ରବୀନ୍ଦ୍ର ନାରାୟଣ ମିଶ୍ର

 ‘‘କମଳା ଓ କାଗେଜିଲେମ୍ବୁ କବିତାଟି ମୋ ଲେଖା… ସୁନୀତା କେମିତି ପୁରସ୍କାର ନେଲା?’’

ପିଲାଟି ଦିନୁଁ ବାପା-ମା’ଙ୍କ ଆଦର୍ଶରେ ସେ ଗଢ଼ି ଉଠିଥିଲେ। ମା’ ଡାକଘରେ କାମ କରୁଥିଲେ ହେଁ ସମାଜସେବା ଥିଲା ତାଙ୍କର ନିଶା। ବାପା ଶ୍ରୀ ଖାନୋଲକର୍‌ ଜଣେ ସକ୍ରିୟ ଟ୍ରେଡ୍‌ ୟୁନିୟନ୍‌ ନେତା ଥିଲେ। ତାଙ୍କ ସ୍କୁଲବେଳର କଥା। ସେ ଦିନ ସ୍କୁଲର ବାର୍ଷିକ ଉତ୍ସବ ହେଉଥାଏ। ବାର୍ଷିକ ଉତ୍ସବରେ ତାଙ୍କୁ ଏକାଧିକ ପୁରସ୍କାର ଦିଆଯାଉଥାଏ। ଦୁଇଟି ତର୍କସଭାରେ ସେ ପାଇଥିଲେ ପ୍ରଥମ ପୁରସ୍କାର, ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ।

ଶ୍ରେଷ୍ଠ ପ୍ରାବନ୍ଧିକା, ଶ୍ରେଷ୍ଠ ଅଭିନେତ୍ରୀ… ଏମିତି କେତେ କ’ଣ। ହଠାତ୍‌ ସ୍କୁଲ ପତ୍ରିକାରେ ପ୍ରକାଶ ପାଇଥିବା ‘କମଳା ଓ କାଗେଜିଲେମ୍ବୁ’’ କବିତାର ଲେଖିକା ସୁନୀତାଙ୍କ ନାମ ଘୋଷଣା କରାଗଲା ପ୍ରଥମ ପୁରସ୍କାର ପାଇବାକୁ। ସେ ଚମକି ପଡ଼ିଲେ ସେଇ ଘୋଷଣା ଶୁଣି। ସେ କବିତାଟି ତ ତାଙ୍କର। ଷଷ୍ଠ ଷ୍ଟାଣ୍ଡାର୍ଡରେ ପଢ଼ୁଥିବା ତାଙ୍କ ସଙ୍ଗିନୀ ସୁନୀତା ବି ଆଶ୍ଚର୍ଯ୍ୟ ହୋଇଗଲା, ଏ କେମିତି ହେଲା! ସେତେବେଳେ ତାଙ୍କ ଆଖିରୁ ଦି’ ଧାର ଲୁହ ଝରିପଡ଼ିଲା। କୋହରେ ଥରି ଉଠିଲା ତାଙ୍କ କଣ୍ଠ – ‘‘କମଳା ଓ କାଗେଜିଲେମ୍ବୁ କବିତାଟି ମୋ ଲେଖା… ସୁନୀତା କେମିତି ପୁରସ୍କାର ନେଲା?’’

କାନ୍ଦିକାନ୍ଦି ସେ ଘରେ ପହଞ୍ଚି ମା’ ଶ୍ରୀମତୀ ଖାନୋଲକର୍‌ଙ୍କୁ ସବୁକଥା କହିଲେ। ତହିଁ ଆରଦିନ ସ୍କୁଲରେ ଖୋଳତାଡ଼ ଆରମ୍ଭ ହୋଇଗଲା। ବୁଝୁବୁଝୁ ଜଣାପଡ଼ିଲା ସୁନୀତା ସେ କବିତାର ଲେଖିକା ନୁହନ୍ତି। ସ୍କୁଲ ପତ୍ରିକାରେ ପ୍ରକାଶ ପାଇଥିବା ବହୁତ ଲେଖା କେବଳ ଶ୍ରୀମତୀ ଖାନୋଲକର୍‌ଙ୍କ ଝିଅର। ମାତ୍ର ଜଣକର ନାଁରେ ଏତେ ଲେଖା ପ୍ରକାଶିତ ହେବାଟା ଭଲ ଦିଶିବ ନାହିଁ। ତେଣୁ ତାଙ୍କ ଲେଖାଗୁଡ଼ିକୁ ୟା ତା’ ନାଁରେ ଛପା ଯାଇଥିଲା। ସେଥିପାଇଁ ପ୍ରଥମ ହୋଇଥିବା ଲେଖାଟି ସୁନୀତାର ନୁହେଁ – ଥିଲା ସେଇ ସାଙ୍ଗ ଝିଅଟିର।

ତହିଁ ଆରଦିନ ବିଦ୍ୟାଳୟର ଛାତ୍ରୀ ସମାବେଶରେ ଅଧ୍ୟକ୍ଷା ଘୋଷଣା କଲେ, ଲେଖାଟି ଶ୍ରୀମତୀ ଖାନୋଲକର୍‌ଙ୍କ ଝିଅର, ସୁନୀତାର ନୁହେଁ। ଝିଅଟି ମୁହଁରେ ହସ ଫୁଟିଉଠିଲା। ପୁରସ୍କାର ତାଙ୍କ ହାତକୁ ଫେରିଆସିଲା।

ଏ ତେଜମୟୀ ଝିଅଟି କିଏ ଜାଣନ୍ତି କି? ଏ ହେଉଛନ୍ତି ମେଧା ପାଟ୍‌କର ଯେ ଜୀବନରେ ଅନ୍ୟାୟ ବରଦାସ୍ତ କରି ପାରିନାହାନ୍ତି ଓ ଆଜି ପର୍ଯ୍ୟନ୍ତ ‘ନର୍ମଦା ବଚାଓ ଆନ୍ଦୋଳନ’ କରି ଦରିଦ୍ର ଦୁଃଖୀ ଲୋକଙ୍କ ପାଇଁ ଲଢ଼ି ଆସିଛନ୍ତି।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment