ରବୀନ୍ଦ୍ର ନାରାୟଣ ମିଶ୍ର

“ହେ ବୁଢ଼ା। ଭଗବାନ ତୁମକୁ ଦି ହାତ ଆଉ ଦି ଗୋଡ଼ ଦେଇଛନ୍ତି। ତଥାପି ତୁମେ ହାତ ପତାଇ ୟାକୁ ତା’କୁ କାହିଁକି ମାଗି ଚାଲିଛ। ପରିଶ୍ରମ କର, ଝାଳବୁହା ଧନରେ ରୋଜଗାର କରି ସେଥିରେ ରୋଟି କିଣି ଖାଅ। ପରିଶ୍ରମୀ ଲୋକ ଭିକ ପାଇଁ କାହାକୁ ହାତ ପତାଏ ନାହିଁ କି ଦୁଆର ଦୁଆର ଭିକ ମାଗି ବୁଲେ ନାହିଁ।”

ସେତେବେଳକୁ ସନ୍ଧ୍ୟା ନଇଁ ଆସୁଥାଏ। ନଈ ଆରପାରିରୁ ସଞ୍ଜବତି ଦେଖାଦେଲାଣି, ଆଳତି ଘଣ୍ଟି ଦେବାଳୟରୁ ଶୁଭିଲାଣି। ବୁଡ଼ି ଯାଇଥିବା ସୂର୍ଯ୍ୟଙ୍କର ନାଲିକିରଣର ଛଟା ପଶ୍ଚିମ ଦିଗନ୍ତରୁ ଲିଭିଲିଭି ଆସୁଥାଏ। ବୁଡ଼ି ଯାଇଥିବା ସୂର୍ଯ୍ୟଙ୍କର ନାଲିକିରଣର ଛଟା ପଶ୍ଚିମ ଦିଗନ୍ତରୁ ଲିଭିଲିଭି ଆସୁଥାଏ। ଚାରିପଟୁ କୋହଲା ପବନ ବହିବାକୁ ଆରମ୍ଭ କରିଦେଇଥାଏ।

ନଈକୂଳରେ ବସିଥିବା ପିଲାଟିର ମନ କୁଆଡ଼େ ହଜିଯାଇଥାଏ। ଧ୍ୟାନସ୍ଥ ହୋଇଯାଇଥାଏ ସେ ଉପର ଆକାଶକୁ ଚାହିଁ। ହଠାତ୍‌ ପଛରୁ ତା’ ନାଁ  ଧରି କିଏ ଡାକିଲା। ପିଲାଟି ଚମକି ପଡ଼ି ପଛକୁ ଚାହିଁଲା। ଭଉଣୀ କହୁଛି, “ଭାଇ, ସଞ୍ଜ ହୋଇଗଲାଣି। ଭାରି ଥଣ୍ଡା ପବନ ବହିଲାଣି। ମା’ ତୋ ପାଇଁ ଏ ପଶମ ଶାଲ୍‌ଟି ପଠେଇଛି, ଘୋଡ଼େଇ ହୋଇ ଘରକୁ ଚାଲ ଫେରିଯିବା। ମା’ ତତେ ଚାହିଁଛି।”

ପିଲାଟି ଶାଲ୍‌ଟିକୁ ଘୋଡ଼େଇ ହୋଇପଡ଼ିଲା। ଭାଇ ଭଉଣୀ ଘରମୁହାଁ ହେଲେ। ବାଟରେ ଭିକାରିଟିଏ ଦେଖାହେଲା। ତା’ ଛିଣ୍ଡା ଲୁଗା ଶୀତର ମୁକାବିଲା କରି ପାରୁ ନଥିଲା। କାଲୁଆ ଶୀତରେ ଗୋଟାପଣ ଥରିଥରି ସେ ହାତ ପତାଇ ଭାଇଭଉଣୀଙ୍କୁ କିଛି ମାଗିଲା। ପିଲାଟି ତା’ ବିକଳ ସହି ନ ପାରି ମା’ ଦେଇଥିବା ଶାଲ୍‌ଟିକୁ ନିଜ ଦେହରୁ କାଢ଼ି ତା’ ହାତକୁ ବଢ଼େଇ ଦେବାମାତ୍ରେ ସେ ଶାଲ୍‌ଟିକୁ ଘୋଡ଼େଇ ହୋଇପଡ଼ିଲା ଓ ଶୀତରୁ ରକ୍ଷା ପାଇବା ଯୋଗୁଁ ପିଲାଟି ଉପରେ ଆଶୀର୍ବାଦ ବର୍ଷା କରିବାରେ ଲାଗିଲା।

ପିଲାଟି ଏଥର ସେଇ ଭିକାରିକୁ କହିଲା, “ହେ ବୁଢ଼ା। ଭଗବାନ ତୁମକୁ ଦି ହାତ ଆଉ ଦି ଗୋଡ଼ ଦେଇଛନ୍ତି। ତଥାପି ତୁମେ ହାତ ପତାଇ ୟାକୁ ତା’କୁ କାହିଁକି ମାଗି ଚାଲିଛ। ପରିଶ୍ରମ କର, ଝାଳବୁହା ଧନରେ ରୋଜଗାର କରି ସେଥିରେ ରୋଟି କିଣି ଖାଅ। ପରିଶ୍ରମୀ ଲୋକ ଭିକ ପାଇଁ କାହାକୁ ହାତ ପତାଏ ନାହିଁ କି ଦୁଆର ଦୁଆର ଭିକ ମାଗି ବୁଲେ ନାହିଁ।”

ପିଲାଟିର କଥା ବୁଢ଼ାଟି ମନକୁ ଏମିତି ପାଇଗଲା ଯେ ସେଇ ଦିନଠୁଁ ସେ ଭିକ ମାଗିବା ବନ୍ଦ କରିଦେଇ ମୂଲ ଲାଗି ରୋଜଗାର କରିବାକୁ ଲାଗିଲା।

ଏ ପିଲାଟିର ଗୁଣଗରିମା ଚାରିଆଡ଼େ ବ୍ୟାପିଗଲା। ଶତମୁଖରେ ତା’ ପ୍ରଶଂସା ଶୁଣିବାକୁ ମିଳିଲା। ପରେ ସେ ଯେଉଁ ଧର୍ମ ପ୍ରଚାର କଲା, ସେ ଧର୍ମ ମଧ୍ୟ ଅଳସୁଆଙ୍କୁ ଘୃଣା କରୁଥିଲା। ସେ ଧର୍ମରେ ବିଶ୍ୱାସ କରିବା ଲୋକେ ବି ଅଳସୁଆ ନ ଥିଲେ। ସେମାନଙ୍କ କଠିନ ପରିଶ୍ରମ ଯୋଗୁଁ ତାଙ୍କ ଜନ୍ମମାଟି ସମୃଦ୍ଧ ହୋଇଉଠିଲା। ଜାଣନ୍ତି ଏ ପିଲାଟି କିଏ?  ବଡ଼ ହୋଇ ଏଇ ପିଲା ଶିଖ୍‌ଧର୍ମ ପ୍ରବର୍ତ୍ତକ ଗୁରୁ ନାନକ ଭାବରେ ବିଶ୍ୱବନ୍ଦିତ ହୋଇଉଠିଥିଲେ।

ଶିଖ୍‌ମାନେ ଏବେ ବି କହନ୍ତି – “ମେହନତ୍‌ କର୍‌କେ ରୋଟି ଖାଓ, ନହିଁ ତୋ ଜେଲ୍‌ ଚଲେଯାଓ”।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍‌ଭାସ୍‌ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)

Comment