ରବୀନ୍ଦ୍ର ନାରାୟଣ ମିଶ୍ର
ନନି ଚେଷ୍ଟା କରି ଚାଲିଲା ପାଟିରେ ବାଲିଗରଡ଼ା ପୂରାଇ। ଜାଣନ୍ତି ଫଳ କ’ଣ ହେଲା? ନନି ତା’ ଖନାତ୍ୱକୁ ଦୂରକୁ ଫୋପାଡ଼ି ଦେଇପାରିଲା। ବିରାଟ ନାମଜାଦା ଓକିଲ ହୋଇ ସେ ସାରା ଭାରତରେ ଚହଳ ପକେଇଦେଲା।
ଦୃଢ଼ ଇଚ୍ଛାଶକ୍ତି ମଣିଷ ଜୀବନରେ ବେଳେବେଳେ ଆଣି ଦେଇଥାଏ ଏକ ବିରାଟ ପରିବର୍ତ୍ତନ। ସେଦିନ ବିଦ୍ୟାଳୟର ଶିକ୍ଷକ ତାଙ୍କ ଶ୍ରେଣୀରେ ପିଲାମାନଙ୍କୁ ପଚାରିଲେ, ‘‘ଯେଉଁମାନେ ବକ୍ତୃତା ପ୍ରତିଯୋଗିତାରେ ଯୋଗ ଦେବାକୁ ଚାହାନ୍ତି, ହାତ ଟେକନ୍ତୁ।’’ ଯେତେବେଳେ ସେ ନନି ହାତ ଉଠାଇଥିବା ଦେଖିଲେ, ମନରେ ଟିକେ ଦ୍ୱିଧା ରଖି ପଚାରିଲେ, ‘‘ତୁମେ କଣ ଯୋଗଦେବ ବକ୍ତୃତା ପ୍ରତିଯୋଗିତାରେ?’’
ପିଲାଟି କହିଲା, ‘‘…ହଁ… ହଁ… ମୁଁ… ମୁଁ… ଚେ… ଚେ… ଷ୍ଟା… କରିବି।’’ ଏତିକି କହିଲା ବେଳକୁ ଖନା ନନିର ପାଟି କେତେଥର ଲାଗିଗଲା। ଏ ଖନା ପୁଣି ବକ୍ତୃତା ଦେବ।
ଶିକ୍ଷକ ପୁଣି ପଚାରିଲେ ନନିକୁ, ‘‘ଦେଖ ନନି, ତୁମକୁ ପାଞ୍ଚ ମିନିଟ୍ କହିବାକୁ ପଡ଼ିବ, ପାରିବ ତ?’’ ନନି ମୁଣ୍ଡ ଟୁଙ୍ଗାରି ତା’ର ସମ୍ମତି ଜଣାଇଲା। ସେତେବେଳେ ନନିର ଚେହେରାରୁ ତା’ ଦୃଢ଼ ପ୍ରତିଜ୍ଞ ମନୋବୃତ୍ତିର ପରିଚୟ ସ୍ପଷ୍ଟ ବାରିହୋଇ ପଡ଼ିଥିଲା।
ନନି କେତେଥର ଏଇ ଖନା ଗୁଣଟି ଯୋଗୁଁ ଅପ୍ରସ୍ତୁତ ହୋଇଛି, ତା’ର ହିସାବ ନାହିଁ। ସେଦିନ ନନି ଯେତେବେଳେ ତା’ ବାପାଙ୍କୁ ଏ କଥା କହିଲା, ବାପା କହିଲେ, ‘‘ଆମ ଦୋକାନକୁ ଆସୁଥିବା ଶ୍ରୀମତୀ ଦସ୍ତୁର କହୁଥିଲେ ଯେ ପାଟିରେ ବାଲିଗରଡ଼ା ରଖି କଥା କହିଲେ ଖନା ଦୋଷ ଦୂର ହୋଇଥାଏ। ଚେଷ୍ଟା କରି ଦେଖ ଧନ।’’
ତହିଁ ଆରଦିନ ବକ୍ତୃତା ପ୍ରତିଯୋଗିତାରେ ନନି ଯେଉଁ ବିଷୟଟି ବାଛିଲା, ତା’ର ନାଁ ଥିଲା, ‘‘ଚେଷ୍ଟା କରିଚାଲିଥା’, ନିଶ୍ଚୟ ସଫଳ ହେବ।’’
ନନି ବକ୍ତୃତା ଆରମ୍ଭ କଲା। ଆରମ୍ଭରେ ଟିକେ ଅଟକିଗଲା। ମାତ୍ର କହିଚାଲିଲା, ‘ଧୈର୍ଯ୍ୟ’ ଶବ୍ଦ ପାଖରେ କିନ୍ତୁ ଅଟକିଗଲା। ବିଦ୍ୟାଳୟର ଅଧ୍ୟକ୍ଷ କିନ୍ତୁ କହିଲେ, ‘‘ନନି ଯଦି ଚେଷ୍ଟା କରିଚାଲେ, ସେ ନିଶ୍ଚୟ ଭଲ କହିବ।’’ ନନି ଚେଷ୍ଟା କରି ଚାଲିଲା ପାଟିରେ ବାଲିଗରଡ଼ା ପୂରାଇ। ଜାଣନ୍ତି ଫଳ କ’ଣ ହେଲା? ନନି ତା’ ଖନାତ୍ୱକୁ ଦୂରକୁ ଫୋପାଡ଼ି ଦେଇପାରିଲା। ବିରାଟ ନାମଜାଦା ଓକିଲ ହୋଇ ସେ ସାରା ଭାରତରେ ଚହଳ ପକେଇଦେଲା।
ବିରାଟ ନାମଜାଦା ଓକିଲ ହୋଇ ସେ ସାରା ଭାରତରେ ଚହଳ ପକେଇଦେଲା। ପ୍ରତିଥର ସଂସଦରେ ବଜେଟ୍ ପେସ୍ ହେବା ପରେ ନନିଙ୍କ ବିଶ୍ଳେଷଣାତ୍ମକ ପାଣ୍ଡିତ୍ୱପୂର୍ଣ୍ଣ ଆଲୋଚନା ଶୁଣିବାକୁ କଲିକତାର ପ୍ରେକ୍ଷାଳୟରେ ହଜାର ହଜାର ଶ୍ରୋତା ଏକତ୍ର ହେଉଥିଲେ। ସେ ମଧ୍ୟ ଆମେରିକାରେ ଭାରତର ରାଷ୍ଟ୍ରଦୂତ ହୋଇଥିଲେ। ଏ ନନି କିଏ ଜାଣନ୍ତି? ସେ ଥିଲେ ସ୍ୱନାମଧନ୍ୟ ଆଇନ ବିଶେଷଜ୍ଞ ନନିନ ପାଲ୍କିୱାଲ।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)















