ରବୀନ୍ଦ୍ର ନାରାୟଣ ମିଶ୍ର

ପାଡେରେୱିସ୍କି କ୍ଷଣମାତ୍ର ବିଳମ୍ବିତ ନ କରି ଉକ୍ତ ମହିଳାଙ୍କୁ କହିଲେ, ‘‘ମହାଶୟା! ଅନ୍ୟ କାହାଠାରୁ ମୋ ଧୈର୍ଯ୍ୟର ପରିମାଣ ଅଧିକ ନୁହେଁ। ମୁଁ କେବଳ ଏଥିପାଇଁ ମୋ ଧୈର୍ଯ୍ୟର ଉପଯୋଗ କରିଛି।’’

ବିବେକସମ୍ମତ ଧୀର ଗୁଣକୁ ଧୈର୍ଯ୍ୟ କୁହାଯାଏ। ଅବିବେକୀ ହୋଇ ଉଦ୍ଧତ ଭାବରେ ଯେଉଁଠି କିଛି କାର୍ଯ୍ୟ ଦ୍ରୁତଗତିରେ କରାଯାଏ, ତା’କୁ ଅଧୈର୍ଯ୍ୟ କୁହାଯାଏ। ଧୈର୍ଯ୍ୟ ଶାନ୍ତ ଭାବରେ ସଫଳତା ଆଣିଦିଏ। ଅଧୈର୍ଯ୍ୟ ବିଫଳତା ଆଣିବା ସଙ୍ଗେ ସଙ୍ଗେ ଅଶାନ୍ତି ସୃଷ୍ଟି କରିଥାଏ। ଧୈର୍ଯ୍ୟ ସମ୍ପୂର୍ଣ୍ଣ ନିଜସ୍ୱ ହୋଇଥାଏ, ଏହା କାହାଠାରୁ ଉଦ୍ଧାର କରାଯାଇ ନ ଥାଏ। ଧୈର୍ଯ୍ୟ ସମ୍ବନ୍ଧୀୟ ଗପଟି କହୁଛି।

ଇଗ୍‌ନାସି ପାଡେରେୱସ୍କି ପୋଲାଣ୍ଡ ଦେଶର ନାଗରିକ। ସେ ଥିଲେ ଜଣେ ବିଖ୍ୟାତ ପିଆନୋବାଦକ। ଥରେ ଗୋଟିଏ ସଙ୍ଗୀତ ଆସରରେ ସେ ପିଆନୋ ବାଦନ କରି ଉପସ୍ଥିତ ଶ୍ରୋତୃମଣ୍ଡଳୀକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ତାଙ୍କ ପିଆନୋବାଦନ ସମାପ୍ତ ହେବା ମାତ୍ରେ ଶ୍ରୋତୃମଣ୍ଡଳୀ ମଧ୍ୟରେ ଜନୈକ ମହିଳା ନିଜର ଭାବାବେଗକୁ ନିୟନ୍ତ୍ରଣ କରି ନ ପାରି ପ୍ରଶଂସାମୁଖର ସ୍ୱରରେ କହିଉଠିଲେ, ‘‘ଇଗ୍‌ନାସି, ତୁମେ ଯେମିତି ପିଆନୋରେ ଚମତ୍କାରିତା ସୃଷ୍ଟି କଲ, ମନେ ହେଉଛି ଏହା ଶିକ୍ଷା କରିବାକୁ ତୁମେ ସାରା ପୃଥିବୀର ଧୈର୍ଯ୍ୟକୁ କାଠି କରିଥିବ।’’

ପାଡେରେୱିସ୍କି ମହିଳାଙ୍କ କହିବାର ଉଦ୍ଦେଶ୍ୟକୁ ଠିକ୍ ଭାବେ ବୁଝିପାରିଲେ। ମହିଳା ଜଣକ ତାଙ୍କୁ ସୂଚନା ଦେଇ କହୁଛନ୍ତି ଯେ ବହୁତ ଧୈର୍ଯ୍ୟଧରି ସାଧନା କରିବା ଦ୍ୱାରା ଜଣେ ଏପରି ପିଆନୋ ବଜାଇବାରେ ଏ  ପ୍ରକାର ଚମତ୍କାରିତା ସୃଷ୍ଟି କରିପାରିଛି। ଏହାର ଅନ୍ୟ ଏକ ଅର୍ଥ ହେଲା ସାଧାରଣତଃ ଜଣେ ବ୍ୟକ୍ତିବିଶେଷ ପକ୍ଷରେ ଧୈର୍ଯ୍ୟ ଧରି ପିଆନୋ ବାଦନ ଅଭ୍ୟାସ କରି ଏ ପ୍ରକାର ସାଫଲ୍ୟ ଅର୍ଜନ କରିବା କଷ୍ଟକର।

ପାଡେରେୱିସ୍କି କ୍ଷଣମାତ୍ର ବିଳମ୍ବିତ ନ କରି ଉକ୍ତ ମହିଳାଙ୍କୁ କହିଲେ, ‘‘ମହାଶୟା! ଅନ୍ୟ କାହାଠାରୁ ମୋ ଧୈର୍ଯ୍ୟର ପରିମାଣ ଅଧିକ ନୁହେଁ। ମୁଁ କେବଳ ଏଥିପାଇଁ ମୋ ଧୈର୍ଯ୍ୟର ଉପଯୋଗ କରିଛି।’’

ପ୍ରତ୍ୟକ୍ଷ ଭାବେ ଉତ୍ତର ଦେଇ ସେଦିନ ଇଗ୍‌ନାସି ସମସ୍ତଙ୍କୁ ଜଣାଇଦେଲେ ଯେ ଧୈର୍ଯ୍ୟର ସହିତ ଲାଗି ପଡ଼ିଲେ ପିଆନୋ ବାଦନରେ ସାଫଲ୍ୟ ହାସଲ କରିହେବ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment