ଡକ୍ଟର ବିଜୟାନନ୍ଦ ସିଂହ

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ର ସମ୍ପର୍କରେ ସମାଜରେ ବିଭିନ୍ନବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତି ଚାରଣ ବର୍ତ୍ତମାନ ପରବର୍ତ୍ତୀ ପିଢିସହ ଗଣେଶ୍ୱରଙ୍କୁ ଯୋଡ଼ିବାଲାଗି ଓଡ଼ିଶାଲାଇଭ୍ପକ୍ଷରୁ ଏହି କ୍ଷୁଦ୍ର ପ୍ରୟାସ

ଜୀବନ ସୀମିତ, କୀର୍ତ୍ତି ସୀମାତୀତ। ଆୟୁ ସ୍ୱଳ୍ପ, କୃତି ସ୍ମରଣୀୟ। କୃତି ଓ କୀର୍ତ୍ତି ହିଁ ବ୍ୟକ୍ତିଙ୍କୁ ସଞ୍ଜୀବିତ କରିରଖେ। କାଳଖଣ୍ଡକୁ ଉଲ୍ଲଙ୍ଘନ କରି ବ୍ୟକ୍ତିତ୍ୱ ଓ କୃତିତ୍ୱ ହୁଏ ଆୟୁଷ୍ମାନ। ପ୍ରଫେସର ଗଣେଶ୍ୱର ମିଶ୍ର ସେହିଭଳି ଜଣେ କୀର୍ତ୍ତିମାନ୍ ପୁରୁଷ। ତାଙ୍କର ତିରୋଧାନ ହୋଇଥିଲେ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱର ବିସ୍ତାରିତ ଦିଗ ସମାଜରେ ଆତ୍ମପ୍ରକାଶ କରିଅଛି। ପ୍ରଫେସର ମିଶ୍ର ଇଂରାଜୀ ଓ ଓଡ଼ିଆ ସାହିତ୍ୟର ସ୍ୱକୀୟ ପ୍ରତିଭାର ପରିଚୟ ଦେଇଯାଇଛନ୍ତି।

ଇଂରାଜୀ ଭାଷା- ସାହିତ୍ୟର ଅଧ୍ୟାପକ ଭାବରେ ତାଙ୍କର ପରିଚିତି ଅନନ୍ୟ। କିନ୍ତୁ ଆଧୁନିକ ଓଡ଼ିଆ ସାହିତ୍ୟର ସ୍ରଷ୍ଟାଭାବରେ ପ୍ରଫେସର ମିଶ୍ରଙ୍କ କୃତିତ୍ୱ ସୁବିଦିତ। ‘ସାମୁଦ୍ରିକ’ ଉପନ୍ୟାସ ତାଙ୍କ ନିଆରା ଅନୁଭବର ସ୍ମାରକୀ ମାତ୍ର। ଏହି ଉପନ୍ୟାସଟି ସମକାଳର ଉପନ୍ୟାସ ରଚନାରେ ଏକ ପରିବର୍ତ୍ତନର ସୂଚନା ଦେଇଥିଲା ବୋଲି କୁହାଯାଇପାରେ। ଅନୁବାଦ ଗ୍ରନ୍ଥ, ‘ଜାହାନାରର ଆତ୍ମକାହାଣୀ’ ଗଣେଶ୍ୱର ମିଶ୍ରଙ୍କ ନୂତନ ଦୃଷ୍ଟିଭଙ୍ଗୀର ଅନ୍ୟ ଏକ ଉଦାହରଣ।

ଗଳ୍ପ, ଶିଶୁସାହିତ୍ୟ, ଆଲୋଚନା, ଜୀବନୀ, ଆତ୍ମଜୀବନୀ ସମ୍ପାଦନା ଅତିରେ ପ୍ରଫେସର ମିଶ୍ରଙ୍କ ରହିଛି ନବଚେତନାର ଶବ୍ଦ- ସ୍ୱାକ୍ଷର। ତାଙ୍କ ଭାବ ଭାବନାରେ ଥିଲା ସାହିତ୍ୟ- ସଂସ୍କୃତିର ଝଲକ। ଜୀବନ ଓ ସମାଜକୁ ସେ ଭଲ ପାଉଥିଲେ। ତାଙ୍କ ସାରସ୍ୱତ କୃତିଗୁଡ଼ିକ ତେଣୁ ମାନବିକ ଚେତନାରେ ଝଙ୍କୃତ। ଅନୁଭବର ସାନ୍ଧ୍ରତା ସହିତ ପ୍ରାକୃତିକ ଜଗତ ସହିତ ଅନ୍ତରଙ୍ଗ ଭାବ ହିଁ ତାଙ୍କୁ ପରୋଦିତ କରିଥିଲା। ସାରସ୍ୱତ ସ୍ରଷ୍ଟାଭାବରେ ଆତ୍ମପ୍ରକାଶ ଲଭିବା ନିମନ୍ତେ।

ପ୍ରଫେସର ମିଶ୍ର ମଧ୍ୟ ସେହି ଅନୁରାଗକୁ ଅଙ୍ଗୀକାର କରି କହିଥିଲେ ପ୍ରତ୍ୟେକ ଲେଖାରେ ଲେଖକ ନିଜକୁ ଆବିଷ୍କାର କରି ଚାଲିଥାଏ- ଆବିଷ୍କାର କରିଚାଲିଥାଏ ତା ସହିତ ତା ଚାରିପାଖର ଦୃଶ୍ୟମାନ ଓ ଅଦୃଶ୍ୟମାନ ଜଗତର ସମ୍ପର୍କ। ଏ ପ୍ରକ୍ରିୟା ଯନ୍ତ୍ରଣା ଦିଏ ଅନେକ, ଆନନ୍ଦ ମଧ୍ୟ ଦିଏ। ମୋ ଲେଖାରେ ସେ ଆନନ୍ଦ କିଞ୍ଚିତ୍ ପାଇଥାଏ ମୁଁ – ସେ ଆନନ୍ଦ ଯନ୍ତ୍ରଣା ଦାୟକ ଦେଉପଛେ!

ପ୍ରଫେସର ଗଣେଶ୍ୱର ମିଶ୍ର ଖୁବ୍‌ କମ୍‌ କଥା କହିଥାନ୍ତି; ମାତ୍ର ତାହା ଏତେ ଯେ ଗୁରତ୍ୱପୂର୍ଣ୍ଣ, ଅନୁଭବୀ ବିନା ତାହାକୁ ବ୍ୟକ୍ତ କରିବା ସମ୍ଭବପର ନୁହେଁ। ଆଶାବାଦୀ ଥିଲେ ସେ। ପ୍ରଗତି ଓ ଆଧୁନିକତାର ସେ ଥିଲେ ସମର୍ଥକ। ପ୍ରତିଭାକୁ ସ୍ୱିକାର କରିବା ଥିଲା ତାଙ୍କର ଆଦର୍ଶ। ଓଡ଼ିଆ ଜୀବନଧାରା ଏବଂ ସଂସ୍କୃତିରେ ଯାହାକିଛି ଗ୍ରହଣୀୟ ଓ ଉପାଦେୟ, ସେ ତାହାର ପ୍ରସାର କରିଚାଲିଥିଲେ। ନିଜର ଆତ୍ମଜୀବନୀ ‘ନିଜ ଠିକଣାରେ’ ପ୍ରଫେସର ମିଶ୍ର ଅର୍ଦ୍ଧଶତାବ୍ଦୀର ଓଡ଼ିଶାର ସାମାଜିକ, ସାଂସ୍କୃତିକ, ଆର୍ଥନୀତିକ ଏବଂ ଶିକ୍ଷା ସମ୍ପର୍କରେ ତେଣୁ ଚର୍ଚ୍ଚା କରିଥିଲେ ସୁନ୍ଦର ଭାବରେ।

ଗଣେଶ୍ୱର ମିଶ୍ର ବିଦେଶ ଗସ୍ତ କରିଥିଲେ।

ଇଂଲଣ୍ଡର କେଣ୍ଟ ବିଶ୍ୱବିଦ୍ୟାଳୟରେ ଭାରତୀୟ ଇଂରାଜୀ ଉପନ୍ୟାସ ଉପରେ ଗବେଷଣା କରି ପି.ଏଚ୍.ଡି. ଡିଗ୍ରୀ ଲାଭ କରିଥିଲେ। ଏହା ସହିତ ଜଣେ ଶିକ୍ଷାବିତ୍ ଭାବରେ ସେ ଜର୍ମାନୀ, ବେଲ୍‌ଜିୟମ୍‌, ନେଦରଲ୍ୟାଣ୍ଡ୍, ଫ୍ରାନ୍ସ ପ୍ରମୁଖ ରାଷ୍ଟ୍ର ଭ୍ରମଣ କରିଥିଲେ ଏବଂ ଅନେକ ଥର ବ୍ରିଟେନ୍‌ର ବିଶ୍ୱବିଦ୍ୟାଳୟମାନଙ୍କରେ କମନ୍ୱେଲ୍‌ଥ୍‌ ସମ୍ମିଳନୀରେ ଗବେଷକ ଭାବରେ ଯୋଗଦେଇ ସନ୍ଦର୍ଭ ପାଠ ମଧ୍ୟ କରିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟର ଇଂରାଜୀ ଭାଷା- ସାହିତ୍ୟ ବିଭାଗର ପ୍ରଫେସର ଓ ବିଭାଗ ମୁଖ୍ୟ ଭାବରେ ସେ କାର୍ଯ୍ୟ କରିଥିଲେ। ମାତ୍ର, ଓଡ଼ିଆରେ ବକ୍ତୃତା ଦେଲାବେଳେ ସେ ଇଂରାଜୀ ଶବ୍ଦର ବ୍ୟବହାର ଆଦୌ କରୁନଥିଲେ। ସେ କହୁଥିଲେ- ଯାହାର ମାତୃଭାଷା ଉନ୍ନତ, ତା’ର ଅନ୍ୟଭାଷା ଉନ୍ନତ ହେବା ସ୍ୱାଭାବିକ। ତରୁଣମାନଙ୍କୁ ସେ ଉତ୍ସାହିତ କରୁଥିଲେ, ନୂତନ ଲେଖମାନଙ୍କ ରଚନାରେ ସେ ଆଗ୍ରହର ସହ ପଢ଼ୁଥିଲେ ଏବଂ ଆବଶ୍ୟକ ପରାମର୍ଶ ମଧ୍ୟ ଦେଉଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବରେ ଡକ୍ଟର ମିଶ୍ରଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ୩୦ ମଇ ୨୦୦୫ରୁ ୨୯ ମଇ ୨୦୦୭ ମସିହା ପର୍ଯ୍ୟନ୍ତ ସେ ଏକାଡେମୀର ସଭାପତି ଭାବରେ କାର୍ଯ୍ୟ କରିଥିଲେ। ମୋର ସୌଭାଗ୍ୟ ଥିଲା, ଏହି ସମୟ ଖଣ୍ଡରେ ମୁଁ ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ସମିତି ଓ ‘କୋଣାର୍କ’ ପତ୍ରିକାର ସମ୍ପାଦନା ମଣ୍ଡଳୀରେ କାର୍ଯ୍ୟ କରିବା।

ଓଡ଼ିଶା ସାହିତ୍ୟ ଏକାଡେମୀର ବିଭିନ୍ନ କାର୍ଯ୍ୟକୁ ସେ କ୍ରିୟାଶୀଳ କରିବା ପାଇଁ ଉଦ୍ୟମ କରିଥିଲେ। ବାର୍ଷିକ ସାରସ୍ୱତ ପୁରସ୍କାରକୁ ନିୟମିତ କରିବା ସହ ସାହିତ୍ୟ ଏକାଡେମୀର କାର୍ଯ୍ୟକ୍ରମକୁ ରାଜ୍ୟବାହାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କରେ ସଂପ୍ରସାରିତ କରିବା ପାଇଁ ଉଦ୍ୟମ କରିଥିଲେ।

ଉପରକୁ ଗମ୍ଭୀର ଜଣାପଡ଼ୁଥିଲେ ମଧ୍ୟ ଗଣେଶ୍ୱର ମିଶ୍ର ଥିଲେ ହାସ୍ୟରସ ପ୍ରିୟ। ଅନେକ କଥା କଥାରେ ରଘୁହାସ୍ୟ ସୃଷ୍ଟି କରିବା ଥିଲା ତାଙ୍କ ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ। ସେ ଥିଲେ ବନ୍ଧୁପ୍ରିୟ। ନିରାଡମ୍ବର,ନିରଳସ ଜୀବନଯାପନ କରୁଥିଲେ ସେ।  ଫୁଲପ୍ୟାଣ୍ଟ୍ ଉପରେ ଖଦଡ଼ ପଞ୍ଜାବୀ ପରିଧାନ ସହ ଝୁଲା ବ୍ୟାଗ୍‌ ବ୍ୟବହାର ଥିଲା ତାଙ୍କର ରୁଚି। ଖାଦ୍ୟପେୟ ମଧ୍ୟ ଥିଲା ସାଧାରଣ। ସାଧାରଣ ଭାବରେ ବଞ୍ଚିବା, ଉନ୍ନତ କାର୍ଯ୍ୟ ସମ୍ପାଦନ କରିବା ଥିଲା ପ୍ରଫେସର ମିଶ୍ରଙ୍କ ଜୀବନର ଲକ୍ଷ୍ୟ। ପ୍ରଫେସର ମିଶ୍ର ଥିଲେ ସମାଜ, ସାହିତ୍ୟ ଓ ଜୀବନର ଅନନ୍ୟ ଉପାସକ ଏବଂ ଜଣେ ସଫଳ ମଣିଷ।

ସୌଜନ୍ୟ-‘ଗଣେଶ୍ୱର ଗରିମା’

Comment