ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ଅଞ୍ଚଳରେ ୪୦୦ ବର୍ଷର ପରମ୍ପରା ଭାଙ୍ଗିଛି। ପ୍ରଥମ ଥର ପାଇଁ ମା’ ପଞ୍ଚୁବରାହୀଙ୍କ ମୂର୍ତ୍ତିକୁ ଗାଁର ପୁରୁଷମାନେ ସ୍ପର୍ଶ କରିଛନ୍ତି। ସମୁଦ୍ର ଗର୍ଭରେ ଲୀନ ହେବା ଆଶଙ୍କାରେ ମା’ଙ୍କ ମୂର୍ତ୍ତିକୁ ଆଜି ବଗପାଟିଆ ସ୍ଥାନାନ୍ତର କରାଯାଇଥିଲା। ଏଥିରେ ପୁରୁଷମାନେ ସହଯୋଗ କରିଥିଲେ।

ସମୂଦ୍ର କୂଳରେ କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ଗାଁ। ସମୁଦ୍ର କ୍ରମେ ମାଡ଼ି ଆସୁଥିବାରୁ ଗାଁର ଅଧିକାଂଶ ଲୋକ ଅନ୍ୟ ଜାଗାରେ ଆଶ୍ରୟ ନେଲେଣି। ଆଉ ଯେଉଁମାନେ ଅଛନ୍ତି ସେମାନେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଗାଁର ଅଧିଷ୍ଠାତ୍ରୀ ଦେବା ମା’ ପଞ୍ଚବରାହୀ ବି ସମୁଦ୍ର ଜୁଆରରୁ ବର୍ତ୍ତି ନାହାନ୍ତି। ମା’ଙ୍କ ମନ୍ଦିର ସମୁଦ୍ର ଗର୍ଭରେ ଲୀନ ହେବା ପୂର୍ବରୁ ଗ୍ରାମବାସୀମାନେ ମା’ଙ୍କ ମୂର୍ତ୍ତିକୁ ସ୍ଥାନାନ୍ତର କରିଛନ୍ତି।

ଏହି ମନ୍ଦିରକୁ ରାଜକନିକାର ରାଜା ନିର୍ମାଣ କରିଥିଲେ। ୧.୫ ଟନ୍ ଓଜନ ବିଶିଷ୍ଟ ମା’ଙ୍କୁ ବଗପାଟିଆକୁ ସ୍ଥାନାନ୍ତର କରାଯାଇଛି।

ସ୍ଥାନାନ୍ତର କରିବା ପୂର୍ବରୁ ମା’ଙ୍କୁ ମାଜଣା କରାଯାଇଥିଲା। ରୀତିନୀତି ଅନୁସାରେ ନୂଆ ବସ୍ତ୍ର ପିନ୍ଧାଇ ପୂଜାର୍ଚ୍ଚନା କରାଯାଇ ଦୁଇଟି ବଡ଼ ଡଙ୍ଗା ସହାୟତାରେ ବଗପଟିଆକୁ ନିଆଯାଇଥିଲା। ମୂଳ ସ୍ଥାନଠାରୁ ପ୍ରାୟ ୧୦ କିମି ଦୂରକୁ ମା’ଙ୍କୁ ସ୍ଥାନାନ୍ତର କରାଯାଇଛି।

ମା’ ପଞ୍ଚୁବରାହୀଙ୍କୁ ଆଜିଯାଏଁ ପୁରୁଷ ସ୍ପର୍ଶ କରିନଥିଲେ। ମତ୍ସ୍ୟଜୀବୀ ସମ୍ପ୍ରଦାୟର ମହିଳାମାନେ କେବଳ ମା’ଙ୍କୁ ପୂଜା କରିଥାନ୍ତି।

Comment