ଓଡ଼ିଶାଲାଇଭ୍ ବ୍ୟୁରୋ
ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ରିମାଣ୍ଡ ବେଳେ ପୁଞ୍ଜିଲାଲଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ। ବୁଧବାର ପୁଞ୍ଜିଲାଲକୁ କ୍ରାଇମବ୍ରାଞ୍ଚ କୋର୍ଟରେ ହାଜର କରିବ।
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ରିମାଣ୍ଡ ଆଜି ଶେଷ ହୋଇଛି। ରିମାଣ୍ଡ ଶେଷ ହେବା ପରେ ପୁଞ୍ଜିଲାଲଙ୍କୁ କ୍ରାଇମବ୍ରାଞ୍ଚ ବଲାଙ୍ଗିର ନେଇଛି। ବୁଧବାର ତାଙ୍କୁ ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର କରାଯିବ।
ପୁଞ୍ଜିଲାଲଙ୍କୁ ୨୫ ତାରିଖରେ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଥିଲା। ୨୬ ତାରିଖରେ ପୁଞ୍ଜିଲାଲଙ୍କୁ କୋର୍ଟରେ ହାଜର କରି ୧୪ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ହେଲେ କୋର୍ଟ ୬ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ। ଦ୍ୱିତୀୟ ଥର ପାଇଁ ପୁଞ୍ଜିଲାଲକୁ ରିମାଣ୍ଡରେ ଆଣିବା ପାଇଁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିବ।
୨୬ ତାରିଖରୁ ପୁଞ୍ଜିଲାଲଙ୍କୁ କଟକ ଆଣି କ୍ରାଇମବ୍ରାଞ୍ଚ ଜେରା ଚଳାଇଥିଲା। ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ କେମିତି ଅଧ୍ୟାପକରୁ ଅପରାଧୀ ସାଜିଲେ ସେନେଇ ଅଧିକ ଖୋଳତାଡ଼ କରିଥିଲେ କ୍ରାଇମବ୍ରାଞ୍ଚ ଟିମ୍। ପୁଞ୍ଜିଲାଲଙ୍କ ଅପରାଧ ସାମ୍ରାଜ୍ୟ ସମ୍ପର୍କରେ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍ ଗଠନ କରିଥିଲା।
ଜେରା ସମୟରେ କ୍ରାଇମବ୍ରାଞ୍ଚ ଅଧିକାରୀ ପୁଞ୍ଜିଲାଲଙ୍କଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ସୁରାକ୍ ପାଇଛି। ରାୟପୁରର ଅଟୋ ଚାଳକକୁ ଠାବ କରିବା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍ ରାୟପୁର ଗସ୍ତ କରିଛନ୍ତି। ପୁଞ୍ଜିଲାଲ ଅଟୋରେ ରାୟପୁରର କେଉଁ କେଉଁ ଜାଗାକୁ ଯାଇଥିଲେ ସେ ସମ୍ପର୍କରେ ଅଟୋ ଚାଳକକୁ ପଚରା ଉଚୁରା କରିବ କ୍ରାଇମବ୍ରାଞ୍ଚ।
ଭଇଁଷା କଲେଜ ଅଧ୍ୟକ୍ଷ ପଦ ନପାଇବାରୁ ପୁଞ୍ଜିଲାଲ ଏହି ଜଘନ୍ୟ କାଣ୍ଡ ଘଟାଇଥିଲା। ସୌମ୍ୟଶେଖରଙ୍କ ମା’ଙ୍କ ଉପରେ ରାଗ ରଖି ନବ ବିବାହିତ ସୌମ୍ୟ-ରିମାଙ୍କ ନୂଆ ଜୀବନକୁ ଛାରଖାର କରିଦେଇଥିଲା ପୁଞ୍ଜିଲାଲ। ପ୍ରାୟ ୮ ମାସ ଧରି ପୁଞ୍ଜିଲାଲ ଏହି ବିସ୍ଫୋରଣ ଘଟାଇବା ପାଇଁ ଯୋଜନା କରିଥିଲା। ଫେବ୍ରୁଆରି ୨୩ ତାରିଖରେ ପୁଞ୍ଜିଲାଲ ଏହି ମିସନରେ ସଫଳ ହୋଇଥିଲା।








ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ରିମାଣ୍ଡ ବେଳେ ପୁଞ୍ଜିଲାଲଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ। ବୁଧବାର ପୁଞ୍ଜିଲାଲକୁ କ୍ରାଇମବ୍ରାଞ୍ଚ କୋର୍ଟରେ ହାଜର କରିବ।





