ଓଡ଼ିଶାଲାଇଭ୍ ବ୍ୟୁରୋ

ପାଟଣାଗଡ଼ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ୍ ଭଇଁସା କଲେଜର ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରି ୬ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଟିମ୍। ଜେରାବେଳେ ବହୁ ଗୁରୁତ୍ଵପୁର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଶୁକ୍ରବାରଦିନ ମଧ୍ୟ ମାରାଥନ ଜେରାର ସମ୍ମୁଖୀନ ହୋଇଛନ୍ତି ପୁଞ୍ଜିଲାଲ।
କ୍ରାଇମବ୍ରାଞ୍ଜ୍ ପୁଞ୍ଜିଲାଲକୁ ୬ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରିବାର ଦ୍ଵିତୀୟ ଦିନରେ ପୁଞ୍ଜିଲାଲର କଳା ଚେହେରାର ଚିତ୍ର ଧିରେଧିରେ ସ୍ପଷ୍ଟ ହେବାକୁ ଲାଗିଛି। ରିମାଣ୍ଡ ସରିବାକୁ ଆଉ ୪ଦିନ ବାକିଥିଲାବେଳେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି।
ବାହାଘରକୁ ମୃତ୍ୟୁର ଉପହାର ପଠାଇଥିବା ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ଅତି ଚତୁରତାର ସହ ନିଜ ଉପରୁ ସମସ୍ତ ପ୍ରକାର ସନ୍ଦେହ ହଟାଇବାକୁ ଚେଷ୍ଟା କରିଥିଲା।
ପୁଞ୍ଜିଲାଲ ସୌମ୍ୟଶେଖର ଓ ରିମାଙ୍କ ବାହାଘର ଭୋଜିରେ ଯୋଗ ଦେଇ ନୂଆ ବରବଧୂଙ୍କୁ ଆଶୀର୍ବାଦ ଦେଇଥିଲା। ସୌମ୍ୟ ଏବଂ ରିମା ମଧ୍ୟ ପୁଞ୍ଜିଲାଲଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ। ଏପରିକି ମୃତ୍ୟୁ ପରେ ଶୁଦ୍ଧିକ୍ରିୟାରେ ଯୋଗଦେଇ ସମବେଦନା ବି ଜଣାଇଥିଲା।
ପୁଞ୍ଜିଲାଲକୁ ଜେରା କରାଯିବାପରେ ସେ ନିଜେ ହିଁ ବୋମା ବିସ୍ଫୋରଣ ସମସ୍ତ ପ୍ଲଟ ତିଆରି କରିଥିଲା ବୋଲି ପୋଲିସକୁ କହିଛି। ବୋମା ତିଆରିଠାରୁ ଆରମ୍ଭ କରି ଏହାକୁ ପରୀକ୍ଷା କରିବା ଓ ରାୟପୁର ଯାଇ ସେଠାରୁ କୋରିୟରରେ ଗିଫ୍ଟ ପ୍ୟାକେଟ କରି ପଠାଇବା ପର୍ଯ୍ୟନ୍ତ ସମସ୍ତ ସାଜିସ ନିଜେ ପୁଞ୍ଜିଲାଲ ହିଁ ରଚିଥିଲା।
ପୁଞ୍ଜିଲାଲ ନିକଟରୁ ଜବତ ହୋଇଥିବା ଲାପ୍ଟପ, ମୋବାଇଲ୍ ଫୋନ୍, ହାର୍ଡ ଡିସ୍କକୁ ରସୁଲଗଡ଼ସ୍ଥିତ ରାଜ୍ୟ ସାଇବର୍ ଫରେନ୍ସିକ ଲ୍ୟାବ୍କୁ ଯାଞ୍ଚ ପାଇଁ ପଠାଯିବ। ପୁଞ୍ଜିଲାଲ ଲାପ୍ଟପ୍ରେ ଡାଉନ୍ଲୋଡ କରିଥିବା ଅନେକ ବୋମା ଭିଡ଼ା ଭିଡ଼ିଓକୁ ଡିଲିଟ୍ କରିଦେଇଛି। ତେଣୁ ଉକ୍ତ ଭିଡ଼ିଓଗୁଡ଼ିକ ଲ୍ୟାବ୍ରେ ରିଷ୍ଟୋର କରାଯିବ। ହ୍ଵାଟସ୍ଆପ୍ ଚାଟିଂ ମଧ୍ୟ ଡିଲିଟ୍ କରିଥିବାରୁ ତାକୁ ମଧ୍ୟ ରିଷ୍ଟୋର କରାଯିବ।
ରାଜ୍ୟର ଏଭଳି ଚାଞ୍ଚଲ୍ୟକର ତଥା ନୂଆ ଧରଣର ଅପରାଧରେ ଏକ ମାତ୍ର ସାକ୍ଷୀ ରହିଛି ରାୟପୁର ରେଳ ଷ୍ଟେସନ୍ର ଅଟୋ ଡ୍ରାଇଭର। ଯେଉଁ ଡ୍ରାଇଭର୍ ଜଣକ ପୁଞ୍ଜିଲାଲ ନିକଟରୁ ପାର୍ସଲ ନେଇ ସ୍କାଏ କିଙ୍ଗ କୋରିଅର୍ ସେଣ୍ଟରରେ ଜମା କରିଥିଲା। ତାକୁ ଠାବ କରିବାକୁ ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ରାୟପୁର କ୍ରାଇମ୍ବ୍ରାଞ୍ଚର ସହାୟତା ଲୋଡ଼ିଛି। କେବଳ କ୍ରାଇମ୍ବ୍ରାଞ୍ଚ ନୁହେଁ, ରାୟପୁର ରେଳ ଷ୍ଟେସନ୍ର ଅଟୋ ଆସୋସିଏସନ୍ର ସଭାପତି, ସମ୍ପାଦକ, ଟ୍ରାଫିକ ପୁଲିସର ମଧ୍ୟ ସହଯୋଗ ଲୋଡ଼ିଛି କ୍ରାଇମ୍ବ୍ରାଞ୍ଚ। ତାକୁ ଚିହ୍ନଟ କରି ତୁରନ୍ତ ଓଡ଼ିଶା କ୍ରାଇମ୍ବ୍ରାଞ୍ଚକୁ ଜଣାଇବାକୁ ଚିଠିରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି।
ମେ’ ୧ ତାରିଖରେ ତା’ ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ପାଟଣାଗଡ଼ ଏସ୍ଡିଜିଏମ୍ଙ୍କ କୋର୍ଟରେ ହାଜର କରାଯିବ। ଏବେ ପୁଞ୍ଜିଲାଲ ବିରୋଧରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଫେବ୍ରୁଆରୀ୧୫ ତାରିଖରେ ପୁଞ୍ଜିଲାଲ କଣ୍ଟାବାଞ୍ଜିରୁ ରାୟପୁର ଟ୍ରେନ୍ରେ ପ୍ରମାଣ ନଛାଡ଼ିବା ପାଇଁ ବିନା ଟିକେଟ୍ରେ ଆସିଥିଲା। ରାୟପୁର ଷ୍ଟେସନ୍ରେ ପହଞ୍ଚି ଏକ ଅଟୋ ଭଡ଼ା ବି କରିଥିଲା।
ପ୍ରଥମେ ସେ ଯେଉଁ କୋରିଅର ସଂସ୍ଥାକୁ ଅଟୋ ଚାଳକଙ୍କ ହାତରେ ପାର୍ସଲଟି ପଠାଇଥିଲା, ସମ୍ପୃକ୍ତ ସଂସ୍ଥା ଆଧାର କାର୍ଡ ମାଗିବାରୁ ସେଠୁ ଫେରିଆସିଥିଲା। ଦ୍ୱିତୀୟ ଥର ସ୍କାଏ କିଙ୍ଗ ସଂସ୍ଥାରେ ପହଞ୍ଚିଥିଲା। ଉକ୍ତ ସଂସ୍ଥା ବିନା ଆଧାର କାର୍ଡରେ ପାର୍ସଲ ରଖିଥିବା କ୍ରାଇମ୍ବ୍ରାଞ୍ଚ ଜାଣିବାକୁ ପାଇଛି। ଅନ୍ୟପଟେ ରାୟପୁର ରେଳ ଷ୍ଟେସନ୍ରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ର ହାର୍ଡ ଡିସ୍କ ପ୍ରତ୍ୟେକ ୭ ଦିନରେ ଥରେ ରି-ରାଇଟ୍ ହେଉଥିବାରୁ, କ୍ରାଇମ୍ବ୍ରାଞ୍ଚ ହାତରେ ଫୁଟେଜ ମିଳିପାରି ନାହିଁ।
ଅଟୋ ଚାଳକ ଏକ ମାତ୍ର ସାକ୍ଷୀ ଥିବାରୁ ପୁଞ୍ଜିଲାଲ ସହିତ ଆଉ କିଏ ଥିଲେ, ଅଟୋ ଚାଳକଙ୍କ ସହିତ ସିଏ କଣ କଥା ହୋଇଥିଲା, ସେ ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚ ତଥ୍ୟ ହାସଲ ପାଇଁ ଉଦ୍ୟମ କରିବ। ଉଭୟ ପୁଞ୍ଜିଲାଲ ଏବଂ ଅଟୋ ଚାଳକଙ୍କୁ ସାମ୍ନାସାମ୍ନି ଜେରା କରାଯିବା ଯୋଜନା ରହିଛି। ଫେବ୍ରୁଆରି ୧୫ ତାରିଖରେ ପୁଞ୍ଜିଲାଲଙ୍କ ସବୁ ପ୍ରକାର ଗତିବିଧି ଏବଂ କଲ୍ ରେକର୍ଡ କାଢ଼ିବାକୁ ଯୋଜନା କରାଯିବ। ସିଏ ଆଉ କାହାକୁ ସାଙ୍ଗରେ ନେଇ ଯାଇଥିଲା କି ନାହିଁ, ସେ ନେଇ ପଚରାଯିବ।
ପୁଞ୍ଜିଲାଲ ଗତ ଦୀପାବଳିରେ ବଲାଙ୍ଗୀର ଅଞ୍ଚଳରୁ କିଣିଥିବା ବାଣରୁ ବାରୁଦ ସଂଗ୍ରହ ପରେ ବୋମା ଭିଡ଼ା ଭିଡିଓ ୟୁଟ୍ୟୁବ୍ରୁ ଦେଖିବା ସହିତ କିଛି ବାଣ ଭିଡ଼ାଳିଙ୍କ ପରାମର୍ଶ ନେଇଥିବା କୁହାଯାଉଛି। ତେଣୁ କେଉଁମାନଙ୍କ ନିକଟକୁ ପୁଞ୍ଜିଲାଲ ଯାଇଥିଲା, ସେ ସମ୍ପର୍କରେ ମଧ୍ୟ କ୍ରାଇମ୍ବ୍ରାଞ୍ଚ ଜେରା କରିବ ବୋଲି ସୂଚନା ମିଳିଛି।
ପାର୍ସଲବୋମା ଘଟଣାଚକ୍ର ଉପରେ ଆସନ୍ତୁ ନଜର ପକାଇବା..
ଫେବ୍ରୁଆରି ୨୨ ତାରିଖରେ ଥିଲା ସୌମ୍ୟଶେଖର ସାହୁଙ୍କ ବାହାଘର ଭୋଜି। ସେହି ଦିନ ୧୨ଟାରେ କୋରିଅର୍ ବଏ ସୁକାନ୍ତ ସେଠ୍ ପାର୍ସଲ ଦେବାକୁ ଆସିଥିଲେ ସୌମ୍ୟଶେଖରଙ୍କ ଘରକୁ। କିନ୍ତୁ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଦେଖି ସେ ଫେରିଯାଇଥିଲେ। ପରେ ତା’ ପରଦିନ ଅର୍ଥାତ ଫେବ୍ରୁଆରି ୨୩ ତାରିଖ ଦିନ ୧ଟାବେଳେ ସେ ପାର୍ସଲ ଆଣି ସୌମ୍ୟଶେଖରଙ୍କୁ ଦେଇଥିଲେ। ତା’ ପରେ ଘଟିଥିଲା ବିସ୍ଫୋରଣ। ଯଦି ୨୨ ତାରିଖରେ ପାର୍ସଲ ଡେଲିଭରି ହୋଇଥାନ୍ତା ତେବେ ହୁଏତ ମୃତାହତଙ୍କ ସଂଖ୍ୟା ବହୁ ଅଧିକ ହୋଇଥାନ୍ତା। କ୍ରାଇମବ୍ରାଞ୍ଚ ଛାନଭିନରୁ ଏବେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ପାର୍ସଲ ବୋମା ବିସ୍ଫୋରଣ ଦିନ
ଫେବ୍ରୁଆରୀ ୨୩ ତାରିଖରେ ନବ ବିବାହିତ ସୌମ୍ୟଶଖରଙ୍କ ଘରକୁ କୋରିଅରରେ ଏକ ଉପହାର ପାର୍ସଲ ଆସିଥିଲା। ରାୟପୁରରୁ ଏହି ପାର୍ସଲଟି ଆସିଥିଲା। ତେବେ ରାୟପୁରରେ ତାଙ୍କର କିଏ ବନ୍ଧୁ ନଥିବାରୁ ସାମାନ୍ୟ ଚିନ୍ତାରେ ପଡିଥିଲେ ସେ। ବାହଘର ଅଳ୍ପ ଦିନ ହୋଇଥିବାରୁ କେହି ପାର୍ସଲରେ ଉପହାର ପଠାଇଥିବା କଥା ସେ ଚିନ୍ତା କରିଥିଲେ। ସ୍ତ୍ରୀ ରିମାଙ୍କୁ ରୋଷାଇ ଘରୁ ଛୁରି ଆଣିବା ପାଇଁ କହିଥିଲେ। ପାଖରେ ସମ୍ପର୍କୀୟ ଜେଜେମା ଥିଲେ। ପରିବାରର ଆଉ କେହି ନଥିଲେ। ବନ୍ଧୁ ବାନ୍ଧବ ବି ଫେରିଯାଇଥିଲେ। ପାର୍ସଲ ଖୋଲିବା ବେଳେ ସେଥିରେ କିଛି ତାର ପରି ଥିବା କଥା ବି ସୌମ୍ୟ କହିଥିଲେ। ହଠାତ ପ୍ରଚଣ୍ଡ ଶଦ୍ଦ କରି ପାର୍ସଲ ଟି ବିସ୍ପୋରଣ ହୋଇଥିଲା। ଘରର କାନ୍ଥ ଫାଟିଯିବା ସହ ସବୁ କିଛି ଛିନବିନ୍ ହୋଇଯାଇଥିଲା। ସୌମ୍ୟ ଶେଖର ଓ ତାଙ୍କ ଜେଜମା ଗୁରୁତର ହୋଇଥିଲା। ରିମା ସାହୁଙ୍କର ଅବସ୍ଥା ଗୁରୁତର ଥିଲା।
ପାଖ ପଡୋଶୀ ବିସ୍ପୋରଣର ଶଦ୍ଦ ଶୁଣି ଦୌଡ଼ି ଆସିଥିଲେ। କେହି କିଛି ବୁଝି ପାରି ନ ଥିଲେ । ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ ଅଧିକ ଚିକିତ୍ସାପାଇଁ ସ୍ଥାନାନ୍ତର କରାଯିବା ସମୟରେ ସୌମ୍ୟ ଶେଖର ଓ ତାଙ୍କ ଜେଜେମା ମୃତ୍ୟୁ ହୋଇଯାଇଥିଲା। ରିମା ଗୁରୁତର ଅବସ୍ଥାରେ ଅଧିକ ଚିକିତ୍ସା ପାଇଁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ । ପ୍ରେମ କିମ୍ବା ପ୍ରତିଶୋଧ ପାଇଁ ଏହି ବିସ୍ପୋରଣ ହୋଇଥିବା ଚର୍ଚ୍ଚା ହୋଇଥିଲା।
ଘଟଣା ପରେ….
ଏହି ଘଟଣାରେ ପ୍ରଥମେ ପୋଲିସ ତଦନ୍ତ କରିଥିଲେ ମଧ୍ୟ ବେଶୀ ସଫଳତା ପାଇପାରିନଥିଲା। ପରେ କ୍ରାଇମବ୍ରାଞ୍ଚ ବିଭିନ୍ନ ଦିଗକୁ ଆଖିରେ ରଖି ୪ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। କୋରିଅର ବଏକୁ ଜେରାଠାରୁ ଆରମ୍ଭ କରି ରାୟପୁର ଯାଇ ତଦନ୍ତ କରିଥିଲା। ଭବାନୀପାଟଣାରେ ଏକ ସାଇବର କେଫ୍ରେ ପଚରାଉଚରା କରାଯାଇଥିଲା। ମାତ୍ର କିଛି ଜଣାପଡ଼ିନଥିଲା। କିନ୍ତୁ ଏକ ଚିଠିରୁ ସୁରାକ ପାଇଁ ତଦନ୍ତକୁ ଆଗକୁ ବଢ଼ାଇଥିଲା।














