ରବୀନ୍ଦ୍ର ନାରାୟଣ ମିଶ୍ର
“ବ୍ରାହ୍ମଣ ଯେମିତି ରାଜା ଉପାସନା ଓ ସମସ୍ତଙ୍କ ମଙ୍ଗଳ କରିବାରେ ବିଶେଷଜ୍ଞ ଥିଲା, ଶୁଦ୍ର ସେମିତି ଚାଷ କର୍ମରେ ନିଜ ନିପୁଣତା ଦେଖାଇ ସମାଜର ମଙ୍ଗଳ କରୁଥିଲା। ସେମାନଙ୍କ ମଧ୍ୟରେ କିଏ ବଡ କିଏ ସାନ ସେ ବିଚାର ନଥିଲା। ସେମାନେ ସେ ଦିଗରେ ବିବାଦ କରୁନଥିଲେ। ତେଣୁ ଜାତି ବ୍ୟବସ୍ଥା ଖରାପ ନୁହେଁ, ମାତ୍ର ଜାତିଭେଦକୁ କେନ୍ଦ୍ର କରି ବିବାଦ ହିଁ ଖରାପ ଓ ନିନ୍ଦନୀୟ।’’
ଜାତି ବ୍ୟବସ୍ଥା ବିଷୟରେ ଆମ୍ଭମାନଙ୍କର ଗୋଟିଏ ବଡ଼ ଭୁଲ୍ ଧାରଣା ଅଛି। ସେ ଭୁଲ୍ ଧାରଣାଟି କ’ଣ ଆମେ ନିମ୍ନଲିଖିତ କଥାଟିରୁ ଜାଣିପାରିବା।
ଥରେ ପଣ୍ଡିତ ମଦନମୋହନ ମାଲବ୍ୟ ଜଣେ ଅସୁସ୍ଥ ରାଜନୈତିକ ନେତାଙ୍କୁ ଦେଖା କରିବାକୁ ଗୋଟିଏ ଡାକ୍ତରଖାନାରେ ପହଞ୍ଚିଥିଲେ। ପଣ୍ଡିତ ମାଲବ୍ୟଙ୍କ ସହିତ କଥା ହେବା ଅବସରରେ ନେତା ଜଣକ ତାଙ୍କୁ କହିଲେ, ‘ଆମ ସମାଜରେ ଉଚ୍ଚନୀଚ ଭେଦଭାବ ସୃଷ୍ଟି ହୋଇଛି ଏ ଜାତି ବ୍ୟବସ୍ଥା ଯୋଗୁଁ। ଆପଣ ଜଣେ ଏତେବଡ଼ ଜ୍ଞାନୀ ପଣ୍ଡିତ ହୋଇ ଏ ଜାତି ବ୍ୟବସ୍ଥାକୁ କେମିତି ସମର୍ଥନ କରୁଛନ୍ତି? ଏ ବର୍ଣ୍ଣ ବ୍ୟବସ୍ଥା ଆମ ସମାଜର ଗୋଟିଏ କଳଙ୍କ ନୁହେଁ କି?”
ଉପସ୍ଥିତ ବୁଦ୍ଧିସମ୍ପନ୍ନ ମଦନମୋହନ ମାଲବ୍ୟ ନେତାଙ୍କୁ କହିଲେ,‘‘ଦେଖନ୍ତୁ, ଆପଣ ଏଇ ଯେଉଁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏହା ଏକ ଖୁବ୍ ଭଲ ଡାକ୍ତରଖାନା, ଏଥିରେ ବିଭିନ୍ନ ରୋଗର ଚିକିତ୍ସା ପାଇଁ ବିଶେଷଜ୍ଞମାନେ ଅଛନ୍ତି। ମାତ୍ର ଏଇ ବିଶେଷଜ୍ଞମାନେ ଯଦି ନିଜ ନିଜର କର୍ତ୍ତବ୍ୟ ଭୁଲିଯାଇ କିଏ ବଡ଼, ସେ କଥା ପ୍ରମାଣ କରିବା ପାଇଁ ନିଜ ନିଜ ଭିତରେ ବାଦବିବାଦ ସୃଷ୍ଟି କରି ସେ ଦିଗରେ ମାତନ୍ତି, ତେବେ ସେମାନଙ୍କ ବିବାଦକୁ ବନ୍ଦ କରିବା ପାଇଁ ଆମ୍ଭେମାନେ କ’ଣ ଏ ଡାକ୍ତରଖାନାକୁ ବନ୍ଦ କରିଦେବା ଉଚିତ୍ ହେବ?’’ ନେତା ଜଣକ ଏଥର କହିଲେ, ‘‘ନା, ନା, ତାହା କେମିତି ହେବ?’’
ତା’ ପରେ ପଣ୍ଡିତ ମଦନମୋହନ ମାଲବ୍ୟ ତାଙ୍କୁ ବୁଝାଇଲେ, ‘ଦେଖନ୍ତୁ ଜାତି ବ୍ୟବସ୍ଥା ନିନ୍ଦନୀୟ ନୁହେଁ, ବରଂ ପ୍ରଶଂସନୀୟ, ପ୍ରତ୍ୟେକ ଜାତି ପୁରୁଷାନୁକ୍ରମେ ଗୋଟିଏ ଗୋଟିଏ ଦିଗରେ ସେମାନଙ୍କର ଉତ୍କୃଷ୍ଟ ଗୁଣର ପ୍ରମାଣ ଦେଖାଇ ତାକୁ ବଜାୟ ରଖିଥିଲେ। ବ୍ରାହ୍ମଣ ଯେମିତି ରାଜା ଉପାସନା ଓ ସମସ୍ତଙ୍କ ମଙ୍ଗଳ କରିବାରେ ବିଶେଷଜ୍ଞ ଥିଲା, ଶୁଦ୍ର ସେମିତି ଚାଷ କର୍ମରେ ନିଜ ନିପୁଣତା ଦେଖାଇ ସମାଜର ମଙ୍ଗଳ କରୁଥିଲା। ସେମାନଙ୍କ ମଧ୍ୟରେ କିଏ ବଡ କିଏ ସାନ ସେ ବିଚାର ନଥିଲା। ସେମାନେ ସେ ଦିଗରେ ବିବାଦ କରୁନଥିଲେ। ତେଣୁ ଜାତି ବ୍ୟବସ୍ଥା ଖରାପ ନୁହେଁ, ମାତ୍ର ଜାତିଭେଦକୁ କେନ୍ଦ୍ର କରି ବିବାଦ ହିଁ ଖରାପ ଓ ନିନ୍ଦନୀୟ।’’
ରାଜନୈତିକ ନେତାଙ୍କର ସେଦିନ ମାଲବ୍ୟଙ୍କ ଏ ଦୃଢ଼ ଯୁକ୍ତିରେ ହୃଦ୍ବୋଧ ହୋଇଗଲା।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)















