ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରୁ ଫେରିବା ପରେ ଏକ କ୍ୟାବିନେଟ ବୈଠକରେ ଯୋଗଦେବେ। ଏହି ବୈଠକରେ ପୋକ୍ସୋ ଆଇନରେ ସଂଶୋଧନ ସମ୍ପର୍କିତ ଅଧ୍ୟାଦେଶ ଆସିବ।

ମୋଦି ସରକାର ଶନିବାର ଦିନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ ଆଣିବାର ସମ୍ଭାବନା ରହିଛି। ଏଥି ମଧ୍ୟରୁ ଗୋଟିଏ ହେଉଛି ପୋକ୍ସୋ ଆଇନରେ ସଂଶୋଧନ ସମ୍ପର୍କିତ ଅଧ୍ୟାଦେଶ। ଦ୍ୱିତୀୟଟି ହେଉଛି ଏସ୍‌ସି/ଏସଟି ନିୟମକୁ ପୁରୁଣା ରୂପରେ ଆଣିବା।

ଅଧ୍ୟାଦେଶ ଜରିଆରେ ଏହି ଦୁଇଟିଯାକ ଆଇନରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରୁ ଫେରିବା ପରେପରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ଏବଂ ସେଥିରେ ଏହି ଅର୍ଡିନାନ୍ସକୁ ମଞ୍ଜୁରୀ ଦିଆଯିବ।

ନିକଟରେ ଉନ୍ନଓ ଏବଂ କଠୁଆରେ ସଂଘଟିତ ଦୁଷ୍କର୍ମ ଘଟଣାରେ ଦେଶ ତମାମ ଯେଉଁ କ୍ରୋଧ ସୃଷ୍ଟି ହୋଇଛି ତାହାକୁ ଥଣ୍ଡା କରିବା ପାଇଁ ଏହି ଉପାୟ ଚିନ୍ତା କରିଛନ୍ତି ସରକାର। ଖବର ଆସୁଛି ଯେ ଏହି ଦୁଇଟି ଅଧ୍ୟାଦେଶକୁ ପ୍ରସ୍ତୁତ କରି ରଖାଯାଇଛି। ଉନ୍ନଓ ଏବଂ କଠୁଆରେ ହୋଇଥିବା ରେପ୍ ତଥା ଏସ୍‌ସି/ଏସଟି ନିୟମରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପରେ ସରକାରଙ୍କୁ ଭୀଷଣ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ରେପ୍ ଘଟଣା ପରେ ମହଜୁଦ କାନୁନକୁ ଆହୁରି କଡ଼ାକଡ଼ି କରିବା ପାଇଁ ଚାରିଆଡ଼େ ଦାବି ଉଠିଛି।

ସମଗ୍ର ଦେଶରେ କଠୁଆ ଘଟଣାକୁ ନେଇ ବିରୋଧୀ ମନୋଭାବ ଓ ଦଳିତ ଆନ୍ଦୋଳନ ମୁଣ୍ଡ ଟେକୁଥିବାରୁ ସରକାର ବିବ୍ରତ ହୋଇପଡ଼ିଛନ୍ତି। ଶନିବାର ଦିନ ଯେଉଁ ଅଧ୍ୟାଦେଶ ଆସିବ ସେଥିରେ ବ୍ୟବସ୍ଥା ରହିବ ଯେ ଯେଉଁମାନେ ୧୨ବର୍ଷରୁ କମ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିବେ ସେମାନଙ୍କୁ ଫାଶୀ ଦଣ୍ଡ ଦିଆଯିବ।

ଏଥି ସହିତ ଆଉ କିଛି କଡ଼ା ବ୍ୟବସ୍ଥା ଯୋଡ଼ା ଯାଇପାରେ। ସେହିଭଳି ଏସ୍‌ସି /ଏସଟି ଆଇନରେ ଆଗରୁ ଯେଉଁ ବ୍ୟବସ୍ଥା ଥିଲା ସରକାର ତାହାକୁ ପୁଣି ଲାଗୁ କରିବେ। ଏହା ଫଳରେ ସୁପ୍ରିମକୋର୍ଟ ନିକଟରେ ଦେଇଥିବା ରାୟ ଅକାମି ହୋଇଯିବ। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ ଦଳିତ ନିର୍ଯାତନା ମାମଲାରେ ଅଭିଯୁକ୍ତଙ୍କୁ ଜେଲ ପଠାଇବା ପୂର୍ବରୁ କିଛି ସର୍ତ୍ତକୁ ମାନିବାକୁ ପଡ଼ିବ। ଏହି ରାୟ ଆସିବା ପରେ ଦେଶରେ ଦଳିତମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ଓ କିଛି ଲୋକଙ୍କ ଜୀବନ ମଧ୍ୟ ଯାଇଥିଲା। ଦଳିତ ଆଇନକୁ ସରକାର ଜାଣିଶୁଣି କୋହଳ କରୁଛନ୍ତି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ଖୋଦ ବିଜେପିର କିଛି ଦଳିତ ସାଂସଦ ଏହି ରାୟକୁ ବିରୋଧ କରିଥିଲେ। ଅବଶ୍ୟ ସରକାର ସୁପ୍ରିମକୋର୍ଟଙ୍କ ରାୟଠାରୁ ନିଜକୁ ଦୂରେଇ ରଖିଥିଲେ।

Comment