ରବୀନ୍ଦ୍ର ନାରାୟଣ ମିଶ୍ର

‘‘ଟିକେ ବେଶି ପଇସା ପଛେ ଯାଉ, ସେଇ ବେଶି ପଇସାରେ ଭଲ ଜିନିଷଟିଏ କିଣିଲେ ତୁମେ ଥରେ କାନ୍ଦିବ। ଯଦି ଅଳ୍ପ ପଇସାରେ ଖରାପ ଜିନିଷଟିଏ କିଣିବ, ତେବେ ଜୀବନସାରା କାନ୍ଦୁଥିବ।’’

ଜଣେ ଥରେ କହିଥିଲେ, ‘‘ଟିକେ ବେଶି ପଇସା ପଛେ ଯାଉ, ସେଇ ବେଶି ପଇସାରେ ଭଲ ଜିନିଷଟିଏ କିଣିଲେ ତୁମେ ଥରେ କାନ୍ଦିବ। ଯଦି ଅଳ୍ପ ପଇସାରେ ଖରାପ ଜିନିଷଟିଏ କିଣିବ, ତେବେ ଜୀବନସାରା କାନ୍ଦୁଥିବ।’’ ଏହାର ଅର୍ଥ ପଇସା ବିଷୟରେ ଜାକିଜୁକି ହୋଇ ଯଦି ଖରାପ ଜିନିଷଟିଏ କିଣିବ, ସେ ବହୁତ ଥର ଖରାପ ହେବ ଏବଂ ତା’କୁ ସଜାଡ଼ିବାକୁ ତୁମେ ବହୁତ ଖର୍ଚ୍ଚାନ୍ତ ହେବ, ଅଧିକ ଥର କାନ୍ଦିବ। ୟାକୁ କହନ୍ତି ଶସ୍ତାରୁ ହିନସ୍ତା।

ପରମହଂସ ରାମକୃଷ୍ଣ ବେଳେବେଳେ ମଜାମଜା ହସକଥା କହୁଥିଲେ। ତାଙ୍କ ମତରେ ଯେମିତି ଖାଦ୍ୟକୁ ଜମେଇ କରି ଖାଇବା ପାଇଁ ଟିକିଏ ଆଚାର ଦରକାର ହୋଇଥାଏ, ସେମିତି ଆଧ୍ୟାତ୍ମିକ ତତ୍ତ୍ୱରୂପକ ଖାଦ୍ୟକୁ ଉପଭୋଗ କରିବା ପାଇଁ ଟିକେ ହସ, ପରିହାସ, ତଥା ବ୍ୟଙ୍ଗର ଆବଶ୍ୟକତା ରହିଥାଏ।

ମଜାକଥା କହି ପରିବେଶକୁ ଟିକିଏ ହାଲୁକା କରିଦେବା ପରେ ସେ ତାଙ୍କୁ ଗଭୀର ତତ୍ତ୍ୱ ଆଡ଼କୁ ବାଟ କଢ଼େଇ ନେଉଥିଲେ ବା ସେଇ ଥଟ୍ଟା, ପରିହାସ, ବ୍ୟଙ୍ଗ ମାଧ୍ୟମରେ ଜଟିଳ ଆଧ୍ୟାତ୍ମିକ ତତ୍ତ୍ୱକୁ ସରଳ ଭାବରେ ଉପସ୍ଥାପନ କରୁଥିଲେ।

ପରମହଂସ ସାଧାରଣତଃ ଘୋଡ଼ାଗାଡ଼ିରେ ଦକ୍ଷିଣେଶ୍ୱରରୁ କଲିକତା ଯାଆନ୍ତି। ଏଇ ଯିବାଆସିବା ଓ କଲିକତାରେ ବୁଲାବୁଲି କରିବା ପାଇଁ ଗାଡ଼ି ଭଡ଼ା ତିନି ଟଙ୍କା ଦୁଇଅଣା ପଡ଼େ। ଦିନେ ପରମହଂସଙ୍କ ଶିଷ୍ୟ ବଳରାମ କଲିକତାରୁ ଦକ୍ଷିଣେଶ୍ୱର ଫେରିବା ପାଇଁ ଟଙ୍କାଏ ଚାରିଅଣାରେ ଗୋଟିଏ ଘୋଡ଼ାଗାଡ଼ି ଠିକ୍‌ କରିଦେଲେ।

ରାମକୃଷ୍ଣ ତାଙ୍କୁ ପଚାରିଲେ, ‘‘ଗାଡ଼ି ଭଡ଼ା ଏତେ କମ୍‌ ହେଲା କେମିତି?’’ ବଳରାମ କହିଲେ, ‘‘ମୁଁ ୟାକୁ ଶସ୍ତାରେ ଯୋଗାଡ଼ କରିଛି।’’

ଦକ୍ଷିଣେଶ୍ୱର ଫେରିବା ବାଟରେ ଘୋଡ଼ାଗାଡ଼ିର ଗୋଟିଏ ଚକ ହୁଗୁଳି ପଡ଼ି ଭାଙ୍ଗିଗଲା। ପରମହଂସ ଅଗତ୍ୟା ବାଟରେ ପଡ଼ିରହିଲେ। ସେହି ସମୟରେ ଦକ୍ଷିଣେଶ୍ୱର ମଠର ପ୍ରତିଷ୍ଠାତ୍ରୀ ରାସମଣିଙ୍କ ଜୋଇଁ ମଥୁରାବାବୁଙ୍କ ପୁଅ ତା’ ସୌଖୀନିଆ ଘୋଡ଼ାଗାଡ଼ିରେ ସେଇ ବାଟଦେଇ ଗଲା। ପରମହଂସ ତା’କୁ ଦେଖି ଲାଜରେ ତାଙ୍କ ଚାଦରରେ ନିଜ ମୁହଁକୁ ଲୁଚାଇଦେଲେ।

ପରବର୍ତ୍ତୀ ସମୟରେ ସେ ଶିଷ୍ୟ ଭକ୍ତମାନଙ୍କ ଆଗରେ ବଳରାମଙ୍କ କୃପଣପଣିଆ ଓ ସେଇ ଦିନର ଦୁର୍ଘଟଣା କଥା କହି ଶସ୍ତାରୁ କେମିତି ହିନସ୍ତା ଭୋଗିବାକୁ ପଡ଼େ ସେକଥା ବୁଝାଇଦେଇ ନିଜେ ହସିହସି ସମସ୍ତଙ୍କୁ ହସାଇ ହସାଇ ଗଡ଼ାଇ ଦେଇଥିଲେ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍‌ଭାସ୍‌ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)

Comment