ରବୀନ୍ଦ୍ର ନାରାୟଣ ମିଶ୍ର

ସେ ଅଧୈର୍ଯ୍ୟ ହୋଇ କହି ଉଠିଲେ, ‘‘ଓହୋ। ଏତେ ଡେରି କ’ଣ କରୁଛ। କହିଦିଅ – ଆପଣ ବାହାରେ ଭଲ, ଭିତରେ ଭଲ।’’
ସେ ଥିଲେ ଏ ଲେଖକର ହାକିମ। ତାଙ୍କ ସ୍ୱଭାବ ହେଲା ଅଫିସ୍ରେ କାର୍ଯ୍ୟରତ ସମୟରେ ମୁହଁକୁ ଅଥାରହାଣ୍ଡି କରି ନ ରଖି ତଳ ଉପର ସବୁ କର୍ମଚାରୀଙ୍କ ସାଙ୍ଗରେ ହସହସ ହୋଇ କଥାବାର୍ତ୍ତା କରିବା ଓ ଏକ ହସଖୁସିର ବାତାବରଣ ସୃଷ୍ଟି କରିବା। ଦିନକର ଘଟଣା ଲେଖୁଛି।
ସକାଳୁ ସକାଳୁ ସେ ଏ ଲେଖକକୁ ଡକାଇ କହିଲେ – ଶୁଣ, ଏ ସଂସାରରେ ଚାରି ପ୍ରକାର ଲୋକ ଅଛନ୍ତି। ପ୍ରଥମ ପ୍ରକାର ବାହାରେ ଭଲ, ଭିତରେ ଖରାପ। ଆଉ ଦଳେ ବାହାରେ ଖରାପ, ଭିତରେ ଭଲ। ତୃତୀୟ ଶ୍ରେଣୀର ଲୋକ ବାହାରେ ଖରାପ, ଭିତରେ ଖରାପ ଓ ଚତୁର୍ଥ ଶ୍ରେଣୀୟ ଲୋକ ହେଲେ ବାହାରେ ଭଲ, ଭିତରେ ବି ଭଲ।
ବେଶ୍, ଏତିକି କହିସାରି ସେ ମୋ ମନଯୋଗପଣିଆ ପରୀକ୍ଷା କରିବାକୁ କହିଲେ, ହଁ, କୁହ କ’ଣ କ’ଣ ଚାରି ପ୍ରକାରର? ମୁଁ ଟିକେ ମଝିରୁ ଆରମ୍ଭ କଲି, ବାହାରେ ଖରାପ, ଭିତରେ ଭଲ।
ସେ ବିରକ୍ତ ହୋଇ ଉଠି କହିଲେ, ଓଃ। ନକାରାତ୍ମକ ନ ହୋଇ, ସକାରାତ୍ମକରୁ ଆରମ୍ଭ କର – ବାହାରେ ଭଲ, ଭିତରେ ଖରାପ…। ହଁ ଏଥର କୁହ। ଡରି ଡରି ତାଙ୍କୁ କହିଚାଲିଲି। ଯାହା ହେଉ, ଉତ୍ତରରେ ସନ୍ତୁଷ୍ଟ ହୋଇ ସେ କହିଲେ, ଅଫିସ୍ର ସମସ୍ତଙ୍କୁ ଡାକି ମୁଁ ଯେମିତି କ୍ରମରେ କହିଛି କୁହ।
ସମସ୍ତଙ୍କୁ ଡକାହେଲା। ପୂର୍ବାପର ପ୍ରସଙ୍ଗ ସୂଚନା ଦେଇ ଚାରି ପ୍ରକାରର ବର୍ଣ୍ଣନା ଦିଆଗଲା କ୍ରମାନୁସାରେ। ତା’ପରେ ସେ ପରୀକ୍ଷା କଲେ। ପରୀକ୍ଷାରେ ଯେଉଁମାନେ ଫେଲ୍ ହେଲେ, ସେମାନଙ୍କ ଉପରେ ଚେରାପୁଞ୍ଜି ଗାଳିବର୍ଷା ହେଲା।
ବହୁ କଷ୍ଟରେ ସମସ୍ତଙ୍କୁ ପୁଣି ଥରେ କୁହାଯାଇ ଲେଖେଇ ଦିଆଗଲା। ତା’ ସହିତ ସେମାନଙ୍କୁ ହାକିମ୍ ବୁଝାଇ ଦେଲେ କିପରି ଏ ଚାରି ଶ୍ରେଣୀର ଲୋକଙ୍କ ସାଙ୍ଗରେ କାରବାର କରିବ। ସେତେବେଳକୁ ସାରା ଅଫିସ୍ ଜମା ହୋଇଗଲେଣି ତାଙ୍କ ଆଗରେ।
ସେ ଏଥର ବଜ୍ରଗମ୍ଭୀର ସ୍ୱରରେ ପ୍ରଶ୍ନ କଲେ, ‘‘ଆଚ୍ଛା ସମସ୍ତେ ଭଲକରି ବୁଝିପାରିଲ ତ ଚାରି ପ୍ରକାର ଲୋକଙ୍କ କଥା?’’ ଆମେ ସବୁ ହଁ କହିଲୁ। ସେ ପଚାରିଲେ, ‘‘ତା’ ହେଲେ ଏଥର କୁହ, ମୁଁ କେଉଁ ଶ୍ରେଣୀରେ ଯିବି?’’ ଆମ ସମସ୍ତଙ୍କ ପାଟି ଆଫୁଆଫୁ ହୋଇଗଲା। ସମସ୍ତେ ସମସ୍ତଙ୍କ ମୁହଁକୁ ଚାହିଁଲୁ। ସେ ଅଧୈର୍ଯ୍ୟ ହୋଇ କହି ଉଠିଲେ, ‘‘ଓହୋ। ଏତେ ଡେରି କ’ଣ କରୁଛ। କହିଦିଅ – ଆପଣ ବାହାରେ ଭଲ, ଭିତରେ ଭଲ।’’
ହସିହସି ସମସ୍ତେ ବିଦାୟ ନେଲୁ ସେ ଦୃଶ୍ୟରୁ।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍ଭାସ୍ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)














