ରବୀନ୍ଦ୍ର ନାରାୟଣ ମିଶ୍ର

ତାଙ୍କୁ ଯେମିତି କିଏ ଖତେଇ ହୋଇ କହୁଥାଏ – ଦେଖିଲୁ, ତୁ ଏତେ ବଡ଼ ବିଦ୍ୱାନ, ମାତ୍ର ତୋ ଭାଷା ହେଲା ମୂର୍ଖର ଭାଷା ଓ ସେ ଭାଷାର ଭାବ ହେଲା ଅର୍ଥହୀନ।

ବେଳେବେଳେ ଏମିତି ହୁଏ। ଆମର ସମସ୍ତ ସଦିଚ୍ଛା ଓ ସତ୍‌କର୍ମ ଯାହାକୁ କହନ୍ତି, ନଳାପାଣିରେ ଭାସିଯାଏ। ଆମର ସମସ୍ତ ସାଧୁ ଉଦ୍ୟମ ଓ ଚେଷ୍ଟା ବିଫଳ ହୋଇଯାଏ ଓ ଆମକୁ ସଫଳତାର ଫଳ ସ୍ୱରୂପକ ପ୍ରଶଂସା ମିଳିବା ଦୂରେ ଥାଉ, ମିଳିଥାଏ ନିନ୍ଦା ଆଉ ଅପଯଶ। ଏ ନିନ୍ଦା ଓ ଅପଯଶକୁ ଆମକୁ ଆଦରି ନେବାକୁ ପଡ଼ିଥାଏ। ଏହାକୁ ଆମେ ଆମର ଭାଗ୍ୟଫଳ ବୋଲି କହିଥାଉ। ଏ କଥାଟି ବୁଝାଇବାକୁ ଯାଇ ଗୋଟିଏ ସତ୍ୟ କାହାଣୀର ଆଶ୍ରୟ ନେଉଛି।

ଆମେରିକାରେ ଜନ୍ମଲାଭ କରିଥିବା ବିଦ୍ୱାନ୍‌ ନୋଆ ୱେବ୍‌ଷ୍ଟର୍‌ ଥରେ ତାଙ୍କର ଜଣେ ଅପାଠୁଆ ଅଶିକ୍ଷିତ ଚାକରଠାରୁ ଭଲ ପ୍ରଶଂସା ପତ୍ରଟିଏ ପାଇଥିଲେ। ନୋଆ ୱେବ୍‌ଷ୍ଟର୍‌ଙ୍କ ପାଣ୍ଡିତ୍ୟ ସର୍ବଜନବିଦିତ ଥିଲା। ମାତ୍ର ଅପାଠୁଆ ଚାକରଟି ତା’ ଅଜାଣତରେ ତାଙ୍କ ପାଣ୍ଡିତ୍ୟର କେମିତି ଉପହାସ କରିଥିଲା, ସେ କଥା ଭାବିଲେ ପ୍ରକୃତରେ ଗୋଟିଏ ଦୃଷ୍ଟିରୁ ହସ ଲାଗିବ ଓ ଅନ୍ୟ ଦୃଷ୍ଟିରୁ ଦୁଃଖ ମଧ୍ୟ ଲାଗିବ।

କଥାଟି ଏମିତି ଥିଲା। ଦିନେ ୱେବ୍‌ଷ୍ଟର୍‌ଙ୍କ ଅପାଠୁଆ ଚାକରଟି ତାଙ୍କୁ ଅନୁରୋଧ କଲା ତା’ ପାଇଁ ଜଣେ ବନ୍ଧୁଙ୍କ ପାଖକୁ ଚିଠିଟିଏ ଲେଖିଦେବାକୁ। ଚାକରଟିକୁ ଦୟା ଦେଖାଇ ୱେବ୍‌ଷ୍ଟର କାଗଜକଲମ ଧରି ବସିପଡ଼ିଲେ। ଚାକର ଯାହା ଯାହା କହିଯାଉଥିଲା, ୱେବ୍‌ଷ୍ଟର ତା’କୁ ସୁନ୍ଦର ଭାଷାରେ ଲେଖି ଚାଲିଥିଲେ। ଚାକରର ସବୁ ଅମାର୍ଜିତ କଥା ୱେବ୍‌ଷ୍ଟର୍‌ଙ୍କ ଲେଖନୀ ଦ୍ୱାରା ସୁନ୍ଦର ଭାଷାରେ ରୂପାନ୍ତରିତ ହେଉଥାଏ। ଚିଠିଟି ଇତି ହେବା ପୂର୍ବରୁ ୱେବ୍‌ଷ୍ଟର୍‌ ଉଦାର ତଥା ବିଚାରବନ୍ତ ହୋଇ ଚାକରକୁ ପଚାରିଲେ, ‘‘ତୁମର ଆଉ କିଛି ଲେଖିବାର ଅଛି କି?’’

ଚାକରଟି କହିଲା, ‘‘ହଁ ଲେଖିଦିଅ। ମୁଁ ତ ମୂର୍ଖ, ଏ ଚିଠିର ଭାଷା ମୋ ମୂର୍ଖପଣିଆ ଜଣାଇଦେବ ଓ ଚିଠିର ଭାଷା ଯେ କେତେ ଅର୍ଥହୀନ ତା’ ବି ମୁଁ ଜାଣିପାରୁଛି। ତେଣୁ ଲେଖିଦିଅ ମୋ ଭାଷାର ମୂର୍ଖପଣିଆ ଓ ଭାବର ଅର୍ଥହୀନତା ପାଇଁ ମୁଁ କ୍ଷମା ମାଗୁଛି।’’

ଚାକର ଯାହା କହିଲା, ୱେବ୍‌ଷ୍ଟର୍‌ ସେ କଥାଟିକୁ ଅବିକଳ ଲେଖିଦେଲେ ସିନା, ତାଙ୍କୁ ଯେମିତି କିଏ ଖତେଇ ହୋଇ କହୁଥାଏ – ଦେଖିଲୁ, ତୁ ଏତେ ବଡ଼ ବିଦ୍ୱାନ, ମାତ୍ର ତୋ ଭାଷା ହେଲା ମୂର୍ଖର ଭାଷା ଓ ସେ ଭାଷାର ଭାବ ହେଲା ଅର୍ଥହୀନ।

ବିଦ୍ୱାନ୍‌ ୱେବ୍‌ଷ୍ଟର୍‌ କାନମୁଣ୍ଡ ଆଉଁସି ଲେଖିଥିବା ଚିଠିଟିକୁ ଡାକରେ ପକାଇବା ପାଇଁ ଅପାଠୁଆ ଚାକର ହାତକୁ ବଢ଼ାଇଦେଲେ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment