ରବୀନ୍ଦ୍ର ନାରାୟଣ ମିଶ୍ର

ସ୍ତ୍ରୀ କାନଫଟା ସ୍ୱରରେ ଚିତ୍କାର କରି ଉଠିଲେ, ‘‘ଆମ ଭାରତ ଜିତିଗଲା… ଆମ ଭାରତ ଜିତିଗଲା।’’ ଏତିକିବେଳେ ରୋଷେଇ ଘରୁ ତରକାରି ପୋଡ଼ିଯିବାର ବାସ୍‌ନା ଛୁଟିଆସିଲା। ରୋଷେଇ ଘର ଆଡ଼କୁ ଛୁଟି ଯାଉଯାଉ ଶ୍ରୀମତୀ ପାଟି କରି ଉଠିଲେ, ‘‘ଏ ମା’। ମୋ ତରକାରି ପୋଡ଼ିଗଲା… ପୋଡ଼ିଯାଉ ଏ କ୍ରିକେଟ୍‌… ନିଆଁ ଲାଗିଯାଉ ଏ କ୍ରିକେଟ୍‌…।’’

ଏ ଲେଖକ ସମେତ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ କ୍ରିକେଟ୍‌ ନିଶା ସମସ୍ତଙ୍କୁ ଘାରିଥାଏ। କ୍ରିକେଟ୍‌ ନିଶା ବିଷୟରେ ନିଜର ଏକ ନିଛକ ଅଭିଜ୍ଞତା ବଖାଣୁଛି।

ପ୍ରାୟ ତିରିଶ ବର୍ଷ ତଳର କଥା। ସେତେବେଳେ ଭାରତମାଟିରେ ଟେଲିଭିଜନ ପାଦଦେଇ ନ ଥାଏ। କ୍ରିକେଟ୍‌ ଖେଳର ଧାରାବାହିକ ବିବରଣୀ ଶୁଣିବା ପାଇଁ ରେଡ଼ିଓ ଏକମାତ୍ର ମାଧ୍ୟମ ଥାଏ। ସେତେବେଳେ ଏ ଲେଖକ ଥାଏ ଫୁଲବାଣୀରେ।

ସେଦିନ ଛୁଟି ଥିବାରୁ ଲେଖକ ଘରେ ଥାଇ କାନ ମାଡ଼ିଥାଏ ରେଡ଼ିଓରୁ ଭାରତ ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌ର ଧାରା ବିବରଣୀ ଶୁଣିବାକୁ।

ଏକ ରୋମାଞ୍ଚକର ସ୍ଥିତିରେ ସେଦିନ ଖେଳ ପହଞ୍ଚିଥାଏ। ମାତ୍ର ଆଉ ତେଇଶ ରନ୍‌ ହେଲେ ଭାରତ ଜିତିଯିବ। ଲେଖକର ସ୍ତ୍ରୀ କ୍ରିକେଟ୍‌ ଖେଳର ‘କ’ ଅକ୍ଷର ବୁଝୁ ନ ଥାଏ। ଆଜିଯାଏ ବି ବୁଝୁ ନାହିଁ। ସେଦିନ ହଠାତ୍‌ ଲେଖକ ଉପରେ ଗୃହିଣୀ ପଞ୍ଚମ ହୋଇଉଠିଲେ ଘଣ୍ଟା ଘଣ୍ଟା ଧରି ଆଉ କିଛି କାମ ନ କରି  ରେଡିଓ ପାଖରେ ମୁହଁମାଡ଼ି ବସିଥିବା ଯୋଗୁଁ।

ଲେଖକ ସେଦିନ ଧର୍ମପତ୍ନୀଙ୍କୁ ବୁଝାଇ ଦେଇଥିଲା, ‘‘ଦେଖ, ଏ ଆମ ଦେଶ ଭାରତ ଜିତାପଟ୍‌ ହେବାକୁ ଯାଉଛି। ଜାଣିଛ ଆଉ ତେଇଶ ରନ୍‌ ହେଲେ ଭାରତ ଜିତିଯିବ।’’

ସ୍ତ୍ରୀ ଆଗେଇ ଆସିଲେ ରେଡିଓ ପାଖକୁ। ଲେଖକ ବୁଝାଇଦେଲା କେମିତି ଜିତିବା ଆଡ଼କୁ ଭାରତ ଆଗେଇ ଯାଉଛି। ସ୍ତ୍ରୀଙ୍କ ଉତ୍କଣ୍ଠା ବଢ଼ି ଚାଲିଲା। ସେ ମଧ୍ୟ ରେଡିଓ ପାଖରେ କାନ ଲଗାଇଦେଲେ ରୋଷେଇ ଘରକୁ ଟିକେ ଚାହିଁ ଦେଇ ଆସି। ମୋ ତୁଣ୍ଡରୁ ରେଡ଼ିଓ ସହିତ ତାଳ ଦେଇ ଧାରା ବିବରଣୀ ଚାଲିଥାଏ। ସ୍ତ୍ରୀ ନିଜ ନିଃଶ୍ୱାସ ବନ୍ଦ କରି ଶୁଣିବାରେ ଲାଗିଲେ।

‘‘ସାବାସ୍‌, ପୁଣି ବାଉଣ୍ଡରି ଚାରି ରନ୍‌… ଭାରତ ଜିତିଗଲା।’’ ସ୍ତ୍ରୀ କାନଫଟା ସ୍ୱରରେ ଚିତ୍କାର କରି ଉଠିଲେ, ‘‘ଆମ ଭାରତ ଜିତିଗଲା… ଆମ ଭାରତ ଜିତିଗଲା।’’ ଏତିକିବେଳେ ରୋଷେଇ ଘରୁ ତରକାରି ପୋଡ଼ିଯିବାର ବାସ୍‌ନା ଛୁଟିଆସିଲା। ରୋଷେଇ ଘର ଆଡ଼କୁ ଛୁଟି ଯାଉଯାଉ ଶ୍ରୀମତୀ ପାଟି କରି ଉଠିଲେ, ‘‘ଏ ମା’। ମୋ ତରକାରି ପୋଡ଼ିଗଲା… ପୋଡ଼ିଯାଉ ଏ କ୍ରିକେଟ୍‌… ନିଆଁ ଲାଗିଯାଉ ଏ କ୍ରିକେଟ୍‌…।’’ ଏମିତି କେତେ କ’ଣ ଗାଳି ସେ ବର୍ଷିଯାଉଥାନ୍ତି କ୍ରିକେଟ୍‌ ଉପରେ।

ସେତେବେଳେ ଦିଲ୍ଲୀର ଫିରୋଜଶାହା ଷ୍ଟାଡିଅମ୍‌ରୁ ଦର୍ଶକମାନଙ୍କର ହୋହଲ୍ଲା ରେଡ଼ିଓ ଶ୍ରୋତାମାନଙ୍କର କାନ ଅତଡ଼ା ପକାଇ ଦେଉଥାଏ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍‌ଭାସ୍‌ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)

Comment