ରବୀନ୍ଦ୍ର ନାରାୟଣ ମିଶ୍ର

ଆମ ଓଡ଼ିଆରେ କଥାଟିଏ ଅଛି – ଯେସାକୁ ତେସା। ଠିକଣା ଲୋକ ସାଙ୍ଗରେ ଠିକଣା ବ୍ୟବହାର କରିବାକୁ ଏଇ ଉକ୍ତିଟି ଆମକୁ ପରାମର୍ଶ ଦେଇଥାଏ।
ଆମ ଓଡ଼ିଆରେ କଥାଟିଏ ଅଛି – ଯେସାକୁ ତେସା। ଠିକଣା ଲୋକ ସାଙ୍ଗରେ ଠିକଣା ବ୍ୟବହାର କରିବାକୁ ଏଇ ଉକ୍ତିଟି ଆମକୁ ପରାମର୍ଶ ଦେଇଥାଏ।
ପ୍ରଖ୍ୟାତ ଲେଖକ ମାର୍କ ଟ୍ଵେନଙ୍କ ଜୀବନର ଏ କଥାଟି। ଟ୍ଵେନଙ୍କର ଜଣେ ପୁସ୍ତକପ୍ରେମୀ ପଡୋଶୀ ଥିଲେ। ନିଜ ଘରେ ସେ ଗୋଟିଏ ସୁନ୍ଦର ପାଠାଗାର ସ୍ଥାପନ କରିଥିଲେ। ମାତ୍ର ପଡୋଶୀଙ୍କଠାରେ ଟିକିଏ ବି ବନ୍ଧୁଭାବ ନ ଥିଲା। ନିଜକୁ ସେ କେବଳ ତାଙ୍କ ପୁସ୍ତକରେ ସୀମାବଦ୍ଧ ରଖିଥିଲେ ଏବଂ ଅନେକ ଦୃଷ୍ଟିରୁ ନିଜକୁ ସଂସାରଛଡ଼ା କରିଥିଲେ।
ଥରେ ସେଇ ସଂସାରଛଡ଼ା ପୁସ୍ତକପ୍ରେମୀଙ୍କୁ ମାର୍କ ଟ୍ଵେନ୍ ତାଙ୍କ ପାଠାଗାରରେ ଥିବା ବହିଟିଏ ମାଗିଲେ ପଢ଼ିସାରିବା ପରେ ଫେରାଇଦେବା ସର୍ତ୍ତରେ।
ପଡୋଶୀ ତାଙ୍କୁ ଉତ୍ତର ଦେଲେ- ଆପଣ ମୋ ପାଠାଗାର ବହିଟିର ସଦବ୍ୟବହାର କରିପାରନ୍ତି। ମାତ୍ର ମୁଁ ଆପଣଙ୍କୁ ମୋ ପାଠାଗାର ବାହାରକୁ ବହିଟିକୁ ଦେଇପାରିବି ନାହିଁ।
ପଡୋଶୀଙ୍କର ଏତାଦୃଶ ଅସୌଜନ୍ୟ ବ୍ୟବହାର ମାର୍କ ଟ୍ଵେନଙ୍କୁ ଦାରୁଣ ଆଘାତ ଦେଲା। ପଡ଼ିଶାଙ୍କ ପାଠାଗାରକୁ ଯାଇ ସେଠାରେ ହିଁ ତାଙ୍କୁ ବହିଟି ପଢ଼ିବାକୁ ପଡ଼ିଲା। ମାତ୍ର ଠିକଣା ବେଳେ ପଡ଼ିଶାଙ୍କୁ ଠିକଣା ଜବାବ ଦେବା ପାଇଁ ସେ ଅପେକ୍ଷା କରିରହିଲେ।
ଠିକଣା ଜବାବ ଦେବାର ବେଳ ଅବିଳମ୍ବେ ଆସି ପହଞ୍ଚିଗଲା। ଦିନେ ସେଇ ପୁସ୍ତକପ୍ରେମୀ ପଡୋଶୀ ମାର୍କ ଟ୍ଵେନଙ୍କ ପାଖକୁ ଆସି କହିଲେ, “ଆପଣଙ୍କ ଘାସକଟା ଯନ୍ତ୍ରଟିକୁ ମୋତେ ମୋ ଘରଘାସ ବଗିଚାକୁ ସମତଳ କରିବାକୁ ଟିକେ ଦେଇପାରିବେ କି?”
ସାଙ୍ଗେ ସାଙ୍ଗେ ହାସ୍ୟରସିକ ଲେଖକ ମାର୍କ ଟ୍ଵେନ ତାଙ୍କୁ ଉତ୍ତର ଦେଲେ, “ହଁ, ହଁ, ନିଶ୍ଚୟ ଦେଇପାରିବି। ମାତ୍ର ଆପଣ ସେଇ ଘାସକଟା ଯନ୍ତ୍ରଟିକୁ ମୋ ଘରର ଘାସ ବଗିଚାରେ ବ୍ୟବହାର କରିବେ।”
ପୁସ୍ତକପ୍ରେମୀ ଅଥଚ ବନ୍ଧୁଭାବହୀନ ପଡୋଶୀଙ୍କ ମୁହଁଟି ମାର୍କ ଟ୍ଵେନଙ୍କ ଉତ୍ତର ଶୁଣି ଆମ୍ବିଳା ହୋଇଗଲା। ଯେସାକୁ ତେସା…।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍ଭାସ୍ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)














