ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ପୋରଣ ଓ ୨ ଜଣଙ୍କର ମୃତ୍ୟୁ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହୋଇଛି ପୋଲିସ। ବୋମା ପଠାଇଥିବା ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଗିରଫ ହେବାପରେ ତା’ କଳା କାରନାମାର ସବୁଚିତ୍ର ସାମ୍ନାକୁ ଆସିଛି।
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ୍ ଭଇଁସା କଲେଜର ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରି ୬ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଟିମ୍। ଜେରାବେଳେ ବହୁ ଗୁରୁତ୍ଵପୁର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଶୁକ୍ରବାରଦିନ ମଧ୍ୟ ମାରାଥନ ଜେରାର ସମ୍ମୁଖୀନ ହୋଇଛନ୍ତି ପୁଞ୍ଜିଲାଲ।
କ୍ରାଇମବ୍ରାଞ୍ଜ୍ ପୁଞ୍ଜିଲାଲକୁ ରିମାଣ୍ଡରେ ନେଇ ପଚରାଉଚୁରା କରିବାର ଦ୍ଵିତୀୟ ଦିନରେ ପୁଞ୍ଜିଲାଲର କଳା ଚେହେରାର ଆଉ ଚିତ୍ର ସାମ୍ନାକୁ ଆସିଛି।
ବାହାଘରକୁ ମୃତ୍ୟୁର ଉପହାର ପଠାଇଥିବା ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ଅତି ଚତୁରତାର ସହ ନିଜ ଉପରୁ ସମସ୍ତ ପ୍ରକାର ସନ୍ଦେହ ହଟାଇବାକୁ ଚେଷ୍ଟା କରିଥିଲା।
ପୁଞ୍ଜିଲାଲ ସୌମ୍ୟଶେଖର ଓ ରିମାଙ୍କ ବାହାଘର ଭୋଜିରେ ଯୋଗ ଦେଇ ନୂଆ ବରବଧୂଙ୍କୁ ଆଶୀର୍ବାଦ ଦେଇଥିଲା। ସୌମ୍ୟ ଏବଂ ରିମା ମଧ୍ୟ ପୁଞ୍ଜିଲାଲଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ। ଏପରିକି ମୃତ୍ୟୁ ପରେ ଶୁଦ୍ଧିକ୍ରିୟାରେ ଯୋଗଦେଇ ସମବେଦନା ବି ଜଣାଇଥିଲା।
ପୁଞ୍ଜିଲାଲକୁ ଜେରା କରାଯିବାପରେ ସେ ନିଜେ ହିଁ ବୋମା ବିସ୍ଫୋରଣ ସମସ୍ତ ପ୍ଲଟ ତିଆରି କରିଥିଲା ବୋଲି ପୋଲିସକୁ କହିଛି। ବୋମା ତିଆରିଠାରୁ ଆରମ୍ଭ କରି ଏହାକୁ ପରୀକ୍ଷା କରିବା ଓ ରାୟପୁର ଯାଇ ସେଠାରୁ କୋରିୟରରେ ଗିଫ୍ଟ ପ୍ୟାକେଟ କରି ପଠାଇବା ପର୍ଯ୍ୟନ୍ତ ସମସ୍ତ ସାଜିସ ନିଜେ ପୁଞ୍ଜିଲାଲ ହିଁ ରଚିଥିଲା।
ଘଟଣାରେ ସଫଳତା ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚକୁ ଅଭିନନ୍ଦନ ଜଣାଇଛନ୍ତି।














