ଛନ୍ଦା ମିଶ୍ର

ସମସ୍ତେ କୌଣସି ପୁରସ୍କାର ବା ପ୍ରଶଂସାର ଆଶାରେ ସତ୍‌କାମ କରିନଥା’ନ୍ତି। ମାତ୍ର କୌଣସି କାରଣରୁ ଏହା ନ କରିପାରିଲେ, ଅନ୍ତରାତ୍ମାର ତାଡ଼ନା ଏମାନଙ୍କୁ ଦେଇଥାଏ ଅନେକ କଷ୍ଟ।

ସକାଳ ସାଢେ ସାତଟା ସମୟା ଯୋଗ କ୍ଲାସରୁ ଫେରୁଥାଏା ଘର ସାମ୍ନାରେ ଚାରୋଟି ପୁଅ ଝିଅ ସ୍କୁଟି ଉପରେ ବସି କଥା ହେଉଥା’ନ୍ତି। ସମସ୍ତେ କଲେଜ ୟୁନିଫର୍ମ ପିନ୍ଧିଥାନ୍ତି।

ଗପ ଚାଲିଥାଏ। ଦିନ ପ୍ରାୟ ଏଗାରଟା ବେଳକୁ ସେମାନେ ନିଜନିଜ ବାଟରେ ଚାଲିଗଲ। ଏହିଭଳି ଚାରି ପାଞ୍ଚ ଦିନ ଦେଖିଲା ପରେ ଦିନେ ଯାଇ କହିଲି – ପିଲାମାନେ କଣ ଆଜି କ୍ଲାସ୍ ନାହିଁ? ଝିଅଟିଏ ଉତ୍ତର ଦେଲା – ନା ଏବେ ଗ୍ୟାପ ଅଛି। କହିଲି – କଣ ସବୁଦିନ ଏହିଭଳି ଗ୍ୟାପ୍ ସାତଟାରୁ ଏଗାରଟା ପର୍ଯ୍ୟନ୍ତ ଚାଲୁଛି। ଝିଅଟି ଦୁଷ୍ଟାମିର ଏକ ହସ ହସି ଉତ୍ତର ଦେଲା-ହଁ !

ଆଉ ରହିପାରିଲିନି କହିଲି – କିରେ ସମୟକୁ କାହିଁକି ଏପରି ବରବାଦ୍ କରୁଛ ? ମା ବାପା କେତେ ବିଶ୍ୱାସରେ ତୁମକୁ ଏଠିକି ପଠାଇଛନ୍ତି, କଣ ଏଇଥିପାଇଁ। ଯାଅ ପାଠ ପଢିବା ସମୟ ନଷ୍ଟ କରନିରେ, ଥରେ ଏ ସମୟ ଚାଲିଗଲେ ଆଉ ଯେତେ ଭାବିଲେ ବି କିଛି କରିପାରିବନି। ସେମାନେ ପରସ୍ପରକୁ ଚାହାଁଚାହିଁ ହୋଇ ସେଠାରୁ ଚାଲିଗଲେ। ଘରକୁ ଆସିଲା ପରେ ସମସ୍ତେ ହେଲେ ବିରକ୍ତ।

ଶୁଣିବାକୁ ହେଲା – ତୁମର କଣ ଯାଉଛି, ଯୋଉଠି ଯାହାକୁ ଦେଖୁଛ ସୁଧାରିବାକୁ ଚାଲିଛ। ସେମାନେ ତ ଏଠୁ ଯାଇ ଆଉ କେଉଁଠି ଠିଆ ହୋଇ କଥା ହେବେ। ସେମାନେ କଣ ତୁମ କଥାରେ କ୍ଲାସ କରିବାକୁ ଯିବ। ତୁମ ଭାଗ୍ୟ ଭଲ। ସେମାନେ କିଛିୟାଡୁ ସ୍ୟାଡୁ କହିନାହାନ୍ତି। ନ ହେଲେ ଅପମାନ ପାଇ ଫେରିଥାନ୍ତ।

ଜଣେ ସମ୍ପର୍କୀୟା ଏକଥା ମଧ୍ୟ କହିଲେ ଯେ – ଆଜିକାଲି ଦୁନିଆରେ କାହାକୁ ଉପଦେଶ ଦେବେନି। ନହେଲେ ହିନସ୍ତା ହେବା ସାରା ତାପରେ ସେମାନେ କଣ ତୁମ ନିଜର ? ବାହାର ଲୋକ କିଏ କଣ କଲା, ସେଥିରୁ ଆମର କଣ ଯାଏ ଆସ। ଆମେ ଆମ ଛୁଆଙ୍କୁ କହିବା, ତାଙ୍କ ଭଲମନ୍ଦ ବୁଝିବା। ମନେରଖ ଏ ହେଲା କଳିକାଳ, ଏଠି ହାତେ ମାପି ଚାଖଣ୍ଡେ ଚାଲିଲେ ଯାଇ ଶାନ୍ତିରେ ରହିପାରିବ। ଯିଏ ପଚାରିବ କେବଳ ତାକୁ ଉପଦେଶ ଦେବ। ଅଯଥା ଉପଦେଶ ଦେଲେ ଲୋକେ ତୁମକୁ ହେୟଜ୍ଞାନ କରିବ। ତେଣୁ ସାଧୁ ସାବଧାନ୍। ଯେତେ ପାରିବ ଚୁପ୍ ରୁହ। ନ ହେଲେ ଲୋକେ ତୁମକୁ ପାଗଳ ଭାବିବେ।

କିପରି ବା ମୁଁ ତାଙ୍କୁ ବୁଝାଇବି ଯେ – କେତେବେଳେ, କେଉଁଠି ଓ କିପରି ଭାବରେ କିଛି କଥା ମନକୁ ଛୁଇଁ ଗଲେ ଜୀବନର ଧାରା ବଦଳି ଯାଏ ବୋଲି।

ଛୋଟବେଳେର କଥା। ବାପାଙ୍କ ହାତ ଧରି ସ୍କୁଲ ଗଲାବେଳେ ଦେଖେ, ରାସ୍ତାରେ ପଡ଼ିଥିବା କଦଳୀ ଚୋପା, କାଚ ବା ପଥର ଦେଖିଲେ ବାପା ତାକୁ ଉଠାଇ ରାସ୍ତା କଡ଼କୁ ପକାଇ ଦିଅନ୍ତି। ଏପରି କରିବାର କାରଣ ପଚାରିଲାରୁ ଉତ୍ତର ଦେଲେ – ଆମେ ସିନା ଦେଖିଲେ ବୋଲି ବାଟ କାଟି ଚାଲିଯିବା, ମାତ୍ର ଯେତେବେଳେ କେହି ନ ଦେଖି ତା ଉପରେ ଗୋଡ଼ ପକାଇଦେବ, ତେବେ ତା’ର ଅବସ୍ଥା ପାଇଁ ମଧ୍ୟ ଆମେ ଦାୟୀ ରହିବା। ସେ ନ ଦେଖି ନ ଜାଣି ଯେଉଁ କଷ୍ଟ ପାଇଲା, ଆମେ ଜାଣି ମଧ୍ୟ ଅଣଦେଖା କରିଥିବାରୁ ସେ ପାପର ବୋଝ ମୁଣ୍ଡାଇବା। ତେବେ ପାପ କ’ଣ ପୁଣ୍ୟ କ’ଣ, ଏତେ ବଡ଼ କଥା ମୁଣ୍ଡରେ ପଶୁ ନ ଥିଲା। କେବଳ ଏପରି କିଛି ଛୋଟଛୋଟ କାମ ମନକୁ ଶାନ୍ତି ପ୍ରଦାନ କରୁଥିଲା।

ମୁଁ ଉପରୋକ୍ତ ଛାତ୍ରୀଛାତ୍ରମାନଙ୍କୁ କେବଳ ଚେତାଇ ଦେଇଛି ଯେ, ଏଇଟା ପାଠ ପଢ଼ିବାର ସମୟ, ଏ ସମୟ ଥରେ ଚାଲିଗଲେ ପରେ ଯେତେ ବିକଳ ହେଲେ ମଧ୍ୟ କୌଣସି ଲାଭ ନାହିଁ। ଯାହାଦ୍ୱାରା ସେ ଚାରିଜଣଙ୍କ ମଧ୍ୟରୁ ଜଣେ ଯଦି କଥାଟିକୁ ମନରେ ଗ୍ରହଣ କରିବ, ତେବେ ମୋ କହିବାଟା ସାର୍ଥକ ହୋଇଯିବ। ଯଦି କେହି ମଧ୍ୟ ଗ୍ରହଣ ନ କଲେ ତେବେ ମଧ୍ୟ ମୁଁ ମୋର ଦାୟିତ୍ୱ ତୁଲାଇଛି ବୋଲି ମନେକରି ଯେଉଁ ଆତ୍ମସନ୍ତୋଷ ଲାଭକଲି, ମନେମନେ ବିରକ୍ତ ହୋଇ ସେଠାରୁ ଚାଲି ଆସିଥିଲେ ବୋଧହୁଏ ପରେ ନିଜକୁ ଦୋଷୀ ମନେକରିଥାନ୍ତି।

ଆଜି ଉଣା ଅଧିକେ, ଅପମାନ ଭୟରେ ପ୍ରାୟ ବୁଦ୍ଧିଜୀବୀ ଓ ବୟସ୍କ ବ୍ୟକ୍ତିମାନେ ଘରେ ବାହାରେ ଚୁପ୍ ହୋଇ ରହିବା ପାଇଁ ଉଚିତ୍ ମଣୁଛନ୍ତି। ଏସବୁ ଗାଁ ଅପେକ୍ଷା ସହରରେ ବେଶି ଦେଖାଯାଉଛି। ସମସ୍ତେ ଭାବୁଛନ୍ତି ଅନ୍ୟ ଜଣେ କ’ଣ କରୁଛି ଆମର ସେଥିରେ ମୁଣ୍ଡ ଖେଲାଇବା ଦରକାର ନାହିଁ। କାଦୁଅକୁ ଯିବା କାହିଁ, ଗୋଡ଼ ଧୋଇବା କାହିଁ।

କାଦୁଅ ଭିତରୁ କାହାକୁ ଉଦ୍ଧାର କରିବାକୁ ହେଲେ, ଗୋଡ଼ ହାତରେ ଅଳ୍ପ ବହୁତ କାଦୁଅ ତ ଲାଗିବ, କ’ଣ ଏହାକୁ ଡରି ଆମେ କାଦୁଅ ଭିତରେ ଜଣକୁ ଛଟପଟ ହେବାକୁ ଛାଡ଼ିଦେଇ ଘରେ ଶାନ୍ତିରେ ବସିପାରିବା? ଆମ ବିବେକ କଣ ଆମକୁ ଏପରି କରିବାକୁ ବାଧା ଦେବନି।

ସେହିପରି ଆଉ ଦିନକର ଘଟଣା। ପିଲାଙ୍କୁ ଛାଡ଼ିବା ପାଇଁ ସ୍କୁଲ ବସର ଅପେକ୍ଷା କରିଛି। ରାସ୍ତା ଉପରେ ଦୁଇଟି ବାଇକ୍ ପରସ୍ପର ସହ ବାଡ଼େଇ ହୋଇ ଆରୋହୀମାନେ ଆହତ ହେଲ। ଜଣଙ୍କ ହାତରୁ ରକ୍ତ ବାହାରୁଥିବା ଦେଖି ରୁମାଲଟି ବଢ଼ାଇ ଦେବାରୁ, ପାଖରେ ଠିଆ ହୋଇଥିବା ମହିଳା ଜଣକ କହିଲେ, ତାଙ୍କୁ କଣ ଆପଣ ଚିହ୍ନନ୍ତି ? ମୁଁ କହିଲି ନା। ସେ କହିଲେ ତାହେଲେ ତାଙ୍କୁ ନିଜ ରୁମାଲଟି ଦେଇଦେଲେ?

କଣ ବା କହିଥାନ୍ତି, କିପରି ବା ବୁଝାଇଥାନ୍ତି ଯେ – ମୋର ସାମାନ୍ୟ ରୁମାଲଟିଏ କାହାର କାମରେ ଲାଗିଥିବାରୁ, ମୁଁ କେତେ ଆତ୍ମସନ୍ତୋଷ ଲାଭ କଲି !

ଆମେ ସେହି ସମାଜରେ ରହୁଛେ, ଯେଉଁଠି ଏପରି ମଧ୍ୟ ଲୋକ ଅଛନ୍ତିା ଯିଏ ଷଣ୍ଢ, ଗାଈ, କୁକୁର ଆଦିଙ୍କ କଷ୍ଟ ଦେଖିଲେ ସେ କଷ୍ଟର ଉପଶମ ପାଇଁ ଅଣ୍ଟାଭିଡ଼ି ବାହାରୁଛନ୍ତି। କେହି ବା ଛୋଟ ଅନାଥ ଶିଶୁଟିଏ ଦେଖିଲେ ଉଠାଇ ଡାକ୍ତରଖାନାରେ ଭର୍ତ୍ତି କରି ତା’ର ଯତ୍ନ ନେବାରେ ହେଉଛନ୍ତି ଆଗଭର। କେଉଁଠି ଡାକ୍ତରଟିଏ ବିନା ପାରିଶ୍ରମିକରେ ରୋଗୀର କରୁଛନ୍ତି ଚିକିତ୍ସା। ଶିକ୍ଷକ ନିଜ ହାତରୁ ପଇସା ଖର୍ଚ୍ଚ କରି ଗରିବ ମେଧାବୀ ଛାତ୍ରଟିଏକୁ ପାଠ ପଢ଼ାଉଛନ୍ତି।

ରାସ୍ତା ଦୁର୍ଘଟଣାରେ ଆହତ ଅଚିହ୍ନା ବ୍ୟକ୍ତିଟିଏକୁ ପୋଲିସଟିଏ ନିଜର ରକ୍ତ ଦେଇ ନୂତନ ଜୀବନ ପ୍ରଦାନ କରୁଛି। ଏଥିପାଇଁ ଏମାନେ କୌଣସି ପୁରସ୍କାର ବା ପ୍ରଶଂସାର ଆଶା ରଖିନାହାନ୍ତି। ମାତ୍ର କୌଣସି କାରଣରୁ ଏହା ନ କରିପାରିଲେ, ଅନ୍ତରାତ୍ମାର ତାଡ଼ନା ଏମାନଙ୍କୁ ଦେଇଥାଏ ଅନେକ କଷ୍ଟ।

(ସୌଜନ୍ୟ – ଭିନ୍ନ ମଣିଷ)

Comment