ରବୀନ୍ଦ୍ର ନାରାୟଣ ମିଶ୍ର

‘‘ପ୍ରକୃତରେ ଭଗବାନଙ୍କ ଦୃଷ୍ଟିକୁ ଏଡ଼ାଇ ଦେଇ ତୁମେ କିଛି କରିପାରିବନି। ତାଙ୍କୁ ଫାଙ୍କି ଦେବାକୁ ଚେଷ୍ଟା କରିବା ଅର୍ଥ ନିଜକୁ ନିଜେ ଠକିବା”।
ମନେଅଛି ଆମ ପିଲାଦିନେ ପଢ଼ିଥିବା ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧର ସେଇ ଦୁଇ ଧାଡ଼ି – ଯାହା ମୁଁ କହଇ, ଯାହା ମୁଁ କରଇ, ଯାହା ମୁଁ ଚିନ୍ତଇ ମନେ/ଦୟାମୟ ପ୍ରଭୁ ଜଗତ ଈଶ୍ୱର ଜାଣୁଛନ୍ତି ପ୍ରତିକ୍ଷଣେ। ତେଣୁ ଆମର ସମସ୍ତ ପାପ ଓ ପୂଣ୍ୟକର୍ମ ତାଙ୍କ ଚକ୍ଷୁର ଅଗୋଚରରେ ହୋଇପାରିବ ନାହିଁ। ଏଇ କଥାଟି ବୁଝାଇବାକୁ ଯାଇ ସାଧୁ ଗଳ୍ପଟିଏ କହିଲେ।
ଜଣେ ଗୁରୁ ତାଙ୍କ ଚାରିଜଣ ଶିଷ୍ୟଙ୍କୁ ଡାକି ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ କଦଳୀ ଦେଇ କହିଲେ, ‘‘ଏ କଦଳୀକୁ ଏମିତି ଜାଗାରେ ଖାଇବ, ଯେମିତି କେହି ଦେଖିପାରିବେନି। ମତେ କାଲି ଆସି ଏ ବିଷୟରେ ଜଣାଇବ ଠିକ୍ ଏଇ ସମୟରେ।’’
ତହିଁ ଆରଦିନ ଚାରିଜଣ ଶିଷ୍ୟ ଗୁରୁଙ୍କ ପାଖରେ ପହଞ୍ଚିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଶିଷ୍ୟ କଦଳୀଟିକୁ ଗୁରୁଙ୍କୁ ଫେରାଇ ଦେଇ କହିଲା, ‘‘ମୁଁ ଏଇଟିକୁ କେହି ନ ଦେଖିବା ଜାଗାରେ ଖାଇପାରିଲିନି, କାରଣ ମୁଁ ଚେଷ୍ଟା କଲେ ବି କେହି ନ ଥିବା ଜାଗାଟିଏ ପାଇଲିନି।’’
ଗୁରୁ ଅନ୍ୟ ତିନି ଜଣଙ୍କୁ ସେମାନେ କେଉଁଠାରେ କଦଳୀ ଖାଇଲେ ବୋଲି ପଚାରିଲେ। ଜଣେ କହିଲା, ‘‘ମୁଁ ରାତି ଦୁଇଟା ବେଳେ ସମସ୍ତେ ଶୋଇପଡ଼ିବା ପରେ କଦଳୀଟି ଖାଇଦେଲି।’’ ଆଉ ଜଣେ କହିଲା, ‘‘ମୁଁ ନଦୀରେ ସ୍ନାନ କଲାବେଳେ ପାଣି ଭିତରେ ବୁଡ଼ିବୁଡ଼ି କଦଳୀଟି ଖାଇଦେଲି।’’ ତୃତୀୟ ଶିଷ୍ୟଟି କହିଲା, ‘‘ମୁଁ ଶୌଚାଳୟ ଭିତରେ କବାଟ ବନ୍ଦ କରିଥିବା ଅବସ୍ଥାରେ କଦଳୀଟି ଖାଇଦେଲି।’’
ଏଥର ଗୁରୁ ଚତୁର୍ଥ ଶିଷ୍ୟକୁ ଚାହିଁ ସେ କାହିଁକି ଅନ୍ୟ ଗୁରୁଭାଇଙ୍କ ଭଳି କଦଳୀଟି ଖାଇପାରିଲାନି ବୋଲି ପଚାରିବାରୁ ଉତ୍ତର ପାଇଲେ, ‘‘ଗୁରୁଦେବ, ମୁଁ ମଧ୍ୟ ଏକାନ୍ତ ଜାଗାଟିଏ ପାଇବାକୁ ଚେଷ୍ଟା କଲି। ମାତ୍ର ଯେଉଁଠାକୁ ଗଲି, ଦେଖିଲି ଭଗବାନଙ୍କର ଓ ଆପଣଙ୍କର ଚାରି ଚାରିଟା ଆଖି ମତେ ଲକ୍ଷ୍ୟ କରି ଚାହିଁଛି। ଗୋଟିଏ ଜାଗା ବି ପାଇଲିନି ଯେଉଁଠାରେ ଗୁରୁ ଓ ଗୋବିନ୍ଦ ନାହାନ୍ତି। ତେଣୁ ଆପଣଙ୍କ ସର୍ତ୍ତ ଅନୁଯାୟୀ ଜାଗାଟିଏ ନ ପାଇବାରୁ ମୁଁ କଦଳୀଟିକୁ ଖାଇପାରିଲିନି।’’
ଗୁରୁଦେବ ଶିଷ୍ୟଟିକୁ କୁଣ୍ଢାଇପକାଇ କହିଲେ, ‘‘ଏ ହେଉଛି ମୋର ସଚ୍ଚା ଶିଷ୍ୟ। କାରଣ ସବୁଠାରେ ଭଗବାନଙ୍କୁ ଦେଖିବା ଓ ଭଗବାନଙ୍କ ଭିତରେ ସବୁକିଛି ଦେଖିବା କେବଳ ସଚ୍ଚା ଶିଷ୍ୟ ପକ୍ଷରେ ସମ୍ଭବ ହୋଇଥାଏ।’’ ଗଳ୍ପଟି କହିସାରି ସାଧୁ କହିଲେ, ‘‘ପ୍ରକୃତରେ ଭଗବାନଙ୍କ ଦୃଷ୍ଟିକୁ ଏଡ଼ାଇ ଦେଇ ତୁମେ କିଛି କରିପାରିବନି। ତାଙ୍କୁ ଫାଙ୍କି ଦେବାକୁ ଚେଷ୍ଟା କରିବା ଅର୍ଥ ନିଜକୁ ନିଜେ ଠକିବା”।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍ଭାସ୍ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)














