ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପ୍ରବାସୀ ଶ୍ରମିକ ସହାୟତା ଓ ସାଧନା କେନ୍ଦ୍ର ‘ଶ୍ରମିକ ସାରଥୀ’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ୪ ଜଣ ଶ୍ରମିକ ନେତାଙ୍କୁ ମିଳିଲା ‘ବିଜୁ ଶ୍ରମିକ ବନ୍ଧୁ ସମ୍ମାନ’
  • ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ଗୋଷ୍ଠୀ ରେଡିଓ କାର୍ଯ୍ୟକ୍ରମ – ‘ଶୁଣ ଶ୍ରମିକ’
  • ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ ନିମିତ୍ତ ୪୪ ଦିନିଆ ସଚେତନତା ଅଭିଯାନର ଆରମ୍ଭ

“ଶ୍ରମଶକ୍ତି ହେଉଛି ଦେଶର ବଡ଼ ଶକ୍ତି। ଶ୍ରମିକମାନେ ହେଉଛନ୍ତି ଆଧୁନିକ ଯୁଗର ବିଶ୍ଵକର୍ମା। ବିକାଶର ସବୁକ୍ଷେତ୍ରରେ ରହିଛି ଶ୍ରମିକମାନଙ୍କର ତ୍ୟାଗ ଓ ପରିଶ୍ରମ। ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଆମ ସରକାର ସବୁବେଳେ ଯତ୍ନବାନ ହୋଇଛନ୍ତି” ‘ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୧୮’ ସମାରୋହକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଜୟଦେବ ଭବନଠାରେ ଅନୁଷ୍ଠିତ ‘ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୧୮’ ସମାରୋହରେ  ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡିଶାକୁ ଏକ ସମୃଦ୍ଧ ରାଷ୍ଟ୍ର ଭାବେ ଗଢିତୋଳିବା ପାଇଁ ଶ୍ରମିକଙ୍କ ନିଷ୍ଠାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରବାସୀ ଶ୍ରମିକମାନଙ୍କ ପାଇଁ କଣ୍ଟାବାଞ୍ଜି, ବାଲୁଗାଁ ଓ ପଦ୍ମପୁରରେ ‘ଶ୍ରମିକ ସାରଥୀ’ କାର୍ଯ୍ୟକ୍ରମ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଦାଦନ ଶ୍ରମିକ ରୋକିବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଉଦ୍ୟମ ଜାରି ରହିଛି। ଗତ ୨ବର୍ଷରେ ରାଜ୍ୟରେ ଶ୍ରମିକ ପ୍ରବାସ କମିଛି। ପ୍ରବାସୀ ଶ୍ରମିକ ସହାୟତା ଓ ସାଧନା କେନ୍ଦ୍ର ‘ଶ୍ରମିକ ସାରଥୀ’ ଜରିଆରେ ସେମାନଙ୍କର ନିରାପତ୍ତା ଅଭିଯୋଗର ଶୁଣାଣି ଓ ସମାଧାନ ପାଇଁ ପରାମର୍ଶ ପ୍ରଦାନ କରାଯିବ”।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିସ୍ତୃତ ପ୍ରଚାର ଓ ପ୍ରସାର ନିମିତ୍ତ ଏକ ଗୋଷ୍ଠୀ ରେଡିଓ କାର୍ଯ୍ୟକ୍ରମ ‘ଶୁଣ ଶ୍ରମିକ’ ଏବଂ ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ ପାଇଁ ୪୪ ଦିନିଆ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରିଛନ୍ତି।

ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର କାର୍ଯ୍ୟକଳାପ ତଥା ନିର୍ମାଣ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଚେତନତା ବୃଦ୍ଧି ପାଇଁ ସମର୍ପିତ ୱେବସାଇଟ୍ ଶ୍ରମିକ.କମ୍‌ର ଲୋକାର୍ପଣ ଓ ଶ୍ରମ କଲ୍ୟାଣ ବୁଲେଟିନ୍ ଓ ଶ୍ରମବିଭାଗର ବାର୍ଷିକ ବିବରଣୀ ପୁସ୍ତକ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି।

ଏହି ସଭାରେ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା ୪ଜଣ ଶ୍ରମିକ ନେତା ବିଦ୍ୟାଧର ବାରିକ, ରମେଶ ଚନ୍ଦ୍ର ଜେନା, ଶ୍ରୀନିବାସ ରାଓ, ଯତୀନ୍ଦ୍ର ନାଥ ରାଓ, ମୁଖ୍ୟମନ୍ତ୍ରୀ ‘ବିଜୁ ଶ୍ରମିକ ବନ୍ଧୁ ସମ୍ମାନ’ରେ ସମ୍ମାନିତ କରିଥିଲେ।

ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ସରକାର ୧୭ଟି ଯୋଜନା ସମ୍ବଳିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପ୍ରଣୟନ କରି ୧୧ଲକ୍ଷ ୫୨ହଜାର ହିତାଧିକାରୀଙ୍କୁ ୮୧୪କୋଟି ଟଙ୍କାର ସହାୟତା ପ୍ରଦାନ କରିଯାଇଛି। ସହାୟତା ପ୍ରଦାନ ଦିଗରେ ସ୍ଵଚ୍ଛତା ଅବଲମ୍ବନ କରିବା ପାଇଁ ବ୍ୟବସ୍ଥା କରାଯାଇ କ୍ୟାମ୍ପ ମଧ୍ୟରେ ସହାୟତା ରାଶି ପ୍ରଦାନ କରାଯାଉଛି। ଶ୍ରମିକମାନଙ୍କର ଆଇନଗତ ଅଧିକାରକୁ ନେଇ ସରକାର ଯତ୍ନବାନ୍ ହୋଇ ବଲାଙ୍ଗିର ଓ ନୂଆପଡା ଜିଲ୍ଲାରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଟାଟା ଟ୍ରଷ୍ଟ ସହଯୋଗରେ ପାଇଲଟ୍ ପ୍ରୋଜେକ୍ଟ କାର୍ଯ୍ୟକାରୀ ଓ ପ୍ରବାସୀ ଶ୍ରମିକଙ୍କ ୯ହଜାର ଶିଶୁଙ୍କୁ ଛାତ୍ରାବାସରେ ଶିକ୍ଷାପ୍ରଦାନର ବ୍ୟବସ୍ଥା କରାଯାଇଛି। ଯାହାଫଳରେ ଶ୍ରମିକ ହେବାରୁ ଶିଶଙ୍କୁ ରକ୍ଷା କରାଯାଇପାରିଛି।

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ କହିଛନ୍ତି, “ଆଗାମୀ ଦିନରେ ଆମେ ଓଡ଼ିଶାରେ ୧ କୋଟି ଶ୍ରମିକଙ୍କୁ ସୁରକ୍ଷା ବଳୟରେ ରଖିବୁ। ଆମ ଶ୍ରମିକ ସବୁଠୁ କୁଶଳୀ ଶ୍ରମିକ ହେବେ। ଆମ ରାଜ୍ୟରେ ଥିବା ନିର୍ମାଣ ଶ୍ରମିକମାନେ ଅନ୍ୟ ରାଜ୍ୟ ପାଇଁ ଏକ ମଡେଲ୍ ହିସାବରେ ପରିଗଣିତ ହେବାକୁ ଯାଉଛନ୍ତି”।

ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଭାଷା ସାହିତ୍ୟ ଓ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଶ୍ରମ ସଚିବ ଅନୁ ଗର୍ଗ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Comment