ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦେଶ ପର୍ଯ୍ୟନ୍ତ ଲମ୍ବିଥିଲା ଆଧ୍ୟାତ୍ମିକ ସାମ୍ରାଜ୍ୟ। ଲୋକଙ୍କୁ ଆକର୍ଷିତ କରୁଥିଲା ଦିବ୍ୟବାଣୀ । କୋଟିକୋଟି ଲୋକଙ୍କ ପାଇଁ ସେ ପାଲଟି ଯାଇଥିଲେ ଭଗବାନ। ହେଲେ ସନ୍ଥର ଖୋଳପା ଭିତରେ ଲୁଚି ରହିଥିଲା ସଇତାନୀ ମଣିଷ। ଧର୍ମଗୁରୁର ମୁଖା ଖସିପଡିଥିବା ଆଶାରାମ ବାପୁଙ୍କ ଜୀବନଯାତ୍ରା ଥିଲା ଏମିତି। ଅସୁମଲରୁ ଆଶାରାମ ଏବଂ ସାବରମତୀ ତଟରୁ ସେଣ୍ଟ୍ରାଲ ଜେଲ୍ ଯାଇଛନ୍ତି ଏହି ତଥାକଥିତ ଧର୍ମଗୁରୁ।  

ଅସୁମଲ ସିରୁମଲାନିରୁ ଆଶାରାମ ବାପୁ

ପାକିସ୍ତାନ ସିନ୍ଧ ପ୍ରଦେଶରେ ୧୯୪୧ ମସିହା ଏପ୍ରିଲ ୧୭ରେ ଜନ୍ମ ଗ୍ରହଣ କରିଥିଲେ ଆଶରାମ ବାପୁ। ମୂଳ ନାଁ ଥିଲା ଅସୁମଲ ସିରୁମଲାନି। ଦେଶ ବିଭାଜନ ପରେ ଅସୁମଲଙ୍କ ପରିବାର ଗୁଜରାଟର ଅହମ୍ମଦାବାଦକୁ ଚାଲି ଆସିଥିଲେ। ସିନ୍ଧ ପ୍ରଦେଶରୁ ଆସିଥିବା ଆହୁରି ଅନେକ ଶରଣାର୍ଥୀ ପରିବାର ସହ ସେମାନେ ସରଦାରନଗରରେ ରହିଲେ। ସେତେବେଳେ ସେ ୭ ବର୍ଷର ବାଳକ। ୭ ବର୍ଷ ବୟସରେ ସେ ତାଙ୍କ ବାପାଙ୍କୁ କୋଇଲା ଓ କାଠ ବ୍ୟବସାୟରେ ସହଯୋଗ କରୁଥିଲେ। ପରେ ଡାଲି ଚାଉଳ ଦୋ କାନରେ ବି ସହଯୋଗ କଲେ।

ଆଶାରାମଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ପାପାଙ୍କର ମୃତ୍ୟୁ ଘଟିଲା। ତଥାପି ବ୍ୟବସାୟ ବନ୍ଦ କରି ନଥିଲେ ଅସୁମଲ। ତୃତୀୟ ଶ୍ରେଣୀରୁ ପାଠଛାଡି ପରିବାର ପ୍ରତିପୋଷଣ ପାଇଁ ବ୍ୟବସାୟ ଚଳାଇ ରଖିଲେ।

୫ ବର୍ଷ ପରେ ଅସୁମଲରୁ ଆଶାରାମ ହେବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୧୫ ବର୍ଷ ବୟସରେ ସେ ଘର ଛାଡି ଲୀଲାସା ମହାରାଜଙ୍କ ଭାରୁଚ ଆଶ୍ରମକୁ ଚାଲି ଯାଇଥିଲେ। ସେଠି କିଛିଦିନ ରହିବା ପରେ ଘରକୁ ଫେରି ଯିବାକୁ ତାଙ୍କୁ ମହାରାଜ ଉପଦେଶ ଦେଇଥିଲେ। ଭାରୁଚ ଆଶ୍ରମରୁ ମହମ୍ମଦାବାଦ ଫେରିଥିଲେ ଅସୁମଲ। କିନ୍ତୁ ଠିକ୍ ୮ ବର୍ଷ ପରେ ସେ ପୁଣି ଆଶ୍ରମକୁ ଫେରି ଆସିଥିଲେ। ଏଥର ଲୀଲାସା ମହାରାଜ ତାଙ୍କୁ ଶିଶ୍ୟ ଭାବେ ଗ୍ରହଣ କରିଥିଲେ। ଭାରୁଚ ଆଶ୍ରମରେ ଲୀଲାସା ମହାରାଜ ତାଙ୍କ ନାଁ ବଦଳାଇ ଦେଇଥିଲେ। ଅସମଲରୁ ସେ ପାଲଟି ଯାଇଥିଲେ ସନ୍ଥ ଶ୍ରୀ ଆଶାରାମ ବାପୁ ମହାରାଜ। ଏହା ଥିଲା ଅକ୍ଟୋବର ୧୯୬୪ ମସିହାର ଘଟଣା।

ଆଧ୍ୟାତ୍ମିକ ଓ ଆର୍ଥିକ ସାମ୍ରାଜ୍ୟ

ସାବରମତୀ ନଦୀ ତଟରୁ ଆରମ୍ଭ ହୋଇଥିଲା ତାଙ୍କ ଆଧ୍ୟତ୍ମିକ ସାମ୍ରାଜ୍ୟ। ୧୯୭୧ ମସିହାରେ ଆଶାରାମ ଭାରୁଚ ଆଶ୍ରମରୁ ଅହମ୍ମଦାବାଦ ଫେରି ଆସିଥିଲେ। ସାବରମତୀ ନଦୀ ତଟରେ ଏକ ଛୋଟ କୁଡ଼ିଆ ତିଆରି କରି ରହିଲେ। ପରେ ସେ ପ୍ରବଚନ ଦେବା ଆରମ୍ଭ କଲେ। ତାଙ୍କ ଆଧ୍ୟାତ୍ମିକ ବାଣୀ ଲୋକଙ୍କ ମନକୁ ଛୁଇଁଲା।

ଭାରୁଚ ଏବଂ ପଞ୍ଚମହଲ ଜିଲ୍ଲାର ଆଦିବାସୀ ଏବଂ ପୂର୍ବ ଭାରତର ହିନ୍ଦୀ ଭାଷାଭାଷୀ ଅଞ୍ଚଳ ଭିତରେ ତାଙ୍କର ଲୋକପ୍ରିୟତା ବଢ଼ିଲା। ସେଇଠୁ ଆରମ୍ଭ ହେଲା ତାଙ୍କ ଆଧ୍ୟାତ୍ମିକ ସାମ୍ରାଜ୍ୟର ବିସ୍ତାର। କିଛି ଧନୀ ଲୋକଙ୍କ ସମର୍ଥନରେ ଅହମ୍ମଦାବାଦର ମୋଟେରାରେ ୧୦ଏକର ଜମିରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ। ଆଗକୁ ଆଗକୁ ମାଡ଼ି ଚାଲିଲା ତାଙ୍କ ସାମ୍ରାଜ୍ୟ।

୨୦୦୧ରେ ଅହମ୍ମଦାବାଦରେ ଏକ ସତସଙ୍ଗର ଆୟୋଜନ କରିଥିଲେ। ଏହି ସତସଙ୍ଗରେ ପ୍ରାୟ ୨୦ ହଜାରରୁ ଅଧିକ ଲୋକ ତାଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ। ତାଙ୍କ ପ୍ରସିଦ୍ଧି ବଢ଼ି ଚାଲିଲା। ଧୀରେଧୀରେ ତାଙ୍କ ସତସଙ୍ଗ ଏବଂ ଧାର୍ମିକ ପ୍ରଚାର ସ୍ଥଳ ଆଡ଼କୁ ଲୋକ ଆକର୍ଷିତ ହେଲେ। ଶିଶ୍ୟଙ୍କ ସଂଖ୍ୟା ବଢ଼ି ବଢ଼ି ଲକ୍ଷ ଏବଂ କୋଟି ଡେଇଁଲା। ବହୁ ଧନୀ ଏବଂ କ୍ଷମତାଶାଳୀ ଲୋକେ ତାଙ୍କ ଶିଶ୍ୟତ୍ଵ ଗ୍ରହଣ କଲେ। ଦେଶରୁ ବିଦେଶକୁ ବିସ୍ତୃତ ହେଲା ତାଙ୍କ ଆଧ୍ୟାତ୍ମିକ ସାମ୍ରାଜ୍ୟ।

ସାବରମତୀ ନଦୀ ତଟର ଛୋଟ କୁଡ଼ିଆରୁ ଦେଶ ବିଦେଶରେ ନିର୍ମାଣ ହେଲା ଶହଶହ ଆଶ୍ରମ। ଏବେ ଭାରତ ଏବଂ ଭାରତ ବାହାରେ ପ୍ରାୟ ୪୦୦ରୁ ଅଧିକ ଆଶ୍ରମ ରହିଛି। ଆଧ୍ୟାତ୍ମିକ ସାମ୍ରାଜ୍ୟ ସହ ତାଳଦେଇ ଆର୍ଥିକ ସାମ୍ରାଜ୍ୟ ମଧ୍ୟ ବିସ୍ତାର ଲାଭ କରିଥିଲା। ୧୦ ହଜାର କୋଟି ଟଙ୍କାରେ ପହଞ୍ଚିଥିଲା ତାଙ୍କ କାରବାର। କେବଳ ରାଜସ୍ଥାନର ୩୦ଟି ଜିଲ୍ଲାରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୭୫୦ କୋଟି। ଏହି ବିଶାଳ କାରବାର ସମ୍ଭାଳିବାରେ ତାଙ୍କୁ ସହାୟତା କରୁଥିଲେ ପତ୍ନୀ ଲକ୍ଷ୍ମୀ ଦେବୀ, ପୁଅ ନାରାୟଣ ସାଇ ଏବଂ ଝିଅ ଭାରତୀଶ୍ରୀ।

୨୦୦୮ରୁ ଶନି ଛୁଇଁଲା

୨୦୦୮ରେ ଆଶାରାମଙ୍କ ସମସ୍ୟା ବଢ଼ିଲା। ଜୁଲାଇ ମାସରେ ମୋଟେରା ଆଶ୍ରମରୁ  ଦୁଇ ଜଣ ବାଳକ ଦୀପେଶ ବାଘେଲା ଏବଂ ଅଭିଷେକ ବାଘେଲା ନିଖୋଜ ହୋଇଗଲେ। କିଛିଦିନ ପରେ ନିକଟ ସାବରମତୀ ନଦୀ କୂଳରୁ ସେମାନଙ୍କ ମୃତଦେହ ମିଳିଲା। ସେଇଠୁ ବାବାଙ୍କ ସଫେଦ ଭାବମୂର୍ତ୍ତିରେ କଳଙ୍କ ଲାଗିବା ଆରମ୍ଭ ହେଲା। ଗୁଣିଗାରେଡ଼ି ପାଇଁ ବାବା ସେମାନଙ୍କୁ ହତ୍ୟା କରିଥିବା ସନ୍ଦେହ  ପ୍ରକାଶ ପାଇଥିଲା। ଆଶ୍ରମ ଭିତରେ କଳାଯାଦୁ ଚାଲିଥିବା ଅଭିଯୋଗ ଉଠିଲା।

ଏହି ମାମଲାରେ ଆଶାରାମଙ୍କ ୭ ଜଣ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୧୨ରେ ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ। ମୃତ୍ୟୁର ତଦନ୍ତ ପାଇଁ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଜଷ୍ଟିସ୍ ଡି କେ ତ୍ରିବେଦୀଙ୍କ ନେତୃତ୍ଵରେ ତଦନ୍ତ କମିଶନ ଗଠନ କଲେ। ହତ୍ୟା ପରେ ଆଶାରାମଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ। ୨୦୧୩ରେ ଯୋଧପୁର ଆଶ୍ରମରେ ଜଣେ ୧୬ ବର୍ଷର ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ସହ ଆଶାରାମଙ୍କ ବିରୋଧରେ ଆରମ୍ଭ ହୋଇଥିଲା ଅପକର୍ମର ପ୍ରଚାର।

ଭୂତ ଛଡ଼ାଇବା ବାହାନାରେ ଦୁଷ୍କର୍ମ

୨୦୧୩ ଅଗଷ୍ଟ ୧୫ରେ ଜଣେ ଭକ୍ତଙ୍କ ନାବାଳିକା ଝିଅକୁ ଯୋଧପୁର ଆଶ୍ରମକୁ ଆଣିଥିଲେ ଆତ୍ମଘୋଷିତ ଭଗବାନ ଆଶାରାମ ବାପୁ। ବାହାନା ଥିଲା ଭୂତ ଛଡ଼ାଇବା। ହେଲେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ବାବା। ଏହାର ୫ ଦିନ ପରେ ଅଗଷ୍ଟ ୨୦ ତାରିଖରେ ପୀଡ଼ିତା ପରିବାର ପକ୍ଷରୁ ଦିଲ୍ଲୀ ପୋଲିସରେ ଅଭିଯୋଗ ହୋଇଥିଲା। ଅଗଷ୍ଟ ୩୧ ତାରିଖରେ ଆଶାରାମଙ୍କୁ ଇନ୍ଦୋରରୁ ଗିରଫ କରାଯାଇଥିଲା।

ସେପ୍ଟେମ୍ବର ୧ରେ ଆଶାରାମଙ୍କ ପୋଟେନ୍ସି ଟେଷ୍ଟ କରାଯାଇଥିଲା। ସେ ଯୌନକ୍ରିୟା କରିବାକୁ ସକ୍ଷମ ବୋଲି ଜଣାପଡ଼ିଥିଲା। ସେପ୍ଟେମ୍ବର ୨ରେ ତାଙ୍କୁ ହାଜତକୁ ପଠାଗଲା। ସେପଟେମ୍ବର ୬ରେ ତାଙ୍କ ସହ ଅନ୍ୟ ୪ଜଣ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଚାର୍ଜସିଟ୍ କରିଥିଲା।

ଆଇପିସିର ଧାରା ୩୪୨, ୩୭୬, ୫୦୫ ଏବଂ ୫୦୯ ସମେତ ପକ୍ସୋ ଆକ୍ଟ ଲାଗିଥିଲା। ୭ ଫେବ୍ରୁଆରୀ ୨୦୧୪ରେ ଆଶାରାମଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଅପରାଧିକ ଷଡ଼ଯନ୍ତ୍ର ପାଇଁ ଯୋଧପୁର କୋର୍ଟ ଚାର୍ଜଫ୍ରେମ କରିଥିଲେ। ଏହା ଭିତରେ ଅନେକ ସାକ୍ଷୀଙ୍କୁ ହତ୍ୟା ଏବଂ ମରଣାନ୍ତକ ଆକ୍ରମଣ ହେଲା। ୨୦୧୬ ଅଗଷ୍ଟ ୪ରେ ବିଚାର ପ୍ରକ୍ରିୟା ଯୋଧପୁର ଜେଲ ପରିସରକୁ ସ୍ଥାନାନ୍ତର କରିବା ପାଇଁ ପୋଲିସ ରାଜସ୍ଥାନ ହାଇକୋର୍ଟରେ ଆବେଦନ କରାଯାଇଥିଲା। ୨୦୧୮ ଏପ୍ରିଲ ୭ ତାରିଖରେ ବିଚାର ପ୍ରକ୍ରିୟା ଶେଷ ହୋଇଥିଲା। ୨୫ ତାରିଖରେ ଆଜୀବନ ସଜା ଶୁଣାଇଲେ କୋର୍ଟ।

ଶୁଣାଣି ବେଳେ ସାକ୍ଷୀଙ୍କୁ ହତ୍ୟା ଓ ଆକ୍ରମଣ

ସାଢ଼େ ୪ ବର୍ଷ ଧରି ଚାଲିଥିଲା ବିଚାର ପ୍ରକ୍ରିୟା। ଏହି ସମୟ ମଧ୍ୟରେ ଆଶାରାମଙ୍କ ବିରୋଧରେ ଅପରାଧର ଫର୍ଦ୍ଦ ଆହୁରି ଲମ୍ବି ଚାଲିଥିଲା। ବିଚାର ପ୍ରକ୍ରିୟା ବେଳେ ଏକାଧିକ ହତ୍ୟା ଓ ଆକ୍ରମଣ ସଂଘଟିତ ହୋଇଥିଲା। ପ୍ରମାଣ ଲିଭାଇ ଦେବାକୁ ସାକ୍ଷୀମାନଙ୍କୁ ରାସ୍ତାରୁ ହଟାଇଦେବାକୁ ଉଦ୍ୟମ ହେଉଥିଲା। ଯେଉଁମାନେ ସାକ୍ଷୀ ଦେବାକୁ ଆସୁଥିଲେ ବା ଆସିବାର ଥିଲେ ସେମାନଙ୍କୁ ହତ୍ୟା କରାଯାଉଥିଲା। ମରଣାନ୍ତକ ଆକ୍ରମଣ ମଧ୍ୟ କରାଯାଉଥିଲା।

ବିଚାର ପ୍ରକ୍ରିୟା ଚାଲିଥିବାବେଳେ ୩ ଜଣ ସାକ୍ଷୀଙ୍କୁ ହତ୍ୟା କରାଯାଇଥିବାବେଳେ ଅନେକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଜଣେ ସାକ୍ଷୀ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଭୟଭୀତ ହୋଇ ଜଣେ ସାକ୍ଷୀ ବୟାନ ମଧ୍ୟ ବଦଳାଇ ଦେଇଥିଲେ। କେବଳ ସେତିକି ନୁହେଁ, ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ମଧ୍ୟ ଆଶାରାମଙ୍କ ପକ୍ଷରୁ ଧମକ ଚମକ ଦିଆଯାଇଥିଲା। ତଦନ୍ତ ଅଧିକାରୀ ଅଜୟ ପାଲ୍ ଲାମ୍ବାଙ୍କ ପାଖକୁ ୨୦୦୦ରୁ ଅଧିକ ଧମକପୂର୍ଣ୍ଣ ଚିଠି ଏବଂ ଶତାଧିକ ଧମକପୂର୍ଣ୍ଣ ଫୋନ କଲ୍ ଆସିଥିଲା।

୪୦୦ ଆଶ୍ରମ, ୪ କାନ୍ଥର ଜୀବନ

ବସ୍ତିର ଶରଣାର୍ଥୀ ବାଳକରୁ ଆତ୍ମଘୋଷିତ ଭଗବାନ ପାଲଟିଥିବା ଆଶାରାମ ବାପୁଙ୍କ ମୁହଁରୁ ସନ୍ଥର ଖୋଳପା ଖସିପଡ଼ିଥିଲା ଏପ୍ରିଲ ୨୫ରେ। କୋର୍ଟରୁମରେ କାନ୍ଦିଥିଲେ। ଦଣ୍ଡ କୋହଳ କରିବାକୁ ଅନୁରୋଧ ବି କରିଥିଲେ। ହେଲେ ବିଚାରପତିଙ୍କ ଉପରେ ଏହା ପ୍ରଭାବ ପକାଇ ନଥିଲା। ଏବେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜେଲର କାଳକୋଠି ଭିତରେ ଦିନ କାଟିବେ ଆଶାରାମ। କେବଳ ଏହି ଗୋଟିଏ ମାମଲା ନୁହେଁ, ତାଙ୍କ ବିରୋଧରେ ଏବଂ ତାଙ୍କ ପୁଅ ନାରାୟଣ ସାଇଙ୍କ ବିରୋଧରେ ଆହୁରି ଏକାଧିକ ମାମଲାର ବିଚାର ଚାଲିଥିବାବେଳେ ସଂପତ୍ତିର ମଧ୍ୟ ଯାଂଚ ପ୍ରକ୍ରିୟା ଚାଲିଛି।

LEAVE A REPLY

Please enter your comment!
Please enter your name here