ସରୋଜ ବଳ

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ର ସମ୍ପର୍କରେ ସମାଜରେ ବିଭିନ୍ନବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତି ଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ ପିଢିସହ ଗଣେଶ୍ୱରଙ୍କୁ ଯୋଡ଼ିବାଲାଗି ଓଡ଼ିଶାଲାଇଭ୍‌ ପକ୍ଷରୁ ଏହି କ୍ଷୁଦ୍ର ପ୍ରୟାସ

ଚିହ୍ନାଚିହ୍ନି ବାଣୀବିହାରରେ ମୋର ପାଠପଢ଼ା ସରିଆସିଲା ବେଳକୁ ଗଣେଶ୍ୱର ସାର୍‌ଙ୍କ ସହ ଚିହ୍ନା। ସେତେବେଳେ ସେ ଇଂରାଜୀ ବିଭାଗର ପ୍ରଫେସର ଥାଆନ୍ତି ଓ କ୍ୟାମ୍ପସ୍‌ରେ ରହୁଥାନ୍ତି। ୧୯୯୮ରେ ଫକୀରମୋହନଙ୍କ ‘ରେବତୀ’ ଗଳ୍ପକୁ ପୂରିଲା ଶହେ ବର୍ଷ ଓ ସେଇ ଅବସରରେ ‘ରେବତୀ’ ନାଁରେ ପତ୍ରିକାଟିଏ ପ୍ରକାଶ କରିବାକୁ ସ୍ଥିର କରି ଏକ ସାକ୍ଷାତକାର ନେବା ପାଇଁ ଯାଇ ପହଞ୍ଚିଲି ସାର୍‌ଙ୍କ କ୍ୱାର୍ଟର୍‌ରେ। ଗେଷ୍ଟହାଉସ୍‌ ପାଖରେ ଥିଲା ତାଙ୍କ କ୍ୱାର୍ଟର। ଏକପାଖିଆ ହୋଇଥିବାରୁ କ୍ୱାର୍ଟର୍‌କୁ ଯିବା ରାସ୍ତାଟା ଟିକେ ନିଛାଟିଆ। ସେଥିପାଇଁ କ୍ୱାର୍ଟର୍‌ ମୋଡରେ ଥିବା କଲଭର୍ଟ ଉପରେ ପ୍ରେମୀଯୁଗଳ ପ୍ରାୟ ବସିରୁହନ୍ତି। ବାଡ଼ରେ ନାଲି, ଧଳା କାଗଜଫୁଲର ଭିଡ଼। ଗୋଟେ ରୋମାଣ୍ଟିକ୍‌ ପରିବେଶ। ହେଲେ ଗେଟ୍‌ରେ ‘କୁକୁର ପ୍ରତି ସାବଧାନ’ ଫଳକ ଦେଖି ମୁଁ ଟିକେ ଶଙ୍କିଯାଇଥିଲି।

ପ୍ଲସ୍-ଟୁ ପଢ଼ିବା ବେଳେ ଗୋଟେ ବୁଲାକୁକୁର ମୋ ଗୋଡ଼ରେ ଦାନ୍ତ ମାରି ଦେଇଥିଲା, ସେଥିପାଇଁ ମୁଁ କୁକୁରଙ୍କୁ ସତର୍କ ଥାଏ। ଫଳକ ଦେଖି ସଚେତନ ହୋଇଗଲି। ଗେଟ୍‌ ଖଡ଼ଖଡ଼ କଲି। କେହି ଦିଶୁନଥାନ୍ତି। କୁକୁର ବି ଭୁକୁ ନଥାଏ। କିଛି ସମୟ ଅପେକ୍ଷା କଲା ପରେ ବାଡ଼ିଦୁଆର ବାଟେ ସାର୍‌ ବାହାରିଲେ। ମୁଁ ଆଗରୁ ସାର୍‌ଙ୍କୁ ଦେଖିନଥିଲି, କେବଳ ଚେହେରାର ଶାଳୀନତା ଓ ଗାଂଭୀର୍ଯ୍ୟରୁ ଅନୁମାନ କଲି- ସେ ହିଁ ହୋଇଥିବେ। ଇଂରାଜୀ ପ୍ରଫେସର୍‌, ପୁଣି ଘରେ କୁକୁର ବାନ୍ଧିଛନ୍ତି- ତେଣୁ ମୋର ଡର ଥିଲା। କଣ କହିବେ, କଣ ନାଇଁ…।

କିନ୍ତୁ ସେ ଦୂରରୁ ହାତଠାରି ଡାକିଲେ ‘ଆସ ଆସ, କୁକୁର ବନ୍ଧା ହେଇଛି।’ ମୋର ଅଧା ଭୟ କଟିଗଲା। ମୁଁ ଭିତରକୁ ପଶୁପଶୁ ସାରଙ୍କୁ ନମସ୍କାର ହେଲି ଓ ନିଜର କ’ଣ ପରିଚୟ ଦେବି ବୋଲି ଭାବିହେଲି; ଯେଉଁ ପରିଚୟ ଦେବି- ସାର୍ କ’ଣ ତାକୁ ଗୁରୁତ୍ୱ ଦେବେ ନା ଠିଆଠିଆ ଫେରେଇଦେବେ? ଏମିତି ଏକ ଆଶଙ୍କା ମନ ଭିତରେ ଥିଲା। ନିକଟକୁ ଗଲା ପରେ ସାର୍‌ ଗୋଟେ ଚେୟାର୍‌ ଆଡକୁ ହାତ ଦେଖେଇଦେଲେ ନିଜେ ବସିଲେ। ‘ଡିପାର୍ଟମେଣ୍ଟରୁ ଆସିଛ?’ ମୋତେ ଇଂରାଜୀର ଛାତ୍ର ଭାବି ଓ ସାଧାରଣତଃ ଏମିତି ପିଲାମାନେ ଆସନ୍ତି ଭାବି ପଚାରିଲେ। ମୁଁ ହଡବଡ଼େଇ ଯାଇ ହଁ ଟେ ଆଗ ମାରିଦେଲି। ପରେ କହିଲି ଓଡ଼ିଆ ଡିପାର୍ଟମେଣ୍ଟ।

କିନ୍ତୁ ସେଥିରେ ତାଙ୍କ ମୁହଁରେ କିଛି ଫରକ ଦେଖିଲି ନାହିଁ। ହାତରେ ନେଇଥିଲି ସଦ୍ୟ ମୋ ସମ୍ପାଦନାରେ ପ୍ରକାଶ ପାଇଥିବା ବାଣୀବିକାଶର ମୁଖପତ୍ର ‘ବାଣୀବିକାଶ’। ସେତେବେଳକୁ ମୋର ଲେଖା ‘ଝଙ୍କାର’ ଆଦି ପତ୍ରିକାରେ ପ୍ରକାଶ ପାଇଲାଣି। ତାଙ୍କ ସହ ମାତ୍ର ଦୁଇମିନିଟ୍ କଥାବାର୍ତ୍ତା ପରେ ସେ ଅନ୍ତରଙ୍ଗ ହେଇଗଲେ। ‘ଚା ପିଇବ?’ ପଚାରିଲେ। ମୁଁ ଆହୁରି ସହଜ ହୋଇଉଠିଲି। ମୋର ଆଉ ମନେ ହେଲା ନାହିଁ ଯେ ସେ ଜଣେ ବିଶ୍ୱବିଦ୍ୟାଳୟ ପ୍ରଫେସର। ବରଂ ଯେମିତି ଜଣେ ମୁରବୀ ଶ୍ରେଣୀୟ ଘରଲୋକ। ମୁଁ ମନଖୋଲି ମୋ ଯିବାର ଉଦ୍ଦେଶ୍ୟ କହିଲି ଓ ଆଗରୁ ଲେଖିନେଇଥିବା ପ୍ରଶ୍ନଗୁଡ଼ିକ ତାଙ୍କ ହାତକୁ ବଢ଼େଇଦେଲି। କାଗଜଟା ଉପରେ ସେ ଟିକେ ଆଖିବୁଲେଇ ନେଲେ ଓ  ଆଗ୍ରହରେ ରଖିଲେ। କହିଲେ, ‘କାଲି ଆସି ନେଇଯିବ।’

ସେ ‘କାଲି’ ମୋ ଜୀବନରେ ବାରମ୍ବାର ଆସିଲା। କାରଣ ସବୁଥର ଫେରିବାବେଳେ ସେ କହନ୍ତି, ‘ସୁବିଧା କରି ଆସିବ’। ସେ ଆମନ୍ତ୍ରଣରେ କି ଯାଦୁ ଥାଏ କେଜାଣି ମୁଁ ଟାଣିହେଇ ଯାଏ।

କାଲି ଆସ, କଥା ଅଛି:

ପରବର୍ତ୍ତୀ ସାକ୍ଷାତ ବେଳକୁ ସେ ଏକପ୍ରକାର ଅଚଳ ହୋଇଗଲେଣି। ସେଦିନ ସକାଳୁ ସିପୁ ଫୋନ୍‌ କରିଥିଲେ, ‘ଡ୍ୟାଡ୍‌ ଖୋଜୁଥିଲେ, ଆସି ଟିକେ ବୁଲିଯିବେ।’ ସଞ୍ଜବେଳକୁ ମୁଁ ଗଲି। କାଳେ କୁକୁର ବନ୍ଧା ହେଇନଥିବ ଭାବି ତାଙ୍କୁ ଫୋନ୍ କଲି। ଜଣେ ମହିଳା ଉଠାଇଲେ। ଆଜି ପର୍ଯ୍ୟନ୍ତ ସାର୍‌ଙ୍କ ଫୋନ୍‌ ଅନ୍ୟ କେହି ଉଠେଇବାର ମୁଁ ଜାଣିନଥିଲି। ମହିଳା କଣ୍ଠ ଶୁଣି ମୁଁ ଟିକେ ଶଙ୍କିଗଲି। ସାର୍‌ କଣ ଅତି ଅସୁସ୍ଥ ହେଇଗଲେ କି? ବଡ଼ କାତର ମନ ନେଇ ଉପର ମହଲାକୁ ଆସିଲି। ନିଜ ରୁମ୍‌ରେ ଖଟ ଉପରେ ସେ ଚିତ୍‌ ହୋଇ ଶୋଇଥାନ୍ତି। ଖଟ ବାଡ଼ାରେ ସାଲାଇନ୍‌ ବୋତଲ।  ପାଟି ସାମାନ୍ୟ ଖୋଲା ଥାଏ। ମୁଁ ଚମ୍‌କି ପଡ଼ିଲି। କିଛି ସମୟ ଥ’ ହେଇ ବସିଗଲି। ତାଙ୍କ ସ୍ୱାସ୍ଥ୍ୟର ଦେଖାଶୁଣା କରୁଥିବା ନର୍ସଟି ପାଖରେ ବସି ଟିଭି ଦେଖୁଥାଏ। ମୁଁ ତାକୁ ଚାହିଁଲି। ସାର୍‌ଙ୍କ ବିଷୟରେ କିଛି କଥା ପଚାରିଲି ଓ ବେଶି ନୀରବ ରହିଲି। ସେ ଦୁଇ ଥର ସାର୍‌ଙ୍କୁ ମୁଁ ଆସିଛି ବୋଲି କହିଲେ, କିନ୍ତୁ ଉଠାଇବାରେ ବିଫଳ ହେଲେ। କାରଣ ଡାକିଲେ ସାର୍‌ ବିଳିବିଳଉ ଥିଲେ ଓ ବଡ଼ ଯନ୍ତ୍ରଣାକ୍ତ ଗଳାରେ ଦେହ ଭଲଲାଗୁଚି ବୋଲି କହିଉଠୁଥିଲେ। ମୁଁ ଭାଙ୍ଗିପଡ଼ିଲି। ମୁଁ ଆସିଛି ବୋଲି କହିଲେ ଯେଉଁ ଲୋକ ଗ୍ରୀଲ୍‌ ଖୋଲିବାକୁ ତଳ ପର୍ଯ୍ୟନ୍ତ ଚାଲିଆସୁଥିଲେ, ତାଙ୍କର ୟେ କି ଅବସ୍ଥା। ଛାତି କୋହରେ ରୁନ୍ଧି ହେଇ ଆସୁଥିଲା।

ଉପର ମହଲାରେ କେହି ନଥାନ୍ତି। ମୁଁ ଦୀର୍ଘ  ସମୟ ଧରି ବସିଥିବା ଦେଖି, ଫୁର୍ସତ ପାଇ ନର୍ସଟି ଟିଭି ବନ୍ଦକରି କୁଆଡ଼େ ଚାଲିଗଲାଣି। ସଞ୍ଜର ଅଠାଳିଆ ଅନ୍ଧାର ମାଡ଼ିଆସୁଛି ଚାରିଆଡ଼ୁ।  ଏକପ୍ରକାର ଆତଙ୍କପ୍ରଦ ନିରବତା। ସାଧାରଣତଃ ତାଙ୍କ ପାଖରେ ବସିଲେ ମୁଁ ମୋର ବହୁ ଗୁରୁତ୍ୱପୂର୍ଣ୍ଣ କାମକୁ ଭୁଲି ଗପରେ ମାତିଯାଏ; ଅଥଚ ପ୍ରଥମ ଥର ପାଇଁ ତାଙ୍କ ପାଖରେ ବସି ମୁଁ ଭୟ ପାଇଲି।

ଛାତି ଭିତରଟା କେମିତି କେଜାଣି ରୁନ୍ଧି ହେବା ପରି ଲାଗିଲା। ତାଙ୍କର ସରଳ ମୁହଁ, ତୀର୍ଯ୍ୟକ ହାସ୍ୟରସ ଓ ବନ୍ଧୁ ବତ୍ସଳତା ମୋର ତୁହାକୁ ତୁହା ମନେ ପଡ଼ିଲା। ଏତିକିବେଳେ ତାଙ୍କ ପୁତ୍ରବଧୁ ପ୍ରାଚୀତାରା ଆସିଲେ। ସେ ବି ଦୁଇ ତିନିଥର ଚେଷ୍ଟା କଲେ ଉଠାଇବାକୁ। ଶେଷ ଥର ବେଳକୁ ସାମାନ୍ୟ ଆଖି ଖୋଲିଲେ, ମୋତେ ଚିହ୍ନିଲେ। ମୁଁ ତାଙ୍କ ମୁଣ୍ଡ ପାଖକୁ ଗଲି ଓ କପାଳରେ ହାତ ରଖିଲି। କହିଲି, ‘ସାର୍‌ ମୋର ପୁଅଟେ ହେଇଛି।’ ଦେହ ଭଲ ଥିଲେ ସେ ଖୁସିରେ ଫାଟି ପଡ଼ିଥାନ୍ତେ। କାରଣ ମୋ ବାହାଘରକୁ ଭୁବନେଶ୍ୱରରୁ ଯେଉଁ ଚାରି ପାଞ୍ଚଜଣ ଅତି ଅନ୍ତରଙ୍ଗ ଲେଖକ ଭଦ୍ରକ ଯାଇଥିଲେ, ତା’ ଭିତରେ ସାର୍ ଥିଲେ ଜଣେ। ତେଣୁ ଏକପ୍ରକାର ପାରିବାରିକ ବନ୍ଧନ ଥିଲା। ସେ କେବଳ ‘ଭଲ ହେଲା… ଭଲ ହେଲା’ ବୋଲି ଦୁଇଥର କହିପାରିଲେ ଓ ଯାହା କହିପାରିଲେ ନାହିଁ ତାହା ମୁଁ ବୁଝିବାକୁ ବାକି ରହିଲା ନାହିଁ।

ଅନେକ କଥା ସେ କହିବାକୁ ଚାହୁଁଥିଲେ ଆଗ ପରି। କିନ୍ତୁ ଦେହର ଯନ୍ତ୍ରଣା ତାଙ୍କୁ ତାହା କରେଇ ଦେଉନଥିଲା। କେବଳ ଗଣଗଣିଆ ଗଳାରେ ସଂକ୍ଷେପରେ ଏତିକି କହିଲେ, ‘କାଲି ଆସ, କଥା ଅଛି’।

ସେ ‘କାଲି’ ଆଉ ଆସିଲା ନାର୍ହି। କାରଣ, ତା’ ପରଦିନ ଫୋନ୍‌ କରି ବୁଝିଲି ଯେ ଅବସ୍ଥାରେ କିଛି ପରିବର୍ତ୍ତନ ଆସିନି। ସେମିତି ବିଛଣାରେ ପଡ଼ି ରହିଛନ୍ତି। ଏମିତି ଏମିତି ଅଗଷ୍ଟ୯ ପହଞ୍ଚିଲା। ରାତି ବାରଟାରେ ସିପୁ(ସନ୍ଦୀପ)ଙ୍କ ମେସେଜ୍‌ ଆସିଲା: ଡ୍ୟାଡ୍‌ ଭେରି ସିରିଅସ୍‌, ଇନ୍‌ ଆପୋଲୋ ହସ୍ପିଟାଲ୍‌ ଆଇସିୟୁ। ସେଇ ରାତିର ପାହାନ୍ତା ଆଡ଼କୁ ଆସିଲା ସେ ହୃଦୟ ବିଦାରକ ମେସେଜ୍‌..।

ମୁଁ ପୁଣି ଥରେ ବାପଛେଉଣ୍ଡ ହେଇଗଲି।

ଦେଶୀ ମଣିଷ, ବେଶି ମଣିଷ:

ପଢ଼ାପଢ଼ି ଓ ଗବେଷଣା ପାଇଁ ବେଶ୍ କିଛି ବର୍ଷ ଇଂଲଣ୍ଡରେ କଟାଇଛନ୍ତି ସାର୍। ବିଦେଶୀ ପାଣିପାଗ ଓ ଆଦବକାଇଦା ସହ ବେଶ୍‌ ଘନିଷ୍ଠ ଭାବେ ପରିଚିତ। ଅଥଚ ସେସବୁକୁ ନେଇ ତାଙ୍କ ଭିତରେ କିଛି ଅହଂକାର ଥିବା ମୁଁ କେବେ ଦେଖିନି। ମୁଁ ତାଙ୍କୁ ଜଣେ ସୁଦ୍ଧ ଦେଶୀ ମଣିଷ ଭାବେ ଦେଖିଛି, ଚିହ୍ନିଛି, ବୁଝିଛି।

ନାଇପଲ୍ ତାଙ୍କର ଅନ୍ୟତମ ପ୍ରିୟ ଲେଖକ। କଥାକଥାରେ ସେ ନାଇପଲ୍‌ଙ୍କ ଆଦ୍ୟ ଲେଖକ ଜୀବନର ଉଦାହରଣ ଦେଇ କେମିତି ବୁଢ଼ିମା କାହାଣୀର ବି ଗୁରୁତ୍ୱ ଅଛି, ସେ କଥା କହନ୍ତି। ‘ରେବତୀ’ ପାଇଁ ମୁଁ କରିଥିବା ସାକ୍ଷାତକାରରେ ସେ କହିଥିଲେ, ‘ପ୍ରତ୍ୟେକ ବ୍ୟକ୍ତି ନିଜ ବିଷୟରେ ଯାହା ଭାବନ୍ତି,ତାହା ଗଳ୍ପଟିଏ ନୁହେଁ ତ ଆଉ କ’ଣ?’ ତାଙ୍କର ଗଳ୍ପଗୁଡ଼ିକରେ ମୁଁ ପ୍ରାୟତଃ ତାଙ୍କୁ ହିଁ ପାଏ। ତାଙ୍କର ସରଳପଣ ସହ ତାଳମେଳ ଥାଏ ତାଙ୍କ ଲେଖାରେ। ବୁଲେଇ ବଙ୍କେଇ ଲେଖିବା ତାଙ୍କର ଆଦୌ ପସନ୍ଦ ନଥିଲା। ଏପରିକି ଅତିରଞ୍ଜନରେ ବି ସେ ବିଶ୍ୱାସୀ ନଥିଲେ। ବହି ପଛରେ ଲେଖକୀୟ ପରିଚୟ ହେବା ବେଳେ ସେ କମ୍‌ରୁ କମ୍‌ ଧାଡ଼ି, ବେଳେବେଳେ ଗୋଟିଏ ଧାଡ଼ିରେ ହିଁ କାମ ସାରିବାକୁ ଚାହାନ୍ତି।

ସେ କମ୍ ଲେଖକ, ବେଶି ମଣିଷ। ଆମ ସମୟର ଖୁବ୍‌ କମ୍‌ ଲେଖକଙ୍କର ମଣିଷପଣିଆ ଅଛି। ମଣିଷକୁ ମଣିଷ ଭାବେ ବୁଝିବା, ନିସ୍ବାର୍ଥ ଭାବେ ଭଲପାଇବାରେ ତାଙ୍କର  ତୁଳନା ନଥିଲା। ତେଣୁ ମୁଁ ତାଙ୍କୁ ଲେଖକ ଅପେକ୍ଷା ଜଣେ ମଣିଷ ଭାବେ ଚିହ୍ନେ। ୧୯୮୯ ମସିହାରୁ ମୁଁ ବାପଛେଉଣ୍ଡ। ଅଥଚ ଭୁବନେଶ୍ୱରରେ ରହିବା ପରେ ଓ ତାଙ୍କ ସଂସ୍ପର୍ଶରେ ଆସିବା ପରେ ମୁଁ ତାଙ୍କୁ ପିତୃସ୍ଥାନୀୟ ବ୍ୟକ୍ତି ଭାବେ ଗଣିଛି। କାରଣ ତାଙ୍କ ସମସାମୟିକ ଅଧିକାଂଶ ବରିଷ୍ଠ ଲେଖକମାନଙ୍କ ଭଳି ସେ ଛଳନାପ୍ରିୟ ନୁହଁନ୍ତି। ସେ କେବେ ମୋ ବିଷୟରେ କେଉଁଠି ଚୁଗୁଲି କରିଥିବା ମୁଁ ଶୁଣିନାହିଁ। ଚୁଗୁଲି ତ ଦୂରର କଥା, କେବେ କେଉଁଠି ମୋର ଦୁର୍ବଳତା ବିଷୟରେ କହିବା ବି ଜାଣିନାହିଁ। ବରଂ ଉଚ୍ଛ୍ବସିତ ପ୍ରଶଂସାରେ ସେ କେଉଁଠି କାର୍ପଣ୍ୟ କରିନାହାନ୍ତି। ଗୋଟେ ସମୟରେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ସହ ମୋର ବ୍ୟକ୍ତିଗତ ବଚସାକୁ ନେଇ ସେ ମୋତେ ଭୁଲ୍ ବୁଝିଥିଲେ। ଏପରିକି ଟେଲିଫୋନ୍‌ରେ ମୋତେ ଗାଳି ଦେଇଥିଲେ। ଅଥଚ, ସତ କଥା ଜାଣିବା ପରେ, ପରବର୍ତ୍ତୀ ସମୟରେ ସେ ମୋର ଖୁବ୍ ନିକଟତର ହୋଇଥିଲେ। ତାଙ୍କର କ୍ରୋଧ ଥିଲା କ୍ଷଣସ୍ଥାୟୀ।

ଓଡ଼ିଶାର ପୁରୁଣା ଚଳଣି, ପରମ୍ପରା, ଖାଦ୍ୟରୁଚି ଓ ଲୋକଚରିତ୍ରକୁ ନେଇ ଅନେକ ସମୟରେ ଆମର ଆଲୋଚନା ହେଉଥିଲା। ଓଡ଼ିଶାର ଖାଦ୍ୟ ସଂସ୍କୃତିକୁ ନେଇ ସେ ଏକ ସୁନ୍ଦର ପୁସ୍ତକ ସମ୍ପାଦନା କରିଥିଲେ। ଓଡ଼ିଆ ସାହିତ୍ୟ, ବିଶେଷକରି ପିଲାଙ୍କ ସାହିତ୍ୟ ଉପରେ ସେ ଖୁବ୍‌ ଚିନ୍ତାଶୀଳ ଥିଲେ। ପିଲାଙ୍କ ପାଇଁ ଲେଖିବାକୁ ସେ ଖୁବ୍‌ ଆନନ୍ଦ ଅନୁଭବ କରୁଥିଲେ। କାରଣ, ପିଲାମାନେ ପଢ଼ିଲେ ହିଁ ଆମ ସାହିତ୍ୟର ପରମ୍ପରା ଆଗକୁ ବଢ଼ିବ ବୋଲି ତାଙ୍କର ବିଶ୍ୱାସ ଥିଲା।

ଚିନ୍ତା ଓ ଚେତନାରେ ସେ ଯେତିକି ଆଧୁନିକ ଥିଲେ, ପାରମ୍ପରିକତାକୁ ଠିକ୍ ସେତିକି ଗୁରୁତ୍ବ ଦେଉଥିଲେ। ଅନେକ ସମୟରେ ଆମ ଘରକୁ ଆସିଲେ ସେ ପତ୍ନୀଙ୍କୁ ପଚାରୁଥିଲେ, ‘ସଜନା ଶାଗ ଖରଡ଼ି ଜାଣିଚନା ନାହିଁ?’ ଆମ ବସାଘର ସାମ୍ନାରେ ‘ଭେଜି ବାଇଗଣ’ ଗଛ ଦେଖି ସେ ଥରେ ସେସବୁକୁ ତୋଳିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଅନେକ ଥର ମୁଁ ତାଙ୍କ ଘରେ ଖାଇଛି। ଖାଇବାରେ ତାଙ୍କର ଖୁବ୍‌ଗୁଡ଼ାଏ ଆୟୋଜନ ନଥାଏ। ବେଶ୍ ସାଦାସିଧା ତାଙ୍କର ଖାଦ୍ୟରୁଚି। ସକାଳେ ରୁଟି ଓ ଡାଲି। ଦ୍ୱିପହରେ ଭାତ, ଡାଲମା, ଭଜା କିମ୍ବା ଶାଗ। ଠିକ୍ ତାଙ୍କର କଥାବାର୍ତ୍ତା ଭଳି ସରଳ ଓ ସାଧାରଣ। ବୋଧହୁଏ ସାଧାରଣ ହେବା ଆମ ସମୟର ସବୁଠୁ ଅସାଧାରଣ କାମ, ଯାହା ଗଣେଶ୍ୱର ସାର୍‌ଙ୍କ ପାଖରେ ଦେଖାଯାଉଥିଲା।

‘ସାଧୁତା’ ତାଙ୍କ ଚରିତ୍ରର ଆଉଏକ ବଡ଼ ଗୁଣ। କୌଣସି ଛପାଛପି କାମରେ ଯଦି ତାଙ୍କର କିଛି ଦେୟ ଥାଏ, ତେବେ ସେ ପଇଠ କରିବା ପାଇଁ ଅସ୍ଥିର ହୋଇପଡ଼ନ୍ତି। ବାରମ୍ବାର ଫୋନ୍ କରି ଡାକନ୍ତି, ଆସ, ନେଇଯିବ। ନହେଲେ ନିଜେ ଆସି ହାଜର ହେଇଯାଆନ୍ତି। ଆଜିକାଲିର ଦୁନିଆରେ ଯେତେବେଳେ ଜଣେ ଆଉଜଣଙ୍କୁ ଠକିବାରେ ମାହିର୍, ସେତେବେଳେ ଗଣେଶ୍ୱର ସାର୍‌ଙ୍କ ଏକ ସାଧୁତା ବିସ୍ମୟକର ଲାଗିଲେ ବି ସତ।

ଆଜିକାଲି ବିନା ଫୋନ୍‌ରେ କାହା ଘରକୁ ଯିବା ଏକ ଅସମ୍ଭବ ଓ ଅସମ୍ମାନର କଥା। କାମ ନଥାଇ ଯିବା ତ ଆହୁରି ସାଂଘାତିକ କଥା। ହେଲେ ସାର୍‌ଙ୍କ ଘରକୁ ଯିବା ପାଇଁ କେବଳ ତାଙ୍କର ଉପସ୍ଥିତି ହିଁ ଦରକାର ହୁଏ। ଘରକୁ ଗଲେ କେବେ ସେ ତାଙ୍କ ତରଫରୁ ଆମକୁ ଉଠିଯିବାକୁ କହନ୍ତିନାହିଁ। ସବୁଥର ଆମକୁ ହିଁ ବିଦାୟ ଆଣିବାକୁ ପଡ଼େ। ଅନ୍ୟର ଅଚାନକ ଉପସ୍ଥିତି ତାଙ୍କୁ କେବେ ବିଚଳିତ ବା ବିରକ୍ତ କରିବାର ମୁଁ ଦେଖିନାହିଁ। ଏସବୁ ତାଙ୍କ ମଣିଷପଣିଆର ଛୋଟ ଛୋଟ ଉଦାହରଣ ମାତ୍ର।

ସୌଜନ୍ୟ-‘ଗଣେଶ୍ୱର ଗରିମା’

Comment