ରବୀନ୍ଦ୍ର ନାରାୟଣ ମିଶ୍ର

ସାଧୁ କଥାର ଉପସଂହାର କଲେ – ନିଜ ଲୋକଙ୍କ ସହ କେହି ପ୍ରତାରଣା କରେ ନାହିଁ। ଯେଉଁଦିନ ରାଜନୈତିକ ନେତା ଓ ଅମଲାତନ୍ତ୍ରୀ ସାରା ଦେଶବାସୀଙ୍କୁ ଆପଣେଇ ନେବେ, ସେଦିନ ଦୁର୍ନୀତି ଦୂର ହୋଇଯିବ।

ସେଦିନ ଦୁର୍ନୀତି ପ୍ରସଙ୍ଗ ଉଠିବାରୁ ସାଧୁ ତାଙ୍କ ନିକଟରେ ବସିଥିବା ଶ୍ରୋତାମାନଙ୍କୁ କହିଲେ – ସବୁଠାରୁ ବେଶୀ ଦୁର୍ନୀତିଗ୍ରସ୍ତ ହେଉଛନ୍ତି ଆମର ରାଜନୈତିକ ନେତା ଓ ଅମଲାତନ୍ତ୍ରୀ। ଯେଉଁଦିନ ଏ ଦୁଇ ଗୋଷ୍ଠୀ ଦେଶବାସୀଙ୍କୁ ନିଜର କରିବେ, ସେଦିନ ଦୁର୍ନୀତି ଦୂର ହୋଇଯିବ। ନିଜ କଥାକୁ ବୁଝାଇବା ପାଇଁ ସାଧୁ ତାଙ୍କର ଗୋଟିଏ ଅଭିଜ୍ଞତା ଶୁଣାଇଲେ।

ସାଧୁଙ୍କ ପାଖକୁ ନିୟମିତ ଜଣେ ବ୍ୟବସାୟୀ ଆସୁଥିଲେ। ତାଙ୍କର ବ୍ୟବସାୟ ଥିଲା ଖାଇବା ତେଲ। ଦିନେ ସେ ନିଜ କାରଖାନାକୁ ସାଧୁଙ୍କୁ ନେଇଯାଇଥିଲେ। ସାଧୁଙ୍କ ପାଦ ପଡ଼ିଗଲେ କାରଖାନାର ଉତ୍ତରୋତ୍ତର ଉନ୍ନତି ହେବ – ଏହାହିଁ ଥିଲା ବ୍ୟବସାୟୀଙ୍କ ଉଦ୍ଦେଶ୍ୟ।

କାରଖାନାରେ ନିଜ ଉତ୍ପାଦିତ ଦ୍ରବ୍ୟ ଦେଖାଇବା ଅବସରରେ ସାଧୁ ତାଙ୍କୁ ନିଜ ବ୍ୟବହାର ପାଇଁ ଗୋଟିଏ ସୋରିଷ ତେଲ ଟିଣ ମାଗିଲେ। ବ୍ୟବସାୟୀ କୃତକୃତ୍ୟ ହୋଇଗଲେ ସାଧୁଙ୍କ କଥା ଶୁଣି। ମାତ୍ର ସାଧୁଙ୍କୁ କହିଲେ ମୁଁ ମୋ ଘରୁ ଆପଣଙ୍କ ପାଖକୁ ସୋରିଷ ତେଲ ଟିଣଟିଏ ଆଜି ପଠାଇଦେବି। ସାଧୁ ସେଇ କାରଖାନାରୁ ଗୋଟିଏ ତେଲ ଟିଣ ନେବାକୁ ଯେତେ ଜିଦ୍‌ କଲେ ବି ବ୍ୟବସାୟୀ କାରଖାନାରୁ ଦେବା ପାଇଁ ଆଦୌ ରାଜି ହେଲେ ନାହିଁ।

ସାଧୁ ବ୍ୟବସାୟୀଙ୍କୁ ଏକାନ୍ତକୁ ଡାକିନେଇ କହିଲେ – ସବୁଦିନେ ମୋ ପାଖକୁ ଆସି ଧର୍ମକଥା ଶୁଣୁଛ। ମାତ୍ର ଏ ଅଧର୍ମ କାର୍ଯ୍ୟ କିପରି କରିଚାଲିଛ?

ବ୍ୟବସାୟୀଙ୍କ ଆଖିରେ ଫୁଟି ଉଠୁଥିବା ପ୍ରଶ୍ନଟିକୁ ଠିକ୍‌ ରୂପେ ଜାଣିପାରି ସାଧୁ କହିଲେ – ମୁଁ ଜାଣୁଛି ତୁମେ ଏ କାରଖାନା ଗୋଦାମରୁ ମତେ କାହିଁକି ଟିଣଟିଏ ଦେଉନା। ତା’ର କାରଣ ଏସବୁ ହେଉଛି ଅପମିଶ୍ରିତ ତୈଳ। ତୁମ ଘର ଲୋକଙ୍କ ବ୍ୟବହାର ପାଇଁ ଘରେ ତୁମେ ଖାଣ୍ଟି ତେଲ ରଖିଛ ଓ ସେଇଥିରୁ ମତେ ଦେବାକୁ ଚାହୁଁଛ। ବ୍ୟବସାୟୀ ସେତେବେଳେ ନିଜ ମୁଣ୍ଡକୁ ତଳକୁ କରିଦେଇଥିଲେ।

ସାଧୁ କହିଲେ – ଦେଖ, ସାରା ଦେଶକୁ ତୁମେ ଯେଉଁଦିନ ନିଜ ପରିବାର ବୋଲି ଭାବିବ, ସେଦିନ କାହାକୁ ଅପମିଶ୍ରିତ ତେଲ ଦେଇପାରିବନି। ଦେଖ, ଦେଖାଇ ଦେବା ପାଇଁ ଧାର୍ମିକ ହୁଅ। ମୁଁ ତ ସାରା ଜୀବନ ସିଝା ଖାଏ। ମୋର ତେଲ ଦରକାର ନାହିଁ। ତୁମକୁ ଶିକ୍ଷା ଦେବା ପାଇଁ କେବଳ ମୁଁ ଏ ଅଭିନୟ କରିଥିଲି।’’

ସାଧୁ କଥାର ଉପସଂହାର କଲେ – ନିଜ ଲୋକଙ୍କ ସହ କେହି ପ୍ରତାରଣା କରେ ନାହିଁ। ଯେଉଁଦିନ ରାଜନୈତିକ ନେତା ଓ ଅମଲାତନ୍ତ୍ରୀ ସାରା ଦେଶବାସୀଙ୍କୁ ଆପଣେଇ ନେବେ, ସେଦିନ ଦୁର୍ନୀତି ଦୂର ହୋଇଯିବ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment