ଛନ୍ଦା ମିଶ୍ର
ପିଲାକୁ ନିଜ ମନର କଥା ଖୋଲି କହିବା ପାଇଁ ଉତ୍ତମ ତଥା ସକରାତ୍ମକ ମନୋଭାବାପନ୍ନ ସାଥୀଟିଏ ଦରକାର। ଏହି ଭୂମିକା ପରିବାରର କେହି ଜଣେ ଗୁରୁଜନ ପିଲାଟି ପାଇଁ ତୁଲାଇପାରିଲେ, ପରିବାର ପାଇଁ ତଥା ସମଗ୍ର ସମାଜ ପାଇଁ ମଙ୍ଗଳକର ହେବ।
ଆମେ ଥିଲୁ ବଡ଼ ପରିବାର। ଖାଇବସିଲା ବେଳେ ପାଖରେ ଜେଜେମା’ କିମ୍ବା ବଡବାପା ଓ ବଡମା’ଙ୍କ ମଧ୍ୟରୁ କେହି ଜଣେ ପାଖରେ ଜଗିକରି ବସୁଥିଲୋ କେହି ଯଦି କୌଣସି ଖାଦ୍ୟକୁ ଖାଇବାରେ ଅନିଚ୍ଛା ପ୍ରକାଶ କରୁଥିଲା ତେବେ ତାକୁ ଗେହ୍ଲାକରି ହେଉ ଅବା ରାଗିକରି, ଯେମିତି ହେଲେ ଖୋଇବାକୁ ପଡୁଥିଲା। ସେଥିରେ ବଡମାନେ ତିଳେ ହେଲେ ହେଳା କରୁ ନଥିଲୋ
ପ୍ରତ୍ୟେକ ଖାଦ୍ୟପଦାର୍ଥର ଗୁଣ ଯଥା କେଉଁଟି ଖାଇଲେ ଚର୍ମରୋଗ ହେବନି କିମ୍ବା କେଉଁଟା ଦୃଷ୍ଟିଶକ୍ତି ବଢାଇବ ପୁଣି କିଏ ନୂଆ ରକ୍ତ ତିଆରିରେ ସାହାଯ୍ୟ କରିବ ଆଦି ବୁଝାଇ କହିଲା ବେଳେ ଖାଦ୍ୟ କେତେବେଳେ ଥାଳିରୁ ସରିଯାଉଥିଲା ଜଣା ବି ପଡୁନଥିଲା।
ଟିଭି ନଥିଲା, ଥିଲା ରେଡିଓା ଦୈନନ୍ଦିନ ମନୋରଞ୍ଜନ କହିଲେ ସ୍କୁଲରୁ ଫେରି ଖେଳିବାକୁ ଚାଲିଯିବା ଓ ରାତିରେ ଜେଜେମା ପାଖରୁ ଗପ ଶୁଣିଶୁଣି ଶୋଇବା। ଗପରେ କେଉଁଠି ବେଙ୍ଗ ରାଜା ହୁଏ ତ କେଉଁଠି ରାଜାପୁଅ ପେଟରେ ସାପ ରହି ସବୁ ଖାଇଦିଏ। କେଉଁ ଗପରେ ଶ୍ରୀରାମଙ୍କର ମହାନତାର ବର୍ଣ୍ଣନା ତ କେଉଁଥିରେ ଶିବାଜୀଙ୍କ ଦେଶପ୍ରେମ। ଏସବୁ ଗୋଟିଏ ଶିଶୁ ତଥା କିଶୋରର ଶାରୀରିକ ତଥା ମାନସିକ ଅଭିବୃଦ୍ଧିରେ ଅତ୍ୟନ୍ତ ସହାୟକ ହେଉଥିଲା।
ମାତ୍ର ଆଜି ସ୍ଥିତି ଭିନ୍ନ। ବାପା, ମା’ ଓ ଗୋଟିଏ ବା ଦୁଇଟି ପିଲାଙ୍କୁ ନେଇ ଏକ ଅଣୁ ଓ ସୁଖୀ ପରିବାର ବୋଲି କଳ୍ପନା କରାଯାଉଛି। ପ୍ରାୟ ପ୍ରତ୍ୟେକ ଜାଗାରେ ବାପା ଓ ମା’ ଉଭୟ କର୍ମଜୀବୀ। ପିଲାଟି ଘରକୁ ଫେରିଲା ବେଳକୁ ଘରେ କେହି ନଥିବ। ପିଲାଟି ନିଜେ ଫ୍ରିଜରୁ ଖାଦ୍ୟ ନେଇ ଗରମ କରି ଖାଇବା ବାଢିଦେବା ପାଇଁ କିମ୍ବା କଣ ଖାଇଲା କି ନ ଖାଇଲା ତାହା ଦେଖିବା ପାଇଁ ପାଖରେ କେହି ନାହିଁ।
ଖାଦ୍ୟ ଥାଳିଟି ଧରି ଟିଭି ସାମ୍ନାରେ ବସିଗଲା ପରେ କେତେ ଖାଦ୍ୟ ପେଟକୁ ଗଲା ଓ କେତେ ଡଷ୍ଟବିନକୁ ତାର ହିସାବ ବା ରଖୁଛି କିଏ? ମା’ ପାଖରେ ସମୟ ନାହିଁ ପିଲା ପାଇଁ। ଭୋକ କଲେ ମ୍ୟାଗି କରି ଦେଇଦିଅ। ସହଜ, ସୁବିଧା ଓ ପେଟ ବି ପୂରିଲା। ମାତ୍ର କେତେ ଖାଦ୍ୟସାର ଦେହକୁ ଗଲା ତା ଦେଖିବାକୁ ଫୁର୍ସତ ବା କାହା ପାଖରେ ଅଛି।
ପିଲାମାନେ ବଜାର ଗଲେ ପିଜା, ଚିପ୍ସ ଓ କୋଲଡଡ୍ରିଙ୍କ୍ସ ନ ଦେଲେ ଘରକୁ ଫେରିବେ ନାହିଁ। ଆଜି ଚୁଡା, ମୁଢି, ଛତୁଆ, ପଖାଳ, କାଞ୍ଜି, ଚିତଉପିଠା, ମଣ୍ଡାପିଠା ହୋଇଯାଇଛି ଆଉଟ୍ଡେଟେଡ। ତା’ର ସ୍ଥାନ ନେଇଯାଇଛି ଚାଉମିନ, ପେଟିସ, ସୁପ୍, ବର୍ଗର ଇତ୍ୟାଦି। ଶରୀର ପାଇଁ ଅହିତକାରୀ ଜାଣି ମଧ୍ୟ ସମସ୍ତେ ଅଜଣା ସାଜିଛ। ଫଳରେ ଶରୀରରେ ଅଦରକାରୀ ଗୁଡାଏ ମେଦ କେବଳ ସୃଷ୍ଟି ହେଉଛି।
ଏସବୁ ଛଡା ପିଲାମାନଙ୍କ ମଧ୍ୟରେ ଦେଖାଦେଇଛି ପ୍ରଚଣ୍ଡ କର୍ମବିମୁଖତା। ସେମାନେ ଆଜି ଖେଳପଡିଆକୁ ଛାଡି ଆପଣେଇଛନ୍ତି ଭିଡିଓଗେମ୍କୁ। ଟିଭି ରିମୋଟ, କମ୍ପ୍ୟୁଟରର କି-ବୋର୍ଡ ତଥା ମୋବାଇଲ ଧରିବାରେ ବ୍ୟସ୍ତ ହାତଟିରେ ପାଣି ବାଲଟିଏ କାଢିବାର କ୍ଷମତା ମଧ୍ୟ ନାହିଁ।
ଏହି ଟିଭି ଓ କମ୍ପ୍ୟୁଟର ଗେମ୍ର ପ୍ରଭାବରେ ପିଲାମାନଙ୍କର ମାନସିକତାରେ ଦେଖାଦେଇଛି ଅଦ୍ଭୁତ ପରିବର୍ତ୍ତନ। ସେମାନଙ୍କ ମଧ୍ୟରୁ ବାଲ୍ୟ ଚପଳାମି ଓ ସରଳତା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବାକୁ ବସିଲାଣି। ତା’ ଜାଗାରେ ବସା ବାନ୍ଧିଛି ହିଂସା, ଦ୍ଵେଷ ଓ ଉଦ୍ଧତପଣିଆା ବଡମାନଙ୍କ ପ୍ରତି ଭକ୍ତିଭାବ ନାହିଁ। ନାହିଁ ବି ସାନମାନଙ୍କ ପ୍ରତି ଶ୍ରଦ୍ଧା ଓ ଯତ୍ନଶୀଳତା।
ବଡ ବଡ ଦାମୀ ସ୍କୁଲଗୁଡ଼ିକୁ ଯାଆନ୍ତୁ ଦେଖିବେ ଅଧିକାଂଶ ପିଲା ନିଜ ଶରୀରର ଭାରାରେ ଭାରାକ୍ରାନ୍ତ। ଆଜି ଏହାକୁ ଆଭିଜାତ୍ୟର ଲକ୍ଷଣ ବୋଲି ମନେ କରୁଥିବା ମାତାପିତା କାଲି ଏହାକୁ ମୁଣ୍ଡବ୍ୟଥାର ଏକ କାରଣ ବନାଇବାକୁ ଯାଉଛନ୍ତି ଏହା ନିଃସନ୍ଦେହ।
ଆଗରୁ ବୟସ ହେଲେ ଲୋକେ ବ୍ଲଡପ୍ରେସର, ଏସିଡିଟି, ଡାଇବେଟିସ ଆଦିର ଶିକାର ହେଉଥିଲ। କିନ୍ତୁ ଆଜି ଏହି ରୋଗଗୁଡ଼ିକ ବୟସର ତାରତମ୍ୟକୁ ଆଉ ମାନୁନାହାନ୍ତି। ଏହାର ମୁଖ୍ୟ କାରଣ ପିଲାମାନଙ୍କର ଅନିୟମିତ ଆହାର ତଥା ଅସ୍ୱାଭାବିକ ଦିନଚର୍ଯ୍ୟା। ଫଳସ୍ୱରୂପ ପିଲାଟି ନିଜର ପିଲାଦିନକୁ ହଜାଇ ବସୁଛି ଓ ବହୁତ କମ୍ ବୟସରେ ଅଳ୍ପ କିଛି ଜ୍ଞାନ ଓ ଅନେକ କୁଜ୍ଞାନ ଅର୍ଜନ କରି ବଡମାନଙ୍କ ଭଳି ଆଚରଣ କରୁଛି। ଏଥିପାଇଁ ଦାୟୀ ଆମେ ଅଭିଭାବକମାନେ, ଯେଉଁମାନଙ୍କ ପାଇଁ ପିଲାର ସୁସ୍ଥ ଶରୀର ତଥା ସୁସ୍ଥ ମାନସିକତା ନୁହେଁ ବରଂ ତା’ର କ୍ୟାରିୟର ହୋଇଛି ଏକମାତ୍ର ଲକ୍ଷ୍ୟ।
ଜଣେ ଯଦି ଭଲ ପାଠ ପଢୁଛି ବା ଭଲ ଚାକିରିଟିଏ ପାଇଯାଉଛି ତେବେ ତାକୁ ବୁଦ୍ଧିମାନ ଓ ବିଚାରବନ୍ତ ବୋଲି ଭାବିବା ସମ୍ପୂର୍ଣ୍ଣ ରୂପେ ଅନୁଚିତ। ଆଜି ଭୁବନେଶ୍ୱରର କ୍ରାଇମ ରେକର୍ଡରେ ସବୁଠାରୁ ବେଶି ଅପରାଧୀ ହେଉଛନ୍ତି ଇଞ୍ଜିନିୟରିଂ ଛାତ୍ର। ଆମେରିକାର ସିନେମା ହଲରେ ଗୁଳିକାଣ୍ଡ କରିଥିବା ଛାତ୍ରଟି ତ ପୁଣି ବିଜ୍ଞାନର ଟପର। ଏପରି ଉଦାହରଣ ଅନେକ ଅଛି।
ପିଲା ମନରେ ଧର୍ମ, ସମାଜ ପ୍ରତି ତଥା ପରିବାରର ସମ୍ମାନହାନିର ଭୟ ରହିବା ଦରକାର। ଏହା ବଢେ ସାମାଜିକ ଚଳଣିରୁ, ବନ୍ଧୁବାନ୍ଧବ ତଥା ପଡୋଶୀମାନଙ୍କ ସହିତ ସୁସମ୍ପର୍କରୁ। ପିଲାକୁ ନିଜ ମନର କଥା ଖୋଲି କହିବା ପାଇଁ ଉତ୍ତମ ତଥା ସକାରାତ୍ମକ ମନୋଭାବାପନ୍ନ ସାଥୀଟିଏ ଦରକାର। ଏହି ଭୂମିକା ପରିବାରର କେହି ଜଣେ ଗୁରୁଜନ ପିଲାଟି ପାଇଁ ତୁଲାଇପାରିଲେ, ପରିବାର ପାଇଁ ତଥା ସମଗ୍ର ସମାଜ ପାଇଁ ମଙ୍ଗଳକର ହେବ।
(ସୌଜନ୍ୟ – ଭିନ୍ନ ମଣିଷ)















