ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଷ୍ଟିସ୍ ଲୋୟା ମୃତ୍ୟୁ ମାମଲାର ଚୂଡ଼ାନ୍ତ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ଆଉ ଏସ୍‌ଆଇଟି ତଦନ୍ତ ହେବ ନାହିଁ ବୋଲି କହିଛନ୍ତି ସୁପ୍ରିମକେର୍ଟ। ଏସ୍‌ଆଇଟି ତଦନ୍ତ ନେଇ କରାଯାଇଥିବା ଆବେଦନକୁ ଖାରଜ କରିବା ସହ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଜନସ୍ୱାର୍ଥ ମାମଲା ଦାୟର କରିଥିବା ବ୍ୟକ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ଏହି ଘଟଣାରେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ପ୍ରାୟସ କରାଯାଇଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ।

୨୦୧୪ ଡିସେମ୍ବର ୧ରେ ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ହୋଇଥିଲା। ନିଜ ସହକର୍ମୀଙ୍କ ଝିଅ ବାହାଘରରେ ଯୋଗ ଦେବାକୁ ନାଗପୁର ଯାଇଥିବା ବେଳେ ହୃଦଘାତରେ ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଥିଲା।

ସେତେବେଳେ ସୋହରାବୁଦ୍ଦିନ ଏନ୍‌କାଉଣ୍ଟର ମାମଲାର ବିଚାର କରୁଥିଲେ ଜଷ୍ଟିସ ଲୋୟା। ଏହି ମାମଲାର ଅଭିଯୁକ୍ତ ଥିଲେ ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା।

ସୁପ୍ରିମକୋର୍ଟ କହିଛନ୍ତି ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସ୍ୱାଭାବିକ ଥିଲା। ଏହା ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ।

ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଗ୍ରହଣ କରିପାରି ନାହିଁ କଂଗ୍ରେସ। ରଣଦୀପ ସୁରଜୱାଲା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ପରେ ଆଉ ୨ ଜଣ ବିଚାରପତିଙ୍କର ମୃତ୍ୟୁ ହୋଇଥିଲା। ଏଣୁ ଏହାର ନିରପେକ୍ଷ ତଦନ୍ତ କରାଯାଉ।

ଏପଟେ କଂଗ୍ରେସକୁ ସମାଲୋଚନା କରିଛି ବିଜେପି। କେନ୍ଦ୍ର ଆଇନ୍ ମନ୍ତ୍ରୀ ତଥା ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି, “ଏହି ମାମଲାରେ ସାଧାରଣ ଲୋକଙ୍କର କିଛି ସ୍ୱାର୍ଥ ନାହିଁ। କେବଳ କଂଗ୍ରେସର ସ୍ୱାର୍ଥ ରହିଛି। ରାଜନୀତି ଉଦ୍ଦେଶ୍ୟ ରଖି କଂଗ୍ରେସ ଏଭଳି ମନ୍ତବ୍ୟ ଦେଉଛି।”

Comment