ରବୀନ୍ଦ୍ର ନାରାୟଣ ମିଶ୍ର

ପଣ୍ଡିତ ବ୍ରଜନାଥଙ୍କ ହଡବଡେଇବା ଅବସ୍ଥା ଦେଖି ଯେତେବେଳେ ଇଂରେଜ ସୈନିକ ତାଙ୍କୁ ଗୁଳି ମାରିବାକୁ ସଜବାଜ ହେଉଥିଲା, ସେତେବେଳେ ବ୍ରଜନାଥଙ୍କ ମୁଣ୍ଡରେ ଗୋଟିଏ ବୁଦ୍ଧି ଢୁକିଲା। ଖୋଳ ଭିତରୁ ତାନପୁରା ବାଦ୍ୟଯନ୍ତ୍ରକୁ ବାହାର କରି ସେ ତାଙ୍କ ସୁମଧୁର ରାଗିଣୀରେ ଗୋଟିଏ ସୁରଦାସଙ୍କ ଭଜନ ବୋଲିବାକୁ ଆରମ୍ଭ କରିଦେଲେ।

୧୮୫୭ ମସିହା। ଇଂରେଜ ଶାସନ ବିରୋଧରେ ସିପାହି ବିଦ୍ରୋହ ଆରମ୍ଭ ହେଲା। ଏଇ କଥାଟି ସେହି ମସିହାର।

ପ୍ରୟାଗ ସହରର ଗଳିକନ୍ଦିକୁ ଇଂରେଜ ସୈନ୍ୟମାନେ ଘେରି ରହିଥାନ୍ତି। ସନ୍ଦେହ ହେବା ମାତ୍ରେ ସେମାନଙ୍କ  ବନ୍ଧୁକରୁ ଗୁଳି ଛୁଟିଯାଉଥାଏ ଓ ଆନ୍ଦୋଳନକାରୀମାନେ ଟଳି ପଡ଼ୁଥାନ୍ତି ଜଣକ ପରେ ଜଣେ। ସେତିକି ବେଳେ ପଣ୍ଡିତ ମଦନମୋହନ ମାଲବ୍ୟଙ୍କ ପିତା ପଣ୍ଡିତ ବ୍ରଜନାଥଙ୍କ ସଂସ୍କୃତ ଭାଷାରେ ପାଣ୍ଡିତ୍ୟ ପ୍ରୟାଗ ଚତୁଃପାର୍ଶ୍ୱସ୍ଥ ସମସ୍ତଙ୍କୁ ବିମୋହିତ କରିଦେଇଥାଏ।

ସେ ସଂସ୍କୃତ ଭାଗବତକୁ ସୁନ୍ଦର ଭାବରେ ଲୋକମାନଙ୍କୁ ବୁଝାଇ ପାରୁଥାନ୍ତି ଓ ବୀଣାଜିଣା କଣ୍ଠରେ ତାକୁ ପରିବେଷଣ କରିପାରୁଥାନ୍ତି। ସେଦିନ ରାତି ଅଧରେ ସେ ଭାଗବତ କଥା ପରିବେଷଣ କରି ଏକାକୀ ଫେରିବା ସମୟରେ ଜଣେ ସଶସ୍ତ୍ର ଇଂରେଜ ସୈନ୍ୟ ତାଙ୍କ ଆଡକୁ ବନ୍ଧୁକ ଦେଖାଇ ଖୋଳ ଭିତରେ କ’ଣ ଅଛି ବୋଲି ଇଂରାଜୀ ଭାଷାରେ ପଚାରିଲା।

ଭୟାର୍ତ୍ତ ପଣ୍ଡିତ ବ୍ରଜନାଥ ଇଂରାଜୀ ଜାଣିନଥିବାରୁ ସୈନିକଟିର ପ୍ରଶ୍ନର ଉତ୍ତର ଦେଇ ନପାରି ଇତସ୍ତତଃ ହେଉଥାନ୍ତି। ତାଙ୍କ ସଂସ୍କୃତ ଓ ହିନ୍ଦୀ ଭାଷା ମଧ୍ୟ ଇଂରେଜ ସୈନ୍ୟ ବୁଝିପାରୁନଥାଏ। ସୈନିକଟି କେବେ ତା’ ପୂର୍ବରୁ ତାନ୍‌ପୁରା ଦେଖି ନଥିଲା। ତେଣୁ ତା’ ମନରେ ସନ୍ଦେହ ହେଉଥାଏ ଯେ ଏ ଲୋକଟି ଜଣେ କ୍ରାନ୍ତିକାରୀ ଓ ସେ ନିଶ୍ଚୟ କିଛି ବିପଜ୍ଜନକ ଅସ୍ତ୍ର ଖୋଳ ଭିତରେ ରଖିଛି।

ପଣ୍ଡିତ ବ୍ରଜନାଥଙ୍କ ହଡବଡେଇବା ଅବସ୍ଥା ଦେଖି ଯେତେବେଳେ ଇଂରେଜ ସୈନିକ ତାଙ୍କୁ ଗୁଳି ମାରିବାକୁ ସଜବାଜ ହେଉଥିଲା, ସେତେବେଳେ ବ୍ରଜନାଥଙ୍କ ମୁଣ୍ଡରେ ଗୋଟିଏ ବୁଦ୍ଧି ଢୁକିଲା। ଖୋଳ ଭିତରୁ ତାନପୁରା ବାଦ୍ୟଯନ୍ତ୍ରକୁ ବାହାର କରି ସେ ତାଙ୍କ ସୁମଧୁର ରାଗିଣୀରେ ଗୋଟିଏ ସୁରଦାସଙ୍କ ଭଜନ ବୋଲିବାକୁ ଆରମ୍ଭ କରିଦେଲେ।

ତାଙ୍କର ସୁମଧୁର କଣ୍ଠ ସହିତ ତାନପୁରା ଯେତେବେଳେ ଅମୃତ ବର୍ଷା କରିବାରେ ଲାଗିଲା, ସେତେବେଳେ କିଛି ନ ବୁଝିଲେ ବି ଇଂରେଜ ସୈନିକ ଆଖି ବୁଜି ସେ ତାଳ ସାଙ୍ଗରେ ଦୋହଲିବାରେ ଲାଗିଲା। ଭଜନଟି ସରିଗଲା ପରେ ଇଂରେଜ ସୈନିକ ଏତେ ଖୁସି ହୋଇଗଲା ଯେ ପଣ୍ଡିତ ବ୍ରଜନାଥଙ୍କୁ ତାଙ୍କ ଘର ପାଖରେ ଆଣି ପହଞ୍ଚାଇ ଦେଲା। ସେଦିନ ପଣ୍ଡିତଙ୍କ ତାନ୍‌ପୁରା ଗର୍ଜନ କରି ମାଡ଼ି ଆସୁଥିବା ଇଂରେଜ ବାଘକୁ ଏମିତି ତୁନି କରିଦେଇଥିଲା।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment