ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ। କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି ଉପରେ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାରିଛନ୍ତି ମୋହର।

ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ଦେବା ଅଧ୍ୟାଦେଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ମୋହର ମାରିଛନ୍ତି। ରାଷ୍ଟ୍ରପତି ମୋହର ମାରିବା ପରେ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି। ଫଳରେ ଦୁଷ୍କର୍ମ ଉପରେ ନୂଆ ନିୟମ ଆସିବ ଏବଂ ପକ୍ସୋ ଆକ୍ଟରେ ସଂଶୋଧନ ହେବ।

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଅଢ଼େଇ ଘଣ୍ଟା ଧରି କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠକରେ ଶଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା।

ନୂଆ ନିୟମ ଅନୁସାରେ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରିବା ପାଇଁ ଦେଶରେ ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ। ଫୋରେନସିକ୍ ଯାଞ୍ଚ ସହିତ ଦୁଷ୍କର୍ମକାରୀଙ୍କ ବିରୋଧରେ ସମସ୍ତ ପ୍ରମାଣପତ୍ର ଏକାଠି କରାଯିବ। ୧୦ ମାସ ଭିତରେ ମାମଲାର ବିଚାର କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିପରି ୧୬ ବର୍ଷରୁ ଅଧିକ ବୟସର ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ସର୍ବନିମ୍ନ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ପାଇଁ ନିୟମ ଆସୁଛି। ଅପରାଧିକ ଆଇନ୍ ସଂଶୋଧନ ଅଧ୍ୟାଦେଶ ୨୦୧୮କୁ ସଂଶୋଧନ କରାଯିବ। ୨୦୧୨ ନିର୍ଭୟା ଦୁଷ୍କର୍ମ ଏବହ ହତ୍ୟାକାଣ୍ଡ ବେଳେ ଏହି ଆଇନର ସଂଶୋଧନ କରାଯାଇଥିଲା। ଅଭିଯୁକ୍ତଙ୍କୁ ଅତି କମ୍‌ରେ ୭ ବର୍ଷ ଜେଲ ଦଣ୍ଡାଦେଶ ଦେବା ପାଇଁ ଆଇନ୍‌ରେ ଉଲ୍ଲେଖ ରହିଥିଲା।

ଜମ୍ମୁ-କାଶ୍ମୀରର କଠୁଆ ଏବଂ ଗୁଜୁରାଟର ସୁରତରେ ଘଟିଥିବା ନାବାଳିକା ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡକୁ ଦୃଷ୍ଟିରେ ରଖି ପୁଣି ଅପରାଧିକ ଆଇନରେ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

୧୨ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁଦଣ୍ଡ ପାଇଁ ପୋକ୍ସୋ ଆଇନରେ ବ୍ୟବସ୍ଥା କରାଯିବ ବୋଲି ଶୁକ୍ରବାରଦିନ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ଅତିରିକ୍ତ ସଲିସିଟର ଜେନେରାଲ ପିଏସ ନରସିଂହା ଏନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଅବଗତ କରାଇଥିଲେ।

କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ଉପସଚିବଙ୍କର ଏକ ଚିଠି ମଧ୍ୟ ସେ କୋର୍ଟରେ ଉପସ୍ଥାପନ କରିଥିଲେ। ପୋକ୍ସୋ ଆଇନ-୨୦୧୨ରେ ସଂଶୋଧନ ଆଣି ଶିଶୁଙ୍କ ବିରୋଧରେ ଦୁଷ୍କର୍ମ ଭଳି ଜଘନ୍ୟ ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ପାଇଁ ମନ୍ତ୍ରାଳୟ ପ୍ରସ୍ତାବ ଦେଇଥିଲା।

କଠୁଆରେ ଆଠ ବର୍ଷୀୟ ନାବାଳିକା ସହ ବଳାତ୍କାର ଓ ତା’ପରେ ହତ୍ୟା କରାଯିବା ଘଟଣାରେ ଦୋଷୀକୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହୋଇଛି। ଏଭଳି ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯିବା ଦରକାର ସାରା ଦେଶରେ ଦାବି ଜୋର ଧରିଥିଲା।

Comment