ରବୀନ୍ଦ୍ର ନାରାୟଣ ମିଶ୍ର

ନକ୍ସଲପନ୍ଥୀ ଜଣକ ମୋଠାରୁ ଜାଣିବାକୁ ଚାହୁଁଥିଲେ ତାଙ୍କ ପ୍ରଚେଷ୍ଟା ସଫଳ ହେବ ତ? ଦେଶରୁ ଅନ୍ୟାୟ ଦୂର ହୋଇଯିବ ତ? ସାମାଜିକ ଜୀବନରେ ବୈଷମ୍ୟର ଅନ୍ତ ଘଟିବ ତ? ମୁଁ ତାଙ୍କୁ ଯାହା ଉତ୍ତର ଦେବା କଥା ଦେଲି।
ସାଧୁଙ୍କୁ ସେଦିନ କିଏ କେତେ ଆଧ୍ୟାତ୍ମିକ ପ୍ରଶ୍ନମାନ ପଚାରିବସିଲେ। ଜଣେ ପ୍ରଶ୍ନ କଲେ – ବର୍ତ୍ତମାନ ଚାରିଆଡ଼େ ଦେଖାଦେଇଥିବା ନକ୍ସଲମାନଙ୍କ ଆଚରଣ ବିଷୟରେ ଆପଣଙ୍କର ମତ କ’ଣ?
ସାଧୁ କହିଉଠିଲେ – ଏହା ସର୍ବୋତ୍ତମ ପ୍ରଶ୍ନ। ମୋର ଏଇ ହିମାଳୟସ୍ଥ ଆଶ୍ରମରେ ଦୈବକ୍ରମେ ଗୋଟିଏ ରାତ୍ରିରେ ଦୁଇ ଜଣ ଆଶ୍ରୟ ନେଇଥିଲେ – ଜଣେ ବର୍ତ୍ତମାନ ଶାସନରେ ଥିବା ଜଣେ ମନ୍ତ୍ରୀ ଓ ଅନ୍ୟ ଜଣେ ନକ୍ସଲପନ୍ଥୀ।
ଟିକିଏ ରହିଯାଇ ସାଧୁ ପୁଣି କହିଚାଲିଲେ – ଅବଶ୍ୟ ସେ ଦୁଇଜଣ ଅତିଥି ପରସ୍ପରର ଉପସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ଉଭୟଙ୍କ ମାନସିକ ସ୍ଥିତି ସେତେବେଳେ ଅତ୍ୟନ୍ତ ବିଚଳିତ ଥିଲା। ଦୁହିଁଙ୍କ ସହିତ କଥାବାର୍ତ୍ତାରେ ମୁଁ ପ୍ରାୟ ସାରା ରାତି ବିତାଇ ଦେଇଥିଲି।
ପ୍ରଥମେ ମନ୍ତ୍ରୀଙ୍କ ସହିତ କଥାବାର୍ତ୍ତାରେ ରାତ୍ରିର ଦ୍ୱିତୀୟ ପ୍ରହର ବିତିଗଲା। ତାଙ୍କ ପ୍ରଶ୍ନ ସ୍ୱାର୍ଥ ସମ୍ବଳିତ ଥିଲା। ସେ ମୋଠାରୁ ଜାଣିବାକୁ ଚାହୁଁଥିଲେ ନକ୍ସଲପନ୍ଥୀଙ୍କ ହିଂସାକାଣ୍ଡ ଯୋଗୁଁ ତାଙ୍କ ଦଳ ଶାସନକ୍ଷମତା ହରାଇବ ନାହିଁ ତ? ତାଙ୍କ ଜୀବନ ପ୍ରତି କିଛି ବିପଦ ନାହିଁ ତ?
ତାଙ୍କୁ ଯଥାର୍ଥ ଉତ୍ତର ଦେବା ପରେ ମୁଁ ମୋତେ ଅପେକ୍ଷା କରିରହିଥିବା ନକ୍ସଲପନ୍ଥୀଙ୍କୁ ଭେଟିଲି। ସେ ମୋଠାରୁ ଜାଣିବାକୁ ଚାହୁଁଥିଲେ ତାଙ୍କ ପ୍ରଚେଷ୍ଟା ସଫଳ ହେବ ତ? ଦେଶରୁ ଅନ୍ୟାୟ ଦୂର ହୋଇଯିବ ତ? ସାମାଜିକ ଜୀବନରେ ବୈଷମ୍ୟର ଅନ୍ତ ଘଟିବ ତ? ମୁଁ ତାଙ୍କୁ ଯାହା ଉତ୍ତର ଦେବା କଥା ଦେଲି।
ପୁଣି ଟିକେ ରହିଯାଇ ସାଧୁ କହିଲେ – ମୋର ମନେହୁଏ ସମଗ୍ର ମନ୍ତ୍ରିମଣ୍ଡଳ ସଭ୍ୟମାନଙ୍କର ଦେଶାତ୍ମବୋଧ ଓ ଦେଶପ୍ରୀତିକୁ ଯଦି ଏକାଠି କରାଯାଇ ଓଜନ କରାଯାଏ, ତେବେ ଜଣେ ନକ୍ସଲପନ୍ଥୀଙ୍କ ଦେଶାତ୍ମବୋଧ ପାଖରେ ତାହା ଉଣା ହୋଇଯିବ। ଜଣେ ନକ୍ସଲପନ୍ଥୀର ସମ୍ବେଦନଶୀଳତା, ଦେଶପ୍ରୀତି ଆଗରେ ସମଗ୍ର ମନ୍ତ୍ରିମଣ୍ଡଳ ହାର ମାନିଯିବ।
ହିଂସାକୁ ଛାଡ଼ିଦେଲେ ନକ୍ସଲପନ୍ଥୀର ରକ୍ତର ପ୍ରତ୍ୟେକ ବିନ୍ଦୁରେ ଦଳିତ ଓ ନିଷ୍ପେଷିତର ଛବି ଭାସିଉଠୁଥାଏ। ସେ ସେମାନଙ୍କ ପାଇଁ ନିଜ ଜୀବନକୁ ପାଣି ଛଡ଼ାଇ କାମ କରେ। ମାତ୍ର ଆମର ଏବକାର ନେତା କେବଳ ମୁହଁରେ ଦଳିତ ଓ ନିଷ୍ପେଷିତଙ୍କ ପାଇଁ ସମବେଦନା ଜଣାନ୍ତି। ଅନ୍ତର ସେମାନଙ୍କର ସ୍ୱାର୍ଥରେ ଉବୁଟୁବୁ ହେଉଥାଏ।
ସାଧୁ ଉପସଂହାର କଲେ, ‘‘ଏଇଥିରୁ ମୋ ମତ ଆପଣମାନେ ଭଲ ଭାବେ ଜାଣିପାରିବେ।’’
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍ଭାସ୍ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)














