପରେ ପୁଣି ଗଣେଶ୍ୱର ସାର୍‌ଙ୍କ ସହ କଥାବାର୍ତ୍ତା- “ଜହୁରୀ ଭାଇ, ଆମ ଉଭୟଙ୍କ ଗୁରୁଦେବ ତ ଚାଲିଗଲେ, ବର୍ତ୍ତମାନ ତାଙ୍କ ସ୍ମୃତି ପାଇଁ ଜୀବନୀଟିଏ ଲେଖାଯିବା ଉଚିତ। ଆପଣ ତ ତାଙ୍କ ଶେଷ ଜୀବନର ପ୍ରିୟତମ ବ୍ୟକ୍ତିଥିଲେ, ଆପଣ ସେ କାମଟି କରନ୍ତୁ, ଆପଣ କଲେ ସବୁଠାରୁ ଭଲ ହେବ”। କିନ୍ତୁ ଗଣେଶ୍ୱର ସାର୍‌ ଜାଣିଥିଲେ, ସର୍ବେଶ୍ୱର ସାର୍ ଯିବାଦିନ ମୋ ସ୍ତ୍ରୀଙ୍କର ‘ହାର୍ଟ ଅପରେସନ୍’ ହୋଇଥିଲା। ମୋର ଝିଅମାନେ ସମସ୍ତେ ବିଭାହୋଇ ଚାଲିଯାଇଥିଲେ, ତେଣୁ ମୁଁ ମୋ ପତ୍ନୀଙ୍କ ସେବାରେ ଟିକେ ବ୍ୟସ୍ତ ବିବ୍ରତ ଥିଲି। ମୁଁ ମୋର ଅକ୍ଷମତା ଜଣାଇ କହିଲି- ‘ବର୍ତ୍ତମାନ ସାର୍ ମୋର ମାନସିକ ଭାରସାମ୍ୟ ଠିକ୍ ନାହିଁ, ଘରେ ଏକ ପ୍ରକାର ଜୀବନ୍ତ ମୁର୍ଦ୍ଦାରଟିଏ। ତାଙ୍କର ସେବା ଯତ୍ନ, ଡାକ୍ତରଖାନାକୁ ନିୟମିତ ନେବା ଆଣିବା କାମ ଭିତରେ ମୁଁ ଦାୟିତ୍ୱଟି ଠିକ୍‌ ଭାବରେ ତୁଲାଇ ପାରିବି ନାହିଁ, ମୁଁ ସିନା ସାମ୍ବାଦିକ, ଆପଣ ତ ସାହିତ୍ୟିକ, ଆପଣଙ୍କ ସୃଷ୍ଟି କାଳଜୟୀ ହେବ, ଆପଣ ଲେଖନ୍ତୁ।’

“ମୁଁ ଭାବୁଥିଲି ଲେଖିବା ପାଇଁ। ମାତ୍ର ମୋତେ ଲାଗିଲା ମୁଁ ସିନା ନାମକୁ ‘ଗଣେଶ’, ଆପଣ ପ୍ରକୃତରେ ନିଜର ସେବାବ୍ରତ ବଳରେ ‘ଶିବଙ୍କର ଗଣେଶ ପୁତ୍ର’ ଭଳି ଶେଷ ବେଳକୁ ସର୍ବେଶ୍ୱର ସାର୍‌ଙ୍କର ପ୍ରିୟତମ ପୁତ୍ର ପାଲଟି ଯାଇଥିଲେ। ତେଣୁ ଏ କାମ ଆପଣଙ୍କର ପ୍ରାପ୍ୟ ବୋଲି ମୁଁ ଭାବୁଛି।

ପ୍ରକୃତରେ ମୁଁ ସମସ୍ତ ଉପାଦାନ ଯୋଗାଇ ଦେବା ପରେ ମାସକ ମଧ୍ୟରେ ଗଣେଶ୍ୱର ସାର୍, ‘ସର୍ବେଶ୍ୱର ସାର୍’ଙ୍କ ଚମତ୍କାର ଜୀବନୀଟିଏ ଲେଖି ପ୍ରକାଶ କରିଦେଲେ ଏବଂ ସେଥିରେ ଲେଖିଥିଲେ “ନୃସିଂହ ବାବୁ ଏକ ପ୍ରକାର ବାଧ୍ୟବାଧକତାକରି ସାର୍‌ଙ୍କୁ ତାଙ୍କର ଅମୂଲ୍ୟ ଆତ୍ମଜୀବନୀଟି ଲେଖାଇଥିଲେ।”

ପ୍ରଚଣ୍ଡ ପ୍ରତିଭା ସତ୍ତ୍ବେ ‘ବିନମ୍ରତାର ଜୀବନ୍ତ ବିଗ୍ରହ’ ଭାବେ ସବୁବେଳେ ଆପଣଙ୍କୁ ମୁଁ ଭକ୍ତିର ସହ ସ୍ମରଣ କରୁଥିବି।

ସୌଜନ୍ୟ-‘ଗଣେଶ୍ୱର ଗରିମା’

Comment