ଛନ୍ଦା ମିଶ୍ର

କଳିଯୁଗ ହେଲେ ମଧ୍ୟ ଆଜି ବି କିଛି ଲୋକଙ୍କ ମଧ୍ୟରେ ବିଦ୍ୟମାନ ରହିଛି ମଣିଷପଣିଆ, ଯାହା ସେମାନଙ୍କୁ ସୁକର୍ମ କରିବା ପାଇଁ ଦେଉଛି ପ୍ରେରଣା।

ଭାଇ ଟ୍ରେନରେ ଯାଉଥିଲା ବେଳେ ପକେଟମାର୍ ହୋଇଗଲା। ବ୍ୟସ୍ତ ହୋଇ ଖୋଜାଖୋଜି କଲେ ମାତ୍ର ହେଲେ ନିଷ୍ଫଳ। ତିନିହଜାର ଟଙ୍କା ଥିଲା ପର୍ସର। କିନ୍ତୁ ତା’ସହିତ ସେଥିରେ ଥିବା ଆଇଡେଣ୍ଟିଟି କାର୍ଡ ତଥା ଅନ୍ୟାନ୍ୟ ଜରୁରୀ କାଗଜପତ୍ରଗୁଡ଼ିକ ଥିଲା ଅତ୍ୟନ୍ତ ମୂଲ୍ୟବାନ।

ସାଙ୍ଗମାନଙ୍କ ସହାୟତାରେ ଯଦିଓ ଯାତ୍ରାରେ କୌଣସି ବିଘ୍ନ ଉପୁଜିଲା ନାହିା। ମାତ୍ର ଜରୁରୀ କାଗଜଗୁଡ଼ିକ ପାଇଁ ହେଲେ ଚିନ୍ତିତ। କିନ୍ତୁ ପନ୍ଦର ଦିନ ପରେ ସମସ୍ତ କାଗଜପତ୍ର କୋରିୟରରେ ଆସି ପହଞ୍ଚିଲା ତାଙ୍କ ପାଖରେ, ଯେଉଁଥିରେ ପ୍ରେରକର କୌଣସି ନାଁ ବା ଠିକଣା ନଥିଲା। ଲାଗୁଥିଲା, ଯଦିଓ ବ୍ୟକ୍ତିଟି କୌଣସି ଅସୁବିଧାରେ ପଡ଼ି ହେଉ ବା ପଇସାର ଲୋଭରେ ହେଉ ଚୋରି ପରି କଦର୍ଯ୍ୟ କାମଟିଏ କରିଛି ମାତ୍ର ତା’ ଅନ୍ତର ମଧ୍ୟରେ ଏବେ ମଧ୍ୟ ତା’ ମଧ୍ୟରେ ବିଦ୍ୟମାନ ରହିଛି ଏକ ମଣିଷପଣିଆ, ଯିଏ ତାକୁ ଅନ୍ୟ ଏକ ସୁକର୍ମ କରିବା ପାଇଁ ଦେଇଛି ପ୍ରେରଣା।

ଦିଲ୍ଲୀର ଦୁର୍ଘଟଣା ପରେ ପ୍ରତ୍ୟେକ ସ୍ଥାନରେ ଲୋକେ ଏକାଠି ହୋଇ ଉକ୍ତ କୁକାର୍ଯ୍ୟର ତୀବ୍ର ବିରୋଧ କଲୋ କେହି ମହମବତି ଜାଳି, କେହି ସ୍ଲୋଗାନ ମାନ ଦେଇ, କେହି ବା ନୀରବ ଶୋଭାଯାତ୍ରା କରି ପ୍ରତ୍ୟେକ ଖବରକାଗଜ ତଥା ପତ୍ରପତ୍ରିକାରେ ଲେଖକ ତଥା କବିମାନଙ୍କ ଲେଖନୀ ହୋଇଉଠିଲା ତତ୍ପର ଏହାର ନିନ୍ଦାରୋ ସେଥିମଧ୍ୟରୁ କିଛିଲୋକ କେବଳ ଉପରଠାଉରିଆ, ଲୋକଦେଖାଣିଆ ବିରୋଧ କରୁଥିଲା ବେଳେ କିଛି ପ୍ରକୃତରେ ଉକ୍ତ ଦୁର୍ଘଟଣା ପାଇଁ ହୋଇଥିଲେ ମର୍ମାହତ। ଦେଖି ଲାଗିଲା, ନା ମଣିଷପଣିଆ ସମ୍ପୂର୍ଣ୍ଣ ଲୋପ ପାଇଯାଇନାହିଁ ଏ ଧରାଧାମରୁା ଏବେ ବି କିଛି ଲୋକଙ୍କ ମଧ୍ୟରେ ସେହି ଦିବ୍ୟ ଚେତନା ବଞ୍ଚିରହିଛି।

ପରିବାର ମଧ୍ୟରେ କାହାର ମାନସିକ ଅସନ୍ତୁଳନ ଦେଖାଦେଲେ କେଉଁଠି ରୋଗୀକୁ ହାତଗୋଡ଼ ବାନ୍ଧି ପଶୁ ପରି ରଖାଯାଉଛି ତ କେଉଁଠି ନେଇ ଏପରି ଅପନ୍ତରାରେ ଛାଡ଼ିଦିଆଯାଉଛି, ଯେଉଁଠି ତା’ ପାଇଁ ବଞ୍ଚିବା ହୋଇଯାଉଛି ଏକ ଅଭିଶାପ। ସେହି ସ୍ଥାନରେ ଡାକ୍ତର ସୁଦର୍ଶନଙ୍କ ଉଦ୍ୟମରେ ଗଠିତ କରୁଣା ଟ୍ରଷ୍ଟ ବର୍ଷବର୍ଷ ଧରି ମାନସିକ ଅନଗ୍ରସରମାନଙ୍କୁ ମାଗଣା ସେବା ପ୍ରଦାନ କରିବା ସହିତ ସେମାନଙ୍କୁ ଯୋଗାଉଛି ଏକ ନବଜୀବନ।

ସେହିପରି କୌଣସି ଦୁର୍ଘଟଣାରେ ବା ଆଜନ୍ମ ପଙ୍ଗୁଟିଏକୁ ସକ୍ଷମ କରିବା ପାଇଁ ଦୃଢପରିକର ହୋଇଛନ୍ତି ଜୟପୁରର ତୋଡ଼ରମଲ୍ଲ। ନିଜେ ଅକର୍ମଣ୍ୟ ହୋଇ ମଧ୍ୟ ଭିନ୍ନକ୍ଷମମାନଙ୍କୁ ଯୋଗାଇ ଚାଲିଛନ୍ତି କୃତ୍ରିମ ଗୋଡ଼।

ବରଗଡ଼ର ସୋହେଲାଠାରେ ଜଣେ ଶିକ୍ଷକ ଅବସର ଗ୍ରହଣ ପରେ ନିଜର ସଞ୍ଚିତ ଅର୍ଥରେ ରାସ୍ତାର ଦୁଇପାର୍ଶ୍ୱରେ ଗଛ ଲଗାଇ ତା’ର ଯତ୍ନ ନେବାରେ ଲାଗିଛନ୍ତି। ଏହିପରି ସମଗ୍ର ସମାଜ ପାଇଁ ନିଃସ୍ୱାର୍ଥପର ରୂପେ ନିଜର ସମୟ, ଧନ ତଥା ସେବା ଯୋଗାଇ ଚାଲିଛନ୍ତି ଅନେକ ବ୍ୟକ୍ତି।

କେଉଁଠି ଅବିବାହିତା ନାରୀଟିଏ ଅବାଞ୍ଛିତ ସନ୍ତାନକୁ ଜନ୍ମକରି ଫିଙ୍ଗିଦେଇ ଆସିଲା ବେଳକୁ ଆଉ ଜଣେ ଛୁଆଟିର ଜାତି, କୁଳ ଓ ଗୋତ୍ର କିଛି ନଜାଣି ମଧ୍ୟ ତାକୁ ନିଜର ଅମୃତ ବକ୍ଷରେ ଦେଉଛି ନିର୍ଭୟ ଆଶ୍ରୟ। ଗୋଟାଏ ପଟେ କେହି ଗୁଳିମାରି, ଛୁରିଭୁସି ଜୀବନ ନେଇଯାଉଥିଲା ବେଳେ ଆଉ ବା କେହି ରକ୍ତଦାନ କରି ଅମୂଲ୍ୟ ଜୀବନଟିଏ ବଞ୍ଚାଇବା ସହିତ ମୃତ୍ୟୁବେଳକୁ ନିଜର ଚକ୍ଷୁ, ହୃଦୟ ଓ କିଡ୍‌ନୀ ଆଦି ଅଙ୍ଗଗୁଡିକ ଦାନ କରି ଜୀବନଟିକୁ ସବୁଦିନ ପାଇଁ ଋଣୀ କରିଯାଉଛି।

ତଥାକଥିତ ଶିକ୍ଷିତଟିଏ କଂକ୍ରିଟ ଜଙ୍ଗଲ ପାଇଁ ସବୁଜ ଜଙ୍ଗଲ ପଦା କରିବାରେ ଲାଗିପଡ଼ିଥିଲା ବେଳେ ଗରିବ, ନିରକ୍ଷର ଆଦିବାସୀଟିଏ ନୂଆ ଜଙ୍ଗଲ ତିଆର କରି ଧନୁରେ ତୀର ଯୋଖି ଜଙ୍ଗଲକୁ ଯୋଗାଉଛି ସୁରକ୍ଷା। ବିତ୍ତଶାଳୀଟିଏ ନିଜ କାରଖାନା ପାଇଁ ନଦୀରୁ ଜଳ ଶୋଷି ନେଉଥିଲା ବେଳେ ଗାଁ ଲୋକଙ୍କ ଉଦ୍ୟମରେ ଖୋଳା ହେଉଛି କୂଅ ଓ ପୋଖରୀ। ଜୀବନସାରା ଗାଈ, ବଳଦଙ୍କ ଠାରୁ ଲାଭ ନେଇନେଇ ସେମାନେ ବୁଢା ହୋଇଗଲା ପରେ କିଏ ଘରୁ ତଡିଦେଉଛି ତ ପୁଣି କିଏ ଘର ଦୁଆର ମୁହଁରେ କୁଣ୍ଡଟିଏ ଥୋଇ ବୁଲା ଗୋରୁଙ୍କ ପାଇଁ କୁଣ୍ଡା, ତୋରାଣି ଓ ପରିବା ଚୋପା ଆଦି ଯୋଗାଇଦେଉଛିା

ସରକାରୀ ଉଚ୍ଚ ବେତନଭୋଗୀଟିଏ ଲୋଭର ବଶବର୍ତ୍ତୀ ହୋଇ ଯେଉଁଠି ଲୋକଙ୍କ ଅସହାୟତାର ସୁଯୋଗ ନେଇ ସେମାନଙ୍କଠାରୁ ଟଙ୍କା ହଡ଼ପ କରିନେଉଛି, ସେଇଠି ଗରିବ ବ୍ୟକ୍ତିଟିଏ ଧନସମ୍ପତ୍ତିପୂର୍ଣ୍ଣ ଥଳିଟିଏ ପାଇ ମଧ୍ୟ ନିର୍ଲୋଭର ଉଦାହରଣଟିଏ ପାଲଟିଯାଉଛି। କେହି କଟା ଘାରେ ଲୁଣ ଦେଇ ମଜା ଦେଖୁଥିଲା ବେଳେ ଆଉ କେହି ଆଉଁସି ଦେଇ ମଲମ ଲଗାଇଦେଉଛି।

ଚାରିଯୁଗର ନିୟମ ଅନୁସାରେ ବର୍ତ୍ତମାନ କଳିଯୁଗରେ ତିନିପାଦ ଅଧର୍ମ ଓ ପାଦେ ଧର୍ମ। ଏହି ଗୋଟିଏ ପାଦ ଧର୍ମ ପାଇଁ ଆଜି ମଧ୍ୟ ଧରା ସୁନ୍ଦର ହୋଇ ରହିଛି। ଏବେ ମଧ୍ୟ ଅନେକ ମାନବଙ୍କ ହୃଦୟ ଦିବ୍ୟଚେତନାରେ ଉଦ୍‌ବୁଦ୍ଧ।

ଦେବ ଓ ଦାନବର ମଧୁର ସମ୍ମିଶ୍ରଣ ମାନବ। ଯାହାର ଅନ୍ତରରେ ଦେବତ୍ୱର ପରିପ୍ରକାଶ ଘଟିଛି ସେ ପ୍ରକୃତ ମାନବା ତାର ଆତ୍ମା, ମାନବ ସହିତ କୀଟ, ପଶୁ ପକ୍ଷୀ ଆଦି ପ୍ରତ୍ୟେକ ପ୍ରାଣୀ ମଧ୍ୟରେ ପାଇଛି ଅମରତ୍ୱର ସନ୍ଧାନ। ମାତ୍ର ଯେଉଁ ପ୍ରାଣୀ ମଧ୍ୟରେ ଦାନବର ପରିପ୍ରକାଶ ଘଟିଛି, ସେଠି ଉକ୍ତ ବ୍ୟକ୍ତି ନିଜ ସହିତ, ନିଜ ପରିବାର, ସମାଜ ତଥା ସମଗ୍ର ପରିବେଶ ପାଇଁ ପାଲଟିଛି ଏକ ଅଭିଶାପ। ତା’ର ଉପସ୍ଥିତି ସମସ୍ତଙ୍କ ପାଇଁ ହୋଇଉଠୁଛି ଦୁର୍ବିସହ। ତେଣୁ ଦୁର୍ଲଭ ମନୁଷ୍ୟ ଜନ୍ମ ପାଇ ତାହାକୁ ହତାଦର ନ କରି ବରଂ ଏହାକୁ ଏକ ସୁଯୋଗ ମନେକରି ତାର ସୁଫଳ ସାଉଁଟିନେବା ଉଚିତ।

ପ୍ରଥମରୁ କେହି ଅପରାଧୀ ହୋଇ ଜନ୍ମ ନେଇ ନଥାଏା କଳୁଷିତ ପରିବେଶ ଓ ପରିସ୍ଥିତିର ତାଡ଼ନା ତାକୁ ପରିଣତ କରେ ଅପରାଧୀର। ପର୍ବତର ବିଶାଳ ଓ କଠିନ ବକ୍ଷ ଭେଦକରି କୁଳୁକୁଳୁ ତାନ କରି ଝରିଆସୁଥିବା ଝରଣା ପରି ପ୍ରତ୍ୟେକ କୋମଳ ହୃଦୟ ତଳେ ଲୁଚି ରହିଛି କୋମଳ ମନଟିଏ। ମନର ସେହି କୋମଳତାକୁ ବଜାୟ ରଖିବାକୁ ହେବା ଆଧୁନିକତାର ଦ୍ୱାହି ଦେଇ ଉପରକୁ ଉପରକୁ ଉଠିଯାଉଥିଲା ବେଳେ ଭଲ କରି ପ୍ରଥମେ ନିଜ ପାଦକୁ ଭୂମି ଉପରେ ସ୍ଥିର ଓ ସ୍ଥାୟୀ ରୂପେ ଥାପିବାକୁ ହେବ।

ଆଧ୍ୟାତ୍ମିକ ଚେତନାସମୃଦ୍ଧ ଭାରତବର୍ଷରେ ମାନବିକ ମୂଲ୍ୟବୋଧର ଯେଉଁ ଅବକ୍ଷୟ ଦେଖାଦେଇଛି ସେଥିପାଇଁ ପ୍ରତ୍ୟେକ ମନୁଷ୍ୟ ନିଜର ମୌଳିକ ଆଚରଣରେ ଆଧ୍ୟାତ୍ମିକତାର ବିକାଶ କରିବା ନିତାନ୍ତ ଆବଶ୍ୟକ। ଏଥିସହିତ ସମାଜର ସଂସ୍କାର ଦିଗରେ ଆମକୁ ଯତ୍ନବାନ ହେବାକୁ ପଡ଼ିବ। ତାହା କେବେ ଅଭିଭାବକ ରୂପେ, କେବେ ଶିକ୍ଷକ ହୋଇ, କେବେ ପଡେ଼ାଶୀଟିଏ ହୋଇ, କେବେ ବା ଉତ୍ତମ ନାଗରିକଟିଏ ହୋଇା

ଦସ୍ୟୁ ରତ୍ନାକରର ହୃଦୟ ମଧ୍ୟରେ କେଉଁଠି ଯୋଗଜନ୍ମା ମହର୍ଷି ବାଲ୍ମିକୀ ବାସ କରୁଛନ୍ତି, ତାହା କେବଳ ଦେବର୍ଷି ନାରଦଙ୍କ ହିଁ ଜାଣିପାରନ୍ତି। ଏହିପରି ଯୋଗଜନ୍ମାଙ୍କର ଅଭାବ ନାହିଁ ଏ ଧରାର। ମାତ୍ର ଅଧିକାଂଶ ଆଜି ସଂସାରର ଏହି ଦିଗ ପ୍ରତି ନିରୁତ୍ସାହିତ। କିନ୍ତୁ ଏହି ଦିଗକୁ ଅଣଦେଖା କଲେ ସମସ୍ତେ ସମାଜ ନିକଟରେ ଋଣୀ ହୋଇରହିଯିବା ନାହିଁ କି ? ଏଥିପ୍ରତି ଧ୍ୟାନ ଦେବା ଓ ଯତ୍ନବାନ ହେବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ। ତେବେ ଯାଇ କହିହେବ, ହଁ ଏହି କଳୁଷିତ ବାତାବରଣରେ ମଧ୍ୟ ଆମ ଭିତରେ ମଣିଷପଣିଆ ଏବେ ବି ବଞ୍ଚିଛି।

(ସୌଜନ୍ୟ – ଭିନ୍ନ ମଣିଷ)

Comment