ରବୀନ୍ଦ୍ର ନାରାୟଣ ମିଶ୍ର

ସ୍ୱାମୀଜୀ ତାଙ୍କୁ କହିଲେ କି ସେ ମନେରଖିବା ଉଚିତ୍‌ ଯେ ତାଙ୍କ ବିଶାଳ ବିଭବର ମାଲିକ ପ୍ରକୃତରେ ହେଉଛନ୍ତି ପରମେଶ୍ୱର ଏବଂ ସଂସାରର କଲ୍ୟାଣାର୍ଥେ ତାଙ୍କ ମାର୍ଫତରେ ସେ ସବୁ ଧନ ସାଇତି ରଖିଛନ୍ତି।

ସାଧୁସଂସ୍ପର୍ଶ ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇପାରେ, ଜୀବନର ଗତିପଥକୁ ବଦଳେଇ ଦେଇପାରେ। ଆମେରିକାର କୋଟିପତି ଜନ୍‌ ଡି ରକ୍‌ଫେଲର୍‌ଙ୍କ ଜୀବନର ଗତିପଥକୁ ସ୍ୱାମୀ ବିବେକାନନ୍ଦ ଏମିତି ବଦଳେଇ ଦେଇପାରିଥିଲେ।

ବିଭିନ୍ନ ଲୋକ ତାଙ୍କୁ ସ୍ୱାମୀ ବିବେକାନନ୍ଦଙ୍କୁ ଦେଖା କରିବାକୁ କହିଥିଲେ ହେଁ ଆମେରିକାର ଧନକୁବେର ରକ୍‌ଫେଲର୍‌ ସେ ନେଇ ଟିକିଏ ହେଲେ ଆଗ୍ରହ ପ୍ରକାଶ କରୁ ନ ଥିଲେ। ମାତ୍ର ହଠାତ୍‌ ଦିନେ କ’ଣ ତାଙ୍କ ମନକୁ ଆସିଲା କେଜାଣି, ସ୍ୱାମୀଜୀଙ୍କ ଚିକାଗୋ ଅବସ୍ଥାନ ସମୟରେ ସେ ତାଙ୍କ ପାଖରେ ପହଞ୍ଚିଗଲେ।

ଦୁଆର ଖୋଲା ହେବା ମାତ୍ରକେ ସେ ସିଧାସଳଖ ପହଞ୍ଚିଗଲେ ସ୍ୱାମୀଜୀଙ୍କ ପଢ଼ା ଘରେ। କୋଠରିରେ ସ୍ୱାମୀଜୀ ତାଙ୍କ ପଢ଼ାରେ ମଗ୍ନ ଥିଲେ। କିଏ ଆସିଲା ସେ ଆଡ଼କୁ ତାଙ୍କ ନଜର ନ ଥିଲା। କିଛି ସମୟ ଯିବା ପରେ ସ୍ୱାମୀଜୀ ରକ୍‌ଫେଲରଙ୍କ ଆଡ଼କୁ ଚାହିଁଦେଇ ତାଙ୍କ ଜୀବନର ଘଟିଥିବା କେତୋଟି ନିହାତି ଗୋପନୀୟ କଥା କହିଦେଲେ ଯାହା ରକ୍‌ଫେଲର୍‌ଙ୍କ ଛଡ଼ା ଆଉ କାହାକୁ ଜଣା ନ ଥିଲା।

ତା’ ପରେ ପରେ ସ୍ୱାମୀଜୀ ତାଙ୍କୁ କହିଲେ କି ସେ ମନେରଖିବା ଉଚିତ୍‌ ଯେ ତାଙ୍କ ବିଶାଳ ବିଭବର ମାଲିକ ପ୍ରକୃତରେ ହେଉଛନ୍ତି ପରମେଶ୍ୱର ଏବଂ ସଂସାରର କଲ୍ୟାଣାର୍ଥେ ତାଙ୍କ ମାର୍ଫତରେ ସେ ସବୁ ଧନ ସାଇତି ରଖିଛନ୍ତି।

ସ୍ୱାମୀଜୀଙ୍କ ଏ କଥା ଶୁଣୁଶୁଣୁ ରକ୍‌ଫେଲର୍‌ ବିରକ୍ତ ହୋଇ ଭାବିଲେ ଯେ ତାଙ୍କ ଧନସମ୍ପତ୍ତିର କେମିତି ବିନିଯୋଗ କରିବେ ସେ କଥା କହିବା ପାଇଁ ୟେ କିଏ? ସୌଜନ୍ୟ ଦୃଷ୍ଟିରୁ ‘ଯାଉଛି’ ବୋଲି ବି ନ କହି ଝଡ଼ବେଗରେ ସେ ବାହାରି ପଳେଇଆସିଲେ। ମାତ୍ର କ’ଣ ହେଲା କେଜାଣି ସପ୍ତାହକ ପରେ ପୁଣି ଯାଇ ସେମିତି ଝଡ଼ବେଗରେ ସ୍ୱାମୀଜୀଙ୍କ ପଢ଼ାଘରେ ହାଜର ହେଲେ।

ସ୍ୱାମୀଜୀ ସେମିତି ନିବିଷ୍ଟ ଚିତ୍ତରେ ତାଙ୍କ ପଢ଼ା ଟେବୁଲ୍‌ ପାଖରେ ବସିଥାନ୍ତି। ସ୍ୱାମୀଜୀଙ୍କ ଟେବୁଲ୍‌ ଉପରକୁ ସେ ଖଣ୍ଡେ କାଗଜ ଫୋପାଡ଼ି ଦେଲେ। ସେଇ କାଗଜରେ ତାଙ୍କ ବିଶାଳ ଧନରାଶିକୁ ସେ କିପରି ବିଭିନ୍ନ ଲୋକହିତକର ଅନୁଷ୍ଠାନମାନଙ୍କୁ ଦାନ ଦେବାକୁ ଚାହୁଁଛନ୍ତି, ସେ କଥା ଉଲ୍ଲେଖ କରାଯାଇଥିଲା।

କାଗଜଟି ଫୋପାଡ଼ି ଦେଇ ସେ ସ୍ୱାମୀଜୀଙ୍କୁ କହିଲେ, ‘‘ଏଥର ଏଇଟା ଆପଣଙ୍କୁ ସନ୍ତୁଷ୍ଟ କରିଦେବ। ଆପଣ ମତେ ଏଥିପାଇଁ ଧନ୍ୟବାଦ ଦେବା କଥା।’’ ସ୍ୱାମୀଜୀ କାଗଜଟି ଉପରେ ଆଖି ବୁଲାଇ ଆଣି ରକ୍‌ଫେଲର୍‌ଙ୍କ ଆଡ଼କୁ ଟିକିଏ ବି ନ ଚାହିଁ କହିଲେ, ‘‘ଆରେ, ଏଥିପାଇଁ ତ ଆପଣ ମତେ ଧନ୍ୟବାଦ ଦେବା କଥା।’’

ଏଇଟା ଥିଲା ସାଧାରଣଙ୍କ ହିତ ପାଇଁ ରକ୍‌ଫେଲର୍‌ଙ୍କ ପ୍ରଥମ ବିରାଟ ଦାନ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment