ଓଡ଼ିଶାଲାଇଭ୍ ବ୍ୟୁରୋ
“ରାଜ୍ୟରେ କଂଗ୍ରେସର ଯେଉଁ ଦୁଇ ନମ୍ବର ସ୍ଥାନ ଥିଲା ତାହାକୁ ବିଜେପିଠାରୁ ଫେରାଇ ଆଣିବା ହେଉଛି ତାଙ୍କର ପ୍ରଥମ କାମ। କଂଗ୍ରେସ ପାଇଁ ବର୍ତ୍ତମାନ ସମୟ କଷ୍ଟକର କିନ୍ତୁ ଅସମ୍ଭବ ନୁହେଁ ”, କହିଛନ୍ତି ନବନିର୍ବାଚିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ଏକ ଇଂରାଜୀ ଦୈନିକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ସେ ଏକଥା ମଧ୍ୟ କହିଛନ୍ତି, “ଓଡ଼ିଶାରେ କଂଗ୍ରେସର ଖରାପ ଅବସ୍ଥା ପାଇଁ ଦଳର କିଛି ନେତା ଦାୟୀ”।
ସବୁଠାରୁ ବଡ଼ ଚାଲେଞ୍ଜ
ଘୋର ଅସୁବିଧା ସମୟରେ ମୋତେ ପିସିସି ସଭାପତି ନିଯୁକ୍ତ କରାଯାଇଛି। ଅସଂଖ୍ୟ କର୍ମୀ ଏବଂ ଶୁଭେଛୁଙ୍କ ପାଇଁ ମୁଁ କଂଗ୍ରେସ ସଭାପତି ହୋଇ ପାରିଲି।ସେମାନଙ୍କର ଅଭିପ୍ରାୟକୁ ରାହୁଲ ଗାନ୍ଧୀ ଶୁଣିଲେ।କିନ୍ତୁ ଦଳକୁ ରାସ୍ତାକୁ ଆଣିବା ଏତେ ସହଜ ନୁହେଁ।
ଦଳ ଛାଡ଼ିଥିବା ନେତା
ଦଳ ଛାଡ଼ି ଚାଲିଯାଇଥିବା ନେତାଙ୍କ ପ୍ରତି ମୋର ମୋହ ତୁଟି ଯାଇଥାଇ ପାରେ। କିନ୍ତୁ ମୋର ହାତ ଦୁଇଟି ଖୋଲା।ସେମାନେ ଚାହିଁଲେ ଦଳକୁ ଫେରି ଆସି ପାରିବେ। ଯେଉଁମାନେ ଚାହୁଁଛନ୍ତି ଓଡ଼ିଶା ପ୍ରକୃତରେ ଉନ୍ନତି କରୁ ସେମାନେ କଂଗ୍ରେସରେ ପୁଣି ଯୋଗ ଦେବା ଦରକାର।ମୁଁ ସେମାନଙ୍କୁ ନିବେଦନ କରୁଛି।
ବିଳମ୍ବିତ ନିଷ୍ପତ୍ତି
ଏହି (ପିସିସି ପରିବର୍ତ୍ତନ) ନିଷ୍ପତ୍ତି ନେବାରେ ଢେର ବିଳମ୍ବ ହୋଇଛି। ଯଦି ଆଗରୁ ଏହି ନିଷ୍ପତ୍ତି ନିଆଯାଇଥାନ୍ତା କଥା ଅଲଗା ରକମର ହୋଇଥାନ୍ତା ଓ କଂଗ୍ରେସ ପାଇଁ ତାହା ଶୁଭଙ୍କର ହୁଅନ୍ତା।
ଦ୍ଵିତୀୟ ସ୍ଥାନ
ଆମେ ଏବେ ରାଜ୍ୟରେ ଦ୍ଵିତୀୟ ସ୍ଥାନରେ ରହିଛୁ। ଆଶା କରାଯାଉଛି ଆସନ୍ତା ୬-୭ ମାସ ଭିତରେ ପରିସ୍ଥିତି ବଦଳିବ। ଯଦି ମୋ ହାତରେ କମ ସେ କମ ଦୁଇ ବର୍ଷ ସମୟ ଥାଆନ୍ତା, ଆମେ ଏକ ନମ୍ବର ଦଳ ହୋଇପାରିଥାନ୍ତୁ।ଏ କଥା ନିଶ୍ଚିତ ଯେ ଓଡ଼ିଶାରେ ବିଜେପି ବଢୁଛି ଓ ଆମ ଭୋଟ ସେମାନେ ନେଇଛନ୍ତି।କିନ୍ତୁ ଏହା ଏବେ ବଦଳୁଛି ଓ ସମଗ୍ର ଦେଶରେ ଲୋକେ ବିଜେପିଠୁ ମୁହଁ ଫେରାଇବା ଆରମ୍ଭ କଲେଣି।
ବିଜେଡି ବିରୁଦ୍ଧରେ ଜନମତ
ଶାସକ ବିଜେଡି ବିରୁଦ୍ଧରେ ଜନମତ ରହିଛି।କିନ୍ତୁ ଜନତାଙ୍କ ପାଖରେ ବିକଳ୍ପ ନାହିଁ। ଏକ ଶକ୍ତିଶାଳୀ କଂଗ୍ରେସ ନ ଥିବା ହେତୁରୁ ଲୋକେ ବିଜେଡିକୁ ଭୋଟ ଦେଇ ଚାଲିଛନ୍ତି। ଏଥିପାଇଁ ମୁଁ ଲୋକଙ୍କୁ ଦୋଷ ଦେବିନି। ଆମେ ନିଜେ କେବଳ ଏଥିପାଇଁ ଦାୟୀ।ସବୁସ୍ଥାନରେ ଆମେ ବିଜେଡିକୁ ୱାକଓଭର ଦେଇଛୁ ଏବଂ ଗୋଟିଏ ଦାୟିତ୍ଵପୂର୍ଣ୍ଣ ରାଜନୈତିକ ଦଳ ହିସାବରେ ଆମେ ଆମ କାମ ଠିକ୍ ଭାବରେ କରିନାହୁଁ। କଂଗ୍ରେସ ଆଜି ଖରାପ ସ୍ଥିତିରେ ରହିଛି କେବଳ କଂଗ୍ରେସିଆଙ୍କ ପାଇଁ।
୨୦୧୯ ପାଇଁ ଟାର୍ଗେଟ
ମୁଁ ଆସନ୍ତା ତିନି ମାସ ଭିତରେ ସମଗ୍ର ରାଜ୍ୟ ଗସ୍ତ କରିବି ଓ ଦେଖିବି ଆମ ଶକ୍ତି କଣ ଓ କେଉଁଠି କେଉଁଠି ଦୁର୍ବଳତା ରହିଛି। କିନ୍ତୁ ମୁଁ ଦୃଢ଼ ନିଶ୍ଚିତ ଯେ ଏପାଳି ଲୋକେ ନିଶ୍ଚୟ ଆମ କଥା ବିଚାରକୁ ନେବେ। ବିଗତ ୧୮ବର୍ଷ ଭିତରେ ବିଜେଡି ଓଡ଼ିଶା ପାଇଁ କଣ କରିଛି ଓ ଗତ ୪ ବର୍ଷ ଭିତରେ କେନ୍ଦ୍ରରେ ବିଜେପି ରାଜ୍ୟ ପାଇଁ କଣ କରିଛି ତାର ହିସାବ ନିକାଶ ଲୋକେ ନିଶ୍ଚିତ ଭାବେ କରିବେ।
ଦଳୀୟ କନ୍ଦଳ
ମୁଁ ସମସ୍ତଙ୍କୁ ଏକାଠି କରି ଚାଲିବି। ଯେଉଁଠି କିଛି କିଛି କନ୍ଦଳ ରହିଛି ତାହାର ସମାଧାନ ପାଇଁ ଚେଷ୍ଟା କରିବି।















