ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରୀୟ ପୁରସ୍କାର ଘୋଷଣା ହେବା ପରଠୁ ବେଶ୍ ଚର୍ଚ୍ଚାରେ ରହିଛନ୍ତି ଜଣେ ଓଲିଉଡ୍ ହିରୋଇନ୍। ସେ ହେଲେ ପ୍ରକୃତି ମିଶ୍ର। ଓଲିଉଡ଼ ହିରୋଇନ୍ ପ୍ରକୃତି ମିଶ୍ର ଓଡ଼ିଆ ଫିଲ୍ମ ‘ହ୍ୟାଲୋ ଆର୍ସୀ’ରେ ଉଚ୍ଚକୋଟୀର ଅଭିନୟ କରିଛନ୍ତି। ସେଥିପାଇଁ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାରରେ ସ୍ୱତନ୍ତ ସମ୍ମାନ ଦିଆଯିବ।
ଏବେ ଆସନ୍ତୁ ଜାଣିବା ଓଲିଉଡ୍ ହିରୋଇନ୍ ପ୍ରକୃତି ମିଶ୍ର ସମ୍ପର୍କରେ ବିଶେଷ କଥା।
ପ୍ରକୃତି ହେଉଛନ୍ତି ଓଲିଉଡର ଖ୍ୟାତାନାମା ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ମନ୍ମଥ ମିଶ୍ର ଓ ଗାୟିକା-ଉପସ୍ଥାପିକା କ୍ରିଷ୍ଣା ମିଶ୍ରଙ୍କ ଏକ ମାତ୍ର କନ୍ୟା। ପ୍ରକୃତିଙ୍କ ଭାଇ ହେଲେ ମାନବ।
ପ୍ରକୃତି ପିଲାଦିନରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ। ବାପା ମାଆଙ୍କ ଦ୍ୱାରା ପ୍ରେରିତ ହୋଇ ପ୍ରକୃତି ବି ଗୀତ ଗାଉଥିଲେ। ହେଲେ ପରେ ଓଲିଉଡ ହିରୋଇନ୍ ହୋଇଥିବା ପ୍ରକୃତି ମିଶ୍ର ଅଭିନୟ କ୍ଷେତ୍ରକୁ ବାଛିଥିଲେ।
ପ୍ରକୃତି ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ବଡ଼ ପରଦାରୁ। ସେ ପ୍ରଥମେ ପ୍ରଖ୍ୟାତ ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ସାବତ ମା’ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ଏହି ସିନେମାରେ ମହାନାୟିକା ମହେଶ୍ୱତା ଟାଇଟଲ ରୋଲରେ ଥିଲେ। ତା’ଛଡ଼ା ବିଜୟ ମହାନ୍ତି, ଶ୍ରୀତମ୍ ଦାଶ, ଅନୁ ଚୌଧୁରୀ, ଦୀପକ ପରିଡ଼ା, ବର୍ଷା ପ୍ରିୟଦର୍ଶିନୀ, ପ୍ରଦ୍ୟୁମ୍ନ ଲେଙ୍କା, ହର ପଟ୍ଟନାୟକ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା ମୁଖ୍ୟ ଭୂମିକାରେ। ‘ସାବତ ମା’ର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ମନ୍ମଥ ମିଶ୍ର। ୨୦୦୩ରେ ରିଲିଜ୍ ହୋଇଥିଲା ‘ସାବତ ମା’।
‘ସାବତ ମା’ରେ ପ୍ରଭାବଶାଳୀ ଅଭିନୟ କରିଥିଲେ ଶିଶୁ ପ୍ରକୃତି। ଏହାପରେ ସେ ଅନ୍ୟ ନିର୍ମାତା, ନିର୍ଦ୍ଦେଶକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରକୃତି ‘ସାତ ସୁରେ ବନ୍ଧା ଏ ଜୀବନ’ରେ ବି ଶିଶୁ କଳାକାର ଭାବେ ନଜର ଆସିଥିଲେ।
ପ୍ରକୃତି ମିଶ୍ର ଏହାପରେ ଜଣାଶୁଣା ପ୍ରଯୋଜକ ନିରଞ୍ଜନ ରଣାଙ୍କ ହିଟ୍ ଫିଲ୍ମ ‘ହରିଭାଇ ହାରେନା’ରେ ପୁଣି ଶିଶୁ କଳାକାର ଭାବେ ନଜର ଆସିଥିଲେ। ଏହି ସିନେମାରେ ତାଙ୍କ ଅଭିନୟ ଆହୁରି ବଳିଷ୍ଠ ଥିଲା। ଏଥିରେ ସୁନିଲ କୁମାର, ଅନୁ ଚୌଧୁରୀ, ମିହିର ଦାସ, ପିଙ୍କି ପ୍ରଧାନ ଓ ବାଦଲ ମହାନ୍ତି ପ୍ରମୁଖ ମେନଲିଡରେ ଥିଲେ। ଭେଟେରାନ୍ ରାଜୁ ମିଶ୍ର ‘ହରିଭାଇ ହାରେନା’ର ନିର୍ଦ୍ଦେଶକ।
ଓଲିଉଡ ହିରୋଇନ୍ ପ୍ରକୃତି ମିଶ୍ରଙ୍କୁ ବଡ଼ ପରଦାରେ ବ୍ରେକ୍ ଦେଇଥିଲେ ବରିଷ୍ଠ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ। ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ‘ଥୁକୁଲ’ରେ ପ୍ରଥମେ ନାୟିକା ଭୂମିକାରେ ନଜର ଆସିଥିଲେ ପ୍ରକୃତି।
ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ଥୁକୁଲ’ର ମୁଖ୍ୟ ନାୟିକା ଥିଲେ ଅର୍ଚ୍ଚିତା। ଏଥିରେ ବାବୁସାନ୍ ନାୟକ ଭୂମିକା ନିଭାଇଥିବା ବେଳେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିଥିଲେ ଶ୍ରୀତମ୍ ଦାସ, ଅପରାଜିତା, ପୁପିନ୍ଦର, କୁନା ତ୍ରିପାଠୀ ଓ ଶ୍ୱେତା ଆଚାର୍ଯ୍ୟ ପ୍ରମୁଖ।
ଏହାପରେ ଓଲିଉଡ ହିରୋଇନ୍ ପ୍ରକୃତି ମିଶ୍ରଙ୍କୁ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଓମ୍ ସାଇରାମ୍’ରେ ସବ୍ୟସାଚୀଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ ଦର୍ଶକ। ପରେ ପରେ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ଓମ୍ ଆଇ ନଟ୍ ଏ ଗଡ୍’ରେ ଆଜିକାର ଚର୍ଚ୍ଚିତ ହିରୋ ସମ୍ବିତଙ୍କ ସହ, ଶିବ ପ୍ରସାଦ ମହାନ୍ତିଙ୍କ ‘ପ୍ରେମିକା’ରେ ବୁଲୁଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଓଲିଉଡ୍ ହିରୋଇନ୍ ପ୍ରକୃତି ମିଶ୍ର।
ସେ ବିରଞ୍ଚି ନାରାୟଣ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ଏସିପି ସାଗରିକା’ରେ ଚକଲେଟ୍ ହିରୋ ଅଭିଷେକଙ୍କ ସହିତ ସ୍କ୍ରିନ୍ ସେଆର କରିଥିଲେ। ଏହି ଫିଲ୍ମରେ ଓଲିଉଡ୍ ହିରୋଇନ୍ ପ୍ରକୃତିଙ୍କ ଟାୱେଲ୍ ଡ୍ୟାନସ ବେଶ୍ ଚହଳ ପକାଇଥିଲା ସେତେବେଳେ। ଏହି ଫିଲ୍ମ ପାଇଁ ସବୁଠାରୁ ଅଧିକ ଚର୍ଚ୍ଚିତା ହୋଇଥିଲେ ସେ।
ହେଲେ ଏବେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ରାଷ୍ଟ୍ରୀୟ ପୁରସ୍କାର ଲାଭ କରିବାକୁ ମନୋନୀତ ହୋଇଥିବା ଫିଲ୍ମ ‘ହ୍ୟାଲୋ ଆର୍ସୀ’ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି ଓଲିଉଡ୍ ହିରୋଇନ ପ୍ରକୃତି ମିଶ୍ର। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ଭୂମିକା ନିଭାଇଛନ୍ତି ପାର୍ଥସାରଥୀ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ରାଉତରାୟ।
ପ୍ରକୃତି ମିଶ୍ର କମ୍ ବୟସରେ ରାଷ୍ଟ୍ରୀୟ ପୁରସ୍କାର ପାଇଥିବା ଓଡ଼ିଆମାନଙ୍କ ପାଇଁ କିଛି କମ ଗୌରବର କଥା ନୁହେଁ। ସମ୍ପ୍ରତି ପ୍ରକୃତି ମୁମ୍ବାଇରେ ଅବସ୍ଥାନ କରୁଛନ୍ତି ଏବଂ ସେ ସେଠାରେ କ୍ୟାରିଅର୍ କରୁଛନ୍ତି। ତାଙ୍କୁ ‘ତ୍ରିଦେବୀୟାଁ’, ‘ଜୟ କହ୍ନେୟା ଲାଲ୍ କି’ ଭଳି ହିନ୍ଦୀ ସିରିଏଲରେ ସୁଯୋଗ ମିଳିଛି।








ରାଷ୍ଟ୍ରୀୟ ପୁରସ୍କାର ଘୋଷଣା ହେବା ପରଠୁ ବେଶ୍ ଚର୍ଚ୍ଚାରେ ରହିଛନ୍ତି ଜଣେ ଓଲିଉଡ୍ ହିରୋଇନ୍। ସେ ହେଲେ ପ୍ରକୃତି ମିଶ୍ର। ଓଲିଉଡ଼ ହିରୋଇନ୍ ପ୍ରକୃତି ମିଶ୍ର ଓଡ଼ିଆ ଫିଲ୍ମ ‘ହ୍ୟାଲୋ ଆର୍ସୀ’ରେ ଉଚ୍ଚକୋଟୀର ଅଭିନୟ କରିଛନ୍ତି। ସେଥିପାଇଁ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାରରେ ସ୍ୱତନ୍ତ ସମ୍ମାନ ଦିଆଯିବ।





